Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କ୍ଷୁଦ୍ରଗଳ୍ପ - ଶେଷ ପରୀକ୍ଷା - ବଲବନ୍ତ ସାହୁ

ସ୍କୁଲ ଜୀବନର ଶେଷ ପରୀକ୍ଷା , ଇତିହାସ ପରୀକ୍ଷା । ସେ ଦିନର ଶେଷ ଘଣ୍ଟି ଆଉ ଶେଷ ଶବ୍ଦ ପରର ଶେଷ ପୂର୍ଣ୍ଣଛେଦ । ସେଇ ପୂର୍ଣ୍ଣଛେଦରେ ବହୁତ କିଛି ଦୁଃଖ ଦୁର୍ଦ୍ଦଶା କୁ ଜାକିଜୁକି ରଖିଦେଇଥିଲା ମୁନି । ପଞ୍ଜୁରୀ ଭିତରର ଶାରୀ ଟେ ପରି କାହିଁ କେତେଦିନ ହେଲା ରହିଆସିଛି । ମଥା ପାତି କେତେ କଣ ସହି ଆସିଛି । ସ୍ୱାଧୀନ ଭାରତରେ ମଧ୍ୟ ପରାଧୀନର କଷ୍ଟ ସହ୍ୟ କରିଛି । ହେଲେ , ସେଥିରେ ମଧ୍ୟ ତାହାର ଦ୍ଵିଧା ନାହିଁ । କାଣିଚାଏ ବି ଦୁଃଖ ନାହିଁ । ଏବେ କିନ୍ତୁ ସେ ମୁକ୍ତ ଆକାଶର ଶାରୀ । ଏକଦମ୍ ଆଜାଦ୍ । ସ୍ୱ-ଇଚ୍ଛାରେ ଘୁରି ବୁଲିବ ଏଇ ରଙ୍ଗୀନ ଦୁନିଆର କୋଣ ଅନୁକୋଣକୁ । ତା'ପୁଣି ଏଇ ସ୍ୱାର୍ଥପର ଦୁନିଆ ଠାରୁ ଢେର ଉପରେ । ପାଖ ଟିଟିଲାଗଡ଼ର ଶିବ ମନ୍ଦିର, ପାର୍କ, ସହର ସାରା....। ହୋଟେଲବାଲାର "ଏଇ ନିଅ ଭଉଣୀ" ଡାକରେ ଅନ୍ତର୍ଧ୍ୟାନ ହୋଇଛି , ତା'ଭାବନା ଗୁଡାକ । ଟିକେ ଚମକି ଯାଇ ଦେଖିଛି । କେଉଁ ଗୋଟେ ଟେଷ୍ଟପେପର ପୃଷ୍ଠାରେ କିଛି ପକୁଡି ସହ ଗୋଟେ ବରା , ତା ଉପରେ ଗୋଟେ କଞ୍ଚା ଲଙ୍କା । ବାସ୍ ଏତିକିକୁ କୋଡିଏ ଟଙ୍କା । ଏତିକି ଠୁ ଆହୁରି ଅଧିକ କିଛି ଭାବି ପାରେନା ଆଗକୁ...। ଖାଇସାରି ଫେରିଆସିଛି ନିର୍ଦ୍ଧାରିତ ଗାଡି ନିକଟକୁ । ତା'ପରେ ସେଇ ଗାଡି ସାହାର୍ଯ୍ୟରେ ଗାଁ ଅଭିମୁଖେ ।

