Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶିଶିର ବିନ୍ଦୁ - ରଶ୍ମି ରଞ୍ଜିତା ମିଶ୍ର

ରଶ୍ମି ରଞ୍ଜିତା ମିଶ୍ର (ରୋଜି)
ବ୍ରାହ୍ମଣକୁଶଡିହ, ବାଲୁଗାଁ, ଖୋରଧା

ବାଳ ସୂରୁଯର କଅଁଳ କିରଣେ
ହସେ ହଳଦିଆ ସୋରିଷ ଫୁଲ
ପରଜାପତିର ପରଶ ଲୋଡ଼େ ସେ
ଭଅଁର ସାଥିରେ ହୁଅଇ ଗେଲ ।।

ପ୍ରାତଃ କାଳ ପରା ଦିଶେ ଧୁଆଁଳିଆ
ବୃକ୍ଷ ଲତା ଦିଶେ ପାଣ୍ଡୁର ବର୍ଣ୍ଣ
ଗାଆଁ ଦାଣ୍ଡ ଥାଏ ଶିଶିର ସ୍ନାତ ଯେ
ବିଳମ୍ବରେ ମିଳେ ସୂର୍ଯ୍ୟ କିରଣ ।।


ନଡ଼ିଆ ବାହୁଙ୍ଗା ଫାଙ୍କେ ଉଙ୍କି ମାରେ
ଜ୍ୟୋସ୍ନା ମଦମତା ପୁନେଇଁ ଜହ୍ନ
ଜହ୍ନିଫୁଲ ହସେ ଠୋ ଠୋ ହୋଇ
ଝରା ଶେଫାଳୀରେ ଧରା ମଣ୍ଡନ ।।

ଶରତ ଶେଷେ ହିମ ପ୍ରବେଶେ
ଧରି ସୁଶୀତଳ ଶିଶିର ବିନ୍ଦୁ
ସୁଦୂର ହିମାଦ୍ରୀ ହିମଗହ୍ୱରରୁ
ପ୍ରବାହି ଲଙ୍ଘିବ ସେ ସପ୍ତସିନ୍ଧୁ ।।


ପ୍ରାତଃସ୍ନାନ କରି ସମାପନ
ଆଦ୍ର ବସ୍ତ୍ରାବୃତା ଗ୍ରାମ୍ୟ ଯୁବତୀ
ଥୁରୁଥୁରୁ ବାଳା ଅବା ଲଜ୍ୟାଶିଳା
ମନ୍ଥର ଗତିରେ ଗୃହାଭିମୁଖି ।।

ଲାଙ୍ଗଳା ଛୁଆଙ୍କ ସହିତ ବୃଦ୍ଧ
ନିଆଁ ପୁଉଁଥାନ୍ତି ଅଗ୍ନି ଜଳାଇ
ସୁସ୍ଥତା ଆଶାରେ ପଶମ ପୋଷାକେ
ପ୍ରାତଃ ଭ୍ରମଣକୁ ଆଦରେ କେହି ।।


ସୂରୁଯ କିରଣେ ପଦ୍ମ ପୁଷ୍କରିଣୀ
ସୁଢ଼ଳ ପଦୁଏଁ ବଢାଏ ଆଭା
ସ୍ଥଳପଦ୍ମ ଫୁଟି ଯୋଗାଏ ବାରତା
କମଳେ କମଳା ହେମନ୍ତେ ଉଭା ।।

ସସାଗରା ଧରା ହସିଉଠେ ପରା
କୋମଳ ଶିଶିର ପରଶ ପାଇ
ବରଷକେ ଥରେ ଏ ସୁଯୋଗ ଆସେ
ଜୀବ ଓ ଉଦ୍ଭିଦ ରହନ୍ତି ଚାହିଁ ।।

Post a Comment

1 Comments

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।