"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଧାରାବାହିକ ଗଳ୍ପ - ଶାଗୁଣାର ହସ (ଅଷ୍ଟମ ଭାଗ) - ପ୍ରଶାନ୍ତ କୁମାର ସାହୁ

ଧାରାବାହିକ ଗଳ୍ପ - ଶାଗୁଣାର ହସ (ଅଷ୍ଟମ ଭାଗ) - ପ୍ରଶାନ୍ତ କୁମାର ସାହୁ

ପୂର୍ବବର୍ତ୍ତୀ ଭାଗ

ରାଜେଶର ଆଖି ଅନେକ କିଛି କହିବାକୁ ଚାହୁଁଥିଲା ।ହେଲେ ଦିନା ଆଉ ବିଳମ୍ବ ନ କରି ଶ୍ମଶାନ ଆଡକୁ ଚାଲିଗଲା ।
ଏଇ କିଛି ଦିନ ଭିତରେ ପିଙ୍କୁ ପବିନ୍ ବୋଉକୁ ଆଦରି ନେଇଛି ।ଦଇବ ଦେଇଥିବା ଶକ୍ତିମାନଙ୍କ ଭିତରୁ ବଞ୍ଚିବାର ଇଚ୍ଛା ଶକ୍ତି ସବୁବେଳେ ଆଗରେ । ଶୁଣିବାକୁ ପାଇଛି ପବିନ୍ ବୋଉ ପିଙ୍କୁକୁ ନିଜର ପ୍ରାଣ ଠାରୁ ଅଧିକ ଭଲ ପାଉଛି ।ଆଉ ପିଙ୍କୁ ପାଇଯାଇଛି ଖେଳ ସାଥିଟିଏ ପବିନ୍ ରୂପରେ ।ଦିନା ମନେମନେ ପବିନ୍ ବୋଉକୁ ପ୍ରଣାମ କରୁଥିଲା ।ଏଇ ସାହାଯ୍ୟର ପ୍ରତିଦାନ ଦିନା ପାଖରେ ନ ଥିଲା ।ପିଙ୍କୁ ବଡ ଆରାମରେ ବାପା କୋଳରେ ଶୋଇ ପଡିଛି ।ଯଶୋଦା ଚାଲିଯିବାର ମାସକ ପରେ ବାପ ଝିଅର ଭେଟ ଜେଲରେ ।ଭେଟ ହେବାର ସମୟ ବିତିଯାଇଥିଲା ।ପବିନ୍ ବୋଉ ପିଙ୍କୁ ଧରି ଉଠିଲେ ।ପିଙ୍କୁ ଏବେ ବି ଶୋଇଛି ।ସେମାନେ ଜେଲ ବାହାରକୁ ଚାଲିଗଲେ ।ଦିନାର ଆଖିରେ ଅସହାୟତାରେ ଲୁହର ଧାର ।ଆଗକୁ କିଛି ଦେଖାଯାଉ ନ ଥାଏ ।
ଦିନେଶ -- ବୁଲିପଡି ଦିନା ଦେଖିବାକୁ ଚେଷ୍ଟା କଲା ।ଲୁହ ଭରା ଆଖିରେ ସେ ସ୍ପଷ୍ଟ ଭାବେ ଦେଖିପାରୁ ନଥିଲା ।ଆଖି ପୋଛି ସେ ଦେଖିଲା ,ରାଜେଶ ଗ୍ରୀଲ୍ ପାଖରେ ଠିଆ ହୋଇଛି ।ଦେଖାଯାଉଥିଲା ସତେ ଯେମିତି କେଉଁ ମହାବାତ୍ୟା ତା'ର ସମସ୍ତ ଆଶା ଭରସାକୁ ମୋଡିମାଡି ଧ୍ବସ୍ତ କରିଦେଇଛି ।ଦିନେଶ୍ ର ଇଚ୍ଛା ହେଉଥିଲା ସେ ମୁହଁ ଫେରେଇ ନେବ !ହେଲେ ରାଜେଶ୍ ର କୋହ ଭରା ସ୍ବର ତାକୁ ଅଟକାଇ ଦେଲା । "ଦିନେଶ୍ ମୋତେ କ୍ଷମା କରିଦେ ଭାଇ ! ଏ ନରକ ଯନ୍ତ୍ରଣା ଆଉ ସହି ପାରିବି ନାହିଁ !"
"ତୋର ଏମିତି କ'ଣ ହେଇଗଲା କି ? ତୋର ଆତ୍ମା ତ ବେଶ୍ ଉପଭୋଗ କରୁଥିବ !"
