Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ପ୍ରେମ ଫଲ୍ଗୁ - ପ୍ରକାଶ ସାହୁ

ପ୍ରକାଶ ସାହୁ
ଭାରତୀୟ ନୌସେନା
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ

ମୋର ବିବାହ ଉତ୍ସବରେ ପ୍ରଧାନ ଅତିଥି ହୋଇଥିଲା ସୁଚିସ୍ମିତା । ସୁଚିସ୍ମିତା ମୋର ବାଲ୍ୟାବନ୍ଧୁ, ସହାପାଠିନୀ । ମୁଁ ମାମୁଁ ଘରେ ରହି ପଢ଼ିବା ସମୟରେ ତା ସହିତ ମୋର ବନ୍ଧୁତା ଘନିଷ୍ଠ ହୋଇଥିଲା । ମୋ ମାମୁଁଘର ଗାଁ ଠାରୁ ଦୁଇକୋଷ ଦୂରରେ ତାଙ୍କ ଗାଁ ।ଆଜି ପିଲାଦିନର କଥା ମନେପଡେ । ଦୁହେଁ ଏକା ସାଙ୍ଗରେ ଖେଳୁ, ଖାଉ, ସ୍କୁଲକୁ ଯାଉ । ରାଗ-ରୁଷା, ହସ-କାନ୍ଦ, ମାନ-ଅଭିମାନ ଭିତରେ ଦିନ କଟେ । ଆମର ବନ୍ଧୁତା ହୁଏ ଘନିଷ୍ଠରୁ ଘନିଷ୍ଠତର । ସୁଚିସ୍ମିତା ବଡ ଅଭିମାନିନୀ ଓ ଲଜ୍ଜାଶିଳା । ତା ମନକଥା ଜାଣିବା ଯେପରି କଷ୍ଟକର, ଗମ୍ଭୀର ମୁଖଭଙ୍ଗୀ, ଠଉରାଇବା ସେହିପରି ଦୁଃସାଧ୍ୟ । କଲେଜ ଜୀବନରେ ମୋ ବ୍ୟତୀତ ସେ ଅନ୍ୟ କାହାସାଙ୍ଗରେ ପ୍ରାୟ ମିଳାମିଶା କରେନା । ଶ୍ରେଣୀର ଭଲ ଛାତ୍ରୀ ହିସାବରେ ସେ ସମସ୍ତଙ୍କ ଠାରୁ ପ୍ରଶଂସା ଓ ସମ୍ମାନ ଦାବି କରେ । ପୁଣି ରୂପସୀ ତରୁଣୀ ହିସାବରେ ରୂପର ଗର୍ବ ତ ତା'ର ରହିବା ସ୍ୱାଭାବିକ । ସୁଚିସ୍ମିତା ମୋତେ ପ୍ରକୃତରେ ଭଲପାଏ, ଏହା ମୁଁ ସବୁବେଳେ ଅନୁଭବ କଲେ ମଧ୍ୟ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରେନା । ବ୍ୟବହାରରୁ ମୋ ପ୍ରତି ତା'ର ଗଭୀର ଆକର୍ଷଣର ସୂଚନା ମିଳିଲେ ମଧ୍ୟ ସେ ବରାବର ମୋ ଠାରୁ ଦୂରେଇ ରହିବାକୁ ଚେଷ୍ଟାକରେ । ସେ'ଥର ଦଶହରା ଛୁଟିରେ ସୁଚିସ୍ମିତା ସହିତ ହସଖୁସିରେ ଦିନ ଗୁଡିକ ଅତି ଛନ୍ଦ ମଧୁର ଭାବେ କଟି ଯାଉଥାଏ । ଦିନେ ଅକସ୍ମାତ ଆସି ମୋତେ କହିଲା-ପ୍ରକାଶ ଭାଇ, ବୋଉ କାହିଁକି ତୁମକୁ ଡକାଇଛି । ସଞ୍ଜବେଳେ ଆମ ଘର ଆଡ଼େ ଟିକେ ଆସିବ । ତା'ର ସ୍ଵଭାବ, ସୁନ୍ଦର, ଗମ୍ଭୀର ମୁଖରେ ସ୍ମିତ ହାସ୍ୟଟିଏ ଫୁଟାଇ ସୁଚିସ୍ମିତା ମୋତେ ଏକ ନିମନ୍ତ୍ରଣ ଦେଇଗଲା ।


