OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଶାଗୁଣାର ହସ (ଏକାଦଶ ଭାଗ) - ପ୍ରଶାନ୍ତ କୁମାର ସାହୁ

ଶାଗୁଣାର ହସ (ଏକାଦଶ ଭାଗ) - ପ୍ରଶାନ୍ତ କୁମାର ସାହୁ

ପୂର୍ବବର୍ତ୍ତୀ ଭାଗ

ଦିନା ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥାଏ କାହିଁ କି ନା ତା' ଓକିଲ ବାରମ୍ବାର ତାଗିଦ୍ କରୁଥାଏ ।ହେଲେ ସେ ତ ଏକ ନିଛକ୍ ଶାଗୁଣା ପରିବାର ଭିତରେ ନିଜକୁ ହେଜେଇ ଦେଇସାରିଛି ! ବିଚାରପତିଙ୍କ କଡା ନିର୍ଦେଶକୁ ଶୁଣିପାରିଲା ଦିନା ।ଏବେ ଜବାବ ସୁଆଲ ହେବ ।ଟିମ୍ପା ରାମ୍ ନିଜକୁ ପ୍ରସ୍ତୁତ କରୁଥାଏ ।କିଛି ସମୟ ଭିତରେ କୋର୍ଟ ପରିସର ନିସ୍ତବ୍ଧ ହେଇଗଲା ।ଅର୍ଡର...ଅର୍ଡର... ଆପଣ ଦିନାକୁ କ'ଣ ପଚାରିବାକୁ ଅଛି ପଚାରନ୍ତୁ ---ବିଚାରପତି ଟିମ୍ପା ରାମ୍ କୁ କହିଲେ ।
--ତୁମର ସେବତୀକୁ ବଳାତ୍କାର କରିବାର ପ୍ରୟାସ ଭୁଲ ନଥିଲା କି ?
---ମୁଁ ସେଭଳି କରି ନାହିଁ ।ଏହା ମିଥ୍ୟା ଅଭିଯୋଗ ।
---ତୁମେ ମିଛ କହୁଛ ..
--ନା ...ଅସମ୍ଭବ ।ସେବତୀ ମୋର ଝିଅ ଭଳି ।ଏଭଳି କୁତ୍ସିତ ଭାବନା କେବଳ ଜଣେ ପାଷାଣ୍ଢ ହିଁ ରଖିପାରେ ।ତା ଛଡା ,ଦିନବେଳେ ,ପୁଣି ଗାଁ ଦାଣ୍ଡରେ ।ସମସ୍ତଙ୍କ ଆଗରେ ... ନା...ନା...
---କିନ୍ତୁ ସାକ୍ଷୀ ଯାହା କହୁଛନ୍ତି ତାହା କ'ଣ ମିଛ ?
--କିଏ ସେ ସାକ୍ଷୀ ?
--ଏଇ ଦେଖ ,ଗୋବରା ଆଉ ମଙ୍ଗୁଳି
--ଏମାନେଙ୍କୁ ମୁଁ ଜାଣେନା ।ଏମାନେ ମୋ ଗାଁର ନୁହଁନ୍ତି ।ଏମାନେ ମିଛ କହୁଛନ୍ତି ।
---ହଁ ,ଏମାନେ ତୁମ ଗାଁର ନୁହଁନ୍ତି ।କିନ୍ତୁ ସେଦିନ ଏମାନେ ତୁମ ଗାଁକୁ ଚୂଡି ଆଉ କଂସା ବିକିବାକୁ ଯାଇଥିଲେ ।
---ଏମାନେ ମିଛ କହୁଛନ୍ତି ।ଏମାନେ କିଣାହୋଇଥିବା ସାକ୍ଷୀ ।
---ଚୁପକର ।କୋର୍ଟକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କର ନାହିଁ ।ନିଜ ଭୁଲକୁ ସ୍ବୀକାର କରି କୋର୍ଟକୁ ସହାୟତା କର ।ଅନ୍ୟଥା...
ବିଚାରପତି ତାଗିଦ୍ ସ୍ବରରେ ଦିନାକୁ କହିଲେ ---
ନିଜ ଦୋଷ ସ୍ବୀକାର କର କିମ୍ବା ତୁମ ସପକ୍ଷରେ ବଳିଷ୍ଠ ପ୍ରମାଣ ଦିଅ ।କୋର୍ଟ ପ୍ରମାଣ ଚାହେଁ ଭାବନାର ବଶବର୍ତ୍ତୀ ହୋଇ ବିଚାର କରେ ନାହିଁ ।
ଦିନା ଅସହାୟ ଅନୁଭବ କରୁଥାଏ ।କେବଳ ଗୋଟିଏ ଶବ୍ଦ ତା'ର କାନକୁ ତାବଦା କରିଚାଲିଥାଏ ।ତା'କୁ ଲାଗୁଥାଏ ସତେ ଯେମିତି ଶାଗୁଣାମାନେ ତା ଆଡକୁ ଚାହିଁ କାଏଁ..କାଏଁ ଶବ୍ଦକରି ହସୁଛନ୍ତି ।କିଛି ସମୟ ଭିତରେ ଦିନାକୁ ଖୁମ୍ପି ଖୁମ୍ପି ଖାଇଯିବେ ।ଦିନା ସାହସ ଯୁଟାଇ କହିଲା ---ଏପର୍ଯ୍ୟନ୍ତ ସେବତୀ ତ ମୋ ବିରୋଧରେ ପଦଟିଏ କହିନାହିଁ ।ସେ କେଉଁଠି ଅଛି ?
