"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

କ୍ଷୁଦ୍ରଗଳ୍ପ - ସୁଲକ୍ଷଣା - ବିଜୟିନୀ ପଣ୍ଡା

କ୍ଷୁଦ୍ରଗଳ୍ପ - ସୁଲକ୍ଷଣା - ବିଜୟିନୀ ପଣ୍ଡା

ସବୁଦିନ ପରି ଆଜି ବି ଆସର ଟା ବେଶ ଜମିଥିଲା ମୋ ଘର ସାମନାରେ । ଘର ବାଟ ବାରଣ୍ଡାରେ ପ୍ରାୟ ଦିନ ୮ଟା ରୁ ୧୨ଟା ପର୍ଯ୍ୟନ୍ତ ବୟୋଜ୍ୟେଷ୍ଠ ମହିଳା ତଥା ଗୃହଲଷ୍ମୀ (Housewife) ମାନଙ୍କ ଆସର ଜମେ । ବିଭିନ୍ନ ବିଷୟରେ ଆଲୋଚନା ହୁଏ । ଗୀତା ଭାଗବତ ଠାରୁ ଆରମ୍ଭ କରି ଅଧୁନା ଯୁଗର ଫେସନ ପର୍ଯ୍ୟନ୍ତ । ଯେଉଁଦିନ ମୁଁ ଛୁଟିରେ ଥାଏ, ମୁଁ ବି ବେଶ ଉପଭୋଗ କରେ ସେମାନଙ୍କ କଥାବାର୍ତ୍ତା ତଥା ଆଲୋଚନା । ଯଦିଓ ଆଲୋଚନା ଚକ୍ରରେ ଭାଗ ନିଏନି । ହଁ, ବେଳେବେଳେ ଅତି ଅସହ୍ୟ କଥା କହିଲେ ସହି ପାରେନି ଉତ୍ତର ଟା ଚଟାପଟ ଦେଇଦିଏ । ସବୁଦିନ ପରି ଆଜି ମଧ୍ୟ ଆସର ଟା ଜମିଥିଲା, ଘରୁ ଯେତେବେଳେ ସ୍କୁଲ ବାହାରିଲି ଦୁଇଜଣ ବୃଦ୍ଧାଙ୍କୁ ଘର ବାରଣ୍ଡାରେ ବସି ଥିବାର ଦେଖିଲି । ଓଳଗି(ମୁଣ୍ଡିଆ) ଟେ ମାରିଲି । ବ୍ରାହ୍ମଣ ଘରର ବୋହୁ ମୁଁ । ଦିନକୁ ଚାରିଥର ଦେଖିଲେ ବି ଚାରିଥର ଓଳଗି । ନ ହେଲେ ପାଦ ଟା ଟିକିଏ ଆଗକୁ ନ ବଢ଼ୁଣୁ କମେଣ୍ଟ ଟେ ନିଶ୍ଚେ ମିଳିବ । ଅଗତ୍ୟା ଜୁହାର ହେଲି । ଯେଉଁ ଆଶିର୍ବାଦ ଟି ପାଇଲି, ଆଗରୁ କେବେ ବି ସେମିତି ଆଶିର୍ବାଦ ଟେ ପାଇ ନ ଥିଲି ।