ସରଳ ନିଷ୍କପଟ ତଥା ଆଧୁନିକ ପେଣ୍ଟିଂରେ ଦର୍ଶାଯାଉଥିବା ପରି ଗାଁ ଭୁଷଲାର୍ଡ ଅଭିମୁଖେ । ଦୀର୍ଘ କୋଡିଏ ମିନିଟର ଯାତ୍ରା । ତା'ପରେ ଆସିଛି ଗାଁ । ଗାଁ ମୁଣ୍ଡ ପ୍ରଥମରେ ହିଁ ଘର । କିଛି ଲତାର ଛନ୍ଦାଛନ୍ଦି , ତା ଉପରେ ଲାଲ ମାଟିର ପ୍ରଲେପରେ ନିର୍ମିତ ଘର । ଘରକୁ ପ୍ରବେଶ କରୁ କରୁ ଦେଖିଛି ଦୁଇ ଜଣ ଅତିଥି । ଆଇ.କାର୍ଡ ଓହ୍ଲେଇ ଦେଇ ପାଦ ଛୁଇଁଛି ଦୁହିଁଙ୍କ । ପାଚିଲା ବାଳ ଥିବା ଲୋକଠାରୁ "ଅଇ ସୁଲକ୍ଷଣୀ ହ ଲୋ ମାଆ.." ଶୁଣି ଆଶ୍ଚର୍ଯ୍ୟ ହେଉଥାଏ ମିନୁ । ପ୍ରଥମେ ପ୍ରଥମେ ସେ କିଛି ବୁଝିପାରୁନଥାଏ । ଆସ୍ତେ ଆସ୍ତେ କିନ୍ତୁ ବୁଝିସାରିଥାଏ ଆମୂଳଚୂଳ । ବୁଝିବା ପରେ ପରେ ବହୁତ କାନ୍ଦେ, ବହୁତ ରାଗ ରୁଷା କରେ। ଶହ ଛାଡି ହଜାର ଥର ବାରଣ କରେ । ବାରମ୍ବାର କହିଥାଏ - ମୁଁ ବାହାହେବିନି...ମୁଁ ବାହାହେବିନି । ପୁଣି ଅଭିମାନ ସହ କହେ- ମୁଁ ମରିଯିବି ବରଂ ବାହା ହେବିନି । ଘର ଲୋକ । ଆଖପାଖର ବାହାର ଲୋକ । ପୁଣି ତାଙ୍କ ଘରକୁ ପ୍ରସ୍ତାବ ନେଇ ଆସିଥିବା ସେଇ ଦୁଇ ଲୋକ । ସମସ୍ତେ ଶୁଣନ୍ତି । ହେଲେ କେହିବି ବୁଝିପାରନ୍ତି ନାହିଁ ମିନୁର ମନ କୁ । ନଖାଇ ନପିଇ ନିଜ ସହ ନିଜେ ରୋଷ କରି କାନ୍ଦିକାନ୍ଦି ସୋଇପଡେ ସେ ଦିନରେ ।

ଲୋକେ କହନ୍ତି-"ଦିନର ଦୁଃଖ ଯାକକୁ ରାତି ଖାଇଯାଏ , ସେଥିପାଇଁ ରାତିହୁଏ ।" ଏ କି କଥା । ମିନୁର ତ ଦୁଃଖ କମିନାହିଁ । ବରଂ ରାତିଯାକରେ ଆହୁରି ଓଦା ସରସର ହୋଇଯାଏ । ମାଆ ନିର୍ଦେଶରେ ସକାଳୁ ସକାଳୁ ଦୁଇଟି ବ୍ୟାଗ ଧରି ବାହାରିବାକୁ ପଡିଥାଏ , ନାନି ଘରକୁ । ମିନୁ ପାଟିରେ ମନା କରିବାର ଶବ୍ଦ ନାହିଁ । ମାଆ କୁଆଡେ କହିଛନ୍ତି- "ନାନି ଠାରୁ ରୋଷେଇବାସ , ଚାଲିଚଳଣୀ,ଆଚାରବ୍ୟବହାର ଶିଖିବୁ ।" ଦଇବର ନିର୍ଦ୍ଦେଶ ଭାବି ମଥା ପାତି ସହିଯାଇଛି ମିନୁ । ସେ ଯାଇଛି । ଦଶ ଦିନରେ ରୋଷେଇବାସ ଶିଖିପାରିନି ବୋଲି ପନ୍ଦର ଦିନ ମଧ୍ୟ ରହିଛି ସେଠାରେ । ପନ୍ଦରଦିନିଆ ସମର୍ କୋର୍ସ କଲା ପରି ଶିଖିଛି ସବୁ । ଆଚାର, ବ୍ୟବହାର, ଚାଲିଚଳଣୀ , ଘରକରଣା ଆଉ କେତେ କଣ । ଏହା ଭିତରେ ବାଦ ପଡିନି ଛୁଆ ଧରିବା ଆଉ କାନ୍ଦୁଥିବା ଛୁଆକୁ ବୁଝାଇବା ମଧ୍ୟ । ଏହା ସହ ଆଉ କିଛି କଥା ମଧ୍ୟ ଶିଖିଛି । ଯାହା ସବୁ କହିହୁଏ ନାହିଁ । ତା'କୋର୍ସ ସରୁ ସରୁ ଫେରିଆସିଛି ଗାଁ କୁ । ବସି ପଡିଛି ଚୁଲି ପାଖର ମାଟି ପିଣ୍ଢାରେ । ଅର୍ଦ୍ଧ-ପରିପକ୍ୱ ଭାବନାରେ ବିଶେଷ କିଛି ଭାବିପାରୁନଥାଏ , ତା' ଦୁଃଖ ବ୍ୟତୀତ । "ଏଇ ନେ ଲୋ ମାଆ...ଖାଇଦେ ପକୁଡି ଦିଟା , କେତେଦିନ ଆଉ ଖାଇବୁ ଯେ.." ଶତ ପ୍ରତିଶତ ମାତୃତ୍ୱ ସହ ମାଆ । ମାଆଙ୍କ ଏଇ ଅଧକୁହା ବାକ୍ୟରେ ମଧ୍ୟ ବହୁତ କିଛି ବୁଝିପାରୁଥାଏ ମିନୁ । ଦୁଃଖଦ ଭାବନାରେ ଓଦା ସରସର ଥିଲେ ବି ମସ୍ତିଷ୍କର କେଉଁ ଗୋଟେ କୋଣରୁ ସାନ୍ତ୍ୱନା ଦେଉଛି ନିଜେ ନିଜକୁ । ଆଉ କହୁଛି- "ଏତେ ଡରୁଛୁ କାହିଁକି ? ସମୟ ଯାଇନି , ଏବେ ମଧ୍ୟ ସବୁକିଛି କରିପାରିବୁ । ହଁ ତୁ ପାରିବୁ ମିନୁ । ପାରିବୁ ।" ଏହା ଭିତରେ ମାଆ ଦେଇଥିବା ପକୁଡି ମଧ୍ୟ ସରିଥାଏ । ରହିଯାଇଥାଏ କେବଳ ତୈଲାକ୍ତ କାଗଜ । ମିନୁ ଦେଖେ । ତାଙ୍କ ବ୍ୟାକରଣ ବହିର ପୃଷ୍ଠାଟେ । ଯହିଁରେ ଲେଖା ହୋଇଛି -

"ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନ ସାର
ଜଞ୍ଜାଳ ଜଳଦ ଜଳେ ଆବିଳଉଦର ।"

ବିଦ୍ୟାଳୟରେ ବୁଝିପାରୁନଥିଲା ଏଇ ପଦକୁ । ହେଲେ ଆଜି ସେ ସମ୍ପୂର୍ଣ୍ଣ ବୁଝିପାରୁଛି ଏହାକୁ । ତା'ବୋଲି ତ ପଢି ସାରୁ ସାରୁ ଲୁହ ଦୁଇଧାର ଚରଣସ୍ପର୍ଶ କରିଗଲାଣି । ଏମିତି ଅନ୍ଧକାର ମଧ୍ୟରେ ବିତିଯାଇଛି ସେଇ ଦିନଟି । ମିନୁ କିଛି ଭାବିପାରୁନଥାଏ । ସେ କଣ କରିବ ? ତଥାପି ସେ ନିଜକୁ ଆଶ୍ୱାସନା ଦେଇଛି । ଆଉ ଯୋଜନା କରିଛି ବରକୁ କହିବ । ସେ ନିଶ୍ଚିତ ବୁଝିବ । ତା' ଦୁଃଖ, ଦରଜ ଆଉ ବ୍ୟଥା କୁ...। ବିଶେଷ ସାଜସଜ୍ଜା କିଛି ନାହିଁ । ଘର ସାମ୍ନାରେ ଚାନ୍ଦୁଆ ଟିଏ । ତା'ଛାଇରେ ଝୋଟି ଟିଏ । ଝୋଟି ଉପରେ ମାଠିଆ ଓ ମାଠିଆ ଉପରେ ଆମ୍ବପତ୍ର ସହ କଳସ । ବର ଆସିଛି । ହୁଳହୁଳିରେ ଶୁଣ୍ଢି ବସ୍ତି ଯାକ ଉଠୁଛି ପଡିଛି । ମିନୁର ସ୍ପନ୍ଦନ ବଢ଼ି ବଢ଼ି ଚାଲିଥାଏ । ଅଳ୍ପ କିଛି ସମୟର ବ୍ୟବଧାନ ପରେ ବିନା ଅନୁମତିରେ ଘରକୁ ପଶିଆସିଛି ବର ବିନୟ । ମିନୁ ମନରେ ସାମାନ୍ୟ ଲାଜ ସହ ଅଜସ୍ର ଡର । ବିନୟ ଆସି ବସି ପଡିଛି ତା'ସାମ୍ନାରେ । ମିନୁ ଦେଖୁଛି ତାକୁ । ବର ଦେଖୁଛି ମିନୁକୁ...। ଆଖି ଆଖିରେ ଭାବର ବନ୍ଧନ । କଥାବାର୍ତ୍ତା । ମିନୁ ମନେ ମନେ ସାହସ ଯୋଗାଡ଼ କରୁଥାଏ । ଆଉ ପଢିବାକୁ ଚେଷ୍ଟା କରୁଥାଏ ସେଇ ନୂଆ ଅତିଥିର ହୃଦୟକୁ । ତା ସାଙ୍ଗେ କିଛି ପ୍ରଶ୍ନ କରୁଥାଏ ନିଜକୁ । ସେ ତୋ ଦରଦ ବୁଝିବ ତ ? ବେଦରଦୀ ନୁହେଁ ତ ? ମାଟିକାନ୍ଥରେ ଟଙ୍ଗା ହୋଇଥିବା ଘଣ୍ଟାର ମିନିଟ-କଣ୍ଟାର ଦୁଇ ତିନି ପାଦ ଗତି ପରେ ମିନୁ ହିଁ ଆଖି ଫେରାଇଛି ପ୍ରଥମେ । ଆଉ ସାହସ ଜୁଟାଇ କହିଦେଇଛି ନିଜ ମନର ମାଳ ମାଳ ବ୍ୟଥାକୁ.. ଦୁଃଖକୁ... ଦରଜକୁ...। ଏବେ ତାକୁ ଟିକିଏ ହାଲୁକା ମନେ ହେଉଥାଏ । ମିନୁର ଉତ୍ତର ନଦେଇ ହିଁ ଚାଲିଯାଇଛି ସେ ନୂଆ ଅତିଥି ବିନୟ । ମିନୁ ନଜରରେ ସେ ଭାବୁକ ଟେ ସାଜି । ନିସ୍ଥବ୍ଦ ହୋଇ ।

