Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଧାରାବାହିକ ଗଳ୍ପ - ଶାଗୁଣାର ହସ (ଦଶମ ଭାଗ) - ପ୍ରଶାନ୍ତ କୁମାର ସାହୁ

ପୂର୍ବବର୍ତ୍ତୀ ଭାଗ

ତାଳି ମାଡ ପାଞ୍ଚ ମିନିଟ୍ ହେଲା ଚାଲିଛି ।କୋଳାହଳ ଭିତରେ ଟିମ୍ପା ରାମ୍ ସଗର୍ବରେ ସିଂହ ପରି ଟହଲ ମାରୁଛି ।ସହାସ୍ୟ ବଦନରେ ହାତ ହଲାଇ ଅଭିବାଦନ କରୁଛି ।ଥରକୁ ଥର ଦିନାର କାଠଗଡା ଆଡ଼କୁ ଅନାଇ ନୀରବ ହସର ପ୍ରଚଣ୍ଡ ପ୍ରହାର କରୁଛି ।ବିଚରା ଦିନା ନିର୍ବାକ୍ ।ଧୀରେଧୀରେ ନିଜର ବିଚାର ଶକ୍ତି ହରେଇ ବସୁଥିଲା ।ଦେଖୁଥିଲା ଅଜ୍ଞତାର କ୍ରୂର ପରିହାସ ବିବେକକୁ କିପରି ଖୁମ୍ପିଯାଉଛି !କ୍ଷଣିକ ଆବେଗରେ ହସି ହସାଇ ଟାଣି ନେଉଛି ଆତ୍ମଦାହର ଅନ୍ଧାରୀ ସାମ୍ରାଜ୍ୟ ଆଡକୁ ।କିଏ ସେ ତା' ଅସହାୟତାର କାରଣ ବୁଝିବ ?କେମିତି ସେ ବୁଝାଇବ ଆଇନର ସୁଡଙ୍ଗ ଭିତରେ ଅନେକ ମଣିଷ ରୂପି ଶାଗୁଣା ମଲା ଦେହର ଚିତ୍ରପଟ୍ଟ ଆଙ୍କିବାରେ ବ୍ୟସ୍ତ ।କେମିତି କହିବ ଏ ସବୁ ନାଟକ !ମନ ଗଢା ବକ୍ର ସଂଳାପ ।ସତ ଝାଉଁଳି ଯାଉଛି ଲାଜକୁଳି ଲତା ପରି ।ସେ ଆଉ କ'ଣ କରିପାରିବ ?ନ୍ୟାୟିକ ରଙ୍ଗ ମଞ୍ଚରେ ସେ'ତ ଏକ ଦୁର୍ବଳ ଚରିତ୍ର !ଦିନା ନିଜ ଓକିଲ ଆଡକୁ ଅନେଇଲା ।ସେ ବି ହସୁଥିଲା ।ଦିନାର ରକ୍ତ ଶୁଖିଗଲା !ଏ କ'ଣ ...ତା' ଓକିଲ କ'ଣ ଶାଗୁଣା ପରିବାରର?ଏତେ ଦିନ ହେଲା କ'ଣ ସେ ଶାଗୁଣାକୁ ଟଙ୍କା ଦେଇ ପୋଷୁ ଥିଲା...!

କାଏଁ...କାଏଁ...ଶବ୍ଦରେ ଦିନା ଦୋହଲି ଯାଉଥିଲା ।ଶାଗୁଣାର ଦରବାରରେ ପରାହତ ଦିନା ଜର୍ଜରିତ କର୍ଣ୍ଣ ପରି ସରଳ ନିଷ୍ପାପରୁ ଜୀବନ୍ତ ହୋମକୁଣ୍ଡରେ ରୂପାନ୍ତରିତ ହେଉଥିଲା ।ସବୁକିଛି ପୋଡି଼ ପାଉଁଶ କରି ଦେବ ।ଲେଲିହାନ ଅଗ୍ନିର ପରଶରେ ତା'ର ଶର୍ବାଙ୍ଗ ଥରି ଉଠୁଥିଲା ।ଦିନା ମଧ୍ୟ ଅସମ୍ଭବ ଭାବେ ନିଜ ମୁଣ୍ଡକୁ ହଲାଇ ହସିବାରେ ଲାଗିଲା ।ତା' ଅନ୍ତରାତ୍ମାର କାଏଁ...କାଏଁ...ଶବ୍ଦକୁ ଦାନ୍ତ କାମୁଡି ପ୍ରକାଶ କରିବାକୁ ଚେଷ୍ଟା କରୁଥିଲା ।କିଛି ସମୟ ପାଇଁ କୋର୍ଟ ସ୍ତବ୍ଧ ହେଇଗଲା ।ଦିନା କ'ଣ ପାଗଳ ହେଇଗଲା ?ଦିନାର ଅପ୍ରାକୃତିକ ବ୍ୟବହାର ଦେଖଣାହାରୀଙ୍କୁ ବେଶ୍ ମନୋରଞ୍ଜନର ଖୋରାକ୍ ଯୋଗାଉଥିଲା ।କୋର୍ଟରେ ତ ସମସ୍ତେ ଶାଗୁଣାର ହସରେ ଆକ୍ରାନ୍ତ ।ନିର୍ବାକ୍ ଥିଲେ ପବିନ୍ ର ବାପା ଓ ରାଜେଶ୍ ! ଆଉ ଅର୍ଡର...ଅର୍ଡର... ଶବ୍ଦ କାହାରିକୁ ଶୁଭୁ ନଥିଲା । କ୍ରମଶଃ ଆଗକୁ ପଢନ୍ତୁ




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା

Post a Comment

0 Comments