Information

ବିଚିତ୍ର ଦୁନିଆଁ - ଧ୍ରୁବ ଚରଣ ବେହେରା

ଦୁନିଆଟା ବଡ ବିଚିତ୍ର ଅଟଇ
କି କହିବି ବନ୍ଧୁ ମୋର
କଳା ଚଷମାରେ ଦେଖିଲେ ଦୁନିଆଁ
ସବୁ ଦିଶଇ ଅନ୍ଧାର ।।

ଅସଲି ଦୋଷୀର ଦୋଷ ଲୁଚିଯାଏ
କଳାମୁଖା ପରଦାରେ
ନିର୍ଦୋଷ ମଣିଷ ଅପବାଦ ସହି
ବିଭୂଙ୍କୁ ସଦା ସୁମରେ ।।


ବିଚାର ନଜାଣି ବିରାଚ କରୁଛି
ଭାଲୁ ଜଙ୍ଗଲରେ ବସି
ପଛପଟେ ଥିବା ପାଚଲା ପଣସ
ଖାଇ ହେଉଥାଏ ଖୁସି ।।

ବିହଙ୍ଗ ବିପ୍ଳବ କରିଲେ କି ହେବ
କିଚିରି ମିଚିରି କରି
ଲାଞ୍ଚ ମିଛ ଖାଇ କଲେ ରାଜନୀତି
ଆଶା ବାଡି ଥିବ ଧରି ।।


ନ ହେବ ପୂରଣ ଇଛା ଯେ ତୁମର
ଫମ୍ପା ମାଠିଆର ପାଣି
ଅନ୍ୟ ସୁଖ ଦେଖି ଜଳିକି ମରିବ
ପାରିବକି ତାରା ଗଣି ।।

ସାହିତ୍ୟ ଅଟଇ ଅଗାଧ ସମୁଦ୍ର
ପହଁରିବା ଯେବେ ଭାଇ
କାହା ବିଦ୍ୟା କିଏ ନେଇ ପାରନ୍ତିନି
ଜାଣିଛକି ତୁମେ ନାହିଁ ।।


ସନ୍ଦେହ ଘେରରେ ଦିନ କାଟୁଥିଲେ
ପାଇବ ଦୁଃଖ ଯନ୍ତ୍ରଣା
ଚୋର ମନ ପରା ଗଣ୍ଠିଳିରେ ବନ୍ଧା
ଜାଣି ବି ହୁଏ ଅଜଣା ।।

ପରହସ୍ତ ଧନ ପୋଥି ହସ୍ତ ବିଦ୍ୟା
ମିଳିବକି ଜଣାନାହିଁ
ବ୍ୟଙ୍ଗ କବିତାରେ ସରଳ ସୁନ୍ଦର
କହି ଦେଲି ମୁଁ ବୁଝାଇ ।।


ନିଜକୁ ପଚାର କହିବା ଆଗରୁ
କେତେ ଭଲ ତୁମ ମନ
ଉପରେ କହିକି କଅଁଳ ବଚନ
କଟାଘାରେ ଦିଅ ଚୁନ ।।

ବିବେକ ଅଟଇ ସଂପଦ ମୋହର
ମୁଣ୍ଡ ଟେକି ବଞ୍ଚି ଥାଏ
ଅବିବେକୀ ସାଙ୍ଗେ ବନ୍ଧୁପଣ ନେଇ
ବଞ୍ଚିବାଟା କଷ୍ଟ ହୁଏ ।।






ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ, ଖୋରଧା

Post a Comment