Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ମା'ର ମମତା - ପ୍ରଶାନ୍ତ କୁମାର ନାଥ

ମୋହନ ସେତେବେଳେ ୨ମାସର ହୋଇଥାଏ । ସେମାନଙ୍କ ପାଇଁ ମାଡି ଆସିଲା ଏକ ଦୁଃଖର ପାହାଡ଼ । ମୋହନର ବାପା ସବୁଦିନ ପରି ସେଦିନ ମଧ୍ୟ ଯାଇଥାନ୍ତି ବିଲକୁ । ଛୋଟ ଛୋଟ ଧାଁ ଗଛ ଭୂଇଁରୁ ମଠ ଟେକି ସବୁଜ କ୍ଷେତ ସୃଷ୍ଟି କରି ସାରିଲାଣି । ଆଉ ଅଳ୍ପ ଦିନ ପରେ ଗାର ଯାଆଁଳ ମରାହେବ l ସବୁଜ କ୍ଷେତକୁ ଦେଖି ତାଙ୍କ ମନ ଆନନ୍ଦରେ ନାଚି ଯାଉଥାଏ । କୁବ ଜୋରରେ ବର୍ଷା ପବନ ଆସିଲା । ବିଜୁଳି ଘଡଘଡି ମାଡି ଆସିଲା । କୃଷକର ସାଥି ତ ହେଉଛି ଏହି ଖରା ବରଷା । କିନ୍ତୁ ସେଦିନ ସେହି ସାଥି ତାଙ୍କୁ ଧୋକା ଦେଇ ଦେଇଥିଲା । ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଗଲା । ସେଦିନ ପୁଅ ମୁହଁକୁ ଚାହିଁ କାନ୍ଦି କାନ୍ଦି ଗଡି ଯାଇଥିଲେ ସୁମିତ୍ରା । ସମସ୍ତେ ତାଙ୍କୁ ସାନ୍ତନା ଦେଇ କହୁଥାନ୍ତି କାହିଁକି କାନ୍ଦୁଛୁ ସିଏ ପରା ମୋହନ ରୂପରେ ତୋତେ ଗୋଟେ ଅମୁଲ୍ୟ ରତ୍ନଟେ ଦେଇ ଯାଇଛି । ତାରି ଭିତରେ ତୁ ତାଙ୍କୁ ପାଇବୁ । ସେହି ମୋହନର ମୁହଁକୁ ଚାହିଁ ସେଦିନ ସବୁ ଦୁଖଃକୁ ଢକ ଢକ କରି ପିଇ ଯାଇଥିଲେ ସୁମିତ୍ର । ପୁଅକୁ ବଡ଼ କରିବାର ଚେଷ୍ଟାରେ ଲାଗିପଡିଲେ ସୁମିତ୍ରା । ପୁଅର ମୁହଁକୁ ଚାହିଁ ତାଙ୍କ ଜୀବନ କଟି ଯାଉଥିଲା । ୟା ଘରେ ତା ଘରେ ବାସନ ମାଜି ଘର ଓଳେଇ ଦି ପଇସା ରୋଜଗାର କରୁଥିଲେ । ସେହିଥିରେ ମା ପୁଅ ଦୁହେଁ ଖୁସିରେ ଚାଲି ଯାଇଥିଲେ । ପୁଅ ସ୍କୁଲ ଗଲା ପାଠ ପଢିଲା ଅଧିକ ପଇସା ଲୋଡ଼ା ପଡିଲା । ତଥାପି ମା ଭାଙ୍ଗି ପଡିନଥିଲେ କାହିଁକିନା ତାଙ୍କର ଗୋଟିଏ ନିଶା ଥିଲା ପୁଅକୁ ବଡ କରିବା ଆଉ ଭଲ ମଣିଷ କରିବା । ପୁଅ ମଧ୍ୟ ମାର ଏ ଅବସ୍ଥା ଦେଖି ବହୁତ ମନ ଦୁଃଖ କରେ । କୁହେ ମୁ ଆଉ ପାଠ ପଢିବାକୁ ଯିବିନି । ତୋ ସହିତ କାମ କରିବି । ମୋ ପାଇଁ ତୁ ଏତେ କଷ୍ଟ କରୁଛୁ ମୁ ଆଉ ସହି ପାରୁନି । ମା କହିଥିଲ ମୋର ସବୁ ଦୁଃଖ କଷ୍ଟ ଦୂର ହେବ ଯେଉଁଦିନ ତୁ ପାଠ ପଢି ବଡ ମଣିଷ ହେବୁ । ସତେବେଳେ ମୁଁ ଭାବିବି ମୋର ଶ୍ରମ ସାର୍ଥକ ହେଲା ବୋଲି । ପୁଅ ମା କୁ କୁଣ୍ଢେଇ ପକାଏ ।

