OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

କ୍ଷୁଦ୍ରଗଳ୍ପ - ପାଣି ସଂସ୍କାର - ନରେଶ କୁମାର ବେହେରା

କ୍ଷୁଦ୍ରଗଳ୍ପ - ପାଣି ସଂସ୍କାର - ନରେଶ କୁମାର ବେହେରା

 


  • ଦେଖ ବୋଉ ତୋତେ ମୁଁ ପ୍ରଥମରୁ ହିଁ କହିଥିଲି ନା’ ଏଠି ଏ ସବୁ ଚଳିବ ନାହିଁ । ତୁ ଏମିତ ଜିଦିଆ ହେଲେ ହେବ ନାହିଁ । ... ... ଗାଁର କଥା ଅଲଗା, ଆଉ ସହରର ଅଲଗା । ଆମେ ପୁଣି ଏଠି ଶେୟାରିଂରେ ଅଛୁ । ସିଏ ବି ତ ଆମ ଜାତିର । ତଥାପି ଏତେ ବାରଣ କାହିଁକି ମୁଁ ବୁଝି ପାରୁନି?

  • ଆଲୋ ମା’ ମୁଁ ଜାଣେ! ... ... ପାଣିର ଖୁବ ଅସୁବିଧା ଏଠି। ତା’ ବୋଲି ପୂଜା ପାଇଁ ତ ଟିକେ ଭଲ ପାଣି ଦରକାର କି ନାହିଁ! ତୁ ଏମିତି ବିରକ୍ତ ହେଲେ ହେବ?

  • ଓହୋ! ତୁ ବୁଝିବାକୁ ଚେଷ୍ଟା କରୁନୁ କାହିଁକି? ପୂଜାପୁଜି, ଭଲମନ୍ଦ ସବୁ ଛାଡେ ଏଠି । ... ... ବାଙ୍ଗାଲୋର ଭଳି ସହରରେ ଏତେ ଶସ୍ତାରେ ଘର ଖଣ୍ଡିଏ ମିଳିଛି ସେଇଆ ଦେଖ । ଆଉ, ଭାଗ୍ୟକୁ ଶେୟାରିଂରେ ରହିବା ପାଇଁ ଆମ ଓଡ଼ିଶା ପିଲାଟି ମିଳିଛି। ତୁ ଯଦି ଏମିତି ହେବୁ ସେ ଏ ଘର ଛାଡ଼ି ପଳେଇବ । ଆଉ ମୁଁ ଏକା କୋଡ଼ିଏ ହଜାର ଟଙ୍କା ଦେଇ ରହିପାରିବିନି । ବାପାଙ୍କ ଟ୍ରୀଟମେନ୍ଟ ପାଇଁ ତୁମେ ମାନେ ଆରମ ସେ ରହିବ, ତା’ ପୁଣି ହସ୍ପିଟାଲ ପାଖରେ ସେଥିପାଇଁ ଏତେ ବଡ ଫ୍ଲାଟ ନେଲି । ନଚେତ ମୋର କ’ଣ ଦରକାର, ଅଫିସ କ୍ଵାର୍ଟର ଛାଡ଼ି ଏତେ ଦୂରରେ ରହୁଅଛି ।



ଲିଜାର ମା ଚୁପ ।

ବେଡ଼ରେ ଶୋଇ ସବୁ ଶୁଣୁଥାଏ ମୁଁ। ମୁଁ ସବୁବେଳେ ଲିଜା ସପକ୍ଷରେ । ଆଜି କିନ୍ତୁ ନୀରବ । ନିଜ ସ୍ତ୍ରୀର ନିରନ୍ତର ସେବା ଓ ଝିଅର କର୍ତ୍ତବ୍ୟକୁ ପାର୍ଥକ୍ୟ କରି ଦେଖିବାକୁ ଚାହେଁନା ମୁଁ ଆଜି। କେବଳ ଏତିକି ପ୍ରାର୍ଥନା କରୁଥାଏ, କେତେ ଶୀଘ୍ର ଏ ଅପରେଶନ ସରିବ, ଜଲ୍ଦି ଗାଁକୁ ଫେରିବି। ଲିଜା ତା’ ମା’କୁ ଏଠାକୁ ଆସିବା ଆଗରୁ ହିଁ ଫୋନରେ ସବୁ କହିସାରିଥିଲା । ଗାଁ ଘର ଭଳି ଛୁଆଁଛୁଇଁ, ଭେଦଭାବ, ବାରଣ ଏସବୁ ଏଠି ଚଳିବ ନାହିଁ ବୋଲି। ତଥାପି ସେ ବୁଝୁନାହିଁ। ଏବେ ତ ଦୁଇ ଦିନ ହିଁ ହୋଇଛି ଏଠାକୁ ଆସି। ବୁଝିବାକୁ ଟିକେ ସମୟ ଲାଗିବ ।


