OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

କ୍ଷୁଦ୍ରଗଳ୍ପ - ପୂର୍ଣ୍ଣିମା ଜହ୍ନର କଳଙ୍କ - ଶୁଭକାନ୍ତ ସାହୁ

କ୍ଷୁଦ୍ରଗଳ୍ପ - ପୂର୍ଣ୍ଣିମା ଜହ୍ନର କଳଙ୍କ - ଶୁଭକାନ୍ତ ସାହୁ

କବାଟର ଠକଠକ୍ ଶବ୍ଦ ଶୁଣି ପ୍ରଣୟ କବାଟ ଖୋଲିଲା । ହାତରେ ରେଜିଷ୍ଟ୍ରି ଚିଠିଟିଏ ଧରାଇ ଦେଇ ପୋଷ୍ଟ ପିଅନ ଚାଲିଗଲା । ପ୍ରେରକର ଠିକଣାଟି ଦେଖି ସେ ଖୁସିରେ ନାଚିଉଠିଲା । ଚିଠି ଆସଛି ପୂର୍ଣ୍ଣିମା ପାଖରୁ । ପୂର୍ଣ୍ଣିମା ତା ମନର ମାନସୀ ପ୍ରେମର ପ୍ରେମିକା । ପୂର୍ଣ୍ଣିମାର ଚିଠି ପାଇ ପ୍ରଣୟର ଗୋଡ ତଳେ ଲାଗୁନଥାଏ । ତାକୁ ଛାତିରେ ଲଗାଇ ଦୁଇ ଚାରି ଥର ଚୁମିଗଲା । କବାଟ ବନ୍ଦ କରି ଭିତରକୁ ଚାଲିଗଲା ପ୍ରଣୟ । ପୂର୍ଣ୍ଣିମା ପ୍ରଣୟ ର ଗାର୍ଲଫ୍ରେଣ୍ଡ୍, ପ୍ରେମିକା ସବୁକିଛି । କଲେଜ ଯିବାର କିଛି ଦିନ ପରେ ପୂର୍ଣ୍ଣିମା ତା ପ୍ରତି ଆକର୍ଷିତ ହୋଇ ପ୍ରଥମେ ପ୍ରଣୟକୁ ଭଲପାଇବାର ଇଙ୍ଗିତ ଦେଇଥିଲା । ଏମିତିକି ସର୍ବସାଧାରଣରେ,“ମୁଁ ତୁମକୁ ଭଲପାଏ ପ୍ରଣୟ ” କହିବାକୁ ବି ଦ୍ୱିଧା କରିନଥିଲା । କିନ୍ତୁ ପୂର୍ଣ୍ଣିମାର ପ୍ରେମକୁ ପ୍ରଣୟ ହଠାତ୍ ଗ୍ରହଣ କରିପାରିନଥିଲା । ଏହି ଭଲପାଇବାକୁ ସେ ପ୍ରଥମରୁ ହିଁ ବାରଣ କରିଥିଲା । କାରଣ ପୂର୍ଣ୍ଣିମା ଆଉ ତା’ମଧ୍ୟରେ ଥିଲା ପ୍ରାଚୁର୍ଯ୍ୟର ସୁଦୃଢ ପ୍ରାଚୀର । ପୂର୍ଣ୍ଣିମା ଥଲା ଜଣେ ବିଶିଷ୍ଟ ଧନୀକ ବ୍ୟବସାୟୀଙ୍କ ଏକମାତ୍ର ଅଲିଅଳି କନ୍ୟା ଆଉ ପ୍ରଣୟ ଝାଟିମାଟି ବେଷ୍ଟିତ ପର୍ଣ୍ଣ କୁଟୀରର ପୁଅ । ପିଲାଟି ଦିନରୁ ସେ ବାପାଙ୍କୁ ଦେଖିନି ନିଜକୁ ଜାଣିବା ଆଗରୁ ପିତାଙ୍କୁ ହରାଇଥିବା ପ୍ରଣୟ ଜାଣେ ତା'ର ପାଠପଢା ପାଇଁ ତା'ମାଆ ନିଜକୁ ଉଭୟ ବାପା ଓ ମାଆ ଭୂମିକାରେ ଅବତୀର୍ଣ୍ଣ କରାଇଛନ୍ତି ।



