କେନ୍ଦରା - ବନ୍ଦନା ମହାପାତ୍ର

କେନ୍ଦରା - ବନ୍ଦନା ମହାପାତ୍ର

            ମନେ ପଡ଼ିଲେ ବି ଲୁହ ଝରେଇବାଟା ସାର ।  କିନ୍ତୁ, ଲେଖିବାକୁ କାହିଁକି ଭଲ ଲାଗେନା । ହେଲେ ଆଜି ନରେଶଙ୍କ ପ୍ରେରଣାଥିଲା ୱ୍ହାଟ୍ସଆପ୍ପରେ । କିଛି ସ୍ମୃତି ଲେଖିବା ପାଇଁ ଏବେ ବି ଟାଙ୍କୁରି ଉଠେ ଦେହଟା ସାରା ।  ଦୀର୍ଘ ୪୦ ବର୍ଷ ତଳର କଥା । ମୁଁ ସେତେବେଳେ ସପ୍ତମ ଶ୍ରେଣୀ ବାଳିକା ।  ଭାରି ଦୁଷ୍ଟ ଥିଲି । ଖେଳିବା, ଗୀତ ଗାଇବା, ନାଚିବା, ବାଦ୍ୟଶିଖିବା ମୋର ପ୍ରିୟ । ହେଲେ ଘରର କଡ଼ା ଆଇନ । ସ୍କୁଲକୁ ଯାଇ ଘରକୁ ଆସିବା ।  ସେ ଭିତରେ ହିଁ ଯାହା ହୁଏ ମୁଁ ତାକୁ ଗ୍ରହଣ କରିଥାଏ । ମୁଁ ସବୁବେଳେ ଘରର ଗୋଟେ କାମକରେ, ଘରର ଦାଣ୍ଡ ଘରେ ବସି ପାଠ-ପଢୁଥିବି ଏପଟେ ଚାଉଳରୁ ଗୁଡ଼ି, ଧାନ ବାଛୁଥାଏ । ଦାନ୍ଡ କବାଟରେ କାଠର ଜାଲି । ଠିକ ୮ଟା ଅଧରେ ଜଣେ ବାଳକ, ଅତି ଗରିବ, ହଳଦିଆପଦରରୁ ଆସେ ଭିକ୍ଷା ମାଗେ ।  ଆଉ ତା’ ହାତରେ ଥାଏ ସୁନ୍ଦର ‘କେନ୍ଦରା’ । ବାଃ କି ସୁନ୍ଦର ସ୍ଵରରେ ବୋଲୁଥାଏ । ‘ଭଜୁକି ନା ରାମ ନାମରେ ଗୋବିନ୍ଦ... ଜପୂକି ନା ରାମ ନାମ’… ତା’ପରେ ଗାଏ ‘କାହିଁଗଲୁ ମୋତେ ଏକା କରି, କେମିତି ବଞ୍ଚିବି ଧନରେ ବିଭୁ ହେଲା ଭଗାରି ।‘ ବାଃ କି ସୁନ୍ଦର ସ୍ଵରରେ ବଜାଏ, ଗାଏ । ମୁଁ ସବୁବେଳେ ଅପେକ୍ଷା କରିଥାଏ ସେ ଆମ ଦୁଆର ପାଖକୁ ଆସିବାକୂ । କାରଣ, ବୋଊ ବାରିଘରେ କାମ କରୁଥିବ । କିଛି ଜାଣିପାରେନା ।  ମୁଁ ସେ ପୁଅକୁ ଅଧିକ ଆଞ୍ଜୁଳେ ଚାଉଳ ଦେଇଦିଏ । କେତେବେଳେ ଦାଶ ପଇଶିଟେ ତ’ ଆଉ କେତେବେଳେ ମୋ ଭାଇମାନଙ୍କର ପୁରୁଣା ସାର୍ଟପେଣ୍ଟ ଦିଏ ।  ସେ ପୁଅର ନାମ ହରି । ମୋତେ ନାନି ନାନି ବୋଲି ଡାକେ । ମୁଁ ତାକୁ ସବୁବେଳେ ଅନେଇଥାଏ । ଯେ ମୁଁ କେନ୍ଦରା ଶିକ୍ଷା ତା’ ହାତରୁ ନେଇ ଏବଂ ତା’ ସହ ମିଶିଯାଏ । ମୋତେ ବହୁତ ଭଲ ଲାଗେ । ଦିନେ କହିଲି ହରି ମୋତେ ଭଲ ଭାବେ ଶିଖେଇଦେବୁ । ମୁଁ ତୋତେ ବହୁତ ପଇସା ଦେବୀ ।  ଆଉ ନୂଆ ପେଣ୍ଟ ସାର୍ଟ ମୋ ବୋଉକୁ କହି କିଣି ତୋତେ ଦେବି ।  ସେ ବି ଖୁସି ହୋଇଗଲା ।  କହିଲା ନାନି, କାଲି ତ’ ରବିବାର, ତୁମେ ସ୍କୁଲ ଯିବନି, ମୁଁ ଆସି ରହିବି ତୁମକୁ କେନ୍ଦରା ଶିଖେଇବି ।