ମୁଁ ଗଲି, ଦଶହରା ପାଇଁ ଏକ ବିରାଟ ଭୋଜିର ଆୟୋଜନ ହୋଇଛି । ସେଦିନ ମାଉସୀଙ୍କ ବ୍ୟବହାରରେ ଟିକିଏ ନୂତନତ୍ୱ ଲକ୍ଷ୍ୟକଲି । ସୁଚିସ୍ମିତା ଓ ମୁଁ ଦୁହେଁ ଏକା ସାଙ୍ଗରେ ଖାଇଲୁ । ମାଉସୀ ପରଷି ଦେଲେ । ଖିଆପିଆ ଶେଷରେ ମୁଁ ଡାକିଲି- ସୂଚୀ.. ବଡ ଗରମ ହେଉଛି । ଛାତ ଉପରେ ଟିକିଏ ବୁଲିଆସିବା.. ଆ.. । ସୁଚିସ୍ମିତା ଟିକିଏ ଇତସ୍ତତଃ ହୋଇ କହିଲା- ନା ପ୍ରକାଶ ଭାଇ.. ବୋଉ ଦିନସାରା କାମ କରି କରି ଥକିଗଲାଣି, ମୁଁ ତାକୁ ଟିକିଏ ସାହାଯ୍ୟ କରେ.. । ରାତି ହେଲାଣି ତମେ ଏବେ ଘରକୁ ଯାଅ । ହତାଶାର ଦୀର୍ଘ୍ୟଶ୍ୱାସ ପକାଇ ଫେରି ଆସିଲି ସେଦିନ । ସେ'ଥର ମୋ ଆଲବମ ଭିତରେ ମୋର ଖଣ୍ଡିଏ ନୂଆ ଫଟୋ ଦେଖି ସୁଚିସ୍ମିତା କହିଲା- ଏଇଟିକି ମୋର ଭାରି ଲୋଭ ହେଲାଣି । ପ୍ରକାଶ ଭାଇ,ଏହାର ଖଣ୍ଡିଏ କପି ମୋତେ ଦେବ ? ହସି ହସି ଉତ୍ତର ଦେଲି- ଦେବି ଯେ, ତା ବଦଳରେ ତୁ ମୋତେ କଣ ଦେବୁ କହ ? ଦେବି ମୋର ଖଣ୍ଡିଏ ସୁନ୍ଦର ଫଟୋ । ମୁଁ ମଥା ହଲାଇ ନାହିଁ କଲି- ଉହୁଁ.. ତା ମୋର ଦରକାର ନାହିଁ । ଆଜି ମୋର ଗୋଟିଏ କଥା ରଖିବୁ ସୂଚୀ.. ପିଲାଦିନ କଥା ତୋର ମନେପଡେ ?ସାଙ୍ଗ ହୋଇ କେତେ ଖେଳନ୍ତି, କେତେ ସେହି ସବୁଜ ଆମ୍ବ ତୋଟା ଆଡେ ବୁଲି ଯାଆନ୍ତି, ରଜ ପରବରେ ଦୋଳି ଖେଳନ୍ତି । ଆଜି ଚାଲ, ବହୁଦିନ ପରେ ଥରେ ସେହି ଆଡେ ବୁଲି ଆସିବା । ସେ ସଙ୍ଗେ ସଙ୍ଗେ କହିଲା- ନାହିଁ ପ୍ରକାଶ ଭାଇ, ମୋତେ ଆଜି ମାଫ କର । ମୁଁ ଯାଆନ୍ତି ଯେ,କିନ୍ତୁ ସକାଳୁ ମୋ ଦେହ ଖରାପ ଅଛି, ଘୋଳାବିନ୍ଧା ହେଉଛି । ଅଥଚ ସେତେବେଳକୁ ଦୀର୍ଘ ଅଢେଇ ଘଣ୍ଟା ଧରି ଆମର ଚେସ ଖେଳ ସରିଥାଏ । ମୁଁ ଅଧିକ ଦୂର ଅଗ୍ରସର ନହୋଇ ନୀରବ ରହିଲି । ଏହି କଣ ତରୁଣୀ ତନୁ ସୁଚିସ୍ମିତା, ଯୌବନର ସକଳ ଆବେଦନ କଣ ତା ନିକଟରେ ନିରର୍ଥକ ! ହାୟ !! ରୂପର ବିପୁଳ ସମ୍ଭାର ସହ ହୃଦୟର ନିଖିଳ ଆବେଗ ଘେନି ଚଳ ଚପଳ ଗିରି ନଦୀଟି ବହି ଚାଲିଛି, କିନ୍ତୁ ଲକ୍ଷ୍ୟ ତା'ର କଣ ? ଏପର୍ଯ୍ୟନ୍ତ ଠିକ କରି ପାରିନି ।


