Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କ୍ଷୁଦ୍ରଗଳ୍ପ - କିଞ୍ଚିତ ସଫଳତା - ପ୍ରଣତି ମହାପାତ୍ର

ପ୍ରଣତୀ ମହାପାତ୍ର
ଫକୀରମୋହନ ନଗର,
ଆଇ.ଟି.ଆଇ ଛକ, ବାଲେଶ୍ୱର

ଅନେକ ଭାବିବା ପରେ ମିତା ଫୋନ୍ କଲା, କଣ କରୁଛୁ, ଫୋନ୍ ଧରୁନୁ ?
କ'ଣ, ମୋ ଉପରେ ରାଗିଛୁ କି ?
ଅପର ପଟୁ ଉତ୍ତର ଆସିଲା,
ଆରେ ନା ରେ ମା, କାହିଁକି ରାଗିବି ଯେ ।
କହ କ'ଣ କହିବୁ ।
ଫୋନ୍ ଧରିବା ଲୋକ ଥିଲେ ମିତାର ମାଆ ।
ମା' ତୋ ସାଥିରେ କଥା ହେବାକୁ ହେଲେ ଖୁବ୍ ଚିନ୍ତା କରିବାକୁ ହୁଏ । କାହିଁକି ନା କାଳେ ତୋ ପୁଅମାନେ କିଛି କହିବେ ।
ଛାଡ୍ ସେ କଥା, କ'ଣ କହିବୁ କହ ।
ମିତା ମନେ ମନେ ଭାବିଲା ମା ସହ ବି କଥା ହେବାକୁ ମା ପାଖରେ ସମୟ ନାହିଁ । ଛାଡ଼...
ମା'ର ଡାକରେ ମିତା ଚିନ୍ତା ରାଜ୍ୟରୁ ଫେରିଲା ।
ମା, ତୋର ମନେ ଅଛି, ମୋ ବାବା ଯେଉଁ ସ୍କୁଲ କରିଥିଲେ ।
ଛାଡ ସେ ବେକାର କଥା ।
ମା ଶୁଣ୍ ।


ଏଇ ଅଳ୍ପଦିନ ତଳେ ମୁଁ ସେଠିକୁ ଯାଇଥିଲି । ଆଉ ସେଠି ମୋ ବାବାଙ୍କର ଚିହ୍ନ ବର୍ଣ୍ଣ ବି ନାହିଁ । ଭାରି ଦୁଃଖ ଲାଗିଲା । ଘର, ଛୁଆ, ପିଲା କାହାକୁ ନ ଅନାଇ ଦିନରାତି ସେହି ଗୋଟିଏ କଥା । ଘରୁ ଖାଇ ଦେଇ କାହା କଥା ନ ଶୁଣି ସେହି କାମ । କେମିତି ମୋ ଗାଁ ରେ ଉଚ୍ଚ ବିଦ୍ୟାପୀଠ ହେବ । ରେଭେନ୍ସାର ଉଚ୍ଚ ଡିଗ୍ରୀ ହାସଲ କରିଥିବା ଉଚ୍ଚଶିକ୍ଷିତ କୀର୍ତ୍ତନ ବାବୁଙ୍କ ମୁଣ୍ଡରେ ଢୁକିଛି ବିଦ୍ୟାଳୟର ନିଶା । ସରକାରୀ ଚାକିରୀ ଛାଡି ଗାଁ କୁ ଚାଲି ଆସିଲେ । ଗାଁ ମାଟିରେ ସ୍କୁଲ କରିବେ, ଗାଁ ପିଲାମାନେ ଦଶ କୋଶ ଯିବେ ନାହିଁ, ଏଇଠି ପାଠ ପଢିବେ । ଏକମାତ୍ର ବାଲ୍ୟବନ୍ଧୁଙ୍କ ସହାୟତାରେ ରାସ୍ତାରେ ବାଉଁଶ ପକେଇ ଗାଡି ମୋଟର ଅଟକାଇ ଯେତିକି ଟଙ୍କା ହେଲା, ତା ସହ ନିଜ ଘରୁ ସୁନା ଗହଣା ବିକ୍ରୀ କରି ବିଦ୍ୟାଳୟ କଲେ । ମହା ଆନନ୍ଦରେ ପିଲାମାନେ ପାଠ ପଢିଲେ ।