ପ୍ରଣୟର ରୂପରେ କି ଗୁଣରେ ଏମିତି କି ସମ୍ମୋହନ ଥିଲା କେଜାଣି, ତଥାପି ତା'ର ଆକର୍ଷଣ ପୂର୍ଣ୍ଣିମାକୁ ବଶୀଭୂତ କରି ରଖିପାରିଥିଲା । ଏ ସବୁ ଜାଣିବା ସତ୍ୱେ ସେ ରୋକ୍ ଠୋକ ଶୁଣାଇ ଦେଇଥିଲା ଯେ, ଧନ ତା' ପ୍ରେମର ପରିମାପକ ନୁହେଁ । ସେ ତ କେବଳ ପ୍ରଣୟ ଭଳି ଏକ ସୁନ୍ଦର ନିଷ୍କପଟ ହୃଦୟ ଦେଇ ଭଲ ପାଇପାରୁଥିବା ସଚ୍ଚା ପ୍ରେମିକଟିଏ ଚାହେଁ । କଥା ଛଳରେ ବୁଝାଇବାକୁ ଚେଷ୍ଟା କରିଥିଲା ଯେ, ଦିନକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ମଣିଷ ମାନଙ୍କ ଜୀବନ ହିଁ କ’ଣ ମୂଲ୍ୟବାନ୍ ? ଦିନକୁ ଅଶୀ ଟଙ୍କା ରୋଜଗାର କରୁଥିବା ଦିନମଜୁରିଆ ମାନଙ୍କ ଜୀବନ କ’ଣ ଜୀବନ ନୁହେଁ ?? ଦୈନିକ ରୋଜଗାରରେ ଏତେ ବ୍ୟବଧାନ ଥାଇ ମଧ୍ୟ ଦିନମଜୁରିଆ ମାନେ ଏ ପୃଥିବୀରୁ ତ ଲୋପ ପାଇଯାଇନାହାନ୍ତି ! ଦିନମଜୁରିଆ ମାନଙ୍କ ଓଠରେ ମଧ୍ୟ କେବେକେବେ ଉକୁଟି ଉଠେ ହସ, ଆଉ ଧନୀ କୁ ବି ଝରାଇବାକୁ ପଡେ ଅଶ୍ରୁ । ହାସ୍ୟ ଆଉ ଅଶ୍ରୁର ମୂଲ୍ୟ କ'ଣ ଦେଇପାରିବ ଏଇ ମୌଦ୍ରିକ ବ୍ୟବଧାନ ?? ପ୍ରଣୟ ଥିଲା ପୂର୍ଣ୍ଣିମା ମନ ଆକାଶର ଏକମାତ୍ର ଉଜ୍ୱଳ ଜହ୍ନ । ପ୍ରଣୟ ଆଖିରେ କଳିବାକୁ ଚେଷ୍ଟା କରୁଥିଲା ସ୍ୱଭବିଷ୍ୟତ । ଚେତନ ଓ ଅବଚେତନ ମନ ତଳେ ଦେଖୁଥିଲା ପ୍ରଣୟକୁ ନେଇ ସଂସାର ଗଢିବାର ସ୍ୱପ୍ନ । ପ୍ରଣୟର ଅନିଛା ସତ୍ୱେ ପୂର୍ଣିମା ତା’କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲା । ଏମିତି କେମିତି ପ୍ରଣୟ ପୂର୍ଣିମାର ଜିଦ୍ ନିକଟରେ ହାର୍ ମାନିଥିଲା କେଜାଣି । କେଜାଣି କେମିତି ସେ ପୂର୍ଣ୍ଣିମାର ପ୍ରେମଫାଶରେ ପତିତ ହେଲା, ଏବେତ ଦୁହେଁ ଦୁହିଁଙ୍କର ଜୀବନ । ଅପରିପକ୍ୱ ଚହଲା ବୟସରେ କଲେଜ୍ ପାଖ ଜଗନ୍ନାଥ ମନ୍ଦିରର ଜଗନ୍ନାଥଙ୍କୁ ଚାହିଁ ଉଭୟେ ଶପଥ କରିନେଲେ, ଯଦି ସେ ଦୁହେଁ ବିବାହ କରନ୍ତି ତେବେ ପରଷ୍ପରକୁ ହିଁ ବିବାହ କରିବେ । ଦୁହିଁଙ୍କ ବିବାହରେ ବାଧା ସୃଷ୍ଟି ହେଲେ ଦୁହେଁ ଅଭିଆଡି ରହିଯିବେ ବରଂ ଅନ୍ୟ କାହାକୁ ବିବାହ କରିବେ ନାହିଁ ।



