Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନିଶାର ଆସକ୍ତି - ମଧୁସ୍ମିତା ନାୟକ

ନିଶାସକ୍ତ ନର...ବାହାନା ଖୋଜଇ...ଅଭ୍ୟାସେ ତା ପଡିବାକୁ
ନହେଲେ କାହାକୁ...ଭଲ ଲାଗେ ଭଲା...ନିଶା ଖାଇ ଗଡିବାକୁ।
କିଏ ଖାଏ ନିଶା...ଖୁସିର ମୁହୂର୍ତ୍ତେ...କିଏ ପୁଣି ଦୁଃଖେ ଖାଏ
ମାନବ ଜୀବନ...ନୁହେଁ କି ତା' ପୂର୍ଣ୍ଣ...ନିଶା ଖାଏ ନାହିଁ ଯିଏ।
ଆସକ୍ତି ବା ନିଶା...ଦୁଃଖର କାରଣ...ରଖିଥାଅ ସଦା ମନେ
ମଜାରେ ମଜାରେ...ଆରମ୍ଭ ହୋଇ ସେ...ଅଭ୍ୟାସ ପାଲଟେ ଦିନେ।
ଦୁଃଖ,ଶୋକ,ଭୟ...ବଢି ବଢି ଚାଲେ...ନଥାଏ ଆୟତ ଆଉ
ବଞ୍ଚିବା ନାମରେ...ନିଶ୍ବାସ ଯା ଚାଲେ...ଜୀବନ କି ଥାଏ ଆଉ।
ଜୀବନର ଲକ୍ଷ୍ୟ...ନିଜର କର୍ତ୍ତବ୍ୟ...ପଡିଥାଏ ରାସ୍ତା କଡେ
ନିଜ ହାତେ ନିଜ...ସର୍ବନାଶ କରୁ...ସମୟ ବି ମୁହଁ ମୋଡେ।
ବୁଦ୍ଧିକୁ ତୋହର...ନିଶା ଗ୍ରାସ କରେ...ବିବେକକୁ କରେ ବନ୍ଦୀ
ନିଶାର ମାୟାରେ...ଅଜାଣତେ କେବେ...ଜୀବନଟା ହୁଏ ଛନ୍ଦି।
ଯିଏ ଯେତେ ପାଦ...ଆଗକୁ ବଢାଏ...ସେତେ ଅନୁତାପ କରେ
ଘର-ପରିବାର... ସମାଜ ମଥାରେ...କଳଙ୍କର ଟୀକା ଭରେ।
ଆସକ୍ତି ବା ନିଶା...ବାହାଦୁରୀ ନୁହେଁ...ରୋଗ ଦୁର୍ବଳତା ସମ
ଦୂର୍ଘଟଣା ଅବା...ଜରା-ବ୍ୟାଧି ରୂପେ...ଅକାଳରେ ବାନ୍ଧେ ଯମ।
ତୁମ ଦୂରାବସ୍ଥା... ଅନେକ ଆଖିରୁ... ଝରାଏ ଲୋତକ ଧାର
ସେମାନଙ୍କ ପାଇଁ... ଥରୁଟିଏ ଭାବ...ବର୍ଜନ କର ଜହର।
ପଣ କର ଆଜି...ଛୁଇଁବନି କେବେ...ଥରୁଟେ ବି ମିଠା ବିଷ
ତୁମେ ଚେଷ୍ଟାକଲେ...ଫୁଟାଇ ପାରିବ... ସଭିଙ୍କ ଓଠରେ ହସ।

**************ମଧୁସ୍ମିତା ନାୟକ**************

Post a Comment

0 Comments