Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଆଖି - ଶୁଭକାନ୍ତ ସାହୁ

କୁଆଁର ପୁନେଇ ଜହ୍ନଟା ମୁରୁକି ମୁରୁକି ହସୁଛି । ନିର୍ମଳ ଶରତ ଆକାଶରେ ରୂପା ଥାଳିଆ ପରି ଜହ୍ନ ସତେ ବା ନୀଳ କାଗଜ ଉପରେ କୌଣସି ଚିତ୍ରଶିଳ୍ପୀର ଚିତ୍ରଟିଏ । ନଡିଆ ବାହୁଙ୍ଗା ଅଗ୍ରର ଅର୍ଦ୍ଧ ଆଛାଦନ ତା’ର ସୌନ୍ଦର୍ଯ୍ୟକୁ ଆହୁରି ମନୋରମ କରିଦେଉଛି । ମଝିରେ ମଝିରେ ଅତି କ୍ଷୁଦ୍ର ମେଘଖଣ୍ଡ ତା ସାମନାରେ ଅଟକି ଯାଇ ତାର ଶୋଭାକୁ ବର୍ଦ୍ଧିତ କରୁଛି । ଗାଁ ଦାଣ୍ଡରେ ଛୋଟ ପିଲା ଙ୍କ କୋଳାହଳ ଶୁଭୁଛି । ପିଲାମାନେ ଖେଳି ଖେଳି ଏ ଯାଏଁ ବି ଆସିଯାଇ ପାରନ୍ତି । କୁଆଁର ପୁନେଇ ଜହ୍ନ ଯେ କେବଳ ସମୁଦ୍ରରେ ଯୁଆର ଉଠାଇ ପାରେ ତା’ ନୁହେଁ, ସେ ଅସଂଖ୍ୟ କୁଆଁର କୁଆଁରୀ ଙ୍କ ମନ ସମୁଦ୍ରରେ ମଧ୍ୟ ସୃଷ୍ଟି କରେ ଉତ୍ତୁଙ୍ଗ ଜୁଆର । ମୁଁ ତ ନିଜେ କୁଆଁର । ମୁଁ ବା ବାଦ୍ ପଡନ୍ତି କିପରି? ଆମ୍ବ ଗଛ ଛାଇରେ ହାତ ଛନ୍ଦି ଛିଡା ହୋଇ ମୁଁ ଏକ ଲୟରେ ଜହ୍ନକୁ ଦେଖୁଛି । ବାସ୍ତବରେ ପ୍ରମୀଙ୍କ ପାଇଁ ଏ ଜହ୍ନଟା ଆହୁରି ସୁନ୍ଦର । ମୁଁ ଜହ୍ନକୁ କହି ଚଲିଥାଏ ଅନେକ କଥା । ମନେ ମନେ ଭାବୁଥାଏ ଯଦି ପ୍ରୀତି ତା ସଙ୍ଗମାନଙ୍କ ସହ ଲୁଚକାଳି ଖେଳି ଖେଳିକା ଏଠାକୁ ଆସି ଯାଆନ୍ତା, ମୋ ମନରେ ସମୁଦ୍ରରେ ସୃଷ୍ଟ ଜୁଆରରେ ତା’ କୁଆଁରୀ ମନକୁ ସିକ୍ତ କରି ଦିଅନ୍ତି । ମୋ ଅନେକ ଦିନର ସ୍ୱପ୍ନ ଆଜି ବାସ୍ତବ ରୂପ ନିଅନ୍ତା । ମୋ ମନ ତଳର ଅବ୍ୟକ୍ତ ଗୋପନ କଥା କୁ ତା’ ଆଗରେ ବ୍ୟକ୍ତ କରି କହନ୍ତି, “ମୁଁ ତୁମକୁ ଭଲ ପାଏ ପ୍ରୀତି ।” ଏମିତି ଆହୁରି ଅନେକ କିଛି । ହଠାତ୍ ମୋ ସହ କିଏ ଜଣେ ଧକ୍କା ହୋଇ ଯାଇଥିଲା । ମୁଁ ଆଗକୁ ଝୁଙ୍କି ପଡି ଭାରସାମ୍ୟ ରକ୍ଷା କଲି କିନ୍ତୁ ସେ ଭାରସାମ୍ୟ ହରାଇ ତଳେ ପଡିଗଲା । ତା’ ମୁଁହରେ ପଡିଥିବା ଜହ୍ନ ଆଲୁଅରୁ ମୁଁ ପ୍ରୀତି କୁ ଠିକ୍ ଚିହ୍ନି ପାରିଥିଲି । ସେ ଶଙ୍କିତ ସ୍ୱରରେ କହିଲା, “ତୁମେ ଏଠି ଥିବାର ମୁଁ ଜାଣି ନଥିଲି । ସାଙ୍ଗ ମାନଙ୍କ ସହ ଲୁଚକାଳି ଖେଳୁ ଖେଳୁ ତୁମ ସହ ଧକ୍କା ହୋଇଗଲା । ମୋର ଭୁଲ୍ ହୋଇଯାଇଛି । ମୋତେ କ୍ଷମା କରିଦିଅ ।”ମୁଁ ଖାଲି ହତବାକ୍ ହୋଇ ଚାହିଁ ରହିଥିଲି । ମୋତେ ଏ ସବୁ ସ୍ୱପ୍ନ ପରି ପ୍ରତୀୟମାନ ହେଉଥିଲା । ମୁଁ କିଛି କହି ପାରୁନଥିଲି । ଟିକିଏ ଆଗରୁ ଭାବୁଥିବା କଥା ମଧ୍ୟ କହି ପାରିଲି ନାହିଁ । ତା’ ଆଖି ଦୁଇଟିକୁ ଏକ ଲୟରେ ଚାହିଁ ରହିଲି; ଯେମିତି ଚନ୍ଦ୍ରକୁ ଚାହିଁ ରହିଥିଲି । ତା’ର ଆଖି ଦୁଇଟି ଖୁବ୍ ସୁନ୍ଦର; ସତେ ଯେମିତି କଥା କହୁଛି । ହରିଣ ଆଖି ପରି ଚଞ୍ଚଳ ଆଖି ଦୁଇଟି ଶଙ୍କିଯାଇଥିଲେ । ମୋତେ ଲାଗୁଥିଲା ତା’ ଆଖି ଦୁଇଟି ମୋତେ ଭଲ ପାଇବାକୁ ଆହ୍ୱାନ କରୁଛନ୍ତି । ଆଖିର ମିଳନ ପରେ ଭଲ ପାଇବାର ଅୟମାରମ୍ଭ । ତା’ ଆଖି ଦୁଇଟି ମୋତେ ଭଲ ପାଇବାକୁ ସ୍ୱାଗତ କରୁଥିଲେ ନିଶ୍ଚୟ ।