କିଛି ସମୟପରେ ଖବର ଆସିଛି ବିବାହ ଭାଙ୍ଗିଗଲା । ମିନୁର ଖୁସି କହିଲେ ନସରେ । ହେଲେ ସେ ଖୁସି ହଠାତ ଭାଙ୍ଗିଯାଏ । ବାପା ମାଆ ମଧ୍ୟରେ ଯୁକ୍ତିତର୍କ । କେହିବି କଥା ହେଉ ନାହାନ୍ତି ମିନୁ ସହିତ । ଆଖପାଖ ଲୋକେ ମଧ୍ୟରେ ଟୁପୁର୍ ଫୁସୁର୍ । ଗାଁ ଲୋକଠୁ କଥାଟା ଆସ୍ତେ ଆସ୍ତେ ପାଖ ଗାଁ କୁ ଗଲାଣି । "ଅମୁକ ଘର ଝିଅର ମୁଦିପିନ୍ଧା ଦିନ ବର ମନା କରିଦେଲା , ଆହା....। ବିଚରା କେତେ ଆଶା ଟେ ବାନ୍ଧିଥିଲା ଭଲ ବନ୍ଧୁ ଟେ ବୋଲି । ଆଉ କଣ ବର ଆସିବେ ।" ଆଉ କେତେ କଣ । କେହି କେହି ତ ଆଉ କିଛି କିଛି ଯୋଡି କହିଦେଉଥାନ୍ତି । ମିନୁ ପାଇଁ ଅସହ୍ୟ ହୋଇପଡୁଥାଏ କଥା ସବୁ । କଥା ସବୁ ବଢ଼େଇ ଦେଉଥାଏ ମିନୁର ବ୍ୟଥା । ବାପାଙ୍କ ନାମରେ ଏତେ ସବୁ ସେ ଶୁଣିପାରୁନି । ପୁଣି ବାପାମାଆଙ୍କ ଦୁଃଖ , କୋହକୁ ସହ୍ୟ କରି ପାରୁନାହିଁ । ହଠାତ ରାମୁ ଦୋକାନକୁ ଯାଇଛି । ଆଉ ଫୋନ କରିଛି ବିଜୟକୁ । ଆଉ ଅନୁରୋଧ କରିଛି ତାକୁ ବିବାହ କରିବାକୁ । ବିନୟ ପଟୁ ମଧ୍ୟ ସବୁଜ ସଙ୍କେତ ଆସିଛି । ଆଉଥରେ ଚାଲିଛି ସବୁକିଛି...। ପୂର୍ବ ପରି ସାଜସଜ୍ଜା..। ଦେଖୁ ଦେଖୁ ସରି ଯାଇଛି ବାହାଘର । ମିନୁ ତା'ର ଆଶା , ଅଭିଳାଶକୁ ଭାଙ୍ଗି ଦେଇ ହୋଇଯାଇଛି ବନ୍ଧନ । ପବିତ୍ର ପ୍ରେମ ବନ୍ଧନରେ । ହୋଇ ଯାଇଛି ଗୋଟିଏ ହାତ ରୁ ଦୁଇହାତ । ସମୟର ଅନବରତ ଗତିରେ ଆଜି ମିନୁ ବହୁତ ଦୂରକୁ ଚାଲିଆସିଲାଣି । ଏହା ଭିତରେ ଏତେ ଦୁଃଖଦ ସ୍ମୃତି ହେଲାଣି ଯେ ତା' ଭାରସାମ୍ୟ ହରାଇଦେଉଛି । ଏହା ଭିତରେ ବହୁତ କିଛି ଦୁଃଖ ଯନ୍ତ୍ରଣା ସହିଛି । ବହୁତ କିଛି ହାରି ସାରିଛି । ଜମିବାଡ଼ି ,ଘରଦ୍ୱାର, ସୁନାରୁପାକେତେ କଣ...। ଏହା ସହ ତିନି ତିନି ଥର ତା'ତିନି ପୁତ୍ରକୁ । ଏବେ ତା'ପାଖରେ କିଛି ନାହିଁ । କେବଳ ଅଛି କୁନା ଆଉ ତା'ସିନ୍ଦୁର । ଏଇନା ଆସି ଏଇ ଟିଟିଲାଗଡ଼ର ମାଳିବସ୍ତିରେ ରହୁଛି । ବିନୟ ପାଖ ଇଲେକ୍ଟ୍ରିଅଫିସରେ କାମ କରେ । ସରକାରୀ ତ ନୁହଁ ତଥାପି ଲାଗିଛି । ମାସିକ ଚବିଶ ଶହ ତାର ଦରମା ।

