ରୂପସୀ ଚିଲିକା - ଧ୍ରୁବ ଚରଣ ବେହେରା

ରୂପସୀ ଚିଲିକା - ଧ୍ରୁବ ଚରଣ ବେହେରା

ଚାରୁକଳା ଭରା ମର୍ତ୍ତ୍ୟ ଅପସରା
ଯୁଗେ ଯୁଗେ ତୁ ସୁନ୍ଦରୀ
କିଏ ଗଢିଦେଲା ତୋ ଲାବନ୍ଯ ରୂପ
ସଦା ମନ ନେଉ ହରି ।।

ସୌନ୍ଦର୍ଯ୍ୟର ତୁହି ଅଟୁ ଗନ୍ତାଘର
ମରାଳ ମାଳିନୀ ପରୀ
ମାଆ କାଳିଜାଇ ଗଣ୍ଡଦେଶେ ତୋର
ଶୋଭା ସ୍ମୃତି ଅଛି ଭରି ।।



କନକ କିରଣେ ଝଲସଇ ତନୁ
ନୀଳ ତରଙ୍ଗର ମାଳେ
ଉଡି ଯାନ୍ତି ନଭେ ଗେଣ୍ଡାଳିଆ ମାଳ
ଆକାଶ ନୀଳିମା କୋଳେ ।।

ନାଚଇ ତରଙ୍ଗ ଥେଇ ଥେଇ ହୋଇ
ସମୀର ଗାଆଇ ଗୀତ
କୋମଳ ଛୁଆଁରେ ମନ ହଜିଯାଏ
ସତେକି ପରାଣ ମୀତ ।।



ଚଢେଇ ଗୁହାର ଶୁଭ୍ର ଶେଯ ଦୂରୁ
ନୟନକୁ ନିଏ ଟାଣି
ଚତୁର୍ଦ୍ଦିଗ ତାର ପାଦ ପଖାଳଇ
ପ୍ରକୃତିର ସେ ରମଣୀ ।।

କବି ଭାବୁକଙ୍କ ଉପମା ଲାଳିତ୍ବ
ତୋର ସମ୍ଭାରରେ ହସେ
ଗୋଧୂଳି ଲଗନେ ସୁନା ପାଲିଙ୍କିରେ
ସୁବର୍ଣ୍ଣ ମୁହଁଟି ଦିଶେ ।।



ଅଟୁ ଅପରୂପା ସୁନ୍ଦର ସ୍ବରୂପା
ନୀଳବର୍ଣ୍ଣା ତୁ ଚାତୁରୀ
ରାଧାନାଥଙ୍କର ଥିଲୁ ପ୍ରିୟତମା
ପ୍ରିୟା ଏସିଆ ସୁନ୍ଦରୀ ।।

ଲେଖନୀରେ ତାଙ୍କ ଆଙ୍କି ଦେଇଥିଲୁ
ପ୍ରକୃତିର ଯୌବନକୁ
କବିବରଙ୍କର ମନ ମୋହିଥିଲୁ
ଭେଟି ତୋ ପ୍ରୀତି ପ୍ରେମକୁ ।।



କାବ୍ୟ ଅଳଙ୍କାର ନିହିତ ତୋ ଠାରେ
ମନ ଭୁଲେନାହିଁ କେବେ
ଯେତେ ଦେଖୁଥିଲେ ନୂଆ ଲାଗୁଥାଉ
ଭାବନାରେ ଆସୁ ଯେବେ ।।

ବିହଙ୍ଗ ବିହାର ତୋର ଉପହାର
ଜନମନ ନିଏ ତୋଷି
ଉତ୍କଳ ମାଟିରେ ନିତି ହସୁଥାଉ
ସତେକି ତୁହି ଉର୍ବଶୀ ।।



କବି ନୁହେଁ ମୁହିଁ ଲେଖଇ କବିତା
ହୃଦରର କଥା କହି
ମନ ଆଇନାରେ ଆସୁଥିବୁ ଚାଲି
ଚିଲିକା ରୂପସୀ ହୋଇ ।।

କେବେ ପ୍ରିୟତମା କେବେ ମନୋରମା
କେବେ ମୋର ମଧୁମତୀ
କି ବର୍ଣ୍ଣିବି ତୋର ଚିତ୍ର ପଟ ମୁହିଁ
ସଦା ତୁହି ରୂପବତୀ ।।



ଏହାର ପୂର୍ବ ପ୍ରକାଶିତ ପ୍ରଥମଭାଗଟି ପଢନ୍ତୁ




ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ

0 Comments