ମନୀଷା ଓ ରଜ - ତପନ ପ୍ରଧାନ

ମନୀଷା ଓ ରଜ - ତପନ ପ୍ରଧାନ

କେମିତି ମନୀଷା, କଟାଉଛ ରଜ ମଉଜକୁ
ରଜ ଦୋଳି ଆଉ ତାର ଫାଶୀ ଦଉଡିକୁ ନେଇ
କେମିତି ବା ଖେଳୁ ଅଛ ଦୋଳି
ଅହ ରହ ଲୁହ ଢାଳିବାକୁ !

ପହିଲି ରଜରେ ,ବୈଶାଖୀର ବିଦାୟୀ ଖରାରେ
ଅସୁମାରୀ କୁସୁମର ଉଜୁଡା ଯୌବନେ
ପହ୍ଲବିତ ନୂତନ ପତ୍ରରେ
ତୁମ ସ୍ୱପ୍ନ ଝୁଲୁ ଥିବ ବାର ଗାଆଁ ତେର ନଈ ପାରେ !

ମୋ ପାଇଁ ଜୀବନଟା ତୋର ଯେବେ ଛିଣ୍ଡା ଗୁଡ଼ି ହେଲା
ପବନର ତାଳେ ତାଳେ ଉଡି ଚାଲିଗଲା
ସୁତା ଯୋଡି ଗୁଡ଼ି ଆଉ ନ ପାରେ ଉଡାଇ
ପୁଣି ବି ତ ଆସିପାରେ ଝଡ଼ ଓ ତୋଫାନ
ଭାଙ୍ଗି ଯିବ କାଳେ ମୋର ଗୋପନ ସପନ !

ହଁ ଗୋ ମନୀଷା,
ଆଉ ନାହିଁ ପ୍ରଜାପତି ଧରିବାର ନିଶା
ହେଲେ ତମେ ଭାବି ଦେଖ ଥରେ
କାହା ନାଆଁ ଲେଖା ଥିଲା
ଅଛି ଆଜି କାଠଯୋଡ଼ି ନଈ ଧାରେ ଧାରେ
ସବୁଜ ପତ୍ରରେ ଆଉ ନଈ ବାଲି ପଠାର ଉପରେ
ଧୂସର ସନ୍ଧ୍ୟାରେ,ପାଉଁଶିଆ ତୋ ମୁହଁ ଯାହା ଦେଖି ଡରେ !

ଆଜି ଏଇ ରଜର ମଉଜ
ଅତୀତ ତ ସପନର ଖୋଜ
ଭବିଷ୍ୟତ ନଈ ବଢି ଆସେ
ସତେ କଣ ସବୁ ଲିଭିଯିବ
ସବୁ ସପନରେ ଖାଲି ବାଲି ଚରିଯିବ !

ହଁ ଗୋ ମନୀଷା, ଆଉ କିଛି କରୁନାହିଁ ଆଶା
ରଜର ଦୋଳିରେ ତୁଟି ଯାଇପାରେ-ସପନର ନିଶା
ପୁଣି ବି ତ ଆସିଲାଣି ଝଡ଼ ଓ ତୋଫାନ
ବରଷାର ପକ୍ଷୀ ତୋର ଉଡି ବାରେ ମନ !

ହଁ ଗୋ ମନୀଷା, କେବେ ବି ମୁଁ ହୋଇନି ନିଆଶା
ମୋ ଆଖି ଆକାଶର ବାଦଲ ଉହାଡେ
ବରଷୁଛି ଲୁହ ବାରି ବାରେ
ଚାତକିନୀ ଭିଜି ଭିଜି ମୋ ଲୁହ ଲହୁରେ
କହି ଯା ଥରେ
ପ୍ରଣୟର ଗୀତ ଲେଖି ପଠାଇବୁ ଚିଠି
ନୀଳ ଲଫାପାରେ !!!



ବିଳାଶୁଣି, କଟକ

0 Comments