ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପ୍ରବନ୍ଧ - ନୀତିହୀନ ରାଜନୀତି - ଶୁଭକାନ୍ତ ସାହୁ

ପ୍ରବନ୍ଧ - ନୀତିହୀନ ରାଜନୀତି - ଶୁଭକାନ୍ତ ସାହୁ

ପ୍ରତ୍ୟେକ ରାଜନୈତିକ ଦଳ ନିର୍ଦ୍ଧିଷ୍ଟ ଆଦର୍ଶବୋଧ ଉପରେ ପ୍ରତିଷ୍ଠିତ । ଏହି ଆଦର୍ଶବୋଧ ନିଶ୍ଚିତ ଭାବେ ଜନ ହିତକର ବା ବହୁଜନ ସ୍ୱାର୍ଥ ସମ୍ବଳିତ । ତେଣୁ ଯେକୌଣସି ଦଳ ହେଉନା କାହିଁକି ତା’ର ଆଦର୍ଶ ସାଧାରଣତଃ ଜନ ମାରଣ ନୀତି ବା ଜନସ୍ୱାର୍ଥ ବିରୋଧୀ ହୋଇ ନଥାଏ । ପୁଣି ସମସ୍ତ ରାଜନୈତିକ ଦଳର ନିର୍ଦ୍ଧିଷ୍ଟ ଏଜେଣ୍ଡା ଥାଏ ଯଦ୍ୱାରା ସେମାନେ ନିଜ ଦଳର ଆଦର୍ଶବୋଧ ନେଇ ଲୋକଙ୍କ ନିକଟତର ହେବା ସହ କ୍ଷମତାକୁ ଆସେଲେ ସେମନେ ଲୋକଙ୍କ ପାଇଁ କ’ଣ ସେବା ଯୋଗାଇପାରିବେ, ତାହା ପ୍ରକାଶ କରିଥାନ୍ତି । କିନ୍ତୁ ଆଜିକାଲି ରାଜନୈତିକ ସମାବେଶ, ରାଲି ଇତ୍ୟାଦିରେ ଦଳଗୁଡିକ ନିଜର ନୀତି, ଆଦର୍ଶ, ମୂଲ୍ୟବୋଧ ତଥା ଏଜେଣ୍ଡା ପ୍ରଚାର ପୂର୍ବକ ଜନ ମାନସରେ ନିଜର ନିର୍ମଳ ଭାବମ ୂ ବଜାୟ ରଖି ଲୋକଙ୍କ ଆସ୍ଥାଭାଜନ ହେବାକୁ ଯେତିକି ଗୁରୁତ୍ୱ ଦେଇନଥାନ୍ତି, ତତୋଧିକ ଗୁରୁତ୍ୱ ଦେଇଥାନ୍ତି ମୁଖ୍ୟ ବିପକ୍ଷ ତଥା ଅନ୍ୟାନ୍ୟ ପ୍ରତିପକ୍ଷ ଦଳର ଦୋଷ ଖୁଣ ଖୋଜିବାରେ । ଅନ୍ୟର ଦୋଷ ଖୁଣ ପ୍ରଚାର ମଧ୍ୟରେ ଏପରିକି ଭୁଲିଯାଆନ୍ତି ନିଜ ଦଳର ଏଜେଣ୍ଡା ପ୍ରକାଶ କରିବାକୁ । ଅସନା ଦ୍ରବ୍ୟରେ ଘା ହେଲେ ଯେପରି ସ୍ୱଶରୀର ଅସନା ହେବା ନିଶ୍ଚିତ ରାଜନୈତିକ ଦଳ ଗୁଡିକର ଅବସ୍ଥା ଆଜି ତଦୃପ କଳୁଷିତ । ପ୍ରତ୍ୟେକ ଦଳ ନିଜକୁ ସୁଦୃଢ କରିବା ପରିବ ଅପରକୁ ଦୁର୍ବଳ କରିବାରେ ସତତ ଚେଷ୍ଟିତ । ତେଣୁ ରାଜନୈତିକ ଦଳଗୁଡିକ ଅପରକୁ ଦୁର୍ବଳ କରିବାପେକ୍ଷା ନିଜକୁ ସୁଦୃଢ କରିବା ସର୍ବାଦୌ ଔଚିତ୍ୟ । ଦିତୀୟତଃ ଦଳ ଯେଉଁ ଆଦର୍ଶବୋଧ ଉପରେ ପ୍ରତିଷ୍ଠିତ, ଦଳର ସମସ୍ତ ସଦସ୍ୟଙ୍କର ସେହି ଆଦର୍ଶ ପ୍ରତି ପୂର୍ଣ୍ଣ ସମର୍ଥନ ରହିବା ଆବଶ୍ୟକ । ଏହା ଦ୍ୱାରା ଦଳର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହେ । ପ୍ରଭାବଶାଳୀ ହେଲେ ମଧ୍ୟ ଦଳର ଆଦର୍ଶକୁ ଆନ୍ତରିକତାର ସହ ଗ୍ରହଣ କରୁନଥିବା ବ୍ୟକ୍ତି ଦଳରେ ସାମିଲ୍ ହେଲେ ଦଳ ମଧ୍ୟରେ ବିଭେଦ ହେବା ସହ ଦଳର ମର୍ଯ୍ୟାଦା ହ୍ରାସ ହୁଏ । ନିଜର ରାଜ ନୈତିକ ପତିଆରା କୁ ବଜାୟ ରଖିବା ପାଈଁ ସାମୟିକ ଭାବେ ଦଳରେ ଆସ୍ଥା ପ୍ରକଟ କରି ବିଭିନ୍ନ ବିଚାରଧାରାର ବ୍ୟକ୍ତିବିଶେଷ ଦଳରେ ସାମିଲ୍ ହେଲେ ଦଳ ମଧ୍ୟ ଦିଗହରା ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଏହା ଦ୍ୱାରା ଦଳ ଧୀରେଧୀରେ ନିଜ ଆଦର୍ଶବୋଧରୁ ଦୂରେଇ ଯାଇପାରେ । କାରଣ ଅନ୍ୟ ବିିଚାରାଧାରାର ବ୍ୟକ୍ତି ଦଳରେ ନିଜ ସ୍ଥିତି ମଜ୍ବୁତ କରିବା ପରେ ନିଜର ବିଚାରଧାରାକୁ ହିଁ ପ୍ରୟୋଗ କରିବା ସ୍ୱାଭାବିକ୍ । ଏହାଦ୍ୱାରା ଦଳୀୟ ବିଚାରଧାରାରେ ବିଶ୍ୱାସ ରଖିଥିବା କିଛି ନେତା ଅତିଷ୍ଠ ହୋଇ ଦଳ ତ୍ୟାଗ ମଧ୍ୟ କରିପାରନ୍ତି । ଏହା ମଧ୍ୟ ଦଳର ଅବକ୍ଷୟ ବୋଲି କୁହାଯାଇପାରେ ।

ଏବେ ଦେଖିବା ରାଜନୈତିକ ବ୍ୟକ୍ତି ବା ରାଜନେତା । ରାଜନୀତିକୁ ସମାଜ ସେବା ଭାବରେ ଗ୍ରହଣ କରାଯାଏ । ତେଣୁ ରାଜନେତା ମାନେ ଜଣେ ଜଣେ ସମାଜ ସେବକ । ଅତୟବ ରାଜନେତା ମାନେ ପ୍ରତ୍ୟକ୍ଷ ଭାବରେ ସମାଜସେବାରେ ନିଜକୁ ଯେତେ ନିୟୋଜିତ କରିବେ, ସେମାନେ ସାଧାରଣ ଜନତାଙ୍କ ସେତେ ଅଧିକ ଆସ୍ଥାଭାଜନ ହୋଇପାରିବେ । ନିଜର ବ୍ୟକ୍ତିତ୍ୱ,କର୍ମ ଓ ଲୋକ ସମ୍ପର୍କ ହିଁ ନିଜ କ୍ୟାରିୟର୍ ର ଚାବିକାଠି । କିନ୍ତୁ ସ୍ୱେଛାସେବୀଙ୍କ ପରି ରାଜନେତା ମାନେ କ୍ଷମତା ଉପଭୋଗ କରୁଥିବା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସିନଥାନ୍ତି । ଲୋକଙ୍କର ଏମାନଙ୍କ ପ୍ରତି ଅନାସ୍ଥା ସନ୍ଦେହରେ ଏମାନେ ଏକ ସୁଦୃଢ ଦଳର ଆଶ୍ରା ଖୋଜନ୍ତି । ବର୍ତ୍ତମାନ ଏଭଳି ନେତା ମାନଙ୍କର ଯେପରି ଦଳ ବଦଳ ଚାଲିଛି, ଏଥିରେ ସାଧାରଣ ନାଗରିକ ବିସ୍ମୟାଭିଭୁତ ହୋଇପଡୁଛନ୍ତି । ଏକ ନିର୍ଦ୍ଧିଷ୍ଟ ଦଳକୁ ଶାଣିତ ଶବ୍ଦ-ଶର ରେ ଘାଇଲା କରିଥିବା ବ୍ୟକ୍ତି ହଠାତ୍ ନିଜରଆଭିମୁଖ୍ୟ ବଦଳାଇ ସେହି ଦଳର ନୀତି, ଆଦର୍ଶ ଓ ମୂଲ୍ୟବୋଧକୁ ଆଦର୍ଶ ସ୍ଥାନୀୟ ମନେକରି ତା’ର ଗୁଣଗାନ କରିବା ଏବଂ ବିପରୀତ କ୍ରମେ ଉକ୍ତ ଦଳ ମଧ୍ୟ ଏପରି ବ୍ୟକ୍ତିଙ୍କୁ ଗ୍ରହଣ କରିବା ସାଧାରଣ ଜନତାଙ୍କ ଦ୍ୱାରା କେତେଦୂର ଗ୍ରହଣୀୟ ତାହା ଏକ ପ୍ରଶ୍ନବାଚୀ । ଯେଉଁ ରାଜନେତା ମାନେ ଏକ ନିର୍ଦ୍ଧିଷ୍ଟ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ନିକଟରେ ନିଜକୁ ଉପସ୍ଥାପିତ କରିଥାନ୍ତି, ସେମାନେ ଅଚାନକ ସେଇ ଆଦର୍ଶବୋଧରେ ବିଶ୍ୱାସ ରଖୁଥିବା କର୍ମୀ ଓ ଜନତାଙ୍କ ମତାମତ ନନେଇ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବ୍ୟକ୍ତିଗତ ନିଷ୍ପତ୍ତି ପ୍ରକାରେ ଦଳ ଛାଡି ଅନ୍ୟ ଦଳରେ ଯୋଗଦାନ କରିଥାନ୍ତି । ପ୍ରକୃତରେ ଏଭଳି ରାଜନେତା ମାନଙ୍କର କୌଣସି ରାଜନୈତିକ ମୂଲ୍ୟବୋଧ ନଥାଏ ।କେବଳ କ୍ଷମତାସୀନ ହେବାର ଉଦ୍ଦ୍ୟେଶ ସାଧନ ପାଇଁ ଏକ ନିର୍ଭର ଯୋଗ୍ୟ ଦଳ ଉପରେ ଏମାନେ ଆଶ୍ରିତ ।ଏଇ ନେତାମାନେ ପୁଣି ଦାବି କରନ୍ତି ଯେ ପୂର୍ବୋକ୍ତ ଦଳୀୟ କର୍ମୀ ଓ ଜନତା ନିଜର ଅନୁଗତ ବୋଲି । ଏଇ କର୍ମୀ ଓ ଜନତାଙ୍କ ମଧ୍ୟରୁ ପ୍ରକୃତରେ କେତେ ତାଙ୍କର ବ୍ୟକ୍ତିଗତ ଅନୁଗତ ଥିବା ବେଳେ ଆଉ କିଛି କେବଳ ଦଳୀୟ ଅନୁଗତ ଥାଆନ୍ତି । ଏଇଠି ମନରେ ପ୍ରଶ୍ନ ଉଠେ ଯେ ସାଧାରଣ ଜନତା କାହା ଆଦର୍ଶରେ ଅନୁପ୍ରାଣିତ ହେବେ, ବ୍ୟକ୍ତିର ନା ଦଳର? ଦଳ ଅନ୍ତର୍ଗତ ସମସ୍ତ ନେତା ଯଦି ଦଳୀୟ ସମ୍ବିଧାନ, ନୀତି ଆଦର୍ଶ, ଶୃଙ୍ଖଳା ନିକଟରେ ନିଜର ବ୍ୟକ୍ତିଗତଆଦର୍ଶ, ଚିନ୍ତାଧାରା, ଇଛା ଅନିଛାକୁ ଜଳାଞ୍ଜଳି ଦେଇ ତାକୁ କଡା କଡି ଭାବେ ପାଳନ କରନ୍ତି, ତେବେ ଏକ ଉତ୍ତମ ଦଳର ଆଦର୍ଶରେ ଅନୁପ୍ରାଣିତ ହେବାରେ ଅସୁବିଧା ହୋଇନପାରେ । କିନ୍ତୁ ଦଳୀୟ ଖୋଳ ପରିଧାନ କରି ନେତା ଯଦି ନିଜର ବ୍ୟକ୍ତିଗତ ଆଦର୍ଶ, ଚିନ୍ତାଧାରା,ଇଛା ଅନିଛା ଦ୍ୱାରା ପରିଚାଳିତ,ତେବେ ଦଳୀୟ ଆଦର୍ଶରେ ଅନୁପ୍ରାଣିତ ନହୋଇ ନେତାଙ୍କ ବ୍ୟକ୍ତିଗତ ଆଦର୍ଶ ବା ବ୍ୟକ୍ତିତ୍ୱ ଉପରେ ଆସ୍ଥା ପ୍ରକଟ କରିବା ସର୍ବାଦୌ ଭଲ । ଏହା ଦ୍ୱାରା ପ୍ରକୃତ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ଯେ କୌଣସି ଦଳରୁ ଅଥବା ସ୍ୱାଧୀନ ଭାବେ ନିର୍ବାଚନ ଲଢିଲେ ମଧ୍ୟ ଲୋକେ ତାଙ୍କୁ ଗ୍ରହଣ କରିବା ଉଚିତ । ଏଭଳି ନେତା ସାଧାରଣତଃ ସ୍ୱାଭିମାନୀ ଏବଂ ଦଳ ବଦଳ କରିନଥାନ୍ତି । କାରଣ ଏଭଳି ନେତା ମାନେ ସାଧାରଣତଃ ନିଜର ବ୍ୟକ୍ତିତ୍ୱ ଉପରେ ଗଭୀର ଆସ୍ଥା ରଖିଥାନ୍ତି । କିନ୍ତୁ ଯେଉଁ ନେତା ମାନେ କୌଣସି ନିର୍ଦ୍ଧିଷ୍ଟ ଦଳୀୟ ଆଦର୍ଶରେ ବିଶ୍ୱାସ ରଖିନଥାନ୍ତି ଏବଂ ସେମାନଙ୍କର ନିଜ ଉପରେ ମଧ୍ୟ ଆସ୍ଥା ନଥାଏ, ସେହି ନେତାମାନେ ନିଜର ରାଜନୈତିକ ପତିଆରା ଅକ୍ଷୁର୍ଣ୍ଣ ରଖିବା ପାଇଁ ଏକ ସୁଦୃଢ ଦଳର ଆଶ୍ରା ଖୋଜନ୍ତି ତଦ୍ୱାରା ସେମାନେ ବାରମ୍ବାର ଦଳ ବଦଳ କରିଥାନ୍ତି ଏବଂ ନିଜର ବ୍ୟକ୍ତିତ୍ୱ ବଳରେ ନୁହେଁ, ଏକ ଦଳର ଆଦର୍ଶବୋଧ ଉପରେ ଜନତାଙ୍କର ଯେଉଁ ଆସ୍ଥା ଥାଏ, ସେହି ଆଧାରରେ ସେମାନେ ନିର୍ବାଚନ ବୈତରଣୀ ପାର ହୋଇଥାନ୍ତି । ଏହା ସମାଜ ପାଇଁ ହିତକର ହୋଇ ନପାରେ ।



ଗ୍ରା-ଦେଉଳ ପଲ୍ଲୀ, ପୋ- କଳମ୍ବ, ଭା- ପୋଲସରା,
ଜି- ଗଂଜାମ, ମୋ- ୯୮୬୧୭୩୨୨୫୬

0 Comments