କୁନା କାହିଁ ? ଦେଖାଯାଉନି ' ସବୁ ଘର ବୁଲି ନେଇ ପଚାରୁଥିଲା ବିନୟ । ଅଫିସରୁ ଫେରିବାପରେ ନିଜର ଏକମାତ୍ର ପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଭଲ ଲାଗେନି । ରୋଷେଇ କରୁ କରୁ ମିନୁ କହୁଥିଲା-ଦେଖୁନ , ଏଇଠି ଖେଳୁଥିଲା ବାହାରକୁ ଯାଇ ଦେଖୁନ । କିଛି ସମୟରେ ବିନୟର ଉଚ୍ଚସ୍ୱରରେ ଘର କମ୍ପି ଉଠୁଥିଲା ।"ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି । ସୋସାଇଟିରେ ବାଜେ ପିଲାଙ୍କ ସହିତ ବସି ବାଲି ଖେଳୁଥିଲା । ଏଇୟା ସବୁ ଶିଖୁଛି ତମ ପୁଅ ? ଦେଖ ତା ଦେହ..ବାଳିଧୂଳିରେ ଭର୍ତ୍ତି । ଦେହ ଖରାପ ହେଲେ ମତେ କହିବ । ରୋଷେଇଘରୁ ବାହାରି ଆସୁ ଆସୁ ମିନୁ କହୁଥିଲା, "ଓହୋ, ପିଲାଟା ଟିକେ ଖେଳିଦେଲେ କଣ ହୋଇଗଲା? ତମେ ଖେଳୁନଥିଲ କି ? ଜନ୍ମରୁ ରୁମଟାରେ ବଢିଥିଲ ନା କଣ ?

"ମୁଁ ଖେଳୁଥିଲି ଯେ.., କୁନା ବି ଖେଳିବ ! ସେ ଏମିତିରେ ବି ଅନ୍ୟ ମାନଙ୍କ ଅପେକ୍ଷା ଦୁର୍ବଳ କେତେବେଳେ କଣ ହୋଇଗଲେ।" ସାମାନ୍ୟ ଦୁଃଖିତ ହୋଇ ବିନୟ କହିଲା ।
"ହଁ.....ସତ କଥା..." କହୁ କହୁ ଖୁବ ଭାବ ବିହ୍ଵଳ ହୋଇପଡୁଥାଏ ମିନୁ । ବୋଧହୁଏ ପୁରୁଣା ସ୍ମୃତି ଗୁଡିକ ଆଖି ସାମ୍ନାକୁ ଚାଲିଆସିଲେ....।




ବଲବନ୍ତ ସାହୁ
ଭୁଷଲାର୍ଡ, ବଲାଙ୍ଗୀର
ମୋ-9078105234

Post a Comment

0 Comments