ପଟିଦିଅଁ ମୋର କଳାଗୋସାଇଁ - ପ୍ରଣତି ମହାପାତ୍ର

ପଟିଦିଅଁ ମୋର କଳାଗୋସାଇଁ - ପ୍ରଣତି ମହାପାତ୍ର

ବରଷକେ ଥରେ ସୁଗନ୍ଧ ଚନ୍ଦନେ
ଢାଳି ସୁନାକୁଅ ପାଣି,
ମହାଆନନ୍ଦରେ ମହାସ୍ନାନ କରୁ
ସାଥେ ଭାଇ ଓ ଭଉଣୀ ।

ଲୀଳାମୟ ପୁଣି କେତେ ଲୀଳାଖେଳା
କରୁ ଏ ମର୍ତ୍ତ୍ୟ ମଣ୍ଡଳେ,
ଚିତ୍ରଶିଳ୍ପୀ ଙ୍କର ବେଉସା ବଢାଉ
ପଟିଦିଅଁ ପୂଜା ମେଳେ ।


ସ୍ନାନ କରି ଶୋଉ ଅଣସର ଘରେ
ଜ୍ୱର ବାହାନାରେ ତୁହି,
ଅଲାରନାଥରେ ଦରଶନ ଦେଉ
ଶ୍ରୀମନ୍ଦିର ଶୂନ୍ୟ ଥାଇ ।

ତୋ ସ୍ନାହାନ ଦିନେ ମୋହର ଜନମ
କେଡେ ଭାଗ୍ୟବତୀ ମୁହିଁ,
ହେଲେ ପଟିଦିଅଁ ଦରଶନ କିବା
ଭାଗ୍ୟରେ ମୋହର ନାହିଁ ?


ମନପ୍ରାଣ ସଦା ଝୁରୁଛି କାଳିଆ
ତୋ ରୂପ ଦେଖିବା ପାଇଁ,
ଭାବର ଠାକୁର ଆହେ ଭାବଗ୍ରାହୀ
କୃପା ନେତ୍ରେ ଦିଅ ଚାହିଁ ।

ତୁହି କରୁଥାଉ,ତୁ ପୁଣି କରାଉ
ତୋ ବିନୁ ଅନ୍ୟ କେ ନାହିଁ,
ମୋ ଭାଗ୍ୟର ଡୋର ତୋ ଆଡକୁ
ଟାଣି ନେ କଳାଗୋସାଇଁ ।


ଆକୁଳବିକଳେ କରପତ୍ରଯୋଡି
ଚାହିଁ ଛି ତୋ କରୁଣାକୁ,
ପଟିଦିଅଁ ଆଉ ଅଲାରନାଥରେ
ଦେଖିବି ମୋ କାଳିଆକୁ ।



ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର,
ଫକୀରମୋହନନଗର, ବାଲେଶ୍ଵର

1 Comments

  1. ହେମନ୍ତ କୁମାର ବରାଇJune 24, 2018 at 11:40 PM

    ସୁଦୂର ରୁଷୁଡା,ବରଗଡ ରେ ଥାଇ ପଟିଦିଅଁଙ୍କ ଦର୍ଶନ ଆପଣଙ୍କ କବିତାରୁ କରିପାରିଲି,ଖୁବ ମନଛୁଆଁ କବିତା ମହାଶୟା,ନମସ୍କାର

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।