Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆମ୍ବ ଓ ଜୀବନ - ତପନ ପ୍ରଧାନ

ଆଜି ଗାଆଁକୁ ଯାଇଥିଲି । ପୁରୁଣା ଘର ମାଝୀତୋଟା ଆଡେ ଘେରାଏ ବୁଲି ଆସିଲି । ଚାରିଆଡେ ଆମ୍ବ ଗଛରେ ବଉଳ ଭର୍ତ୍ତି। ଏ ବର୍ଷ ନିଶ୍ଚୟ ଭଲ ଆମ୍ବ ଫଳିବ ।

ଆମ୍ବ ତୋଟା ଦେଖି ସେ ପୁରୁଣା ବଡ଼ ଗଛ ଓ ପିଲାଦିନ କଥା ମନେ ପଡ଼ିଲା । ସେତେବେଳେ ଅଷ୍ଟମ କି ନବମ ଶ୍ରେଣୀରେ ପଢୁଥାଏ । ଆମ୍ବ ସିଜନ ସରି ଆସିଥାଏ । କିନ୍ତୁ ବଡ଼ଗଛର ସବା ଉପରେ ଗୋଟେ ଡ଼ାଳରେ ଲୁକାୟିତ ଥିବା ଗୋଟେ ପେନ୍ଥା ଲାଲ ଲାଲ ପାଚିଲା ଆମ୍ବ ମୋର ଦୃଷ୍ଟି ଗୋଚର ହେଲା । ମୋତେ ସମ୍ଭାଳେ କିଏ । ଟାଇଁ ଟାଇଁ ଖରାବେଳେ ଟେକା ସଂଗ୍ରହ କରି ଲକ୍ଷ୍ୟଭେଦରେ ମୁଁ ଲାଗି ପଡିଲି । ସହଜେ ଅବ୍ୟର୍ଥ ଲକ୍ଷ୍ୟ ପାଇଁ ମୋର ସେତେବେଳେ ଖୁବ ନାଆଁ ଥିଲା । କିନ୍ତୁ ମୋର ଅନେକ ଚେଷ୍ଟା ପରେ ସଫଳ ହେଉ ନ ଥିଲି । କାରଣ ମୋର ଉଦେଶ୍ୟ ଓ ନିଶାଣ ଥିଲା ଆମ୍ବର ପେନ୍ଥା ।

ଆମ ଘର ପାଖ ପଡିଶା ଈଶ୍ୱର ଦାଦା ସେଠି ପହଁଚିଲେ । ନିମିଷକେ ସେ ସବୁ କିଛି ଠଉରାଇ ନେଲେ । ଅବଶ୍ୟ ତାଙ୍କର ଆମ ଘର ସହିତ ଏକ ଅଘୋଷିତ ପ୍ରତିଯୋଗିତା ସବୁବେଳେ ଲାଗି ରହିଥିଲା । ଆଜି ଭାବୁଛି ଏ ବିଜୟ ପରାଜୟ ବୋଧେ ଏକ ଯକ୍ଷ ପ୍ରଶ୍ନ । ବିଜୟ ପାଇଁ ସମସ୍ତ ଚେଷ୍ଟା କରି ସଫଳ ହେଲା ପରେ ଆମର ବୋଧେ ପ୍ରାପ୍ତ ଜିନିଷ ଉପରୁ ମୋହ ତୁଟି ଯାଇଥାଏ ।  ବିଜୟ ପରେ ମୋର ଅସହଜ ମୋନୋଭାବର ଉତ୍ତର ଏ ଯାଏ ମୁଁ ଖୋଜି ପାଇନି ।

କାଳ ବିଳମ୍ବ ନ କରି ଈଶ୍ୱର କାକା ଚଢ଼ିଗଲେ ଦୁର୍ଯ୍ୟୟ ଲାଗୁଥିବା ସେହି ଉତ୍ତଙ୍ଗ ଆମ୍ବ ଗଛ ଉପରକୁ । ଆଉ ଚାରି ପାଞ୍ଚ ହାତ ବାକି ଅଛି ଉକ୍ତ ଇସ୍ପିତ ଆମ୍ବ ପେନ୍ଥା । କିନ୍ତୁ ଏହି ସମୟରେ ମୋ ହାତରୁ ଖପରା ପରି ଏକ ଟେକା ଛୁଟି ପେନ୍ଥାରୁ ଅଲଗା କରି ଦେଲା ସେଇ ଛଅଟି ଯାକ ଆମ୍ବକୁ । କେବଳ ଦୁମଦାମ ଶବ୍ଦ ଶୁଣିଛି । କିନ୍ତୁ କାହିଁକି କେଜାଣି ପରାଜିତ ସୈନିକଟିଏ ଭଳି ଛତ୍ରଭଙ୍ଗ ଦେଲି ସେ ସ୍ଥାନରୁ ।।

- ବିଳାଶୁଣି, କଟକ ।।

Post a Comment

0 Comments