Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରେମର ପ୍ରାରମ୍ଭ - ଶୁଭକାନ୍ତ ସାହୁ

ଅଞ୍ଜୁ.. ଅଞ୍ଜୁ..... ଏ.. .ଅଞ୍ଜୁ! ଓଃ! ମିସ୍ ଅଞ୍ଜଳି ନା? ହଉ, ମିସ୍ ଅଞ୍ଜଳି ହୁଅ ବା ଅଞ୍ଜଳି । କିନ୍ତୁ ମୋ ପାଇଁ ଅଞ୍ଜୁ କେବଳ ଅଞ୍ଜୁ। ସତରେ ଅଞ୍ଜୁ, ମୁଁ ତୁମକୁ ବହୁତ ଭଲ ପାଏ। ମୋ ବୋଉକୁ ଛାଡ଼ିଦେଲେ ମୁଁ ତୁମକୁ ସବୁଠାରୁ ଏପରିକି ମୋ ନିଜଠାରୁ ମଧ୍ଯ ଅଧିକ ଭଲ ପାଏ। ତୁମକୁ ମୁଁ କେଉଁଦିନ ଠାରୁ ଭଲ ପାଏ ଜାଣ? ଶୁଦ୍ଧ ଓଡ଼ିଆ ଲିଖନ ପରୀକ୍ଷା ପ୍ରସ୍ତୁତି ପାଇଁ ତୁମକୁ କେଇଟା ପୁରୁଣା ସମ୍ବାଦ ମାଗିଥିଲି,ମନେଅଛି ନା ?ହେଲେ ସେଦିନ ତୁମ ଛୁଞ୍ଚି ମୁନିଆ ମୁହଁରେ ଯେଉଁ ନାକ ଛିଞ୍ଚାଡିବା ପରି କଥା ନା, ମୋତେ ହତାଶ କରିଦେଲା।ସେଦିନ ତୁମେ ମୋ ଉପରେ ରାଗିଥିଲ କି ପ୍ରେମ କରିବାକୁ ମୁଖ ଇଙ୍ଗିତରେ ଆହ୍ବାନ ଦେଲ ମୁଁ ଜାଣେନା । ସେଦିନ ମୁଁ ତୁମ ଉପରେ ଯେତିକି ରାଗିଲି, ତା'ଠୁଁ ଅଧିକ ଭଲ ପାଇ ବସିଲି। ସେହିଦିନ ଠାରୁ ତୁମ ପ୍ରତି ମୋର ଦୁର୍ବଳତା "ଜହ୍ନକଳା" ପରି ବଢି ଚାଲିଛି।ତୁମକୁ ମୁଁ ଏବେବି କହୁଛି ଅଞ୍ଜୁ, ତୁମକୁ ମୁଁ ସବୁଠାରୁ ଅଧିକ ଭଲ ପାଉଥିଲେ ମଧ୍ୟ ତୁମର ସେ କୁଣ୍ଠାବୋଧ ଗୁଣଟାକୁ ମୁଁ ଏବେବି ଘୃଣା କରେ। ତୁମ ପ୍ରତି ମୋର ପ୍ରେମ ଅନନ୍ତ ନିର୍ମଳ ଆକାଶର ସମସ୍ତ ତାରାଙ୍କଠାରୁୁ ଆହୁରି ଅଧିକ।ସପ୍ତ ସମୁଦ୍ରର ଗଭୀରତା ଠାରୁ ଆହୁରି ଗହିରିଆ। ଶ୍ରୀକୃଷ୍ଣ ରାଧାଙ୍କୁ ଯେତିକି ଭଲ ପାଉଥିଲେ, ଶାହାଜାହାନ୍ ମମତାଜଙ୍କୁ ଯେତିକି ଭଲ ପାଉଥିଲେ, ତା'ଠାରୁ ମଧ୍ୟ ମୁଁ ତୁମକୁ ଅଧିକ ଭଲ ପାଏ। ମୋ ସ୍ମୃତିରେ ତୁମେ, ମୋ ମନରେ ତୁମେ, ମୋ କଣ୍ଠରୁ ଭାସି ଆସୁଥିବା ସଂଗୀତରେ ତୁମେ, ମୋ କଲମ ମୁନରୁ ଝରି ଆସୁଥିବା ଗଳ୍ପ କବିତାରେ ତୁମେ, ଗୋଲାପ ପାଖୁଡାରେ ତୁମେ, ଉଡ଼ି ବୁଲୁଥିବା ପ୍ରଜାପତିରେ ତୁମେ, ଝରଣାର କୁଳୁକୁଳୁ ନାଦରେ ତୁମେ, ଜହ୍ନର ଜୋଛନାରେ ତୁମେ, ବଂଶୀର ମୂର୍ଛନାରେ ମଧ୍ୟ ତୁମେ। ଇଚ୍ଛା ହେଉଛି ତୁମକୁ ଦେଖିଲେ କହିଦେବି, "ତୁମ୍ ସେ ହେ କିତିନା ପ୍ଯାର୍ ୟେ ହମ୍ କହ୍ ନେହିଁ ସକତା, ତୁଝସେ ବିଛଡ଼କେ ହମ୍ ତୋ ଜିନ୍ଦା ରେହ୍ ନେହିଁ ସକତା"। ତୁମକୁ ଦେଖିବା ମାତ୍ରେ ମୋହୃଦୟରେ ଏକ ଅହେତୁକ ସ୍ପନ୍ଦନ ଜାଗିଉଠେ।ତୁମ ପ୍ରତି ମୋର ପ୍ରେମ ଦୈହିକ ନୁହେଁ, ଶାଶ୍ୱତ।।ଦୈହିକ ପ୍ରେମ ସହ ସଂପୃକ୍ତ ପୁଅମାନେ କାମନା ବାସନା ମେଣ୍ଟାଇବା ପାଇଁ ଝିଅ ମାନଙ୍କୁ ଭଲ ପାଆନ୍ତି।ନିଜର ବାସନା ଚରିତାର୍ଥ ହୋଇଗଲେ, ପ୍ରଜାପତି ଫୁଲରୁ ଫୁଲକୁ ଉଡ଼ିଯିବା ପରି ଭଲ ପାଆନ୍ତି ଅନ୍ୟ ଝିଅକୁ।ମୁଁ କିନ୍ତୁ କାମନା ବାସନା ପାଇଁ ତୁମକୁ ଭଲ ପାଉନାହିଁ; ଭଲ ପାଉଛି ତୁମ ସ୍ନେହ, ପ୍ରେମ ପାଇଁ।ଯେଉଁ ପ୍ରେମ ଶ୍ରୀକୃଷ୍ଣ ଚାହିଁଥିଲେ ରାଧାଙ୍କଠାରୁ,ଶାହାଜାହାନ୍ ଚାହିଁଥିଲେ ମମତାଜଙ୍କଠାରୁ ଆଉ ପୃଥ୍ବୀରାଜ୍ ଚାହିଁଥିଲେ ସଂଯୁକ୍ତାଙ୍କଠାରୁ।ମୋ ପ୍ରେମରେ ପ୍ରତାରଣା ନାହିଁ।ମୋ ପ୍ରେମରେ ସ୍ଵତନ୍ତ୍ରତା ରହିଛି, ମୋ ପ୍ରେମରେ ପବିତ୍ରତା ରହିଛି।ମୋ ପ୍ରେମ ପାପ ନୁହେଁ, ବରଂ ସ୍ବର୍ଗଠାରୁ ପୂଣ୍ୟ । ମୁଁ ପ୍ରତ୍ଯକ୍ଷରେ ସ୍ବର୍ଗାପସରୀ ରମ୍ଭା, ମେନକାଙ୍କୁ ଦେଖିନାହିଁ । ଦେଖିଥିଲେ ମଧ୍ୟ କହିଥାନ୍ତି ତୁମର ସୌନ୍ଦର୍ଯ୍ୟ ସେମାନଙ୍କ ତୁଳନାରେ ଆହୁରି ଅଧିକ। କି ସୁନ୍ଦର ତୁମ ଲାବଣ୍ୟବତୀ ରୂପକାନ୍ତୀ!ପାଗଳ କାରିଣୀ ଉଜ୍ଜ୍ୱଳ ତନୁଶ୍ରୀ!! ତୁମ ମୁହଁ, ସତେ ଅବା ଗଜ ମୁକୁତା ଟିଏ।ସେ ଦୁଇଟି ହରିଣୀର ଆଖି ପରି।ତୁମ ନୀଳ ନୟନ ଉପରେ ସରୁ ସରୁ ଭ୍ରୁଲତା ଦୁଇଟି ବେଶ୍ ମାନୁଛି ନିର୍ମଳ ଆକାଶରେ ସପ୍ତମୀର ଅର୍ଦ୍ଧଚନ୍ଦ୍ର ପରି।ସାରା ଜୀବନ ଏମିତି ତୁମେ ମୋତେ ଚାହିଁବ ନା ?ଏଇଟା ତୁମ ଓଠ।