ଏବେ ବି ସଦ୍ୟ ଉଜ୍ଜୀବିତ ସେଇ ଅପାଶୋରା ଦିନରାଜି.. ଯେଉଁଠି ଦୁହେଁ ଦୁହିଁଙ୍କୁ ନଦେଖିଲେ ଗୋଟେ ଦିନ ବି ବିତେନାହିଁ । କେମିତି କେଜାଣି ଏଇ କଲେଜ୍ ଛାଡିବାର ଦୁଇ ବର୍ଷ ବିତିଗଲାଣି । ରୀତିମତ୍ ଚିଠି ଦିଆନିଆ ଚାଲେ । ଚିଠି ହିଁ ଆଣିଦିଏ ମନ ତଳର ଗୋପନ ଆବେଗ । ଚିଠି ସହିତ ହିଁ କଥା ହେବାକୁ ହୁଏ । ବିରହର ଯନ୍ତ୍ରଣାରେ ବି ଚଠି ଉପରେ ହିଁ ଲୁହ ଢ଼ାଳିବାକୁ ହୁଏ । ଚାକିରି ବା ଯେକୌଣସି କାମଧନ୍ଦାରେ ହାତ ନଦେବା ଯାଏଁ ସେ କିପରି ବିବାହ ପ୍ରସ୍ତାବ ନେଇ ପ୍ରଣୟ ପୂର୍ଣ୍ଣିମା ଘରକୁ ଯାଇପାରିବ ? ଏଇବର୍ଷ କିନ୍ତୁ ତା'କୁ କିଛିବି କରିବାକୁ ପଡିବ । ଚାକିରୀ ପାଇଁ ତ ଅଉ ସାରା ଜୀବନ ଚାହିଁ ରହି ହେବନି । ପ୍ରଣୟ ଚିଠିଟି ପଢିବା ଆରମ୍ଭ କଲା...



“ପ୍ରିୟ ପ୍ରଣୟ,



ପୂର୍ଣ୍ଣିମାର ପ୍ରେମପୂର୍ଣ୍ଣ ଶୁଭେଛା ନେବ । ମୋତେ କ୍ଷମା କରିଦେବ ପ୍ରଣୟ, ମୋର ମତାମତ ନ ନେଇ ବାପା ମୋପାଇଁ ବରପାତ୍ର ଯୋଗାଡ କରିସାରିଥିଲେ । ବାପାଙ୍କ ପ୍ରତିଶ୍ରୁତି ରକ୍ଷା ନିମନ୍ତେ ମୁଁ ଅକ୍ଷମ ବୋଲି ପ୍ରକାଶ କରିବାରୁ ବାପା ମୋତେ ଆତ୍ମହତ୍ୟାର ଧମକ ଦେଲେ । ମୁଁ ଏତେ ସ୍ୱାର୍ଥପର ହୋଇପାରିଲିନି ପ୍ରଣୟ । ମୋତେ ବାଧ୍ୟ ହୋଇ ନିଜ ପ୍ରେମକୁ ବଳି ଦେବାକୁ ପଡିଲା । ଆସନ୍ତା ୨୦ ତାରିଖରେ ମୋର ବାହାଘର । ମୋର ଅନୁରୋଧ ମୋ ବାହାଘରକୁ ତୁମେ ନିଶ୍ଚୟ ଆସିବ ।



॥ ଇତି ॥
ତୁମର ପୂର୍ଣ୍ଣିମା"