  • ବାପା ମୁଁ ଅଫିସ ବାହାରିଲି । ଆସିଲା ବେଳେ ଆପଣଙ୍କ ଟେଷ୍ଟିଙ୍ଗ ରିପୋର୍ଟ ନେଇ ଆସିବି । ବାରମ୍ବାର ତଳକୁ ଯିବେ ନାହିଁ । ଲିଫ୍ଟର କିଛି ଗାରେଣ୍ଟି ନାହିଁ । ୪ମହଲା ତଳୁ ଉପର ହେଲେ ମେରୁହାଡ଼ରେ ପ୍ରେସର ପଡ଼ିବ । ଯଦି କିଛି ଆବଶ୍ୟକ ହୁଏ, ୱାଚମ୍ଯାନକୁ ଫୋନ କରିବେ । ସେ ନେଇ ଆସିବ। ... ... ଆଉ, ହଁ! ପାଣିବାଲାକୁ ଫୋନ କରିଛି, ସେ ଆସୁଛି, ଦୁଇଟିଯାକ ବାରେଲ ଭର୍ତ୍ତୀ କରାଇନେବେ । ଆସୁଛି।

  • ହଉ ଜାଗ୍ରତ! ପହଞ୍ଚିଲେ ଫୋନ କରିବୁ। ଆଜି ସୋମବାର । କ୍ଯାଂଟିନରେ କିଛି ଖାଇବୁ ନାହିଁ । ଟିଫିନରେ ଯାହା ଦେଇଛି ସବୁ ସାରିବୁ । (ଝିଅକୁ ମା’ର ତାଗିଦ୍) ଆଚ୍ଛା ଶୁଣୁଛ! ତମେ ଆଜି ଗାଧୋଇବ କି ନାହିଁ ମ? ନା’ ଝିଅର କଥାରେ ପଡ଼ି ପାଣି ସଞ୍ଚୟ କରିବାର ଯୋଜନା କରୁଛ?

  • ତୁମେ ଠିକ ଭାବିଛ ସୁଷମା! ପାଣିର ମୂଲ୍ୟ ତୁମେ କ’ଣ ବା’ ଜାଣିବ?... ... ଝିଅ ଆମର ଏତେ ଖିଆଲ ରଖୁଛି; ତା’ କଥାତ’ ଟିକେ ଚିନ୍ତା କର । ଇଏ ଆମ ଗାଁ ନୁହଁ ଯେ ମନ ଇଚ୍ଛା ପାଣି ଖର୍ଚ୍ଚ କରିବ! ... ... ତମେ ଯାହା ଜାଣିଛ, ତାର ବହୁ ଗୁଣ ପାଣିର ସମସ୍ଯା ଏଠି ଅଛି । ଏବେ ତ’ ପିଇବା ପାଣି କିଣିକି ଆଣୁଛେ, ଆଉ କିଛି ବର୍ଷପରେ କ୍ରେଡ଼ିଟ କାର୍ଡ଼ରେ ଅର୍ଡର କରିବାକୁ ହେବ । ସେତେବେଳେ ତମେ ଥିବ କି ନଥିବ ମୁଁ ଜାଣେନା, କିନ୍ତୁ ତମ ଝିଅ ଓ ତା’ ପିଲାମାନେ ଖୁବ ଭଲସେ ଅଙ୍ଗେ ଲିଭେଇବେ । ଆଉ ସେତେବେଳେ ସେମାନେ ଆମକୁ ହିଁ ନିନ୍ଦିବେ । ତେଣୁ, ଦୟାକରି ଏବେଠୁ କିଛି ସଜାଗ ହୁଅ। ... ... ଆଉ ହଁ, ଗାଁର ସ୍ଥିତି ବି କିଛି ଠିକ ନୁହଁ । ଆସିବା ଆଗରୁ ଦେଖିଥିଲି, କୂଅର ପାଣି ବିଗତ ବର୍ଷ ଅପେକ୍ଷା ତିନି ଫୁଟ କମ ଅଛି । ତେଣୁ ଏଇଠୁ ହିଁ ପାଣି ସଞ୍ଚୟ କରିବାର ଅଭ୍ଯାସ କରିନିଅ । ... ... କ’ଣ ଧ୍ୟାନରେ ବସିଗଲ କି? କିଛି କହୁନ ଯେ?