ପ୍ରାୟ ଦୀର୍ଘ ଦୁଇବର୍ଷର ଦୀର୍ଘ ପ୍ରତୀକ୍ଷା ପରେ, ମୁଁ ଦିନେ ମନେ ମନେ ଠିକ କରିନେଲି- ଆଉ ମରୀଚିକା ପଛରେ ଧାଇଁ କିଛି ଲାଭନାହିଁ । ଏଥର ମୋତେ ଅନ୍ୟପନ୍ଥା ଗ୍ରହଣ କରିବାକୁ ହେବ । ସେଦିନ କଥା ପ୍ରସଙ୍ଗରେ କହିଲି- ଆଜି ସନ୍ଧ୍ୟାରେ ଖେଳିବା ପାଇଁ ଆସିବୁନି ସୂଚୀ.., ମୁଁ ବାହାରକୁ ଯିବି.., ମୋର ଏକ ନିମନ୍ତ୍ରଣ ଅଛି । ତମ କଲେଜର ନିରୂପମା ପ୍ରଧାନକୁ ଜାଣିଥିବୁ- ତାଙ୍କରି ଘରେ । ସୁଚିସ୍ମିତା ଆଶ୍ଚର୍ଯ୍ୟ ହେଲା, ତଥାପି ମୁହଁରେ ହସ ଫୁଟାଇ କହିଲା- ଅକସ୍ମାତ ନିମନ୍ତ୍ରଣର ଉଦେଶ୍ୟ ? ନାହିଁ ମ କେତେଦିନ ହେଲା ଆମର ତାଙ୍କରି ସମ୍ବନ୍ଧ ପଡିଛି କି ନା, ଏହି ବୋଧହୁଏ ତାହାରି ଉପକ୍ରମଣିକା । ହଠାତ ସୁଚିସ୍ମିତାର ମୁଖଭଙ୍ଗୀ ବଦଳିଗଲା । ବୋଧହୁଏ ମୋ ମୁହଁରୁ ଏପରି ଏ କଥା ଶୁଣିବ ବୋଲି ସେ ଆଶା କରିନଥିଲା.. ବିଚାରୀ । ଅସ୍ଥିରତା ବଶତଃ କଣ କହିବ କିଛି ଠିକ ନକରିପାରି ତଳକୁ ମୁହଁ ପୋତିଦେଲା । ମାତ୍ର ସଙ୍ଗେ ସଙ୍ଗେ ନିଜକୁ ସ୍ୱାଭାବିକ ପରିସ୍ଥିତି ମଧ୍ୟକୁ ଫେରାଇ ଆଣି ଉତଫୁଲ ହେଲା ପରି କହିଲା- ବାଃ ବଡ ମଜାକଥା ! ଏ ଶୁଭ ଉପକ୍ରମଣିକା ସଫଳ ହେଉ । ମୁଁ କଟକଚଣ୍ଡୀଙ୍କୁ ଡାକୁଛି । କିନ୍ତୁ ଭୋଜିଟା ଯେପରି ବିରାଟ ଆକାରର ହୁଏ ପ୍ରକାଶ ଭାଇ, ମୁଁ ତେଣୁ ପେଟ ସଫାକରି ଆସିଥିବି । ତୁ ନିହାତି ପେଟୁ ସୂଚୀ । ତୁ ଜାଣିଛୁ 'ଭୋଜନେ ଇତରଃ ଜନା' । ତମ ବିବାହରେ ଆମେ ଇତର ଜନ ବିନା ଆଉ ଅଧିକା କଣ ହୋଇ ପାରିବୁ ପ୍ରକାଶ ଭାଇ ? ସୁଚିସ୍ମିତାର ସ୍ୱର କରୁଣ । ଏହିପରି ଉପରେ ଉପରେ କଥାଟା ସେଦିନ ଉଡିଯାଇଥିଲା ।