"ସେମିତି କହନା ,ଭାଇ !ସାମାନ୍ୟ ଆବେଗରେ ଆସି ତୋ ବିରୋଧ ଏତଲାଟିଏ ଦେଇଥିଲି ।ହେଲେ ମୁଁ ଜାଣି ନଥିଲି ମହାପାପ ର ଦଣ୍ଡ ପାଇଁ ନିମନ୍ତ୍ରଣ ପତ୍ର ଲେଖିଥିଲି ।"ଭୋଭୋ କରି କାନ୍ଦୁ ଥିଲା ରାଜେଶ୍ ।ଦିନାର ହୃଦୟ କେଜାଣି କାହିଁକି ମୂହୁର୍ତ୍ତକ ପାଇଁ ତରଳି ଗଲା ।ସେ ପଚାରିଲା --ଆରେ ,ତୋର କ'ଣ ହେଇଛି?
କାନ୍ଦ ବନ୍ଦ କରି ରାଜେଶ୍ କହିଲା ---ପିଲା ଦିନେ ଶାଗୁଣା ଘଉଡଉ ଥିଲେ ନା ...ଏବେ ମଣିଷ ରୂପି ଶାଗୁଣାର ଖୁମ୍ପା ଖାଇ ଚାଲିଛି ।ଜାଣିଛୁ ...ଓକିଲ ତୋ ନାଆଁ ରେ ମିଥ୍ୟା କେସ୍ ଦେଇ ହଜାର ହଜାର ଟଙ୍କା ଦାବି କରି ନେଇ ଗଲାଣି ।ଦୁଇ ମାଣ ଜମି ବିକ୍ରୀ କରସାରିଛି ଓକିଲ ଓ ପୋଲିସକୁ ଦେବା ପାଇଁ ।କେସ୍ ଉଠାଇ ଦେବା ପାଇଁ କେତେ ଥର ନେହୁରା ହୋଇ ହାତ ଯୋଡିଛି ।ସବୁ ବୃଥା ,ଦିନା ।ଦୁଇ ଦିନ ତଳେ ଓକିଲ କହିଲା ଝିଅକୁ ନେଇ ତା ପାଖକୁ ଆସିବାକୁ ।ବଳାତ୍କାର କେସ୍ ନା ।ସେ କିଛି ସେବତୀ ଓ ସାକ୍ଷୀମାନଙ୍କୁ ବୁଝାଇବ କୋର୍ଟରେ କିଭଳି ବୟାନ ଦେବେ ।ପଚାଶ ହଜାର ଟଙ୍କା ବି ମାଗିଥିଲା ।ମୁଁ ଶେଷ ଥର ହାତଯୋଡି କହିଥିଲି କେସ୍ ଉଠାଇ ଦେବା ପାଇଁ ।ହେଲେ ସେ ହସିଥିଲା ।ଆଉ କହିଲା ଏବେ କେସ୍ ଉଠାଇଲେ ମୁଁ କାଳେ ଫାଶୀ ପାଇବି ।
ତୁ କ'ଣ କଲୁ ?--ପଚାରିଲା ଦିନା !ଗାଁ ମୁଣ୍ଡ ପଦରଟାକୁ ବିକିଦେଲି ।ଆଉ ସେବତୀକୁ ଧରି ଓକିଲ ପାଖକୁ ଆସିଥିଲି ।ଓକିଲ ଟଙ୍କା ନେଲା ।ସେବତୀକୁ କ'ଣ ଗୁପ୍ତରେ ବୁଝାଇବାକୁ କହି ଉପର ମହଲାକୁ ନେଇଗଲା ।
ତାପରେ.. -ଦିନା ପଚାରିଲା ।
"ଦୁଇଦିନ ହେଲାଣି ସେବତୀ ଉପର ମହଲାରୁ ଫେରିନି ।"
"ଓକିଲକୁ ଦେଖିନୁ ।"
ହଁ ,ସେ କେବଳ ହସୁଛି ...ହସୁଛି ....ଖାଲି ହସୁଛିରେ ଦିନା ।---ରାଜେଶ୍ ଆଉ କହି ପାରିଲାନି ।
ଦିନାର ଅନ୍ତରାତ୍ମାରେ ସତେ ଯେମିତି କିଏ ନିଆଁ ଲଗେଇଦେଲା ।ସେ ନିଜକୁ ସମ୍ଭାଳିବାରେ ଅସମର୍ଥ ହେଉଥିଲା ।ତା ଆଖିରେ ଜୁଳୁଜୁଳିଆ ପୋକ ଦେଖା ଯାଉଥିଲେ ।ମଥା ଘୁରାଇବା ଆରମ୍ଭ ହେଲା ।କାନ ଭାଁଭାଁ ହେଇଯାଉଥିଲା ଶାଗୁଣାର କାଏଁ....କାଏଁ ...ଶବ୍ଦରେ । କ୍ରମଶଃ ଆଗକୁ ପଢନ୍ତୁ




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା

0 Comments