ସତେ ଅବା ନାଲି ଗୋଲାପଠାରୁ ରଙ୍ଗ ଛଡ଼ାଇ ଆଣିଛ! ସତରେ ଅଞ୍ଜୁ, ତୁମ ଓଠରେ ମୁରୁକି ମୁରୁକି ହସ ଆଉ ଫିସ୍ ଫିସ୍ କଥା ନା, ମୋତେ ଖୁବ୍ ଭଲ ଲାଗେ। ଏମିତି ସବୁବେଳେ ମୁରୁକି ମୁରୁକି ହସିବ ନା? ତୁମର ଏଇ ଓଠରେ ମୋ ପାଇଁ ଗୀତ ମଧ୍ୟ ବୋଲିବ ନା??ତୁମ କଣ୍ଠର ଗୁଣୁ ଗୁଣୁ ସ୍ବର ମୋତେ ବସନ୍ତେ କୋଇଲିର ତାନ ପରି ଶୁଣାଯାଏ। ଏ ଦୁଇଟି ତୁମ କାନ। କାନର ରିଂ ଦିଟା ଖୁବ୍ ସୁନ୍ଦର ଦେଖାଯାଉଛି।ଏଗୁଡିକ ତୁମର କେଶ।ତୁମ କେଶ ବିନ୍ଯାସରେ ମଧ୍ୟ ସୌନ୍ଦର୍ଯ୍ୟ ଫୁଟି ଉଠୁଛି।ଏଇଟା ତୁମର ସିନ୍ଥା। ତୁମେ ଥରେ ଖାଲି "ମୁଁ ତୁମକୁ ଭଲ ପାଏ" କହିଦେଲେ,ତୁମ ସିନ୍ଥାରେ ବିନ୍ଦୁଏ ନାଲି ସିନ୍ଦୂର ଲେସିଦେବି।ଏ ଦୁଇଟି ତୁମ ହାତ।ଏଇ ହାତରେ ତୁମେ ମୋ ପାଇଁ ଚୁଡି ନାଇ ରୁଣୁ ଝୁଣୁ କରିବ ନା?ଏଇ ହାତ ପୋଛି ଦେବ ନା ମୋ ଦୁଃଖଦ ଲୁହକୁ?? ଏଗୁଡିକ ତୁମ ପାଦ।ଏଇଠି ନାଲି ଅଳତା ନାଇବ ଆଉ ଏଇ ପାଉଁଜି ଦୁଇଟିର ରୁଣୁଝୁଣୁ ଶବ୍ଦ ମୋତେ ଘୁଙ୍ଗୁର ଶବ୍ଦ ପରି ପାଗଳ କରିଦେବ। ଏଇଟା ତୁମ ଫ୍ରକ୍। ତୁମ ଗୋରା ତକ୍ ତକ୍ ଦେହକୁ ଏଇ କଳା ଫ୍ରକ୍ ଟି ଖୁବ୍ ମାନୁଛି, ନୁହେଁ? ଆଉ କଳା ଫ୍ରକ୍ ରେ ନାଲି ଗୋଲାପଟି ଆହୁରି ସୁନ୍ଦର ଦେଖା ଯାଉଛି।କୋଣାର୍କର ପ୍ରତିଟି ସ୍ଥାନ ପରି ତୁମର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗରେ ମଧ୍ୟ ସୌନ୍ଦର୍ଯ୍ୟ ଫୁଟି ପ୍ରସ୍ଫୁଟିତ।ବାସ୍ତବରେ କହିବାକୁ ଗଲେ ତୁମେ ମୋର ଜୀବନ୍ତ କୋଣାର୍କଟିଏ।
ମୁଁ ତୁମକୁ ଅନେକ ପ୍ରଶ୍ନ କଲିଣି ଅଥଚ ତୁମେ କିଛି ବି କହୁନ ଯେ? ଲାଜ ମାଡୁଛି? ହଉ ମତେ କହିବନି ନା?ତୁମେ କ'ଣ ମୋତେ ଭଲ ପାଅନି? ମୋତେ ପ୍ରେମ କରୁନ? ମୋତେ ଘୃଣା କର?କିନ୍ତୁ କାହିଁକି?ତୁମେ ଅନ୍ୟ କାହା ପ୍ରେମରେ ପଡ଼ି ଯାଇଛ ନା ଗରୀବ ଘରର ପୁଅ ବୋଲି ମୋତେ ଘୃଣା କର? ଆମେ ଗରୀବ ସତ ଅଞ୍ଜୁ, ହେଲେ ଆମ ମନ ଅଧିକ ରୁ ଅଧିକ ଉନ୍ନତ ।