ହେଲେ ରାଜନୀତି ସେ ସ୍କୁଲରେ ପଶିଗଲା । କିଛି ରାଜନୈତିକ ଲୋକ ନିଜ ବାହାଦୁରୀ ପାଇଁ ଅନ୍ୟ କିଛି ଲୋକଙ୍କ ସହାୟତାରେ ସେ ବିଦ୍ୟାଳୟରେ ଅଶାନ୍ତ ବାତାବରଣ ସୃଷ୍ଟି କଲେ । ତା ଭିତରେ ତୋ ବାବାଙ୍କ ମୁଣ୍ଡ ସବୁବେଳେ ବିନ୍ଧାବିନ୍ଧି ହୋଇ ଯନ୍ତ୍ରଣା ଦେଲା । ଘରୁ ଡାକ୍ତରଖାନା, ଡାକ୍ତରଖାନାରୁ ସ୍କୁଲ, ବଡ କଷ୍ଟ ପାଇଲେ । ଏସବୁର ସୁଯୋଗରେ ଥିଲେ ସେହି ବ୍ୟକ୍ତି ମାନେ । ଶାରୀରିକ ପୀଡା ତା ସହ ସ୍କୁଲରେ ଅଶାନ୍ତି । ଆଉ ଯିବାକୁ ଚାହିଁଲେ ନାହିଁ । ଏଣେ ମୁଣ୍ଡରେ କ୍ୟାନସର ରୋଗର ଅପରେସନ ହେଲା । ତା କିଛି ଦିନ ପରେ ମରିଗଲେ । ଦୁନିଆଁରୁ ସତେ ଯେମିତି ଅମ୍ଲାନ ପ୍ରଦୀପଟିଏ ସବୁଦିନ ଲାଗି ଲିଭିଗଲା । ତା ପରେ ସମସ୍ତେ ଭୁଲିଗଲେ । ଦୀର୍ଘ ଚାଳିଶି ବର୍ଷ ପରେ ପୁଣି କାହିଁକି ଏ କଥା ?


ଏକା ନିଶ୍ଵାସେ ଏତକ କହି ଚୁପ୍ ରହିଲେ ମିତାର ମାଆ । ମିତା ଶୁଣିପାରୁଥିଲା, ମାଆ ସୁଁ ସୁଁ ହୋଇ କାନ୍ଦୁଥିବାର ।
ଆଛା, ତୁ ଏମିତି ହେଉଛୁ ବୋଲି ମୁଁ ତୋତେ କିଛି କହିବାକୁ ଚାହୁଁନଥିଲି ।
ମୁଁ କଣ କହୁଛି ଶୁଣିବୁ କି ନାହିଁ ।
ହଁ କହ..
ସେଠାରେ ମୋର ପ୍ରଥମ କାମ, ମୋ ବାପାଙ୍କର ଫଟୋ ଅଫିସରେ ରହୁ, ଏବଂ ତାଙ୍କ ପ୍ରତିମୂର୍ତ୍ତି ବିଦ୍ୟାଳୟରେ ସ୍ଥାନିତ କରାଯାଉ । ତେଣୁ ଏଥିପାଇଁ ମୋତେ କମ୍ ପରିଶ୍ରମ କରିବାକୁ ପଡିନାହିଁ । ଯାହାହେଉ ମୁଁ ସେଠାରେ ଯୋର ଦେଇ କହି ଆସିଥିଲି, ମୋ'ବାପାଙ୍କ ସ୍ଵପ୍ନ ସିନା ପୂରଣ ହୋଇଥିଲା, ହେଲେ ତାଙ୍କ ଅସ୍ତିତ୍ୱ ହଜିଗଲା । ମୁଁ ତାଙ୍କ ଫଟୋ ଏବଂ ପ୍ରତିମୂର୍ତ୍ତି କରି ପ୍ରମାଣ କରିଦେବି ଯେ ମୋ ବାବା ଏ ସ୍କୁଲ ପାଇଁ କଣ କରିଛନ୍ତି ।


ନାହିଁ ନାହିଁ, ତୁ ଆମର ଏତେ ଅଡ଼ୁଆ ଆଡକୁ ଯାଆନା । ସେମାନେ ସବୁ ଭଲ ଲୋକ ନୁହନ୍ତି । ତୋ ବାବାଙ୍କର ଏତେ ବଡ ତ୍ୟାଗ ଭୁଲିଗଲେ । ତୁ କଣ ସେମାନଙ୍କୁ ପାରିବୁ ?
ଝିଅ ପିଲାଟା..