ପ୍ରୀତିର ବାହଘର ଠିକ୍ ହୋଇ ଯାଇଛି । ତା’ର ଭାବୀ ସ୍ୱାମୀ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଉଚ୍ଚ ପଦବୀରେ ଅଧିଷ୍ଠିତ । ଏହି ପ୍ରସ୍ତାବରେ ତା’ର କିଛି ପ୍ରତିବାଦ କରିବାର ନଥିଲା । ତା ଭାବୀ ସ୍ୱାମୀର ସମ୍ଭ୍ରାନ୍ତତା ପାଇଁ ଭୁଲିବାକୁ ଚେଷ୍ଟା କରୁଥିଲା ଜହ୍ନ ଆଲୁଅ ତଳର ଚାରିଆଖିର ମିଳନକୁ । ତା’ ଭାବୀ ସ୍ୱାମୀ ପାଇଁ ସେ ଆପେ ଗର୍ବିତ ହେଉଥିଲା । ରୁବି ମାଉସୀଙ୍କ ଝିଅ ସହିତ ପ୍ରୀତି ମାଉସୀ ଘରକୁ ଆସିଥିଲା । ସେ ଦିନ ମୁଁ ଏକ ପ୍ରଶ୍ନବାଚୀ ଆଖି ନେଇ ଚାହିଁ ରହିଥିଲି । ସେ ଥର କୁ ଥର ବାରମ୍ବାର ଟିକେ ଚାହିଁ ମୁଁହ ଫେରାଇ ନେଉଥାଏ । ମୋତେ ଲାଗୁଥିଲା ତା’ ଆଖି ଦୁଇଟି ମୋତେ ଯେମିତି ମନା କରୁଛନ୍ତି ତାକୁ ଏମିତି ଚାହିଁବା ପାଇଁ । ପର ଝିଅ ବୋହୁଙ୍କୁ ଆଖି ପୁରାଇ ଚାହିଁବା ଅନୁଚିତ୍ । କାହାର ଗୁରୁତ୍ୱପୂର୍ଣ୍ଣ ଚିଜଟିଏ ହଜିଗଲେ ବା ଭାଙ୍ଗିଗଲେ ଯେମିତି ଅନ୍ୟମାନେ ଆଶ୍ୱାସନା ଦିଅନ୍ତି; ତା’ ଆଖିଦୁଇଟି ମୋତେ କହୁଥିଲେ, “ଯାହାର ଯେଉଁଠି ଯୋଗ ଅଛି ସେ ସେଠରେ ହିଁ ବାହା ହେବ । ଏହା କପାଳ ଲିଖନ । ଏଥିପାଇଁ ଦୁଃଖ କରିବା ଅନୁଚିତ୍ ।” ପ୍ରଭୁତ କ୍ଷତିରେ କମ୍ପାନୀ ଡୁବି ଯାଇଛି । ପ୍ରୀତିର ସ୍ୱାମୀଙ୍କୁ ନିଜର ପଦବୀ ହରାଇବାକୁ ପଡିଛି । ସେ ଏବେ ସଂପୂର୍ଣ୍ଣ ବେକାର । ଏ ଦୁଃଖକୁ ପାଶୋରିବା ପାଇଁ ସେ ମଦ୍ୟପ ବି । ମଦ କିନ୍ତୁ ଦୁଃଖ ଦୂର କରିପାରେ ନାହିଁ ବରଂ ଦୁଃଖକୁ ବହୁଗୁଣିତ କରିଦିଏ । ପ୍ରୀତି ପ୍ରତିବାଦ କରି ପ୍ରତି ବଦଳରେ ପାଏ ପ୍ରହାର ହିଁ ପ୍ରହାର, ଅକଥନୀୟ ଗାଳି । ଶାଶୁ, ନଣନ୍ଦ, ଦିଅର