ନୀଳ ନୟନୀ - ତପସ୍ୱିନୀ ଦାଶ

ନୀଳ ନୟନୀ - ତପସ୍ୱିନୀ ଦାଶ

ଗପ ନୁହଁ ଜମା ଏକ ନିଛୁକ ସତ ଘଟଣା । ଯୁବ ଓକିଲ ଜଣକ ତରବର ହୋଇ କୋର୍ଟ ଛାଡିଲେ । ଯିବା ପୂର୍ବରୁ କୋଟ, ଗାଉନ, ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଲକର ରେ ରଖିଲେ । ଚାବି ବାମ ପକେଟ ରଖି ତରବର ହୋଇ ବସ ଆଡକୁ ମୁହାଁଇଲେ । ଏଠୁ ଯିବାକୁ ପଡ଼ିବ ପଚିଶ କିଲୋମିଟର ଦୂର ମାଣତ୍ରୀ ପାଖ । କାଲି ଶିବରାତ୍ରୀ, ଘରଣୀ ଙ୍କ ବରାଦ କଦଳୀ ନିଶ୍ଚେ ଆଣିବ । ଗାଁ ଦୋକାନ ରେ କାଲି ଦେଢ଼ଗୁଣା ଦାମ । ଷ୍ଟାଣ୍ଡ ଆଡକୁ ଚାହିଁ ଦେଇ ଦେଖିନେଲେ ଆଗ ଗାଁ ବସ ଟା ଷ୍ଟାଣ୍ଡ ଧଇଲାଣି କି ନା । ଆଖିରେ ପଡିଗଲା, ବାଲେଶ୍ୱର ଲାଇନ ବସ ଛାଡିବ ଛାଡିବ ହେଲାଣି । ସେଥିରେ ତାଙ୍କର ନେଣଦେଣ ନ ଥାଆନ୍ତା ଯଦି ଝରକା ପାଖରେ ସେ ନୀଳ ନୟନୀ ବସି ନ ଥାନ୍ତା । ଆଖି ପଡ଼ିବା ମାତ୍ରେ ଅର୍ଥାତ ଚାରି ଚକ୍ଷୁ ର ମିଳନ ଘଟୁ ଘଟୁ ଆଖିରେ ଇଶାରା ଦେଲା ଝିଅଟି । ଭାଗ୍ୟ ନା ସୌଭାଗ୍ୟ ଭାବିବାକୁ ମନକୁ ଆଦୌ ଅବସର ନ ଦେଇ ଆଗେଇ ଆସିଥିଲେ ଯୁବକ ଝରକା ପାଖକୁ, କାଳେ କିଏ କେଉଁଠି ଦେଖୁଛି, ମୋତେ ନା ଆଉ କାହାକୁ ଡାକିଲା, ଏମିତି କୌଣସି ନକରାତ୍ମକ ଚିନ୍ତାଧାରା ମନକୁ ନ ଆଣି ।ଭଦ୍ର ମହିଳା ଜଣକ ହାତ ଠାରି କହିଲେ ଦୟାକରି କଦଳୀ ଡଜନେ ଆଣି ଦିଅନ୍ତୁ ତ । ମୁଁ ପଇସା କାଢୁଛି । ବସ ଛାଡ଼ିଦେଵ । ଶହେ ଟଙ୍କା ଖୁବ ଶୀଘ୍ର ଦୋକାନୀ ହାତକୁ ବଢ଼ାଇ ଦେଇ ଯେତେ ଶିଘ୍ର ଫେରିବ ଭାବିଥିଲା ତା ଠାରୁ କମ ସମୟରେ ଫେରିଥିଲେ ମଧ୍ୟ ବସ ଟି ଘର ଘର କରି ଷ୍ଟାଣ୍ଡ ହତା ତଳକୁ ଗଡ଼ିବା ଆରମ୍ଭ କଲାଣି । ହାତକୁ କଦଳୀ ତକ ବଢ଼ାଇ ଦେଇ ପଇସା ପାଇଁ ହାତ ବଢ଼ାଇବା ବେଳକୁ ବସ ଗଡି ସାରିଲାଣି ମହାପାତ୍ର ହୋଟେଲ ଯାଏଁ । ଅଗତ୍ୟା ବସ ଗଡୁଥାଏ, ଯୁବ ଓକିଲ ଝରକା ଲଗାଲଗି ହୋଇ ଗଡୁ ଥାଆନ୍ତି । ମହିଳା ସୁନ୍ଦରୀ ସେମିତି ପର୍ସ ରୁ ପଇସା କାଢ଼ିବା ମୁଦ୍ରାରେ ରହିଥାନ୍ତି । ଲୋକେ ଦେଖୁଥାନ୍ତି ବସ ସହ ଦୌଡ଼ିବା ଦୃଶ୍ୟକୁ ମନ ଭରି ।

ବସ ଏବେ ସତ୍ୟସାଇ ଛକ ମୋଡ଼ ଧଇଲା । ସେଇଠି ଥିଲେ ଥୋକେ ବାଳୁଙ୍ଗା । ହେ ହେ କରି ମାଡ଼ି ଅଇଲେ କିହୋ ସୁନ୍ଦରୀ ଝିଅଙ୍କୁ ଲାଇନ ମାରିବା ବୟସ ଆଉ ଅଛି ? ଲଦି ନେଇଗଲେ ବହେ । ଚୁପ ଚାପ ଛିଡା ହେଲେ ଭଦ୍ର ବ୍ୟକ୍ତି ଜଣକ ପଛକୁ ଚାହିଁଲେ । ମାଣତ୍ରୀ ବସ ଲାଗି ଗଲାଣି ପଛକୁ । କିଛି କହିଲେନି । କହିଲେବି ଶୁଣିବା ସ୍ଥିତିରେ କେହି ନ ଥିଲେ । ଘର ନ ପହଂଚୁଣୁ ଚିହିଁକି ଉଠି ଘରଣୀ କହିଲେ, କଦଳୀ ଆଣିଛନା । ମୁଁ ଜାଣେ ତମେ ଏମିତି ଭୁଲା ଲୋକ । ନତ କରି ବସିଲେ ଟେବୁଲ ଉପରେ । ଶ୍ରୀମତୀଙ୍କୁ କହିଲେ ଥଣ୍ଡା ପାଣି ଗ୍ଲାସେ ଆଣିଲ ।



ବୁଢ଼ୀଖମାରି ଶାସନ, ଭଂଜପୁର,
ବାରିପଦା, ମୟୁରଭଞ୍ଜ

0 Comments