ଏମିତି ମୁଁ ଗପି ଚାଲିଥାଏ।ବାହାରେ ପ୍ରବଳ ବର୍ଷା।ହଠାତ୍ ପ୍ରଚଣ୍ଡ ଘଡ଼ଘଡିଟିଏ ମାରିଲା। ମୁଁ ପ୍ରକୃତିସ୍ଥ ହେଲି। ଅଞ୍ଜୁ ତ ପକୃତରେ ପାଖରେ ନାହିଁ।ତେବେ ମୁଁ କାହା ସହିତ କଥା ହେଉଥିଲି? ଆଶ୍ଚର୍ଯ୍ୟ ହେଲି ଯେ ଅଞ୍ଜୁ ମୁହଁ ପରି ଦେଖାଯାଉଥିବା ସ୍ୱଅଙ୍କିତ ଫୋଟ ସହ ଅନେକ ବେଳୁ ମୁଁ ଗପି ଚାଲିଥିଲି। ମୁଁ ପ୍ରକୃତରେ ଅଞ୍ଜୁକୁ ମନେ ମନେ ବହୁତ ଭଲ ପାଉଥିଲି।କିନ୍ତୁ ସେ ମୋତେ ଭଲ ପାଉଛି କି ନାହିଁ ମୁଁ ଜାଣେନା।ତେଣୁ ମୁଁ ତାକୁ କିଛି କହିପାରୁନି।ଯଦି ସେ ମୋତେ ଭଲ ପାଉନଥିବ,ତାହେଲେ ସେ ଯେମିତି କ୍ରୋଧି ପ୍ରକୃତିର ଝିଅ ନା, ମୋର ଆତ୍ମ ସମ୍ମାନ ନଷ୍ଟ କରିଦେବ।ତାକୁ ଖୋଲାଖୋଲିଭାବେ "ମୁଁ ତୁମକୁ ଭଲ ପାଏ ଅଞ୍ଜୁ" ବୋଲି କହିବାକୁ ଇଚ୍ଛା ହେଉଥିଲେ ମଧ୍ୟ କାଳେ ସେ ମୋତେ ଭଲ ପାଉନଥିବ ଭାବି ମୋର ସମସ୍ତ ଇଛାଶକ୍ତି ପାହାନ୍ତି ତାରା ପରି ମିଳେଇ ଯାଏ।ଟେବୁଲ ଉପରେ ଥିବା ଜଗନ୍ନାଥ ମୂର୍ତ୍ତି ଉପରେ ମୋର ନଜର ପଡ଼ିଲା।ଜଗାକୁ ଦେଖୁ ଦେଖୁ ନିଜ ଅଜାଣତରେ ପୁଣି ତା ସହ ଗପି ଚାଲିଲି। "ଦେଖିଲୁ ଜଗା, ଏଇ ଛବିଟି ଠିକ୍ ଅଞ୍ଜୁ ପରି ହୋଇନି? ତୁତ ଏଠି ବସି ସବୁବେଳେ ଖାଲି ଚାହୁଁଛୁ।ମୁଁ ତୋତେ କେତେ ଡ଼ାକୁଛି, କେତେ କଣ ପଚାରୁଛି ହେଲେ ତୁ ବି କିଛି କହୁନୁ କାହିଁକି? ତୁ ପରା ସର୍ବବ୍ଯାପୀ? ତୁ ପରା ଭକ୍ତ ଗୁହାରି କରିବା ପୂର୍ବରୁ ତା ମନକଥା ଜାଣପାରୁ?ମୋ ମନକଥା ତୁ ଜାଣିପାରୁନୁ??ତୁତ ଖଣ୍ଡିଆ, ସେଥିପାଇଁ ତୋର ସବୁ କାମ ମଧ୍ୟ ଖଣ୍ଡିଆ।ଯଦି ଅଞ୍ଜୁକୁ ମୋ ମନକଥା କହିପାରୁନୁ ତେବେ ତାକୁ ଭଲ ପାଇବା ପାଇଁ ମୋତେ ପ୍ରେରଣା ଦେଉଥିଲୁ କାହିଁକି?ଆଛା ତୁ କଣ ଅଞ୍ଜୁର ମନକଥା ଜାଣିପାରୁନୁ? ସେ ମୋତେ ଭଲ ପାଉଛି ନା? ତାହାଲେ ସେ ମୋତେ ତା ମନକଥା କହୁନି କାହିଁକି?