ବାଲି ଖେଳୁଖେଳୁ ଅନ୍ୟମନସ୍କ ଭାବେ ଗଢିଦେଇଥିବା ପ୍ରଣୟର ଅଧାଗଢା ବାଲିଘରଟି ପ୍ରଚଣ୍ଡ ଆଘତରେ କାଚଘର ପରି ଭାଙ୍ଗି ଚୂନାଚୂନା ହୋଇଗଲା । ସେଇ ଉଜୁଡା ଘରକୁ ଶତ ଚେଷ୍ଟା କଲେ ବି ଆଉ ସଜାଡି ହେଉନଥିଲା । ପ୍ରଣୟ ନିର୍ଜୀବ କାଷ୍ଠ ପରି ଦଣ୍ଡେ ଥକ୍କା ମାରି ବସିଗଲା । ପୂର୍ଣ୍ଣିମା ପ୍ରତି ସୃଷ୍ଟ ତା’ମନର ସମସ୍ତ ସ୍ନେହ କ୍ରମଶଃ ଘୃଣାରେ ରୁପାନ୍ତରିତ ହେଉଥିଲା । ମନଟା ତା’ର ଭାଙ୍ଗିଯାଇଥିଲେ ମଧ୍ୟ ସେ ପୂର୍ଣ୍ଣିମାର ବାହାଘରକୁ ଯିବାକୁ ବାହାରିଲା । ଯିବା ପୂର୍ବରୁ ସେ ପୂର୍ଣ୍ଣିମାର ପୁରୁଣା ଚିଠି ଏବଂ ସମସ୍ତ ଫଟୋ ବାହାର କରି ଗୋଟିଏ ଇନଭଲୋପ୍ ରେ ସାଇତିଲା । ତା’ସହିତ ଆଉ ଏକ ଚିଠି ଲେଖି ସାମିଲ୍ କରିଦେଲା ।



ମୁଁହ ମୁଁହ ପାହାନ୍ତିରୁ ସେ ପ୍ରସ୍ତୁତି ହୋଇ ବାହାରିପଡିଲା । ଦୂର ଦିଗବଳୟ ସହିତ ଘୁରୁଥିବା ବୃକ୍ଷଲତା ଓ ପର୍ବତ ପରି ପ୍ରଣୟର ମୁଣ୍ଡ ଘୁରୁଥାଏ । ପାଞ୍ଚବର୍ଷ ଧରି ଏତେ ନିବିଡ ସମ୍ପର୍କ ସତ୍ୱେ ପ୍ରଣୟର କେଉଁଠି ତ୍ରୁଟି ରହିଗଲା ? ଅନିଛା ସତ୍ୱେ ସେ ଜଣେ ଝିଅର ଅନୁରୋଧରେ ବିବେକର ନିର୍ଦ୍ଦେଶ ନମାନିବା ତା'ର କ'ଣ ଭୁଲ୍ ନୁହେଁ ?? ପ୍ରଥମରୁ ହିଁ କଠୋର ପଦକ୍ଷେପ ସ୍ୱରୁପ ତା'କୁ ମନା କରିଦେବା ଉଚିତ ଥିଲା । ଗରିବ ମନଙ୍କ ପାଇଁ ଧନୀ ମାନଙ୍କ ପ୍ରେମ ଭସାବାଦଲରେ ଇନ୍ଦ୍ରଧନୁ ସଦୃଶ । ଧନୀ ଝିଅର ପ୍ରେମରେ ପଡିବା ଅର୍ଥ ମରୁମରିଚୀକା ପଛରେ ଗୋଡାଇବା । ତୃଷ୍ଣାତୁର ହୋଇ ମରିଚୀକା ପଛରେ ଗୋଡାଇବା ମୃତ୍ୟୁକୁ ଆହ୍ୱାନ୍ ଦେବା ସହିତ ସମତୁଲ୍ୟ । କିନ୍ତୁ ଜଳପ୍ରାପ୍ତିର ଆଶା ବୃଥା । ଏକଥା ଜାଣି ମଧ୍ୟ ପୂର୍ଣ୍ଣିମା ସହ ସମ୍ପର୍କ ଯୋଡିବା ପ୍ରଣୟର ଭୁଲ୍ ନୁହେଁ ତ ଆଉ କ'ଣ ? ସେମାନଙ୍କ ପ୍ରେମ ସତେ ଅବା ଚିତ୍ରିତ ମୋନଲିସା, ଚିତ୍ରରେ ରହିଯାଏ ସ୍ଥାଣୁ ପଲଟି ସିନା, କେବେବି ଜୀବନ୍ତ ହୁଏନା । ସେମାନଙ୍କ ପ୍ରେମ ଆଉ ଭଲପାଇବାର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଏ ସିନା କେବେ ବାସ୍ତବ ରୁପ ନେଇପାରେନା । ଖଣ୍ଡିଆ ଭୂତ କାଠିକୁଟାକୁ ଉଡାଇ ନେଇ କେଉଁ ଅଜଣା ସ୍ଥାନରେ ଫୋପାଡି ଦେଲାପରି ସେମାନେ ନିଜ ପ୍ରେମଚକ୍ର ରେ ନିରୀହ ଯୁବକ ମନଙ୍କୁ ଘୁରାଇ ଘୁରାଇ ନୟାନ୍ତ କରିସାରିବା ପରେ, କେଉଁ ଅଜଣା ସ୍ଥାନରେ ଫୋପାଡି ଦେଇ ଚାଲିଯାଆନ୍ତି ଅନ୍ୟ ହାତ ଧରି ।



