Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ସ୍ମୃତି - ସିମ୍ରନ ରାଉତ

କାନ୍ଥ ଘଣ୍ଟାରେ ସମୟ ରାତି ୧୧ଟା । ବେଲ୍ ଟା ଢଂ ଢାଂ ହୋଇ ୧୧ଥର ବାଜି ଉଠିଲା । ଓଃ ! କି ବିବ୍ରତ ଶବ୍ଦଗୁଡାକ । ତା 'ପରେ ପୁଣି ଅନ୍ଧକାର ଆଉ ନିଃଶବ୍ଦତାର ଚିତ୍କାର । ସେଇ ଅନ୍ଧାର ମୋ କେଶଗୁଚ୍ଛ, ଚିବୁକ୍ ରେ ଆସି ବସା ବାନ୍ଧେ।ପ୍ରତି ଥର ହୃତ୍ସ୍ପନ୍ଦନଟା ସେକେଣ୍ଡ କଣ୍ଟାର ଶବ୍ଦ ସହ ପ୍ରତିଦ୍ବନ୍ଦିତା କରି ଆଗେଇ ଯାଉଥାଏ । ଏଇ ତ ଠିକ୍ ସମୟ ଜୋର ଜବରଦସ୍ତି ମନ ଭିତରେ ସ୍ମୃତି ସବୁ ଧସେଇ ପଶିଆସିବାର ।

୧୩ ନଭେମ୍ବର ୨୦୧୪, ଠିକ୍ ତୁମ ଜନ୍ମଦିନର ଆଗଦିନ । ଆସିଥିଲ ବନ୍ଧୁଟିଏ ହୋଇ କିନ୍ତୁ ଫେରିଗଲା ବେଳେ ମୁଁ ବିଦାୟ ଦେଇନଥିଲି କେବଳ ବନ୍ଧୁଟିକୁ । ସାଙ୍ଗରେ ବିଦାୟ ଦେଇଥିଲି ଦୀର୍ଘ ଏତେ ବର୍ଷ ଧରି ସମସ୍ତଙ୍କଠୁ ଲୁଚେଇ ସାଇତି ରଖିଥିବା ମନଟିକୁ ଆଜି ଚୋରି କରି ନେଇଥିବା ଲୋକଟିକୁ । ସେତେବେଳେ ମୁଁ +୨ ଦ୍ବିତୀୟ ବର୍ଷ ର ଛାତ୍ରୀ । ପଢା ଚିନ୍ତା ଥିଲେ ବି ଘଣ୍ଟା ଘଣ୍ଟା ଗପିବାକୁ ଇଚ୍ଛା ହୁଏ । ମାତ୍ର ବର୍ଷେ ବଡ଼ ଥିଲ ତୁମେ । ଅଟୋନମସ୍ ପ୍ରଥମବର୍ଷ ପଦାର୍ଥ ବିଜ୍ଞାନ ଛାତ୍ର । ଖୁବ୍ ଭଲ ଛାତ୍ର ଥିଲ ତୁମେ । ପରୀକ୍ଷା ପାଇଁ ଭଲ ଭାବରେ ଗାଇଡ୍ ମଧ୍ୟ କରୁଥିଲ ।

ପରୀକ୍ଷା ସରିଲା । ମୁଁ ମନ୍ଦ ଛାତ୍ରୀ ନଥିଲି କିନ୍ତୁ ଅଟୋନମସ୍ ରେ ୬୫ ପ୍ରତିଶତ ସାଇନ୍ସ୍ ଛାତ୍ରଙ୍କ ପାଇଁ ସିଟ୍ ନଥିଲା । ତେଣୁ ତୁମ ଓଠରେ ହସ ଟିକେ ଦେଖିବାକୁ ଧାଇଁ ଆସିଲି ଚୁର୍ ମାର୍ କରି ଦୀର୍ଘ ଦିନର ସ୍ବପ୍ନକୁ, ସାଇନ୍ସ୍ ରୁ ଆର୍ଟସ୍ ବିଷୟ ବଦଳାଇ । ଘରେ ଗୋଟେ ଖୁବ୍ ଝଡ଼ ଉଠିଥିଲେ ମଧ୍ୟ ପଢାକୁ ନେଇ ଆମ ଚୟନ ଗୁରୁତ୍ବପୂର୍ଣ୍ଣ ବୋଲି ବାବା ଭାବୁଥିବାରୁ ଝଡ ଶାନ୍ତ ହେଇଥିଲା ।

ଅଟୋନମସ୍ ରେ ଦୁଇବର୍ଷ ଖାଲି ତୁମର, ତୁମ ପାଇଁ ଆଉ ତୁମ ସାଙ୍ଗରେ ହିଁ ବିତିଗଲା । କ୍ଲାସ୍ ନକରି ଦିନେ ଦିନେ ଗପୁଥିଲ ଖୁବ୍ ଗୁଡାଏ । ସେ କଥାର ବିଶେଷ କିଛି ମୁଲ୍ୟ ନଥିଲେ ମଧ୍ୟ ଖୁବ୍ ଆକର୍ଷଣୀୟ ଥିଲା ସେ ମୁହୁର୍ତ୍ତ ସବୁ । +୩ ଶେଷ ବର୍ଷ ମୋର ବେଳକୁ ଶେଷ ହେଇଯାଇଥିଲା ତୁମର ଅଟୋନମସ୍ ର ଛାତ୍ର ଜୀବନ । ଖୁବ୍ ଏକା ହେଇଗଲି । ସମସ୍ତଙ୍କ ଗହଳିରେ ଥାଇ ମଧ୍ୟ ଖୁବ୍ ଏକାକିନୀ ମନେ କଲି ତୁମବିନା ।

