ଓଡିଶା ପର୍ଯ୍ୟଟନରେ ଅଂଶୁପା ହ୍ରଦ : ଏକ ଅବଲୋକନ - ସମିର କୁମାର ବେଉରା

ଓଡିଶା ପର୍ଯ୍ୟଟନରେ ଅଂଶୁପା ହ୍ରଦ : ଏକ ଅବଲୋକନ - ସମିର କୁମାର ବେଉରା


ପର୍ଯ୍ୟଟନ କ୍ଷେତ୍ର ହିସାବରେ ଅନେକ ପଛରେ ଥିଲେ ବି ସୌନ୍ଦର୍ଯ୍ୟ ତାର ଅତୁଳନୀୟ । ଓଡ଼ିଶାର ସୁନ୍ଦରୀ ଚିଲିକାର ସାନ ଭଉଣୀ ହିସାବରେ ଜଣାଯାଏ, ଅଂଶୁପା । ଅଂଶୁପା, ଘୋଡା ଟାପୁ ଆକୃତିର ମଧୁର ଜଳଭରା ହ୍ରଦ । ଗୋଟେ ପଟେ ତାର ସାରଣ୍ଡା ପାହାଡ ଅନ୍ୟ ପଟେ ମହାନଦୀର ଧାର । ଚାରିପଟେ ତାର ଭରିରହିଛି ବାଉଁଶ, କାଜୁ ତଥା ଆମ୍ବ ଇତ୍ୟାଦି ବୃକ୍ଷମାନଙ୍କର ଗହଳି । କବିବର ରାଧାନାଥ ଲେଖିଥିଲେ :

ସ୍ୱରୂପା ଅଂଶୁପା ଲୋକେ ଅଗୋଚର
ପୂଜାସ୍ପଦ ହେଲା ଗୋଷ୍ପଦ ପୁଷ୍କର ॥

କିନ୍ତୁ ସତରେ ଯଦି କେହି ଠାରେ ଅଂଶୁପା ପ୍ରେମରେ ପଡ଼ିଯାଏ ତେବେ ନିସ୍ତରିବା ମୁସ୍କିଲ । ପ୍ରକୃତି ଯେମିତି ବସା ବାନ୍ଧିଚି ଅଂଶୁପା କୋଳରେ । ଶୀତଦିନେ ଉଡିଆସନ୍ତି କେତେ ପ୍ରକାର ପକ୍ଷୀ ଦୂର ସୁଦୁରରୁ ଯାହା ଅଂଶୁପାର ସୌନ୍ଦର୍ଯ୍ୟକୁ ଦିଗୁଣା କରିଦିଏ । ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ବିଶେଷ ପର୍ଯ୍ୟଟନସ୍ଥଳୀ ଭାବରେ ମାନ୍ୟତାପ୍ରାପ୍ତ । ଶୀତଋତୁରେ ଏଠିକାର ପ୍ରାକୃତିକ ପରିବେଶରେ ବଣଭୋଜି କରିବା ମଜା ନିଆରା ।  ଅଂଶୁପାର ନୀଳଜଳରାଶିରେ ନୌକବିହାରର ଅନୁଭବକୁ ଅନୁଭବୀ ହିଁ ବଖାଣିପାରିବ । ସରଣ୍ଡା ପାହାଡ ଉପରେ ଥିବା ଭିଉ ପଏଣ୍ଟରୁ ଅଂଶୁପାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଅନେକ ପ୍ରକୃତିପ୍ରେମୀ ଏଠାକୁ ଦୌଡ଼ି ଆସନ୍ତି । ସରଣ୍ଡା ଗଡର କିଛି ବିଲୁପ୍ତ ପ୍ରାୟ ସ୍ମୃତି (ସରଣ୍ଡା ଦୁର୍ଗର ପ୍ରବେଶ ଦ୍ୱାର, ସରଣ୍ଡା ରାଜାଙ୍କର ଅସ୍ତ୍ରାଗାର, ଭାଇବୋହୁ କୂଅ ଇତ୍ୟାଦି)ସରଣ୍ଡା ପାହାଡ ଉପରେ ଏବେବି ବିଦ୍ୟମାନ । ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଏଠି ବାଉଁଶ ତିଆରି କଟେଜରେ ରହିବାର ବ୍ୟବସ୍ଥା ମଧ୍ୟ ଅଛି ।

ଏଠାରେ କେମିତି ପହଞ୍ଚିବେ :
ବସ ଯୋଗେ: କଟକ, ଖୋର୍ଦ୍ଧା ତଥା ଭୁବନେଶ୍ୱରରୁ ବାଙ୍କୀ ଯାଉଥିବା ବସରେ ଯାଇ ଜାତମୁଣ୍ଡିଆ ଛକରେ ଓଲ୍ହାଇ ମହାନଦୀ ପୋଲ ପାରିହେବାକୁ ପଡି଼ବ । ଜାତମୁଣ୍ଡିଆ ଛକଠାରୁ ଅଂଶୁପା ମାତ୍ର ୩ କିଲୋମିଟର ।
ନିକଟସ୍ଥ ରେଳ ଷ୍ଟେସନ: କଟକ (୪୨ କିଲୋମିଟର) ଭୁବନେଶ୍ୱର (୫୧ କିଲୋମିଟର) ଖୋର୍ଦ୍ଧାରୋଡ (୪୯ କିଲୋମିଟର)
ନିକଟସ୍ଥ ଏୟାରପୋର୍ଟ: ଭୁବନେଶ୍ୱର (୫୨ କିଲୋମିଟର)
ବିଶେଷ ଦ୍ରଷ୍ଟବ୍ୟ: ଯଦି ଆପଣ ଦୁଃସାହସୀ ଏବଂ ପ୍ରକୃତିକୁ ଉପଭୋଗ କରିବାକୁ ଚାଁହାନ୍ତି ତେବେ ଆପଣ ବାଇକରେ ଯିବାଟା ବେଶ ଲାଭପ୍ରଦ ହେବ ଏବଂ ଯଦି ଆପଣ ନିରାମିଷାଶୀ ତେବେ ଆପଣ ମହାନଦୀ ତଥା ଅଂଶୁପାର ରୋହି, ଭାକୁର ତଥା ବଳିଆ ମାଛ ଖାଇବାର ମଜା ନେଇପାରିବେ ।
ନିକଟସ୍ଥ ଦର୍ଶନୀୟ ସ୍ଥାନ : ମାଆ ଚର୍ଚ୍ଚିକା ମନ୍ଦିର, ବାଙ୍କୀ, ସୁନାଦେଇ ଠାକୁରାଣୀ, ବାଙ୍କୀ, ଗଡଜିତ ରାଜପ୍ରାସାଦ, ଡମପଡା, କାଳିକାପ୍ରସାଦ ରାଜକୋଠି ଓ କଳ୍କୀ ମନ୍ଦିର, ମୂରାରୀପୁର, ଡମପଡା ଚନ୍ଦକା ହାତୀ ଅଭୟାରଣ ।

ଚେନ୍ନାଇ, ତାମିଲନାଡୁ

1 Comments

  1. ତଥ୍ୟ ଭିତ୍ତିକ ଲେଖା ନିମନ୍ତେ ଅଶେଷ ଧନ୍ୟବାଦ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।