  • କହିବି କହିବି, ସମୟ ଆସୁ! ତମେ ବାପା ଝିଅ ମିଶି ମୋ ବିପକ୍ଷରେ କ’ଣ ଯେ ସବୁ ପ୍ଲାନିଂ କରୁଛ, ମୁଁ ଜାଣିଛି ।

  • ପ୍ଲାନିଂ... ହାଃ ହାଃ...

  • ହଁ ହସନି। ଆସିଲା ଦିନଠୁ ଦେଖୁଛି ... … ସଂସ୍କାର ବୋଲି ତମ ମାନଙ୍କର କିଛି ନାହିଁ ।

  • ଭୁଲ କହିଛ ସୁଷମା । ସଂସ୍କାର ବୋଲି କିଛି ଯଦି ତମ ପୁଅର ଥାନ୍ତା ତେବେ ଆମକୁ ଝିଅଘରେ ଆସି ରହିବାକୁ ପଡନ୍ତାନି । ... ତମର ଅତି ଗେଲବସର ଯୋଗୁଁ ତ ସେ ଗୋଟେ ମୁସଲମାନ ଝିଅକୁ ବାହା ହେଇଛି, ସେତିକି ତ’ ମୋ ଝିଅ କରିନି! ... ... ଓଡ଼ିଶା ବାହାରେ ରହି, ବାହାରେ ପାଠପଢି ବି, ସେ ଆମର ଓଡ଼ିଆ ଚଳଣି, ଘରର ସଂସ୍କାର ସବୁକୁ ମାନି ଆସୁଛି। ନଚେତ, ତାର ସାଙ୍ଗସାଥିମାନେ ଗାଁରେ ରହି କେତେ କ’ଣ ଯେ କାଣ୍ଡ କରିଛନ୍ତି ତମେ କ’ଣ ଜାଣିନ? ... ... ବେଶୀ ସଂସ୍କାର ଦେଖେଇ ହେଉଛନ୍ତି ।



ଠିକ ଏତିକି ବେଳେ ଡୋରବେଲ୍ ବାଜିଉଠେ । ମୁଁ କହିବା ପୂର୍ବରୁ ସୁଷମା ଯାଇ କବାଟ eyeholeରେ ଦେଖନ୍ତି । ପାଣିବାଲା ଆସିଥାଏ । କବାଟ ଖୋଲି ଦୁଇଟା ଖାଲି ବାରେଲ ବଢାଇ ଦିଅନ୍ତି ତାକୁ । ସେ ପାଣିଭର୍ତ୍ତୀ ବାରେଲ ଦୁଇଟି ଘର ଭିତରେ ରଖି ଚାଲିଯାଏ ।

ମୁଁ କିନ୍ତୁ ଶାନ୍ତି ନଥାଏ । ସତରେ ସକାଳୁ ସକାଳୁ ସଂସ୍କାର ଶବ୍ଦଟି ମୋ ମଥାକୁ ଗରମ କରିଦେଲା ।


  • ଆଚ୍ଛା କହିଲ, ଏ ପାଣି ବାରେଲ କିଏ ଆଣିଲା ତମେ ଜାଣିଛ?

  • କିଏ ମାନେ?

  • କିଏ ମାନେ, ଏ ପାଣି ଆଣିବା ପିଲା କୋଊ ଜାତିର, କୋଊ ଧର୍ମର ତମେ ଜାଣିଛ?

  • ମୁଁ କେମିତି ଜାଣିବି?

  • ଭେରିଗୁଡ! ତେବେ ଏ ପାଣି ତମେ ପିଇବ ନା ଫୋପାଡି ଦେବ?

  • କେମିତି କଥା କହୁଛ! ୬୦ଟଙ୍କା ଦେଇ ପାଣି କିଣା ହେଉଛି କଣ’ ଫୋପାଡିବା ପାଇଁ!

  • ଓଃ... ଏବେ ତମକୁ ଆଉ ଜାତିଫାତି କିଛି ଦିଶୁନି?

  • ହଁ ଦିଶୁନି କାହିଁକି! କିନ୍ତୁ ଏ ପାଣି ମୁଁ ପୂଜାରେ ବ୍ୟବହାର କରୁଛି ନା’ କ’ଣ? ... ଠାକୁରଙ୍କ ପାଇଁ ତ’ ....

  • ଟ୍ଯାପ ପାଣି!... ବହୁତ ବଢିଆ....

  • କଣ ହେଲା?

  • କିଛି ନାହିଁ ... ସେ ଟ୍ଯାପ ପାଣି ଆସିଲା କେଉଁଠୁ ଆସିଲା?

