Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଭିଶାପର ପ୍ରତିଧ୍ୱନି - ନରେଶ କୁମାର ବେହେରା

ବର୍ଷଣମୁଖୀ ଗଗନର ଜଳଧର ଗର୍ଜନରେ
ସ୍ଵପ୍ନଟି ଭାଙ୍ଗିଗଲା ସୂର୍ଯ୍ୟଟିର...
କଜ୍ଜ୍ଵଳ ଲୋଚନ ରସମୟୀ ବାଦଲକୁ ଦେଖି
କମ୍ପିଉଠିଲା ଭୟରେ ଥରହର ହୋଇ
ରାଗିଯାଉଥିଲା ସନ୍ଦେହରେ,
ତା’ ଧାରଣାରେ ଜଳଦଟି ଲୁଚାଇ ରଖିଛି
ତା’ ପ୍ରିୟାଚନ୍ଦାକୁ ନିଜ ଆୟତ୍ତରେ ।

ସେହି କରାଳ ଦାନବର ବାହୁବନ୍ଧନରେ
ସୂର୍ଯ୍ୟବି ଫସିଯାଇଥିଲା ଦିନେ
ଆଉ ଅନୁଭବ କରିଥିଲା... ସେ
ନିଜ ପ୍ରିୟତମାର ଶୀତଳତା
ଖୋଜିଥିଲା ଚାରିଆଡ଼େ
କିନ୍ତୁ ଫାଇଲ ନାହିଁ ।
ଆଜି ନୁହେଁ, କାଲି ନୁହେଁ,
ସବୁଦିନ ସେ ଅସରନ୍ତି ଆଶାରେ
ଆସୁଛି, ଯାଉଛି ।



ସେ ତା’ ପ୍ରିୟତମାକୁ ଭୁଲିପାରିନି
ଅନୁପମ ସୌନ୍ଦର୍ଯ୍ୟର ଅଧିକାରିଣୀ
ଦେହରେ ତୁହିନ-ସିତ-ରଶ୍ମି
ସଦା ହାସ୍ୟମୟୀ ଚନ୍ଦ୍ରମା
ବିଭାସିନୀ, ମୋହିନୀ, କମନୀୟ କାନ୍ତି
ପ୍ରତିତି ଲୋମକୁପରେ ଥିଲା
ଏକ ସ୍ଵତନ୍ତ୍ର ସ୍ଫୁଲିଙ୍ଗ ।



କିନ୍ତୁ, ଆଜି ସେହି ଜହ୍ନଟି ହରାଇ ବସିଛି
ନିଜର ସବୁକିଛି,
ବିଚ୍ଛେଦର ପ୍ରବଳ ଦୁଃଖ ଓ ମିଳନର ଅସିମତୃଷ୍ଣାରେ
ରୁଚିର ଯୌବନର ସାର ମର୍ମତକ ଲୋପପାଇଛି
ତା’ର ଦିପ୍ତିଲୋଚନ ପାଂଶୁଳ ହୋଇଯାଇଛି
ତା’ର ଆସ୍ୟ ଅବସାଦ ବିଚାରର ଅନ୍ତରାୟାରେ
କଳଙ୍କିତ ହୋଇଯାଇଛି ।
ସେ ଚାହେଁ, ନିଜ ଅନ୍ଧକାରର ଅନାବିଳ ଜ୍ଯୋତି,
ଶୀତର ଉଷ୍ଣତା,  ହରାଇବାର ପ୍ରାପ୍ତି ।



ସକଳ ଦୃଷ୍ଟିର ପ୍ରାରମ୍ଭ – ତାଙ୍କ ପାଇଁ ଏକ ଅଭିଶାପ
ନିଜ ହୃଦାତାପ-ପ୍ରକାଶ ପାଇଁ
ଜଡ ପାଲଟି ଯାଇଛନ୍ତି ଦୁହେଁ
ଦୁହେଁ ଦୁହିଙ୍କୁ ଖୋଜୁଛନ୍ତି ଅବିରଳ
ଏହି ମର୍ମାନ୍ତିକ ଜୀବନରେ, ପୁଣି
ସୂର୍ଯ୍ୟପରାଗର ପ୍ରତାରଣା ମଧ୍ୟ
ମିଶିବାକୁ ଦେଉନି ଦୁହିଙ୍କୁ
ଅଭିଶାପର ପ୍ରତିଧ୍ୱନିରେ ॥






ବସୁଧା କମ୍ପ୍ୟୁଟର,
ଗୋଇଲୁଣ୍ଡି ମେନ ରୋଡ଼, ବ୍ରହ୍ମପୁର, ଗଞ୍ଜାମ,
ମୋ-୭୮୦୯୮୭୨୪୮୩

Post a Comment

0 Comments