Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆରପାର - ପ୍ରଶାନ୍ତ କୁମାର ସାହୁ

ପ୍ରଶାନ୍ତ କୁମାର ସାହୁ
ଛତ୍ରଗଡ, ବାଲୁଗାଁ, ଖୋରଧା

ଚାଲିବାର ସାହାସକୁ
ବାରମ୍ବାର ଛଡାଇନେଲାବେଳେ
କେବେ ତ ଭାବିନାହଁ
ରାସ୍ତାର ଦିଗକୁ ଘୋଡେଇ ଦେବ
ନିରାଶାର ଢାଙ୍କୁଣିରେ....
ହୁଏତ ଫେରିଯାଇଥାନ୍ତି
ଦେଇଥିବା ଅନ୍ତିମ ଠିକଣା ସ୍ଥଳକୁ ।

ଖାଲି ରାସ୍ତା ଯୋଡି ଦେଲ ଯେ....!
ରାହା ଧରି ଧାଉଁଛି
ଗୋଟିଏ ଛକରୁ ଅନେକ ଛକକୁ
ପ୍ରତି ରହଣିରେ ଦେଇଛ ମନଭରି ତିଗ୍ମତା,
ଦେଖିଛି ତୁମ ଅଟ୍ଟହାସର
ଶୁଖିଲା ଇଲାକା.... !
ଶୋଷିନେଲା ଅନ୍ତରର ଗୁମାନ ଟିକକ
ରହିଗଲି ଥୁଣ୍ଟା ବରଗଛ ପରି
ବସିବାକୁ ଶାଗୁଣାଙ୍କ
ଶବ ସତ୍କାରର ଯୋଜନା ପାଇଁ ।


ଅନ୍ତର୍ଦାହର ଚିତ୍କାର ଶୁଣିଲନି ତ !
ନା କେବେ ଦେଇଛ ସାନ୍ତ୍ବନା ଟିକିଏ
ସହିଯିବାକୁ ତନୁମନର ଅସହ୍ୟ ବେଦନା
ପଡିଉଠି ଚାଲିଛି ଆରପାର ହୋଇ
ଫେରି ଯେବେ ଦେଖିଛି....
ତୁମେ ତ ଅନେକଙ୍କୁ ସାଥିକରି
ମୋ ପିଛାକରିଛ ଭିଡିଓଟାରିବାକୁ ।

ବୁଝିସାରିଛ କି ମୋ ଉଦ୍ଦେଶ୍ୟ ?
ଦିଗହରା ଆରପାର ବି ଲେଖି ପାରେ
ତୁମ ଆଉ ମୋ ଭିତରର ଇତିହାସ
ଆଉ ଦୁନିଆ କହିବ....
ଲହୁଲୁହାଣ କଲାପରେ ବି
ମୁଁ କାଳେ ଚାଲୁଥିଲି....
ଖାଲି ଚାଲୁଥିଲି....
ତୁମର ନିର୍ବାଣ ସ୍ଥଳ ଆଡକୁ ।


ଇଛାଥିଲା ଗୋଲାପଟିଏ ଦେବାକୁ
ହାତର କଳାକୁ ଛଡାଇନେଇ ନ କି ?
କେତେ ଭିନ୍ନତାରେ ନ ସଜାଇଥିଲି !
ଆଜି ତ ରିକ୍ତ ଆଉ ଭୀତ....
ରହିଗଲି ଶତଶତ ଲାଞ୍ଝନାରେ ଜର୍ଜରିତ
ଲାଲ ପଡିଯାଇ ଅବିରତ ସ୍ପନ୍ଦିତ ତୁମ ପାଇଁ
ହୃଦୟ ଭିତରେ....
ସମର୍ପି ଦେଉଛି ଏଇ ଆଶା ନେଇ
କାଳେ ତୁମେ ଲେଖିଦେବ ମୋ ନାମ
ତୁମ ନିର୍ବାଣ ସ୍ତମ୍ଭରେ....!!

Post a Comment

0 Comments