ତା'ପରେ ଅକସ୍ମାତ ସୁଚିସ୍ମିତା ପାଇଲା ମୋ ବିବାହର ନିମନ୍ତ୍ରଣ । ସେ ଦିନ ତା'ମନରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହୋଇଥିବ ଜାଣେନା । ତଥାପି ସଙ୍ଗେ ସଙ୍ଗେ ସେ ମୋ ପାଖକୁ ଦଉଡି ଆସି ସାହାସ୍ୟ ବଦନରେ ମୋତେ ଅଭିନନ୍ଦନ ଜଣେଇ ଦେଇଗଲା । ତା'ପରେ ମଙ୍ଗନ, ଅଧିବାସ ଠାରୁ ବିବାହ ଶେଷ ପର୍ଯ୍ୟନ୍ତ ସେ ଆମରି ଘରେ ରହି ଅତିଥି ଚର୍ଚ୍ଚା, ଭୋଜି ବ୍ୟବସ୍ଥା ପ୍ରଭୃତି ବିବାହର ନାନାଦି କାର୍ଯ୍ୟରେ ଆମକୁ ସାହାଯ୍ୟ କଲା । ଜାଣି ପାରିଲି, ମୋ ବିବାହରେ ଯେପରି ସେ ତିଳେ ହେଲେ ଦୁଃଖିତ ନାହିଁ । ପହିଲି ରାତିର ମଧୁଶଯ୍ୟାର ସମସ୍ତ ବ୍ୟବସ୍ଥା କରିସାରି ପାଖଘରକୁ ଶୋଇବା ପାଇଁ ଚାଲିଗଲା । ନିରୂପମାକୁ ପାଇ ସେଦିନ ମୁଁ ସୁଖି ଥିଲି କି ଦୁଃଖୀ -କହି ପାରିବି ନାହିଁ । ମଧୁଶଯ୍ୟା ରାତି ଭୋର ହେବା ମାତ୍ରେ ମୁଁ ବିଛଣାରୁ ଉଠିଗଲି । କାହିଁକି କେଜାଣି ଗୋଟିଏ ଖିଆଲରେ ପଶିଗଲି ସୁଚିସ୍ମିତା ଶୋଇବା ଘରକୁ । ସେଠାରେ ଯାହା ଦେଖିଲି ତାକୁ ଦେଖି କୌଣସି ଲୋକ ସହି ପାରିବ ନାହିଁ । ସୁଚିସ୍ମିତା ରାତିସାରା ବିଛଣାରେ ପଡି କାନ୍ଦୁଛି । କାନ୍ଦି କାନ୍ଦି ଆଖି ଯୋଡ଼ାକ ତା'ର ଫୁଲି ଯାଇଛି, ସଜ୍ଜିତ କେଶ ରାଶି ହୋଇପଡିଛି ବିପର୍ଯ୍ୟସ୍ତ । ମୋତେ ଦେଖି ସେ କଇଁ କଇଁ ହୋଇ କାନ୍ଦି ଉଠିଲା ଏବଂ କହିବାକୁ ଲାଗିଲା, ପ୍ରକାଶ ଭାଇ.. ମୋ ପାଖକୁ ଆଉ କାହିଁକି ଆସିଲ ? ତମେ ଏଠୁ ଯାଅ, ଚାଲିଯାଅ ଏଠୁ ପ୍ରକାଶ ଭାଇ... । ସେ ଆଉ କିଛି କହି ପାରିଲା ନାହିଁ, କାନ୍ଦି କାନ୍ଦି ତକିଆ ଭିତରେ ମୁଣ୍ଡ ଗୁଂଜି ଦେଲା । ମୁଁ ପାଖରେ ବସି ପ୍ରବୋଧନା ଦେଲି ଏବଂ ତା'ର ଆଖିରୁ ଲୁହ ପୋଛି ଦେଉ ଦେଉ କହିଲି- ମୁଁ ଯଦି ତୋ ମନରେ କଷ୍ଟ ଦେଇଥାଏ, ମୋତେ କ୍ଷମାଦେବୁ । ତମେ କ୍ଷମାର ପାତ୍ର ନୁହେଁ ପ୍ରକାଶ ଭାଇ । ତମେ ଅତି ନିଷ୍ଠୁର । ନାରୀ ମନ ବୁଝେନା, ତମେ ଭାରି.. ଥାଉ, ଥାଉ ସୂଚୀ ! ମୋର ସବୁ ଦୋଷ କିନ୍ତୁ ବର୍ତ୍ତମାନ ଉପାୟ କଣ କହ ସୁଚିସ୍ମିତା ? ଜୀବନରେ ତମେ ସୁଖି ହୁଅ ପ୍ରକାଶ ଭାଇ । ତମେ ଯାଅ, ମୋତେ ଭୁଲିଯାଅ ! ମୁଁ ଚିରଦିନ ଝୁରି ଝୁରି ମରେ । ପଣତକାନିରେ ଲୁହ ପୋଛି ସୁଚିସ୍ମିତା ଉଠି ସେ ଘରୁ ଚାଲିଗଲା । ମୁଁ କେବଳ ନିର୍ବାକ ନିରୁପାୟ ବ୍ୟଥାତୁର ଭାବେ ବାହାରକୁ ଚାହିଁ ରହିଥିଲି । ଆଉ ଉଷାର ଆଲୋକ ଧୀରେ ଧୀରେ କକ୍ଷ ଭିତରକୁ ପ୍ରବେଶ କରୁଥିଲା... ।

Post a Comment

3 Comments

  1. Anonymous2/13/2018

    ￰ବହୁତ ବଢିଆ ଲାଗିଲା ପ୍ରକାଶ ସାର ....

    ReplyDelete
  2. Anonymous2/13/2018

    ଧନ୍ୟବାଦ ଇ ପତ୍ରିକା ର ସମସ୍ତ ସଦସ୍ୟ ମାନଙ୍କୁ ...

    ReplyDelete
  3. ପ୍ରକାଶ ସାହୁ2/14/2018

    ବହୁତ ବହୁତ ଧନ୍ୟବାଦ ଆପଣ ଙ୍କ ମତାମତ ମୋ ପାଇଁ ଏକାନ୍ତ କାମ୍ୟ

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।