ଗାଡି ନର୍ଦ୍ଧାରିତ ସ୍ଥାନରେ ପହଞ୍ଚିସାରିଥିଲା । ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ପରିବେଶ । ଡାକବାଜି ଯନ୍ତ୍ର ଗର୍ଜନରେ ବିମୋହିତ କିଶୋର କିଶୋରୀ । ଏଠି ତ କେହି ତା'ର ପରିଚିତ ନାହାନ୍ତି । କିଏ ବା କାହିଁକି ତା'କୁ ଅଭ୍ୟର୍ଥନା ଜଣାଇ ପାଛୋଟି ନିଅନ୍ତେ ? ତଥାପି ସେ କୌଶଳ କ୍ରମେ ପୂର୍ଣ୍ଣିମା ନିକଟରେ ଉପସ୍ଥିତ ହୋଇପାରିଥିଲା । ଆଖିରେ ଲୁହର ସାଗର ତରଙ୍ଗାୟିତ, କିନ୍ତୁ ବନ୍ଧ ଭାଙ୍ଗିପାରୁନି । କଣ୍ଠ କୋହ-ବାଷ୍ପାରୁଦ୍ଧ, ତଥାପି ତା'ର ଅଭିମାନ ମଣ୍ଡିତ କଥା ସବୁ ବାହାରିଗଲା । ସେ ଶୁଣାଇଦେଲା ଯେ, ତାଙ୍କର ବହୁତଳ ପ୍ରାସାଦ ବିଶିଷ୍ଟ ବାର୍ଣ୍ଣାଢ୍ୟ ଗୃହକୁ ତା' ପର୍ଣ୍ଣ କୁଟୀରର ସର୍ବ ବୃହତ୍ ଉପହାର ବି ସାମାନ୍ୟ ହୋଇଯିବ । ତେଣୁ ପୂର୍ଣ୍ଣିମାକୁ ଉପହାର ଦେବାପାଇଁ ତା' ନିକଟରେ କିଛି ବି ନଥିଲା ଏଇ ବାର୍ଣ୍ଣାଢ୍ୟ ଘରୁ ଯାଇଥିବା ଚିଠି ଆଉ ଫଟୋ ବ୍ୟତୀତ । ସେ ନିଜର କୃତ୍ରିମ ଖୁସି ଜଣାଇଲା ଯେ, ଶେଷଥର ପାଇଁ ହେଉ ପଛେ ସେ ବଧୂ ବେଶରେ ପୂର୍ଣ୍ଣିମା ର ଚନ୍ଦ୍ରକଳା ମୁଖକୁ ଅବଲୋକନ କରିବାର ସୁଯୋଗ ପାଇଲା । ଅଳ୍ପ ସମୟ ମଧ୍ୟରେ ଜନଗହଳି ମଧ୍ୟରେ ହଜିଯାଇଥିଲା ପ୍ରଣୟ । ଆଉ ପୂର୍ଣ୍ଣିମ। ନିଜ ଆଖିରେ ଦେଖି ପାରୁଥିଲା ନିଜ ପ୍ରେମର ଆସନ୍ନ ମୃତ୍ୟୁ । ତା' ସ୍ୱପ୍ନର ତାଜମହଲର ବାସ୍ତବ ଭଗ୍ନ ସ୍ୱରୁପ । ଚେଷ୍ଟା କଲା ଥରେ ସେଇ ପୁରୁଣା ପ୍ରେମପତ୍ର ସବୁକୁ ଛାତିରେ ଜକାଇ ଧରିବା ପାଇଁ । ସେ ଆବିଷ୍କାର କଲା ପ୍ରଣୟ ତା' ପାଇଁ ଛାଡି ଯାଇଥିବା ଏକ ଚିଠି.. ।



