ରୂପସୀ ଚିଲିକା - ଧ୍ରୁବ ଚରଣ ବେହେରା

ରୂପସୀ ଚିଲିକା - ଧ୍ରୁବ ଚରଣ ବେହେରା

ଚିଲିକା ସୁନ୍ଦରୀ ଅଟୁ ନୀଳ ପରୀ
ନୀଳବର୍ଣ୍ଣା ଅପରୂପା
ଚମକୁ ଥାଉ ତୁ ଉତ୍କଳ ବକ୍ଷରେ
ପ୍ରଭାତେ ଯେସନେ ଚମ୍ପା ।।

ଢଳ ଢଳ ତୋର ଜଳ ରାଶି ଯେବେ
ଛୁଏଁ ଅରୁଣର ଆଭା
ଲାଗୁତୁ ଚାତୁରୀ କୁଙ୍କୁମରେ ଭରି
ସତେକି ଯୌବନ ପ୍ରଭା ।।


ଚମ୍ପକ ବରନୀ ଏସିଆର ରାଣୀ
ହୃଦୟ ତୋ ପୂର୍ଣ୍ଣ ଗର୍ଭା
ମୃଦୁମଳୟର ଶୀତଳତା ସ୍ପର୍ଶେ
ଜଳରାଶି ମନୋଲୋଭା ।।

ଲହରଇ ଯେବେ ତରଙ୍ଗର ମାଳ
ଲାଗଇ ରାଣୀ କୁନ୍ତଳ
ମରାଳର ମାଳ ଲାଗେ ତୋ ଗଜରା
ମନଲାଖି ଗଭା କୋଳ ।।


ହରସ ବଦନେ କିଣି ନେଉଥାଉ
କୋଟି ଜନ ମନ କିଣି
ତୁହି ଲୋ ରୂପସୀ ମରତର ଶଶି
ରୂପବତୀ ରୂପ ମଣି ।।

ଚାରୂକଳା ଭରା ରମଣୀ ଅବଳା
ବିହର କାନନେ ଡାକୁ
କେତେ କବି କେତେ ଲେଖକଙ୍କ ମନେ
ପୀରତି ଛବିକୁ ଆଙ୍କୁ ।।


ନୀଳ ଆକାଶକୁ ଭେଟି ଦେଉଥାଉ
ମାଟିର କବିତା କହି
ଦୂର ଦୂରାନ୍ତରୁ ପ୍ରେମିକା ପଣରେ
ଜନ ମନ ନେଉ ମୋହି ।।

ବିହଙ୍ଗ ବିହାର ତୋର ଉପହାର
ମଧୁର ରାଗିଣୀ ଭାସେ
ନାଚିଲେ ତରଣୀ ତରଙ୍ଗର ମାଳେ
ଆହା ମନୋହର ଦିଶେ ।।


ପକ୍ଷୀ ଦଳ ଦଳ ଭାଷା କଳ କଳ
ଦିଗବଳୟ ହସୁଥାଏ
ସଞ୍ଜ ର ଗୋଧୂଳି ଭାଲେରୀ ଶିଖରେ
ତୋ ରୂପ କୁ ବର୍ଣ୍ଣି ଦିଏ ।।

ତୁହି ଅନୁପମା ମାଧୁରୀ ଉପମା
ଅପସରୀ ଯୁଗେ ଯୁଗେ
ସଖୀ ମେଳେ ରହି ସେବା ପାଉଥାଉ
ପ୍ରକୃତିର କୋଣ ଭାଗେ ।।


ମାଆ କାଳିଜାଇ ଉଭା ତୋ ପାଇଁ
ଶରଣ ରକ୍ଷା ଦାୟିନୀ
ଅଭୟ ବର ସେ ଦେଇଛି ମୋ ମାଆ
ତା ଲାଗି ତୁହି ମୋହିନୀ ।।

କାଳ କାଳ ପାଇଁ ତୋ ରୂପ ସମ୍ଭାର
ହୋଇଛି ଅମର ସଦା
ଲିଭିବନି କେବେ ଉତ୍କଳ ମାଟିରୁ
ଆସୁ ପଛେ ବି ଆପଦା ।।


କବି ନୁହେଁ ମୁହିଁ ବଖାଣିଛି କିଛି
ସ୍ଵଳ୍ପ ଭାବନାରୁ ମୋର
ତୁହି ସେ ଚିଲିକା ମୋ ପିଲା ଦିନର
ସ୍ମୃତି ମୋ ଜନ୍ମ ସ୍ଥାନର ।।



ଅଠରବାଟିଆ, ବାଲୁଗାଁ, ଖୋରଧା

0 Comments