Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ 'ସ୍ମୃତି' - ନରେଶ କୁମାର ବେହେରା

ସମୟର ତାଳେତାଳେ ସବୁକିଛି ପରିବର୍ତ୍ତନ ହୋଇପାରେ ସତ, କିନ୍ତୁ ମନ ମାନସରେ ଛାପିରହିଥିବା ସେ ଧୂଆଁଳିଆ, କଳା-ଧଳା ସ୍ମୃତିସବୁ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ବଞ୍ଚିରହେ । ଆଜିକାଲିର ଅଶୁଦ୍ଧିତ ଖାଦ୍ୟ ଓ ଜଳବାୟୁରେ ହୁଏତ ସେ ସବୁ ଫିକା ପଡ଼ିଯାଏ, କିନ୍ତୁ ଲିଭି ନଥାଏ । ତୁମେ ତାହା କେବଳ ଟିକେ ସଫାକରି ଦେଖିବାକୁ ଚେଷ୍ଟା କରିପାରିଲେ ହେଲା । ସତରେ ବହୁତ ସୁନ୍ଦର ସେ ସବୁ । ମୋର ଆଜି ବି ଠିକ୍ ମନେ ପଡ଼େ କିଛି କଥା।

ନୂତନ ସୂର୍ଯ୍ୟର ଆଗମନ ପୂର୍ବରୁ କୁକୁଡ଼ା ମାନଙ୍କ କଳରବ ମୋତେ ଶେଜରୁ ଉଠିବାରେ ବିବଶ କରିଥାଏ । ରାତିର ବତୀଟି ଧୀରସ୍ଥିର ଭାବେ ଜଳୁଥାଏ । ତାର ବୁଜିବା ସମୟ ପାଖେଇ ଆସିଲାଣି । ଏ ଭିତରେ ମାଆ ମୋର ନିଜର ନିତ୍ୟକର୍ମ ସାରି ରୋଷେଇରେ ବ୍ୟସ୍ତ । ସେତେବେଳେ ତ’ ମୁଁ ଅଜ୍ଞାନ ଥିଲି, କିନ୍ତୁ ଆଜି ସେ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ମାତ୍ର, ୨୨/୨୩ ବର୍ଷର ଝିଅଟି ହୋଇ ମୋ ମାଆ କିପରି ଏତେ ସବୁ ଘରକାମ କରିପାରୁଥିଲେ । ଆଜିର ଝିଅମାନଙ୍କୁ ଦେଖ, ୨୫-୩୦ ବର୍ଷ ବୟସରେ ବାହା ହୋଇ ବି ନିଜ ମା’ ଆଉ ଶାଶୁଙ୍କ ସମସାମୟିକ ହୋଇନପାରନ୍ତିନି ଏବଂ ଖୁବ କମ ବୟସରେ ବିଭିନ୍ନ ରୋଗର ସମ୍ମୁଖୀନ ହୋଇଥାନ୍ତି ।

ବିଛଣାରୁ ଉଠିବା ମାତ୍ରେ, ଗଣେଶଙ୍କୁ ପ୍ରାର୍ଥନା କରି ବାପା-ମା’ଙ୍କୁ ପ୍ରଣାମ କରେ ମୁଁ; ଯାହା ମୋତେ ଛୁଆବେଳୁ ବାପା ଶିଖାଇଥାନ୍ତି । ଆଉ ତା’ପରେ ଶୀଘ୍ର ଦନ୍ତ ମଞ୍ଜନ କରି, ଗାଧୋଇ ପାଧୋଇ ନିଜକୁ ପ୍ରସ୍ତୁତ କରେ ବାପାଙ୍କ ସହ ଯିବା ପାଇଁ । ପ୍ରକୃତରେ କହିବାକୁ ଗଲେ, ମୋର ମନଟା ଥାଏ ବାପାଙ୍କ ନୂଆ ସାଇକେଲ ଉପରେ । ଶିକ୍ଷକ-ଚାକିରି ପାଇବାରେ ଏବଂ ସାଇକେଲ କିଣିବାରେ ବାପା ଆମ ଗାଁରେ ପ୍ରଥମ । ଚାକିରି କରି ପ୍ରାୟ ଏକ ବର୍ଷ ପରେ ସେ ସାଇକେଲଟି କିଣିଛନ୍ତି । ଆଉ, ତା’ ସହ ମୋର ବାପାଙ୍କ ସ୍କୁଲରେ ବି ନାମକରଣ ହୋଇଯାଇଥାଏ । ଏ ଖୁସିରେ ମୁଁ ସବୁ କିଛି କରିବାକୁ ପ୍ରସ୍ତୁତ ଥାଏ । ଏକତଃ ସାଇକେଲରେ ବସିବାପାଇଁ, ଦ୍ଵିତୀୟତଃ ସ୍କୁଲ ଯିବା ପାଇଁ । ମୋର ମନେ ଅଛି, ଉଚ୍ଚ ସାଇକେଲ ଉପରେ ବାପା ଠିକସେ ବସି ପାରନ୍ତି ନାହିଁ; କିନ୍ତୁ ଚଲେଇବାରେ ସେ ଉସ୍ତାଦ । ମୋତେ ସାମ୍ନା ରଡ଼ରେ ବସାନ୍ତି ବାପା, ଆଉ ଖୁବ୍ ବେଗରେ ଚଳାଇଥାନ୍ତି । କିଛି ବି ପ୍ରକାରର ରାସ୍ତା ହେଉ ନା କାହିଁକି, ସେ ଭୟଭୀତ ହୁଅନ୍ତିନାହିଁ । ତାଙ୍କର ସେ ଦ୍ରୁତଗତି ସାଇକଲ ଚାଳନାର ଅଧିକ ମଜା ମୁଁ ନେଉଥାଏ ।