ନିଜକୁ ମୋ ଠୁ ଆହୁରି ଦୂର କରି ଚାଲି ଯାଇଥିଲ ତୁମେ ପଣ୍ଡିଚେରୀ ସ୍ନାତକୋତ୍ତର ପାଇଁ । ନିଃସଙ୍ଗତା ଉଡି ବୁଲୁଥିଲା ମୋ ଚାରିପାଖେ ଖୁବ୍ ଅନ୍ତରଙ୍ଗ ଭାବେ ଫୁଲ ଚାରିପାଖେ ଉଡୁଥିବା ପ୍ରଜାପତି ଟେ ପରି । ନିଜକୁ ବାରମ୍ବାର ସାଧାରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଝରିପଡୁଥିଲା ବହି ଉପରେ ଗାଲ ଦେଇ ଲୁହ ବିନ୍ଦୁ ଠିକ୍ ଶିଶିର ସକାଳର ସାରୁପତ୍ରେ ପଡିଥିବା କାକର ବିନ୍ଦୁ ଟେ ପରି ।

ଧୀରେ ଧୀରେ ଦୂରେଇ ଯାଉଥିଲା ଆହୁରି ଆହୁରି ଦୂରକୁ । ମରିଚୀକା ପ୍ରାୟ ଧାଉଁଥିଲି ତୁମ ପଛରେ କିନ୍ତୁ ଯେତେପାଖକୁ ଯିବାକୁ ଚେଷ୍ଟା କରୁଥିଲି ସେତେ ଦୂରତ୍ବ ଅନୁଭବ କଲି । ଫୋନ୍ ତ ପ୍ରାୟ ସେତେ କରୁ ନଥିଲ କିନ୍ତୁ ତା'ର ମଧ୍ୟ ବ୍ୟବଧାନ ବଢିଗଲା । ଦିନ ପରେ ଦିନ, ସପ୍ତାହ ପରେ ସପ୍ତାହ ବ୍ୟବଧାନ ମୋତେ ବିଚଳିତ କରୁଥିଲା । ମୋ କଲ୍ କିମ୍ବା ମେସେଜ୍ ର ଉତ୍ତର ଦେବା ମଧ୍ୟ ବନ୍ଦ ହୋଇ ଯାଇଥିଲା । ଯେମିତି ମୁଁ ହେଇଯାଇଥିଲି ତୁମ ଜୀବନର ଗୋଟେ ଅନାବଶ୍ୟକ ମଣିଷ । ଧୀରେ ଧୀରେ ଲିଭିଯାଉଥିଲି ମୁଁ ତୁମ ମନ ଆଇନାରୁ କିନ୍ତୁ ସେତେ ଅଧିକ ମନେ ପଡୁଥିଲ ତୁମେ ମୋର ।

ଅପେକ୍ଷା କରି କରି ବର୍ଷେ ବିତିଗଲା । କିନ୍ତୁ ତୁମେ ମୋ ମନରେ ତାଜା ଗୋଲାପଟି ପରି ଫୁଟି ହସୁଥିଲ । ଆଉ ସେ ଗୋଲାପ କଣ୍ଟା ବାରମ୍ବାର ଆଘାତ କରି ରକ୍ତାକ୍ତ କରୁଥିଲା ମୋ ମନକୁ । ତୁମ ଅପେକ୍ଷା କରିଦେଇଥିଲା ମତେ ନିରବତାର ପାହାଡ଼ଖଣ୍ଡେ । ଖାଲି ତୁମରି ଅପେକ୍ଷାରେ ରହିଥିଲା ମନ ଭିତର ପାହାଡି ଝରଣା ଝରିଯିବାକୁ ।ଦିନ ପରେ ଦିନ ବିତିଗଲା କିନ୍ତୁ ପାଇଲିନି ତୁମ ହଠାତ୍ ଚୁପ୍ ହୋଇ ଯିବାର କାରଣ । ଖାଲି ସ୍ମୃତିଟିଏ ହୋଇ ଦରଦି ଛାତି ତଳେ ରହିଗଲ ।

ଘଣ୍ଟାରେ ଢଂ ଢାଂ ଶବ୍ଦ ଚେତେଇ ଦେଲା ବାସ୍ତବତାକୁ । ୧୨ଟା ବାଜିଲା । ସମୟ ଫେରିଗଲା ସ୍ମୃତି ସବୁ ମନ ଆଇନାରୁ ସାଉଁଟି । ନିର୍ବାକ୍ ହୋଇ ପଡି ରହିଲି ଖଟରେ ଯେମିତି ହାତ ମାରିଦେଲେ ଶୁଖିଲା ଗୋଲାପ ପାହାଡର ସୌଧ ପରି ଖସିପଡିବ ପଥର ମୂର୍ତ୍ତିଟି।




ସିମ୍ରନ୍ ରାଉତ୍
ସ୍ନାତକୋତ୍ତର ପ୍ରଥମ ବର୍ଷ
ଓଡିଆ ବିଭାଗ, ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ
ବାରିପଦା, ତୁଳସୀଚଉରା, ଗୋଷାଳା ଛକ, ମୟୂରଭଞ୍ଜ
ଦୂରଭାଷ : ୮୩୩୯୯୪୪୭୭୯

Post a Comment

0 Comments