କ୍ଷୁଦ୍ରଗଳ୍ପ - କେଞ୍ଚୁଆ - ସୁବଳ ମହାପାତ୍ର

କ୍ଷୁଦ୍ରଗଳ୍ପ - କେଞ୍ଚୁଆ - ସୁବଳ ମହାପାତ୍ର

ବାପା, "ଏ ସୁପ୍ରିତି ଦିଦି ନା ଜମା ଭଲ ନୁହଁ" । କାନ୍ଧ ରେ ବ୍ୟାଗ ପକେଇ ସ୍କୁଲ ଗେଟ ପାଖରେ ପହଞ୍ଚୁ ପହଞ୍ଚୁ ମୋ ଝିଅ କହିଲା ।

-- କହିଲି, କାହିଁକି ? ସେ ତୋର କଣ କଲା ??
-- ସେ ନା, ଆଜି ସମସ୍ତଙ୍କୁ ପଚାରିଲେ 'ସକାଳୁ କଣ ଖାଇକି ଆସିଛ ?" ମୁଁ କହିଲି "ମାଗି" । ମୋତେ କହିଲେ, "ତୋ ବାପା ର ପଇସା ନାହିଁ କି ? ସେ କେଞ୍ଚୁଆ ଗୁଡା ସକାଳୁ କାହିଁକି ଖାଇକି ଆସୁଛୁ?" ମୋତେ ନା, ଲାଜ ଲାଗିଲା। ସବୁ ପିଲାଙ୍କ ଆଗରେ ମୋତେ ସେ ଏମିତି କହିଲେ। ତୁମ ସାଙ୍ଗ ବୋଲି କଣ ସମସ୍ତଙ୍କ ଆଗରେ ଏମିତି କହିବା ଠିକ କି ? କାନ୍ଦ କାନ୍ଦ ହୋଇ ଏକା ନିଶ୍ୱାସ ରେ ସେ କହିଗଲା ଏତକ।

କେଞ୍ଚୁଆ ଶବ୍ଦ ଟି କାହିଁକି କେଜାଣି କାନ ଭିତରେ ଦେଇ ଛାତି ରେ ଅଟକି ଗଲା । ସ୍କୁଲ ସମୟରୁ ସେ ମୋତେ କେଞ୍ଚୁଆ (earthworm) ଡାକେ । ଜେଜେଙ୍କ ବନିସି ଧରି ସେ ଆଉ ମୁଁ ଯାଉ ମାଛ ମାରିବାକୁ । ବନିସି କହିଲେ ଛଅ-ସାତ ହାତ ଲମ୍ବା ଅଗି ବାଉଁଶ ଖଣ୍ଡେ। ସେଥିରେ ପତଳା ବନିସି ସୁତା ସହ ସୁତା ମଝିରେ ସୋଲ ଖଣ୍ଡେ ସହ ଅଗରେ ଲାଗିଥାଏ ବଙ୍କା କଣ୍ଟା ଗୋଟିଏ । କେତେ ହେବ ସମୟ ? ସେଇ ଷଷ୍ଠ କି ସପ୍ତମ କଥା । ଦି ପହରେ ସେ ଆଉ ମୁଁ ବାହାରି ଯାଉ ମାଛ ମାରିବାକୁ । ମୁଁ ବନିସି ସଜ କଲା ବେଳକୁ ସେ ଖୋଜି ଖୋଜି ଆଣିଥାଏ କେଞ୍ଚୁଆ କିଛି କୂଳରୁ। ମାଟି ଭିତରେ ଆଙ୍ଗୁଠି ଗେଂଜି ଟାଣି ଆଣେ କେଞ୍ଚୁଆ କୁ । ଥରେ ଥରେ ଏକାବେଳେ ଦୁଇ କି ତିନି ଧରା ପଡ଼ି ଯାଆନ୍ତି । କେଞ୍ଚୁଆ କୁ ମଝିରୁ ଦୁଇଗଡ କରି ଖଣ୍ଡେ ବନିସି ର କଣ୍ଟା ରେ କେଂଛି ଛାଡୁ ପାଣି କୁ । ସୋଲ ବୁଡ଼ିଗଲେ ଜାଣୁ ମାଛ ପଡିଛି । ତାକୁ ଉପରକୁ ଆଣି କଣ୍ଟା ରୁ ବାହାର କରି ବାଲଟି ରେ ରଖୁ, ପୁଣି ଆର ଖଣ୍ଡ। ବେଳେ ବେଳେ ପାଣି ରେ ପଶି ଦେଖୁ କେଞ୍ଚୁଆ ର ଗୋଟେ ମୁଣ୍ଡ କେମିତି ହଲଚଲ ହେଉଛି ପାଣି ଭିତରେ, ତା ପରେ ଆକଳନ କରୁ, ମୁଣ୍ଡ ହଲଚଲ ହେଲେ ପାଣି ର ତରଙ୍ଗ ରୁ ମାଛ ଜାଣି ପାରୁଥିବ ଏଠି ଖାଦ୍ୟ ଅଛି, ଆଉ ଆସି ଏକାବେଳେ ଖାଦ୍ୟ କୁ ପାଟିରେ ଟାକୁ କରି ଗିଲିଲା ବେଳକୁ ଲାଖିଯାଏ କଣ୍ଟା । ଏବେ ସେ ହୋଇଯାଏ ଆଉ କାହାର ଖାଦ୍ୟ। ଧରିଥିବା ମାଛ ଯାଏ ଆମ ଘରକୁ । ବୋଉ ରୋଷେଇ କରି ଡାକେ ତାକୁ ଖାଇବାକୁ ଆଉ କିଛି ଭାଗ ଯାଏ ତାଙ୍କ ଘରକୁ ।

କେଞ୍ଚୁଆ ଧରିବା ମୁଁ ତାକୁ ଶିଖେଇ ଥିଲି ଆଉ ତାକୁ ସମାନ ଭାବରେ ଦି ଖଣ୍ଡ କରିବା ବି । ସେଥିପାଇଁ ବୋଧେ ସେ ମୋତେ ଡାକେ "କେଞ୍ଚୁଆ" କିନ୍ତୁ ସମସ୍ତଙ୍କ ଆଗରେ ନୁହେଁ, ଏକା ଥିଲାବେଳେ ।

ଏମିତି ଏମିତି ରେ ଆମେ ଆସ୍ତେ ଆସ୍ତେ ବଡ ହେଇଯାଉ। ତଥାପି ଚାଲିଥାଏ ମାଛ ଧରା, ରୋଷେଇ, ଖିଆପିଆ । ଦିନେ କହିଲା,"ଜାଣିଛୁ, ମୋ ବାହାଘର ଠିକ କରୁଛନ୍ତି ।"

-- ହଁ, ଭଲ କଥା । କିନ୍ତୁ, ତୁ ସତରେ ବାହା ହେଇଯିବୁ ?
-- ଆଉ କଣ ତୋ ପଛ ରେ କେଞ୍ଚୁଆ ପରିକା ନଡ଼ ନଡ଼ ହେଉଥିବି ?
-- ନା, ଯେ... ଆଉ କିଏ ମୋତେ କେଞ୍ଚୁଆ ଡାକିବ ?

ମୁହଁଟା ତାର ହଠାତ ଧାନ ଉଁସା ହାଣ୍ଡି ପରି ବଡ ହୋଇଗଲା । କୁଣ୍ଢେଇ ଧରି କାନ୍ଦିଗଲା କିଛି ସମୟ । ତାପରେ କହିଲା, "ତୁ ତ ଆଜି ଯାଏ ବୁଝି ପାରିଲୁନି, ତୋ'ଠୁ ଅଲଗା ହେଲା ପରେ ମୁଁ କେମିତି ଛଟପଟ ହୁଏ । ସକାଳ ହେବାକୁ ଅପେକ୍ଷା କରେ । ତୋତେ କାହିଁକି କେଞ୍ଚୁଆ ଡାକେ ଜାଣିଛୁ ? ଗୋଟେ କେଞ୍ଚୁଆ ର ତୁ ଗୋଟେ ମୁଣ୍ଡ ଆଉ ମୁଁ ଗୋଟେ । ଜାଣିଛି ଏ ସମାଜ ଆମ ଦି ଜଣଙ୍କୁ ଠିକ ସମାନ ଦି ଭାଗରେ ଅଲଗା କରିବ, ଗୋଟେ ପଟେ ତୁ ଛଟପଟ ହେଉଥିବୁ ଆଉ ଆରପଟେ ମୁଁ । ଏକାଠି ଥିଲେ ବି ଯୋଡି ହେବାର ସବୁ ବାଟ ବନ୍ଦ ହୋଇ ସାରିଥିବ। ବାହାରେ ଆମେ ଦି ଜଣ ଦି ଜଣଙ୍କୁ ସାଙ୍ଗ ବୋଲି ପରିଚୟ ସିନା ଦେବା କିନ୍ତୁ ମୋ ସ୍ବାମୀ ଆଉ ତୋ ସ୍ତ୍ରୀ ଆଗରେ ଆମେ ଦି ଜଣ, ତୁ ମୋ ଭାଇ ଆଉ ମୁଁ ତୋ ଭଉଣୀ। ମୋ ଛୁଆ ତୋତେ ମାମୁଁ ବୋଲି ଡାକିବେ ଆଉ ତୋ ଛୁଆ ମୋତେ ପିଉସୀ ।

ଝିଅ, ସ୍କୁଟର ପଛରେ ବସି ମୋତେ ହଲେଇ ଦେଇ କହିଲା, "ବାପା ଚାଲ, ସିଆଡୁ ଦିଦି ଆଉ ତାଙ୍କ ପୁଅ ଆସିଲେଣି ।

-- ହଁ, କହି ସ୍କୁଟର ଷ୍ଟାର୍ଟ କଲା ବେଳକୁ ପଛରୁ ଶୁଭିଲା "ଅଭିନାଶ ଅଙ୍କଲ"....

ହଠାତ, ଛାତି ଭିତରୁ ଚାରି ପାଞ୍ଚଟା ହାଡ଼ ଏକାବେଳେ ରକ କରି ଭାଙ୍ଗିଗଲା । ମୁଁ ନଶୁଣିଲା ପରିକା ସ୍କୁଟର ଆଗକୁ ବଢ଼େଇ ସାରିଥିଲି......



ଗାନ୍ଧିନଗର, ଗୁଜରାଟ,
ଦୂରଭାଷ: ୯୩୭୬୦୧୨୫୦୦

0 Comments