ସନ୍ଧ୍ୟାରେ ଫେରିବା ସମୟରେ ବାପା ମୋତେ ବିଲ-ବଗିଚାକୁ ନେଇଯାନ୍ତି । ଆଉ ସେଠୁ ତଟକା ଫଳମୂଳ ନେଇଆସନ୍ତି । ମୋର ଆଜି ବି ମନେ ପଡୁଛି, ସବୁଜ ବଗିଚାରେ ଝୁଲୁଥିବା ସୁନ୍ଦର ସୁନ୍ଦର ଲାଲ୍-ଲାଲ୍ ଟମାଟୋ, ବିଭିନ୍ନ କିସମର ବାଇଗଣ, ଏବଂ ଫୁଲକୋବି.... ୱାଃ.... ଏ ସବୁ ମନ ପଡ଼ିଲେ, ମନଟା ଖୁବ ହାଲ୍କା ଲାଗେ । ଇଚ୍ଛା ହୁଏ, ପ୍ରତିଦିନ ପୁଣି ସେହି ବିଲ ବଗିଚାରେ ଯାଇ ଟିକେ ବୁଲିଆସିବାକୁ। ବିଜ୍ଞାନରେ ଲିଖିତ ଅଛି, ପ୍ରତିଦିନ ଆମେ ଯଦି ପ୍ରକୃତି ସହ କିଛି ସମୟ ଅତିବାହିତ କରୁ କିମ୍ବା ସବୁଜ ରଙ୍ଗକୁ କିଛି ସମୟ ଦେଖୁ, ତା’ହେଲେ ଦ୍ରୁଷ୍ଟିଶକ୍ତି ବୃଦ୍ଧିହୋଇଥାଏ, ଆଉ ତା’ସହ ମନ ବି ଶାନ୍ତ ହୋଇଉଠେ ।

ଆଜି ମୁଁ ବାପାଙ୍କୁ ବାଇକ୍ ରେ ବସେଇ ନେଲାବେଳେ, ସେ ସବୁ ପୁରୁଣା ସ୍ମୃତି ମନକୁ ଆସିଗଲା । ମୁଁ ବାଇକ୍ ଚଲେଇବାରେ ଟିକେ ଧୁରନ୍ଧର; ବାପାଙ୍କ ସାଇକେଲ ଚଲାପରି । କଣ୍ଟା କେତେ ଉପରକୁ ଗଲେ ବି, ବାପା କିଛି କୁହନ୍ତିନି; ଆରମରେ ବସିଥାନ୍ତି । କାରଣ, ତାଙ୍କ ବୟସରେ ସେ ବି ଏପରି ବାଇକ୍ ଚଲାଉଥିଲେ । ଆଜି କିନ୍ତୁ ତାହା ଅସମ୍ଭବ ତାଙ୍କ ପାଇଁ । ବୟସ ବେଶୀ ନହେଲେ ବି, ଆଖି କମଜୋର ଯୋଗୁଁ ଆଉ ଚଲାଉନାହାନ୍ତି । ସବୁବେଳେ ମୋ ଉପରେ ନିର୍ଭର; ଯାହା ଚିନ୍ତାକଲେ ମୋ ହୃଦୟ କାନ୍ଦିପକାଏ ଭିତରେ ଭିତରେ । ବୟସ କମି କମି ଯିବା, ଅଙ୍ଗ ପଙ୍ଗୁ ହେବା, ଏ ସବୁ ପ୍ରକୃତିର ନିୟମ... ଯାହା ଆମ ହାତରେ ନଥାଏ ।  କିନ୍ତୁ, ଆମେ ଆମର ସ୍ଵଭାବ, ଭଲପାଇବା, ଦାୟିତ୍ଵବୋଧକୁ ଯଦି ଠିକ୍ ସେ ବଞ୍ଚାଇ ନ ପାରିବା, ତେବେ ବୋଧେ ମଣିଷ ଜନ୍ମର ସାର୍ଥକତା ଲାଭ ହୁଏନି ।

ବାପା କହିଲେ, ‘ଠାକୁରଙ୍କୁ ଡ଼ାକ! ସବୁ ଠିକ ହେବ । ମନ ସବୁବେଳେ ସ୍ଥିର କର! ନାମ କର!’

Post a Comment

2 Comments

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।