ଗୋବିନ୍ଦ ମା (ଆଈ ମା) କହିଲେ "ପାକୁଆ ପାଟିରେ ମାଛ ଖାଉଥାଆ, ପାଚିଲା ବାଳ ରେ ସିନ୍ଦୁର ଝଟକୁ।" ମୁଁ ଆଶ୍ଚର୍ଯ୍ୟ ହେଲି, ଆରେ ୟେ କି ପ୍ରକାର ଆଶିର୍ବାଦ । କିଛି ପଚାରିଲି ନାହିଁ। କାରଣ ବସ ର ଟାଇମ ହୋଇଯାଇଥିଲା। ସମୟ ୯ଟା ରୁ ୯:୦୫ ହୋଇଗଲେ ସିଟି ବସ ଟା ଚାଲିଯିବ ଯେ । ଜାହେଉ ବସ ଟା ପାଇଲି ସାଙ୍ଗକୁ ଭଲ ସିଟ ଟିଏ ବି। ତା ପରେ ଚିନ୍ତା କଲି ଗୋବିନ୍ଦ ମାଁ କଣ ଆଶିର୍ବାଦ ଦେଲେ । ଏବେ ଯାଇ ବୁଝିପାରିଲି । ସେ ପରୋକ୍ଷ ରେ ମୋର ପତିଦେଵ ଙ୍କୁ ହିଁ ଆଶିର୍ବାଦ ଦେଲେ। ମୁଂଡିଆ ମାରିଲି ମୁଁ ଆଉ ଆଶିର୍ବାଦ ପାଇଲେ ସେ। ବ୍ରାହ୍ମଣ ବିଧବା କେବେ ଆମିଷ ଖାଇନି ଏଣୁ ସେ କହିଲେ ପାକୁଆ ପାଟି ପର୍ଯ୍ୟନ୍ତ ଆମିଷ ଖାଇବୁ ଆଉ ବାର୍ଦ୍ଧକ୍ୟ ର ଶେଷ ସୀମା ପର୍ଯ୍ୟନ୍ତ ସିନ୍ଦୁର ନାଇବୁ। ଅର୍ଥାତ ସ୍ୱାମୀ ତୋର ଦୀର୍ଘାୟୁ ହୁଅନ୍ତୁ । ମୁଁ ଖୁସି ତ ନିଶ୍ଚୟ ହେଲି କାରଣ ଗୋଟିଏ ସ୍ତ୍ରୀ ସବୁବେଳେ ସଧବା ମୃତ୍ୟୁ ହିଁ କାମନା କରେ। କିନ୍ତୁ ଖୁସି ସଂଗେ ସଂଗେ ଆଶ୍ଚର୍ଯ୍ୟ ବି ହେଲି । ମର୍ମେ ମର୍ମେ ଅନୁଭବ କରୁଥିଲି ଯେ, ନାରୀ ର ଜନ୍ମ ହିଁ ପୁରୁଷ ପାଇଁ । ସାରା ଜୀବନ ଉତ୍ସର୍ଗ କରେ ନିଜ ପରିବାର ପାଇଁ । ଜନନୀ, ଭଗିନୀ, ପତ୍ନୀ, ନନ୍ଦିନୀ ସବୁ ରୂପରେ ସେ ସମାଜ ପାଇଁ ମଙ୍ଗଳ ଦାୟିନୀ ସ୍ୱାମୀ ପାଇଁ ତ ଗୋଟା ପଣେ ଉତ୍ସର୍ଗୀକୃତ ଶରୀର, ଆତ୍ମା, ମନ, ଏପରି କି ଚିନ୍ତା ଚେତନା ମଧ୍ୟ ।



ବିବାହ ସମୟରେ ଦଶ ଦିଗ ପାଳ ଙ୍କୁ ସାକ୍ଷୀ ରଖି ସାତ ଜନ୍ମ ର ବନ୍ଧନ ରେ ବାନ୍ଧିହୋଇ ରହିବାର ସଂକଳ୍ପ ,ପ୍ରିତି ର ଦୀର୍ଘ ପ୍ରାଚୀର ସ୍ୱରୂପ ତା ମଥା ର ସିନ୍ଦୁର ପରିଚୟ ଦିଏ ସ୍ତ୍ରୀ ହେବା ଗର୍ବ ର । ସଜଳ ଆଖିରେ କଜ୍ଜ୍ଵଳ ର ଧାର ଟିଏ ସ୍ବପ୍ନ ଦେଖେ ସ୍ୱାମୀ ସହ ଏକ ସଫଳ ଦାମ୍ପତ୍ୟ ର..... ନାକ ରେ ଝଟକୁ ଥିବା ନାକ ଗୁଣା ଟା ବି ବେଶ ଉଜ୍ଜଳ ଆଉ ଆକର୍ଷଣୀୟ ସାଜେ ପତି ଙ୍କ ଅସ୍ତିତ୍ଵ ର ... ଗୋଲାପୀ ଓଠ ର ରକ୍ତିମ ଆଭା ମଧ୍ୟ ପରିଚୟ ସୃଷ୍ଟି କରେ ଗୋଟେ ସୁହାଗିନୀ ନାରୀ ର.... ବେକ ରେ ଲମ୍ବିଥିବା ମଙ୍ଗଳସୁତ୍ର ଯେ, ସମ୍ପର୍କ ର ଡୋରି ରେ ବନ୍ଧା ସ୍ୱାମୀ ସହ ସ୍ତ୍ରୀ ର ଜୀବନ ର ..... ପାଦ ର ପାଉଁଜି, ଆଉ ପାଦ ଆଙ୍ଗୁଠି ର ଝୁଣ୍ଟିଆ କେବଳ ଶୋଭାବର୍ଦ୍ଧନକାରୀ ଗହଣା ନୁହେଁ, ବରଂ ପ୍ରତୀକ ଏକ ବିବାହିତା ନାରୀ ର.........