  • ଆରେ ସେ ପାଣି କେଉଁଠୁ ଆସିଲା, କିଏ ଟାଙ୍କିରେ ଚଢେଇଲା, ଏ ସବୁ କିଛି ମୋର ଜାଣିବାର ନାହିଁ । ତମେ ମୋ ମୁଣ୍ଡ ଖରାପ କରିଦେଲଣି .... ସକାଳୁ ସକାଳୁ ଆଉ କିଛି ଟପିକ ନାହିଁ କି ତମର!

  • ମୁଣ୍ଡ କିଏ କାହାର ଖରାପ କରୁଛି?? ... ... ଟପିକ ତ ତମେ ଆରମ୍ଭ କରିଲ। କୋଲ୍ଡଡ୍ରିଂକ, ବିସଲେରୀ ପାଣି ପିଇଲା ବେଳେ ତମକୁ ଦେଖାଯାଉନି ଏହା କେଉଁ ପାଣିରେ ତିଆରି, କିଏ ତିଆରି କରିଛି! କିନ୍ତୁ କିଏ ତମ ପାଣିକୁ ଛୁଇଁଦେଲେ ତମର ପିତ୍ତ ଚଢିଯାଉଛି । ବାଃ... ଭଲ ଆଉ! ହଊ ଶୁଣ.... ତମର କିଛି ପରିବର୍ତ୍ତନ ହେଉ କି ନହେଉ ଯାଏଆସେ ନାହିଁ, କିନ୍ତୁ ଯେତେଦିନ ଏଠି ରହିବ ଦୟାକରି ପାଣିର ଠିକ ବ୍ୟବହାର କରିବ। ସଂସ୍କାର ସବୁକୁ ତମ ଅଣ୍ଟିରେ ବାନ୍ଧିରଖ । ଆଉ ପାଣିର ମର୍ଯ୍ୟାଦା ରଖ। ପାଣି-ସଂସ୍କାରଟିକେ ଶିଖ । କଣ ଶୁଣୁଛ!



ଧ୍ୟାନରେ ବସି ଗଲାଣି ବୋଧେ! କେବେ ଶୁଧୁରିବେ ଏମାନେ କେଜାଣି!

12 Comments

  1. ଶୁଭକାନ୍ତ ସାହୁMarch 17, 2018 at 2:21 AM

    ଯୁଗପୋଯୋଗୀ ଗଳ୍ପଟିଏ

    ReplyDelete
  2. Rita aparajita mohantyMarch 17, 2018 at 2:30 AM

    ଅତି ଶିକ୍ଷନିୟ ଗପ ଟି ଆମକୁ ଆଗକୁ ଯିବାକୁ ହେଲେ ଜାତିପ୍ରଥା ରୁ ନିଜକୁ ଅଲଗl karibaku padiba

    ReplyDelete
  3. ନରେଶ କୁମାର ବେହେରାMarch 17, 2018 at 2:57 AM

    ଧନ୍ୟବାଦ୍ ରୀତା ମାମ୍!

    ReplyDelete
  4. ଖୁବ୍ ସୁନ୍ଦର ସଂସ୍କାର ଧର୍ମୀ ଗଳ୍ପଟିଏ ।ଜାତିପ୍ରଥା ସହ ଜଡିତ ଏବଂ ତା ସାଥୀରେ ମୁଖ୍ୟ ବିଷୟ ହେଉଛି ଜଳ ସଞ୍ଚୟ ।କାରଣ ଆମର ଅନେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ଯୋଗୁଁ ବହୁତ ସମୟ ରେ ସମୟ ସାଥୀରେ ଜଳ ର ଅପଚୟ କରିଥାଉ ।ବହୁତ ଧନ୍ୟବାଦ, ଜଳ ସଞ୍ଚୟ ଓ ଜାତି ର ଅନାବଶ୍ୟକ ପ୍ରଥା ସମ୍ବନ୍ଧ ରେ ସୂଚନା ଦେଇଥିବାରୁ ।

    ReplyDelete
  5. ନରେଶ କୁମାର ବେହେରାMarch 17, 2018 at 4:12 AM

    Thank you Sipra for enlightening my article.

    ReplyDelete
  6. ବହୁତ ବଢିଆ ଗଳ୍ପ

    ReplyDelete
  7. ନରେଶ କୁମାର ବେହେରାMarch 17, 2018 at 7:18 PM

    Dhanyabad

    ReplyDelete
  8. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।April 22, 2018 at 9:45 PM

    ବହୁତ ସୁନ୍ଦର ପରିବେଷଣ ।
    ଭଲ ଲାଗିଲା ।

    ReplyDelete
  9. Nice presentation of the present day society

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।