ଆଜି କିନ୍ତୁ ପୁଅ ବଡ ହୋଇ ଯାଇଛି । ବଡ ମଣିଷ ହୋଇ ସାରିଛି । ବାହାଘର ମଧ୍ୟ ସାରି ଯାଇଛି । ସୁମିତ୍ରା ଦେବୀ ମଧ୍ୟ ବୁଢ଼ୀ ହୋଇ ଗଲେଣି । ବୁଢ଼ୀ ବୟସରେ ମାର ସେବା କରିବାକୁ ବୋହୁ ରାଜି ହେଉନି । ନାକ ଟେକୁଛି । ପୁଅ ଏକଥାକୁ ଆଖିରେ ରଖି ଦିନେ କହିଲା ମା ତୁ କେତେଦିନ ଏମିତି ଘରେ ବସି ରହିବୁ ଚାଲ ଆମେ ଟିକେ ବାହାରୁ ବୁଲି ଆସିବା । ବାହାର ପବନ ଖାଇଲେ ତୋତେ ବି ଟିକେ ଭଲ ଲାଗିବ । ମା ବହୁତ ଖୁସି ହୋଇଗଲା ଆଉ ପୁଅ ସହିତ ବାହାରି ଗଲା । ପୁଅ ଟ୍ରେନରେ ବସେଇ ମା କୁ ନେଇଗଲା ଏକ ଅଜଣା ସହରକୁ । ଅନେକ ଗଛଲତା ଥିଲା । ମୋହନ କହିଲା ମା ଏଇଟା ହେଉଛି ପାର୍କ । ତୁ ଏଇଠି ବସିଥା ମୁଁ ଏଉଠୁ ଆସିଛି । ଯାଇଛି ଯେ ଯାଇଛି ଦୁଇ ଦିନ ହେଲାଣି ଫେରିନି । ବୁଢ଼ୀ କେତେ ଜଣଙ୍କୁ କାକୁତି ମିନତୀ ହୋଇ ଯେତେ କହିଲେବି କେହି ତାର କଥାକୁ ବୁଝି ପାରୁ ନାହାନ୍ତି । କେଜାଣି କେମିତି ସେଦିନ ଦେଖା ହୋଇ ଯାଇଥିଲା ଜଣେ ଓଡ଼ିଆ ଲୋକ ସହ । ବୁଢ଼ୀଟିର କଥା ତାର କାନରେ ବାଜିଲା । ଧାଇଁ ଗଲା ସେହି ମା ଜଣଙ୍କ ପାଖକୁ । ମା ଜଣଙ୍କ କହିଲେ ତାଙ୍କର କରୁଣ କାହାଣୀ । ଲୋକଟି କହିଲା ତୁମେ ଚିନ୍ତା କରନି ମୁ ନେଇ ତୁମକୁ ତୁମ ଘରେ ଛାଡ଼ି ଦେଇ ଆସିବି । ଆଉ ତୁମ ପୁଅକୁ ପୋଲିସରେ ଦେଇ ଗୋଟେ ଉଚିତ ଶିକ୍ଷା ଦେବାକୁ ପଡିବ । ମା କହିଲା ନାହିଁରେ ପୁଅ । ମୁଁ ଆଉ କେତେଟା ଦିନ ବଞ୍ଚିବି । ପୁଅର ଖୁସିରେ ତ ମୋର ଖୁସି । ତାର ଖୁସିରେତ ମୋ ଜୀବନର ଶେଷ ସୀମାରେ ପହଂଚି ସାରିଲିଣି । ଭଗବାନଙ୍କୁ ଡାକୁଛି ସିଏ ସବୁବେଳେ ହସ ଖୁସିରେ ରହୁ ଭଗବାନ ତାର ମଙ୍ଗଳ କରନ୍ତୁ । ମୋତେ ଖାଲି ନେଇ ତୁ ଆମ ଗାଆଁରେ ଛାଡ଼ିଦେ । ମୁଁ ମୋହନର ବାପାଙ୍କୁ କହିଦିଏ ଯେ ମୁଁ ତାଙ୍କ ପୁଅକୁ ମଣିଷ କରି ଦେଇଛି । ଏବେ ମୋର କର୍ତ୍ତବ୍ୟ ସରି ଯାଇଛି । ମୋତେ ତୁମ ପାଖକୁ ନେଇ ଯାଅ । ସତେବେଳେ ମୋତେ ଲାଗିଲା ସତରେ ମା ତୁ ମହାନ ।




ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳହାଟ୍, ପ୍ରୀତିପୁର, ଯାଜପୁର

Post a Comment

0 Comments