"ପୂର୍ଣ୍ଣିମା,



ପ୍ରଣୟର ଶେଷ ସ୍ନେହତକ ନେବ । ସମ୍ପର୍କର ସବୁ ଖିଅ ତୁଟିଗଲା ପରେ, ଅତୀତରେ ଆମୋଦିତ କରୁଥିବା ଚିଠି ଆଉ ଫଟୋ ସବୁ ଭବିଷ୍ୟତରେ କଷ୍ଟ ଆଉ କଷ୍ଟରେ ବଦଳିଯିବ । ସନ୍ଦେହର ସମସ୍ତ ସମ୍ଭାବନାକୁ ଦୂରେଇ ଦେବା ପାଇଁ ତୁମ ଚିଠି ଆଉ ଫୋଟ ଫେରାଇବା ମୋର ଶେଷ ପ୍ରୟାସ । ପୂର୍ଣ୍ଣିମା ଜହ୍ନରେ କଳଙ୍କ ଅଛି ବୋଲି ତାହା ହୁଏତ ଖୁବ୍ ସୁନ୍ଦର ଦେଖାଯାଏ ଆଉ ତୁମ ପ୍ରେମରେ ଛଳନା ଥିବାରୁ ହୁଏତ ତାହା ମୋତେ ରୁଚିକର ଲାଗୁଥିଲା । ପୂର୍ଣ୍ଣିମା ଜହ୍ନର କଳଙ୍କ ଆଧାରରେ ପୂର୍ଣ୍ଣିମା ପ୍ରେମରେ ଯେ କଳଙ୍କ ଥିବ.., ଏହା ମୋ ବିଶ୍ୱାସର ପରିସର ବାହାରେ ଥିଲା । ଆଉ ଜଣା ଥଲେ କଳଙ୍କିତ ଜହ୍ନ ପରି ତୁମ ପ୍ରେମକୁ ସ୍ୱାଗତ କରି ନଥାନ୍ତି । ମୁଁ ପ୍ରଥମରୁ ହିଁ ତୁମଠାରୁ ନିଜକୁ ଦୂରେଇ ରଖିବାର ଚେଷ୍ଟା କରୁଥିଲି । କିନ୍ତୁ ତୁମ ନରୀ ମାନଙ୍କ ଠାରେ କିଏ କେଉଁ କାଉଁରୀ ବିଦ୍ୟା ଭରିଦେଇଛି କେଜାଣି, ମୁଁ ଆପେ ଆପେ ତୁମ ପ୍ରେମରେ ଧରାଦେଲି । ତୁମର ଅମାପ ଧନସମ୍ପତ୍ତି ଅଛି ସତ, ହେଲେ ତୁମ ନିଜ ଉପରେ ନିଜର ଆସ୍ଥା ନାହିଁ । ତୁମର ଆତ୍ମବିଶ୍ୱାସ ଥିଲେ ତୁମେ କ'ଣ ମୋତେ ଛଆଙ୍କୁ ଫାଙ୍କିଲା ପରି ଫାଙ୍କି ଦେଇଥାନ୍ତ ? ବାପାଙ୍କ ପ୍ରସ୍ତାବରେ ରାଜି ହେବା ଆଗରୁ ତୁମେ ବି ନିଜର ଇଛାକୁ ଜାହିର କରିପାରିଥାନ୍ତ । ସବୁଠୁଁ ଭଲ ହେଇଥାନ୍ତା, ବାପା ଆତ୍ମହତ୍ୟା କରିବା ଆଗରୁ ଆମେ ଆତ୍ମହତ୍ୟା କରିଥାନ୍ତେ । ଏବେ ତ ଏ କାମ କେବଳ ମୋତେ ହିଁ କରିବାକୁ ପଡିବ । ତୁମେ ଶ୍ୱଶୁରାଳୟକୁ ଯିବ ଅଉ ମୁଁ ଯମାଳୟକୁ.. । ବଧୂବେଶରେ ସତରେ ତୁମେ ଖୁବ୍ ସୁନ୍ଦର ଦେଖାଯିବ । ମଥାରେ ଓଢଣି, ମଥାମଣି ଥିବ । ନାକ, କାନ, ହାତ, ପାଦ, ବେକରେ ନାନାଦି ଅଳଙ୍କାର ସୁଶୋଭିତ କରୁଥିବ । ଦେହରେ ଲାଲ୍ ପାଟଶାଢୀ ବି ଥିବ । ଆଖିରେ କଜ୍ଜ୍ୱଳ, ତନୁରେ ହଳଦୀ, ପାଦରେ ଅଳତା ଆଦିରେ ତୁମେ ଆହୁରି ସୁନ୍ଦର ଦେଖାଯିବ । ତୁମ ସ୍ୱାମୀ ତୁମ ମଥାରେ ସିନ୍ଦୁର ଦେଲା ପରେ ତୁମେ ସତରେ ସ୍ୱର୍ଗ ଅପସରୀ ପାଲଟିଯିବ । ହେଲେ ମୋର ଦୁର୍ଭାଗ୍ୟ.. ତୁମର ସେ ସୌନ୍ଦର୍ଯ୍ୟତାକୁ ଦେଖିବାକୁ ମୁଁ ନଥିବି । ତୁମ ଆପାଦ ମସ୍ତକ ବସ୍ତ୍ରାଳଙ୍କାରରେ ସୁଶୋଭିତ କରି ତୁମ ସଖୀମାନେ ନବବଧୂ ବେଶରେ ସଜାଇଲା ବେଳେ, ମୋର ଅପାଦମସ୍ତକରୁ ଲୁଗାଗୁଡିକ ମଧ୍ୟ ଛଡାଇ ବାହାର କରି ଘୋଡାଇ ଦେବେ ଏକ ଧଳା ଲୁଗା । ତୁମେ ବାଜା ବଜାଇ ସବାରୀ ଉପରେ ଶାଶୁ ଘରକୁ ଯିବାବେଳେ, ମୁଁ ବାଜା ବଜାଇ କୋକେଇ ଉପରେ ମଶାଣିକୁ ଯିବି । ତୁମେ ବେଦୀ ଉପରକୁ ଉଠିଗଲା ବେଳେ ମୁଁ ଯୁଇ ଉପରକୁ ଉଠୁଥିବି । ତୁମ ବାହା ବେଦୀରେ ହୋମାଗ୍ନି ଜଳିବା ବେଳେ ମୋ ଯୁଇରେ ଚିତାଗ୍ନି ଜଳୁଥିବ । କେବେ ମୋର ଚିତାଗ୍ନି ପାଇଁ ତୁମେ କାନ୍ଦିଥାନ୍ତ । କାଲିବି କାନ୍ଦିବ । ହେଲେ ମୋ ଯୁଇର ଚିତା ପାଇଁ ନୁହେଁ, ବରଂ ତୁମେ ସ୍ୱାମୀ ସୁଖ ପାଇବ ବୋଲି ଛଳନା ଆଉ ଅଭିନୟର ଲୁହ ଢାଳିବ । ତାହା ପୁଣି ଦୁଃଖରେ ନୁହେଁ, ଆନନ୍ଦରେ । ତୁମ ମଥାର ସିନ୍ଦୁର ଚିର ଦିନ ଝଟକୁ ଥାଉ । ତୁମ ପାଦର ପାଉଁଜି ସଦା ରୁଣୁଝଣୁ ହେଉ । ତୁମ ହାତର ଚୁଡି ବଜ୍ର ପରି ଶକ୍ତ ହେଉ । ସ୍ୱାମୀଙ୍କ ସହ ତୁମେ ସ୍ୱର୍ଗୀୟ ଆନନ୍ଦରେ ରୁହ ।



॥ଇତି॥
ହତଭାଗା ପ୍ରଣୟ"

ଚିଠିଟି ପଢା ଶେଷ ହେବା ବେଳକୁ ପୂର୍ଣ୍ଣିମା ପାଲଟି ଯାଇଥିଲା ନିର୍ଜୀବ ପ୍ରସ୍ତରଟିଏ... ।






ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା, ଗଞ୍ଜାମ

4 Comments

  1. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।April 8, 2018 at 10:11 AM

    ବହୁତ ସୁନ୍ଦର ପରିବେଷଣ ।
    ଚମତ୍କାର ଭାବାବେଗ ।
    ଧନ୍ୟବାଦ ।

    ReplyDelete
  2. ଶୁଭକାନ୍ତ ସାହୁApril 10, 2018 at 11:33 AM

    ଧନ୍ୟବାଦ

    ReplyDelete
  3. ଶୁଭକାନ୍ତ ସାହୁApril 10, 2018 at 11:34 AM

    ଧନ୍ୟବାଦ ସାର୍।ଆପଣଙ୍କ ଆଶୀର୍ବାଦ ଥାଉ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।