ସ୍ମୃତି ଓ ଅନୁରାଗୀ - ପବିତ୍ର କୁମାର ନାୟକ

ସ୍ମୃତି ଓ ଅନୁରାଗୀ - ପବିତ୍ର କୁମାର ନାୟକ

ଭୁଲି ନାହିଁ ସେଦିନ ସେ ବରଷାର ଛିଟା
ଭାଙ୍ଗି ଦେଇ ଚାଲିଗଲ ମନ ନୀରବତା,
ଭାବେ ନିତି ଏକାନ୍ତରେ ତୁମର ସେ ମୁହଁ
ଅମାନିଆ ହୋଇ ନିତି ଝରେ ଆଖି ଲୁହ....

ଅସରାଏ ବାରି ସାଥେ ଖୁସିର ମହକ
ଛାତି ତଳେ ଜାଳିଥିଲ ପ୍ରୀତିର କୁହୁକ,
ମନ ମୋର ଆଜିପ୍ରିୟା ମୁଦ୍ରିତ ଲଫାପା
ତୁମ ପ୍ରୀତି ସାନ୍ନିଧ୍ୟରେ ସବୁ ଫିକା ଫିକା....

ଆଉ ନାହିଁ ପ୍ରଜାପତି ଧରିବାରେ ମନ
ଚାନ୍ଦିନୀ ଢ଼ାଳୁନି ଆଜି ଅଭିମାନୀ ଜହ୍ନ,
ଆଷାଢ଼ ଆଶାରେ ଥିଲା ବଇଶାଖୀ ତାତି
ମୁହଁଫେରି ଚାଲିଗଲ ଭରିଦେଇ ପ୍ରୀତି....

ରିମ୍ ଝିମ୍ ବରଷାର ପହିଲିସେ ବାରି
ଧୀରେ ଆସି ମନ ମୋର କରିଥିଲ ଚୋରି,
ରଜ ଦୋଳି ସାଥେ କରି ସ୍ମୃତିର ଦହନ
କେମିତି ଗୋ ଅନୁରାଗୀ କାଟୁଅଛ ଦିନ...

ଭିଜା ଭିଜା ବରଷାରେ ଖେଳୁଛ ଗୋ ଦୋଳି
ସ୍ମୃତି ତୁମ ହଜିଯାଏ ସ୍ୱପ୍ନ ଭଳି ଭଳି,
କହିବାକୁ ଥିଲା ଯାହା କହି ପାରିବି କି
ମୋ ହୃଦରୁ ଫୁଲଟିଏ ଦେଇ ପାରିବି କି....



କେଲୁଆପଲ୍ଲୀ, ଗଞ୍ଜାମ

0 Comments