ସମସ୍ତଙ୍କ କୋପ ଦୃଷ୍ଟି ପଡିଛି ପ୍ରୀତି ଉପରେ । ସବୁ ଦୋଷ ଯେମିତି ତା’ର । ପ୍ରୀତି ଯୋଗୁଁ ହିଁ ଯେମିତି ତା’ ସ୍ୱାମୀର ଏ ଅବସ୍ଥା । ସେ ଆଜି ସ୍ୱାମୀ ପରିତ୍ୟକ୍ତା । ଆଜି ବି କୁଆଁର ପୂର୍ଣ୍ଣିମା । ଆଜି ବି ଜହ୍ନଟା ଠିକ୍ ସେମିତି ଅପରୂପ ଶୋଭା ପରିପୂର୍ଣ୍ଣ । ହେଲେ ମୋଆଖିରେ ଭବିଷ୍ୟତ ସ୍ୱପ୍ନ ନାହିଁ; ଖାଲି ଅତୀତର ସ୍ମୃତି ପୂର୍ଣ୍ଣ । ମୋ ମନ ସମୁଦ୍ରରେ ସ୍ୱପ୍ନର ଜୁଆର ସୃଷ୍ଟି କରିବାକୁ ପୂର୍ଣ୍ଣିମା ର ଜହ୍ନ ଦେହରେ ଶକ୍ତିର ଅଭାବ । ପ୍ରୀତିର ମଧ୍ୟ ବୋହୁ ବୋହୁକା ଖେଳିବାର ବୟସ ଆଉ ନାହିଁ । ସେ ତ ସତ ସତିକା ବୋହୁ ହୋଇଯାଇଛି । କୁଆଁରୀଏ ଗାଁ ଦାଣ୍ଡରେ ଚଉଁରା ଥାପି ଜହ୍ନଓଷାରେ ବ୍ୟସ୍ତ । ଆଜି ଗାଁ ଦାଣ୍ଡରେ ତା ସହ ମୋର ଦେଖା ହୋଇଥିଲା । ମୁଁ ନୈରାଶ୍ୟର ଚାହାଁଣିରେ ଚାହିଁଥିଲି ତା’ ମୁଁହକୁ । ସେ କରୁଣ ଭାବେ ମୋତେ ଚାହିଁ ରହିଥିଲା । ତା’ ଆଖି ମୋତେ ଯେମିତି କହୁଥିଲା, “ମୋର ଆଉ କିଛି କରିବାର ନଥିଲା । ଆଉ ଥିଲେ ବି କ’ଣ କରିଥାନ୍ତି? ”ପ୍ରଥମ ଥର ପାଇଁ ତା’ର ସେହି ସୁନ୍ଦର ଆଖି ଦୁଇଟିରୁ ଆଷାଢ ଶ୍ରାବଣର ବନ୍ୟାକୁ ମୁଁ ଦେଖିଥିଲି । ସେ ନା ମୋତେ ଆଉ ଭଲ ପାଇ ପାରୁଥିଲା ନା ମୋତେ ଘୃଣା କରି ପାରୁଥିଲା । ଇଛା ହେଉଥିଲା ତା’ ଆଖିରୁ ଆଷାଢ ଶ୍ରାବଣର ବନ୍ୟା ଧାରକୁ ପୋଛି ଦେବାକୁ । କିନ୍ତୁ ମୋର ମଧ୍ୟ କିଛି କରିବାର ନଥିଲା । କାରଣ ସେ ପରା ପର ସ୍ତ୍ରୀ...... ।




ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା, ଗଂଜାମ,
ମୋ-୯୮୬୧୭୩୨୨୫୬

Post a Comment

0 Comments