ବାହା ସାହା ହୋଇଛୁ । କାହିଁକି ଏତେ ଅଡ଼ୁଆକୁ ଯାଉଛୁ କହିଲୁ ?


ଶୁଣ ମାଆ, ଯେଉଁ ରାଜନୀତି ଚକ୍ରରେ ମୋ ବାବାଙ୍କ ପ୍ରତି ଚକ୍ରାନ୍ତ କରି ଆମକୁ ବାପଛେଉଣ୍ଡ ହେବାକୁ ପଡିଛି, ସେହି ରାଜନୀତିକୁ ମାଧ୍ୟମ କରି ମୁଁ ସବୁ କରିବି । କଳେବଳେ ଅବା ଛଳେଛଳେ । ଆଉ ସବୁଠାରୁ ବଡ଼କଥା ହେଲା ଆଜି ମୋ ବାବାଙ୍କ ଫଟୋ ଅଫିସରେ ଟାଙ୍ଗି ଆସିଛି । ଆଜିଠାରୁ ବାବା ସେ ଜାଗାକୁ ପୁଣିଥରେ ପ୍ରବେଶ କରିଗଲେ । ଦେଖ ଏଥର ବାବା କଣ କରୁଛନ୍ତି । ଖୁବ୍ କମ୍ ଦିନ ଭିତରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଦେଖେଇ ଦେବି । ଏବେବି ବାବା ତାଙ୍କ ସ୍ଵପ୍ନକୁ ନେଇ ଏଇ ବିଦ୍ୟାଳୟରେ ରହିଛନ୍ତି । କେହିବି ତାଙ୍କୁ ବିଦା କରିପାରିବେ ନାହିଁ ।


ଖୁବ୍ ଆତ୍ମତୃପ୍ତିର ଖୁସିରେ ମାଆ କହିଲେ, ସତରେ....
ତୋତେ ଭଗବାନ ସହାୟ ହୁଅନ୍ତୁ ।
ଆଜି ମୁଁ ବହୁତ ଖୁସି ହୋଇଗଲି ରେ ମାଆ...
ତୋ ବାବାଙ୍କ ଅତୃପ୍ତ ଆତ୍ମା କିଞ୍ଚିତ୍ ଶାନ୍ତି ପାଇ ପାରିଥିବ ନିଶ୍ଚୟ ।


ବାବାଙ୍କ ଆତ୍ମା ଶାନ୍ତି ପାଉ କି ନପାଉ, ମାଆ ତ କିଛି ଶାନ୍ତି ଅନୁଭବ କଲା । ଯାହାହେଉ ମୋତେ ତ କିଞ୍ଚିତ୍ ସଫଳତା ମିଳିଲା । ଖୁବ୍ କମ୍ ଦିନ ମଧ୍ୟରେ ବାକି କାମ ନିଶ୍ଚୟ ସାରିବାକୁ ପଡିବ ।


(ଏ କାହାଣୀ ଥିଲା ଜଣେ ଦରଦୀ ଅମ୍ଲାନ ପ୍ରତିଭାଙ୍କର । ଯାହାଙ୍କ ପ୍ରାଣ ସବୁବେଳେ ଗାଁ'ର ଉନ୍ନତି ପାଇଁ ଚିନ୍ତିତ ଥିଲା ଓ ବିଧିର ବିଧାନରେ ଅଧା ରହିଗଲା ସ୍ଵପ୍ନ ଗୁଡାକ । ଭୁଲିଗଲେ ସମସ୍ତେ ତାଙ୍କ ଅବଦାନକୁ । ଆଶା କରେ କିଭଳି ଲାଗିଲା ମତାମତ ନିଶ୍ଚିତ ଭାବରେ ଦେବେ ।)

Post a Comment

2 Comments

  1. ଖୁବ୍ ମର୍ମସ୍ପର୍ଶୀ ଲେଖାଟି ପ୍ରଣତି ଦିଦି | ଆଶା କରୁ ଏପରି ବହୁତ୍ କିଛି ଲେଖା ଆପଣଙ୍କ ପାଖରୁ ପଢ଼ିବା ପାଇଁ ଏବଂ ସମାଜରେ କିଂଚିତ୍ ପରିବର୍ତ୍ତନ ଆସୁ | ଧନ୍ୟବାଦ୍ |

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।