ଆମ ସଂସ୍କୃତି ଓ ପରମ୍ପରା କେତେ ବେଳେ ବି ସ୍ୱାମୀ ଠାରୁ ସ୍ତ୍ରୀ କୁ ଉଚ୍ଚ ପାହ୍ୟା ଦେଇନାହିଁ । ଯଦିଓ ନାରୀ କୁ ପିତା ମାତା ଯେତେବେଳେ ହସ୍ତ ବନ୍ଧନ ସମୟ ରେ ସମର୍ପି ଦିଅନ୍ତି ଏକ ପର ପୁରୁଷ କୁ ସେହି ଦିନ ଠାରୁ ସେ ସମ୍ପୂର୍ଣ ରୂପେ ସମର୍ପିତା ହେଇଯାଏ ସ୍ୱାମୀ ପାଇଁ, ଏବଂ ତାଙ୍କ ପରିବାର ପାଇଁ। ସମସ୍ତ ଦାୟିତ୍ୱ କୁ ଠିକ ଭାବରେ ତୁଲାଇ, ସନ୍ତାନ ସନ୍ତତି ଙ୍କ ଲାଳନ ପାଳନ ସୁଚାରୁ ରୁପେ ତୁଲାଇବା ସହିତ ଶାଶୁ ଶ୍ୱଶୁର ଙ୍କ ସେବା ରେ ବ୍ରତୀ ହୋଇଯାଏ । ଆଉ କର୍ମ ଜୀବୀ ମହିଳା ତ ଆହୁରି ପ୍ରସଂଶନିୟା, କାରଣ ଘର କରଣା ସହ ପରିବାର ର ଆର୍ଥିକ ବୋଝ କୁ ହାଲୁକା କରିବା ପାଇଁ ପତିଙ୍କ ସହ ସମତାଳ ରେ ଚାକିରି କରିବା ସହ ଘର ର ଦାୟିତ୍ୱ ବି ତୁଳାଏ ତା ସତ୍ତ୍ୱେ ବି ତାର ନିଜର ବୋଲି କିଛି ନାହିଁ ଏପରିକି ଆଶିର୍ବାଦ ଟିଏ ବି ନୁହଁ । ସମାଜ ଖାଲି ନାରୀ ମହାନତା ର, ନାରୀ ସୁରକ୍ଷା ର ନାରା ବାଜି କରେ । ହେଲେ କେବେ ବି ପୁରୁଷ କୁ ଆଶିର୍ବାଦ କରେନି ପତ୍ନୀଭକ୍ତ ହୁଅ ବୋଲି । ବାଃ ବାଃ ରେ ସମାଜ କେବଳ ନାରିପାଇଁ ଆଶିର୍ବାଦ ଟିଏ...... "ଅହି ସୁଲକ୍ଷଣୀ ଭଵ ।"






ବିଜୟିନୀ ପଣ୍ଡା
ଝାଡୁଆପଡା, ସମ୍ବଲପୁର

0 Comments