ବିଚରା, ତା’ ବାପା ମାଆର ଏକ ମାତ୍ର ପୁଅ। ମୁଁ ବି ଅପେକ୍ଷାରେ ତା’ର ଆସିବା ସମୟକୁ । ଘର ଭିତରୁ ବାରମ୍ବାର ଡାକ ପଡୁଥାଏ । ବେବି ଅସୂନୁ ଜଳଖିଆ ଖାଇବୁ ।  ମୁଁ ହଁ ଯାଉଛି ଯାଉଛି କହି ମୋ ପଢିବା ସ୍ଥାନରେ ବସିଥାଏ ।  ମଝିରେ ମଝିରେ ଦାଣ୍ଡ ଦୁଆର ଖୋଲି ଦେଖୁଥାଏ ସିଏ ଯେଉଁପଟେ ସବୁଦିନ ଆସେ । ସକାଳ ୮ରୁ ଦିନ ପାଖାପାଖି ୨ଟା ବାଜିଲାଣି । ଅଥଚ ହରିର ଦେଖାନାହିଁ  । ମୋ ମନଟା କାହିଁକି ବ୍ୟସ୍ତ ଲାଗିଲା  । ତା’ ମୁହଁ ତା’ ଗୀତ, ହସ, ତା’ ହାତରେ କେମିତି ବଜାଏ ସବୁ ମୋ ମୁହଁ ଆଗରେ ନାଚି ଚାଲିଥାଏ । ମୁଁ ସ୍ଥିର ହୋଇ ରହିପାରୁ ନଥାଏ । ଘରକୁ ଦାଣ୍ଡକୁ ହେଉଥାଏ । ବୋଊ ବିରକ୍ତ ହୋଇ କହିଲା, କଣ ଏମିତି ପାଗଳପରି ବୁଲୁଛୁ । ଦିନ ୨ଟା ହେଲାଣି ତୋତେ ଭୋକ ହେଉନି, ଆସେ ଖାଇବୁ । ହେଲେ ମୋ ମନ ଜମା ବୁଝିଲାଣି ।  ଯେମିତି ହରି ମୋ ସାମନାରେ ଆସି ହସି ହସି ଗୀତ ଶିଖାଉଛି । ହଠାତ୍ ଦାଣ୍ଡରେ ଯାଇ ଶୁଣେ ଆମ ସାହି ଲୋକେ ସବୁ କଥା ହେଉଛନ୍ତି ଆଃ ବିଚରା ମରିଗଲା । ତାଲୁକା ଥାନା ଆସ୍କାରୋଡ଼ ପାଖରେ ଟ୍ରକ ମାଡ଼ିଗଲା ସେ ‘କେନ୍ଦରା’ ବଜା ପିଲା ଉପରେ ।  ମୁଁ ଥୟଧରି ରହିପାରିଲିନାହିଁ । ହରି ହରି କହି ଜୋରରେ କାନ୍ଦିଲି । ମୋ ବିକଳ କାନ୍ଦ ଦେଖି ମୋ ବୋଊ ନନା ବି କାନ୍ଦିଲେ । ସାହିର ସମତେ ଆସି ମୋ କାନ୍ଦ ଦେଖି ସେମାନେ ବି କାନ୍ଦିଲେ । ମୁଁ କେବଳ ବିକଳରେ ପାଟି କରୁଥାଏ । ହରି ତୋ ପାଇଁ କେତେ ଜିନିଷ ରଖିଛି । ତୋତେ ଦେଖିଲେ ମୁଁ ଭାତ ଖାଇବି । ମୋତେ ନେଇଯା’ ତୋ ସାଙ୍ଗରେ ।  ମୁଁ ତୋର ନାନି, କହି କହି କାନ୍ଦୁଥାଏ । ମୋ ମାମୁଁ ମୋତେ ଝିଅ କରିଥାଏ । ସେ ଅବିବାହିତ, ମୋର ଏ ଅବସ୍ଥା ଦେଖି ସେ ଡାକ୍ତର ଡାକି ଆଣି ଚିକିତ୍ସା କଲା । କରମ ମୋତେ ଜ୍ଵର ହୋଇଗଲା ।  ଖାଲି ଥରୁଥାଏ ତାକୁ ଡାକୁଥାଏ, କାନ୍ଦୁଥାଏ । ଯାହାକୁ ଦେଖିଲେ ବି ହରି ଆସିଲୁ କହି ହସୁଥାଏ । ମୋ ଏପରି ଅବସ୍ଥା ଦେଖି ଘରଲୋକେ ମୋତେ ନେଇଗଲେ ଆମ ସାହି ଗ୍ରାମଦେବତୀ ମନ୍ଦିରକୁ । ସେଠାରେ ଜଣେ ଝଡ଼ାଫୁଙ୍କା କରେ । ଗୋଟେ କବଚ ନେଇ ଝଡ଼ାଫୁଙ୍କା କଲା। ମୁଁ ଯେମିତି ଭୁଲିଯିବି । ଆଉ ସେ ଦିନଠୁ ଭୁଲିଗଲି । କେନ୍ଦରା ଆଉ ବଜେଇବିନି କି ଗୀତ ଗାଇବିନି । କିନ୍ତୁ ଏବେ ବି ତାକୁ ମନେରଖିଛି – ତା’ ରୂପ, ହସ, ଗୀତକୁ । କେଉଁଠି ଜନ୍ମ ନେଇ କଣ କରୁଥିବ ହରି । କିନ୍ତୁ ମୁଁ ତାକୁ ସ୍ମୃତି ସାଇତି କରିଛି । ମୋ ମନରେ, ଲେଖାରେ ।

ସେ ତା’ର ଶେଷ ଦିନ ଆସିଗାଇଥିଲା ‘ଲକ୍ଷ୍ମଣଙ୍କ ଶକ୍ତିଭେଦ’ରୁ ପଦେ ‘ହେ ବୀର ଲକ୍ଷ୍ମଣ ମୋ ଜୀବନ ପ୍ରାଣ, ମୋତେ ଏକ କରି ଚାଲିଗଲୁ, ଏ ଘୋର ବନସ୍ତେ, ସବୁ ଦୁଃଖ ସାହି, ମୋ ସେବାରେ ବିତୁଥିଲୁ’ ॥

0 Comments