ଆଗ୍ନେୟ ସ୍ତୁପ - ତପସ୍ୱିନୀ ଦାଶ

ଆଗ୍ନେୟ ସ୍ତୁପ - ତପସ୍ୱିନୀ ଦାଶ

ଯାହାକୁ କହୁଛ ତମେ
ଆଗ୍ନେୟ ଗିରି ଅବା ଆଗ୍ନେୟ ସ୍ତୁପ
ତା ଯେ କେଉଁ ଶାନ୍ତ କମନୀୟ
ନାରୀ ର ଛାତିତଳ ତାପ
ଏ କଥା ତମକୁ ମାନିବାକୁ ପଡିବ।
ଦେଖ !
ତମକୁ ମୁଁ ଯେତେ ଯେତେ ଖୋଲିଛି
ପୃଷ୍ଠା ପରେ ପୃଷ୍ଠା,
ମୋତେ ଲାଗେ ମୁଁ ଭେଦି ଯାଉଛି
ବାୟୁ ମଣ୍ଡଳ
ଆକାଶ ରୁ ମହାକାଶ
ଅନ୍ତରୀକ୍ଷ ଶୂନ୍ୟରୁ ମହାଶୂନ୍ୟ ।
ତମେ କିନ୍ତୁ ଦିନେ ବି ଚାହିଁନା
ସ୍ତର ପରେ ସ୍ତର କେତେ ସ୍ତର
ତଳେ
ସାଇତିଛି ତମ ପାଇଁ
ମୋ ଉତ୍ତପ୍ତ ତରଳ ଲାଭା
କେବେ ଯଦି
ଭେଦନ୍ତ
ଭୁତ୍ୱକ, ତ୍ୱକ, ଅବତ୍ଵକ ଅଭ୍ୟନ୍ତର
ଦେଖନ୍ତ ;ଓ ଅଵକ୍ଷୀପ୍ତ ଶୀଳା
ତଳେ ଟକମକ
ଫୁଟୁଥିବା ତରଳ ଲାଭାର ଜ୍ବାଳା।
ଖୋଜୁ ଥାଏ ଆଗ୍ନେୟ ପଥ
ପୃଥିବୀର ଆଭ୍ୟନ୍ତର
କେତେ ତା ଜ୍ବଳନ ।
ଦିନେ ନା ଦିନେ
ହେବ ଉଦଗୀରଣ ବରଂ ପାଲଟି
ଯାଉ ଆଗ୍ନେୟ ସ୍ତୁପ,
ସ୍ତର ପରେ ସ୍ତର ଆଗ୍ନେୟଗିରି ନାଁରେ
କିଏ ଜାଣୁ କି ନ ଜାଣୁ ପଛେ
ସହି ସହି ପୃଥିବୀ ପାଲଟି ଯାଇଥିବା
କେଉଁ ଏକ ନାରୀ ର
ଛାତି ତଳ ଏ ଗୁପ୍ତ ଶୁପ୍ତ
କାମନାର ତାପ,
ଯାହାକୁ ତମେ ଚାପି
ଦେଇ ପାରିବନି ତମ କୋଠର ଅନୁଶାସନ ରେ।
କେବେ ଆସିବନି ମୋ ଉଦଗୀରଣ ବେଳେ
ମୋ ଆଗ୍ନେୟ ମୁଖ ରେ
ଦେଵନାହିଁ ବାଧା
ତମେ ଜାଳି ପୋଡିଯାଅ
କାହା କାମନା ନିଆଁ ରେ
ଏ କଥା ମୁଁ ଚାହେଁନା ।
ବରଂ ଏମିତି ଜଳି ଜଳି
ପାଲଟି ଯାଉଥାଏ
ଆଗ୍ନେୟର ସ୍ତୁପ
ଯୁଗ ପରେ ଯୁଗ ।।।



ବୁଢ଼ୀଖମାରୀ ଶାସନ, ଭଂଜପୁର, ବାରିପଦା

0 Comments