ଅର୍ଡର...ଅର୍ଡର ... ସେବତୀକୁ କୋର୍ଟରେ ହାଜିର କରାଯାଉ ।
---ସେବତୀର ଦେହ ଅସୁସ୍ଥ ।ତା'ର ଚିକିତ୍ସା କରାଯାଉଛି , ଟିମ୍ପା ରାମ୍ କହିଲା ।
----ସେ କ'ଣ କୋର୍ଟରେ ଉପସ୍ଥିତ ହୋଇପାରିବ ନାହିଁ ?
----ହୋଇପାରିବ ,ମହାଶୟ ।
---ତେବେ ସେବତୀକୁ ଆଣିବାର ବନ୍ଦୋବସ୍ତ କରାଯାଉ ।
---ହଁ ,ଆଜ୍ଞା ।ମୋର ସହକର୍ମୀ ଯାଇ ଆଣିବେ ।କିନ୍ତୁ ଏ ଘଟଣାର ମୂକସାକ୍ଷୀ ମୁଁ ସ୍ବୟଂ ।ମୁଁ ଦେଖିଛି ଦିନାର ଘୃଣିତ ଅପକର୍ମ ।
----ତେବେ କାଠଗଡା ଭିତରକୁ ଆସି ସାକ୍ଷୀ ଭାବେ ଯାହା କହିବାର ଅଛି କୁହ ।
ଟିମ୍ପା ରାମ୍ ଦିନା ଆଡକୁ ଚାହିଁ ହସିହସି କାଠଗଡା ଭିତରକୁ ଗଲା ।
---ସେଦିନ ମୁଁ ଅନ୍ୟ ଏକ କେସ୍ ର ସାକ୍ଷୀକୁ ସାକ୍ଷାତ କରିବା ପାଇଁ ଦିନାର ଗାଁକୁ ଯାଇଥାଏ ।ଆଉ ଦେଖିଲି ....ଛି...ଛିି....
---ତୁମେ ସତ କହୁଛ ଓକିଲ ବାବୁ !
----ତୁମ ଭଳି ମୁଁ କୁକର୍ମୀ ମିଛୁଆ ନୁହେଁ ।
---ତେବେ ସେ ଦୃଶ୍ୟ ବିଚାରପତିଙ୍କୁ ଦେଖାଇ ପାରିବ ?
--କାହିଁକି ନୁହେଁ ।ଏଇଠାକୁ ଆସ ।
ଟିମ୍ପା ରାମ୍ କାଠଗଡା ଭିତରୁ ବାହାରି ବିଚାରପତିଙ୍କ ଆଗକୁ ଆସିଗଲା ।ଦିନା ମଧ୍ୟ ଟିମ୍ପା ରାମ୍ ପାଖରେ ଠିଆ ହୋଇଥାଏ ।ବୁଝାଇବାକୁ ଯାଇ ଟିମ୍ପା ରାମ୍ କହିଲା ---ସେବତୀ ତଳେ ପଡିଥାଏ ଆଉ ଦିନା ସେବତୀର ବେକକୁ ଗୋଟିଏ ହାତରେ ଚିପି ଧରି ଅନ୍ୟ ହାତରେ ...ଛି....ଛି....
ଏତିକିି କହି ଟିମ୍ପା ରାମ୍ ତଳେ ଶୋଇପଡି ଦିନାକୁ ତା'ର ନିର୍ଦେଶ ଅନୁସାରେ ଅଭିନୟ କରିବାକୁ କହିଲା । ଟିମ୍ପା ରାମ୍ ଉପରେ ଦିନା ।ଗୋଟିଏ ହାତରେ ଟିମ୍ପା ରାମ୍ ର ବେକକୁ ଚାପି ଧରିଥାଏ ।କୋର୍ଟ ରୁମ୍ ରେ ଏ ଦୃଶ୍ୟର ମଜା ଦେଖଣାହାରୀମାନେ ନେଉଥିଲେ ।ଧୀରେଧୀରେ ଦିନାର ହାତଟି ଶକ୍ତ ହେବାରେ ଲାଗିଲା ।ହଠାତ୍ ଦୁଇ ହାତରେ ଟିମ୍ପା ରାମ୍ ର ବେକକୁ ଚିପିବାରେ ଲାଗିଲା ।ଯନ୍ତ୍ରଣାରେ ଟିମ୍ପା ରାମ୍ ଗଁ ଗଁ ରଡି କରୁଥାଏ ।ଏଇ ସମୟରେ ଧାଇଁ ଆସିଲା କବି ବାହୁବଳେନ୍ଦ୍ର । ସେ ଦିନାର ହାତ ଛଡାଇବାର ଅଭିନୟ କରୁଥାଏ । କ୍ରମଶଃ ଆଗକୁ ପଢନ୍ତୁ




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା

1 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।