ହଡା ବଳଦ - ତପସ୍ୱିନୀ ଦାଶ

ହଡା ବଳଦ - ତପସ୍ୱିନୀ ଦାଶ

ହଡା ବଳଦର ଦୁଃଖ ଗୋଟେ କଅଣ
ତାର ତ ଜନ୍ମରୁ ନିଧାର୍ଯ୍ୟ
ସମୟର ତତଲା ରଜ୍ଜୁରେ
ଘୋଷଡା ହେବା ତା ପାଇଁ ବାଧ୍ୟତାମୂଳକ,
ଯେଉ ତେଣୁ ଯାହାମିଳୁ ବକ୍ତେ ଖାଇ
ମୁନ୍ଦେ ପିଇ ଚୁପ ରହି
ସମୟକୁ ନେବାକୁ ଘୋଷାଡ଼ି
ବିଧାତା ନିର୍ଦେଶ ।

ଆଦ୍ୟ ଯୌବନ ର ପହିଲି ବସନ୍ତ
ମାଲିକ ବେହେଡା ଦାନ୍ତ ତଳେ
ବନ୍ଧା ପଡିଗଲା ବେଳେ
ଶୁଖିଗଲା ତାର ସ୍ବପ୍ନର ସାଗର
ଦେଉଳ ଝର ଉଷ୍ଣ ପ୍ରସ୍ରବଣ ପରି
ଜଳିଲେବି ତାର ଦେହ
ଗଁ ଗଁ ସ୍ୱର ତାର ହଜିଗଲା
ବିଶାଳ ପବନର ସାଇଁ ସାଇଁ
ଗର୍ଜନ ମଧ୍ୟରେ ।
ଧୂଆଁ ରେ କୁହୁଳି କୁହୁଳି
ଅକାଳ କୁହୁଡି
କେତେ ଯେ ରଚିଛି ବାସର ରାତି
କେମିତି କହିବ ଆଜି
ଅର୍ଜୁନ କାହିଁକି ବୃହନଳା ସାଜି
ତାକଥେଇ ତାକଥେଇ ପାରୁଥିଲା
ଉତ୍ତରା ଆଗେ ନାଚି ।

ଦିହରୁ ମାଉଁସ
ହାଡ଼ରୁ ରକ୍ତ
ନିଗାଡି ମାଲିକକୁ ଦେଲାବେଳେ
ବାଃ ବାଃ କରି କେତେ କେତେ ଫୁଲମାଳ
ନ ପଡିଲା ଖସି।

ଆଜି ଆଉ ଏ ଧତଡା ମାଉଁସ
ପାଣିଚିଆ ରକ୍ତ
ଧୁଡୁ ଧୁଡୁ ଚମ ଚାଲାଣ ବେଳେ
କଂସେଇ ହାତରେ
କାହିଁକି ବା ଅବଶୋଷ
କାହାକୁ ସେ ଦେଵ ଦୋଷ
ଆପଣା ଭାଗ୍ୟକୁ ନା
ଜୀବନସାରା ମାନିଥିବା ମୁନିବ ।

ଶୈଶବ ରେ ତା ପାଟି ରୁ ଯେ ଛଡ଼ାଇଛି
ଆହାର,
ଯୌବନରେ ତା ପୁରୁଷାକାର
ମୃତ୍ୟୁ ପରେ ତା ହାଡ଼ , ମାଉଁସ ଆଉ
ଚର୍ମ ନଖ ଶିଙ୍ଗ ର କରିବ ସୁବିନ୍ୟାସ
କାହା ବିରୋଧରେ ସେ ଉଠାଇବ ସ୍ୱର ।




ବୁଢ଼ୀ ଖମାରି ଶାସନ, ଭଞ୍ଜପୁର, ବାରିପଦା

0 Comments