ମୁଁ କେମିତି ଜାଣିବି ଯେ ସେ ମୋତେ ଭଲ ପାଏ ବୋଲି? ଆଛା କହିଲୁ ତୁ ପ୍ରଥମେ ଭଲ ପାଇବା ଇଙ୍ଗିତ ଦେଇଥିଲୁ ନା ରାଧା ପ୍ରଥମେ ପ୍ରଥମେ ତୋତେ କହିଥିଲେ, "ମୁଁ ତୁମକୁ ଭଲ ପାଏ କୃଷ୍ଣ"। ନିଶ୍ଚୟ ରାଧା କହିଥିବେ, ନୁହଁ? କାରଣ ପ୍ରେମର ପ୍ରାରମ୍ଭ ଝିଅମାନେ ହିଁ କରିଥାନ୍ତି। ମୋତେ କିଛି କହିବୁନି ନା? ହଉ ତୋର ମୋର କଟି।ପୁନର୍ବାର ଏକ ଘଡ଼ଘଡି ଶବ୍ଦରେ ମୁଁ ଚମକି ପଡ଼ି ପ୍ରକୃତିସ୍ଥ ହେଲି। କାନ୍ଥ ଉପରେ ଘଣ୍ଟାର କଣ୍ଟା ଗୁଡିକ ମୋତେ ଅପେକ୍ଷା କରୁନଥାନ୍ତି।ରାତି ଦୁଇଟା ବାଜିଲାଣି।ବେଡ଼ ଉପରେ ଶୋଇଲେ ମଧ୍ୟ ମୋ ଆଖିକୁ ନିଦ୍ରା ଦେବୀ ସ୍ପର୍ଶ କରୁନଥାନ୍ତି।ଅଞ୍ଜୁ ମୁହଁ ପାଖରେ ମୁରୁକି ମୁରୁକି ହସିବା ପରି ଲାଗୁଥାଏ।

ବର୍ଷା ଲାଗି ରହିଛି।ମୁଁ ଗଣିତ କଷିବାରେ ବ୍ଯସ୍ତ।ଏତେ ପାଖରେ ଅଞ୍ଜୁକୁ ଦେଖି ମୁଁ ନିଜ ଆଖିକୁ ବିଶ୍ବାସ କରିପାରିଲି ନାହିଁ।ଭାବିଲି ଆଜି ତାକୁ ନିଜ ମନ ତଳର ଗୋପନ କଥା, "ମୁଁ ତୁମକୁ ଭଲପାଏ ଅଞ୍ଜୁ"। ଅଞ୍ଜୁ କିନ୍ତୁ- "ଆସୁଛି, ମୋର ସ୍କୁଲ ଟାଇମ ହେଲାଣି" କହି ଚାଲିଗଲା।ମୁଁ "ଅଞ୍ଜୁ, ଅଞ୍ଜୁ" ଚିତ୍କାର କରି ଦୌଡ଼ିଲି। ହଠାତ ମୋର ମୁଣ୍ଡ କାନ୍ଥ ସହ ଧକ୍କା ହେଲା।ମୁଁ କଚାଡି ହୋଇ ତଳେ ପଡ଼ିଗଲି। ଦେଖିଲି ଅଞ୍ଜୁ ସେଠାରେ ନାହିଁ। ମୁଁ ନିଜେ ବେଡ଼ରୁମର କାନ୍ଥ ସହ ଧକ୍କା ହୋଇ ଯାଇଛି।ମୁଣ୍ଡରୁ ରକ୍ତ ବୋହୁଛି। ମୁଁ ସଙ୍ଗେ ସଙ୍ଗେ ପଟି ବାନ୍ଧିଦେଲି। ରାତି ପାହି ଆସିଲାଣି।ଲୋକେ କହନ୍ତି ପାହାନ୍ତି ସ୍ବପ୍ନ କାଳେ ସତ ହୁଏ।ତେବେ ଅଞ୍ଜୁ କଣ ସତରେ ଆଜି ସକାଳେ ମୋ ପାଖକୁ ଆସିବ? ମୁଁ ପୁଣି ବେଡ଼ ଉପରକୁ ଉଠି ଭାବନା ରାଜ୍ୟରେ ହଜି ଯାଉଥିଲି। ଭାବୁଥିଲି ଆଜି ସକାଳେ ମୁଁ ନିଶ୍ଚୟ ଗଣିତ କଷିବି। ଆଉ ଅଞ୍ଜୁ ମୋ ନିକଟକୁ ଆସିବା ମାତ୍ରେ କହିବି, "ମୁଁ ତୁମକୁ ଭଲପାଏ ଅଞ୍ଜୁ"

Post a Comment

0 Comments