Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରବନ୍ଧ - ବନ ମହକ - ଉଷାରାଣୀ ପଣ୍ଡା

ଉଷାରାଣୀ ପଣ୍ଡା
ଆନ୍ଧ୍ରପ୍ରଦେଶ

ଆଦ୍ୟରୁ ଅଦ୍ୟାବଧି ଯାଏଁ ବନ ସହ ମାନବ ତଥା ପୃଥିବୀର ସମସ୍ତ ଜୀବ ଜଗତ ଅଙ୍ଗାଗୀ ଭାବେ ଜଡିତ । ଆଦିମ ମାନବର ସଭ୍ୟତାର ସୃଷ୍ଟି ବନଠାରୁ ହିଁ ହେଇଥିଲା ବୋଲି ଇତିହାସରୁ ଅବଗତ । ପୁରାଣ ଯୁଗରେ ଦେବର୍ଷି, ବ୍ରହ୍ମର୍ଷି ଓ ସାଧୁସନ୍ଥ ମାନେ ବନଭୂମିରେ କଠୋର ତପସ୍ୟା କରି ସୁସାଧକ ହୋଇପାରିଥିଲେ । ବନଜାତ ଦ୍ରବ୍ୟ ସେବନ ପୂର୍ବକ ତ୍ୟାଗପୂତ ଜୀବନଯାପନ କରୁଥିଲେ । ବନର ଶାନ୍ତ ଶୀତଳ ପରିବେଶ ସେମାନଙ୍କ ସାଧନାକୁ ଶିଖରରେ ପହଞ୍ଚାଇ ପାରୁଥିଲା । ଯୁଗଯୁଗ ଧରି ବନର ମହାତ୍ମ୍ୟ ସବୁ ଧର୍ମର ପୁରାଣରେ ମଧ୍ୟ ବିଦିତ ଯଥା, ଭଗବାନ ଶ୍ରୀକୃଷ୍ଣ, ରାମଚନ୍ଦ୍ର ଚରିତ୍ରରେ ମନୁଷ୍ୟ ରୂପରେ ଅବତାରଣ କରି ବନରେ ଅନେକ ଲୀଳାଖେଳା ରଚି ଈହଲୀଳା ସମ୍ବରଣ କରିଥିବା ଦୃଷ୍ଟାନ୍ତ ମିଳେ । କହିବାକୁ ଗଲେ ଆଜିର ବସ୍ତୁବାଦୀ ସଭ୍ୟତାର ସମସ୍ତ ଉପାଦାନ ପାଇଁ ବନର ବିଶେଷ ଅବଦାନ ରହିଛି । ଏଯାବତ ଅନେକ ଆଦିବାସୀ ସଂପ୍ରଦାୟର ଲୋକ ଯଥା ଚେଞ୍ଚୁ, ଗଣ୍ଡ, କୋରାପୁଟର ବଣ୍ଡାଶ୍ରେଣୀ, ରାୟଗଡାର ଲାଞ୍ଜିଆ ସୌରା ଓ ଡଙ୍ଗରିଆ କନ୍ଧ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ, ଯେଉଁମାନେ ବନରେ ହିଁ ଜୀବନ ଯାପନ କରନ୍ତି । ସେମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବେ ବନ ଉପରେ ହିଁ ନିର୍ଭରଶୀଳ ଅଟେ । "ବନ ହିଁ ମାନବର ଶୈଶବର ଦୋଳି" ।


ବନର ପ୍ରାକୃତିକ ଶୋଭା, ଜୀବଜନ୍ତୁଙ୍କ ମୁକ୍ତ ବିଚରଣ, ବିହଙ୍ଗଗଣଙ୍କ ମଧୁର କାକଳୀରେ ମନମୁଗ୍ଧ ପରିବେଶର ମଧୁରିମା ସତରେ କି ମନୋରମ ! ବାସ୍ତବରେ ଉଦ୍ଭିଦ ହିଁ ପ୍ରକୃତ ଖାଦ୍ୟଶସ୍ୟର ଉତ୍ପାଦନକାରୀ । ଉଦ୍ଭିଦ ବିନା ବନ ଅସମ୍ଭବ। ଉଦ୍ଭିଦହୀନ ଜଗତ ମୃତ ଜଗତରେ ପରିବର୍ତ୍ତନ ହୋଇଯାଏ । ଉଦ୍ଭିଦ ହିଁ ପ୍ରାଣୀ ଜଗତକୁ ଜଳ, ଅମ୍ଳଜାନ, ମୃତ୍ତିକା, ତାପଶକ୍ତି, ଔଷଧ, ସୁଗନ୍ଧିତ ଦ୍ରବ୍ୟ, ଜାଳେଣି କାଠ, ଛାୟା ଆଦି ପ୍ରଦାନ କରିଥାଏ । ପ୍ରାଣୀମାନଙ୍କ ପରିତ୍ୟକ୍ତ ଅଙ୍ଗାରକାମ୍ଳ ଗ୍ରହଣ କରି ପ୍ରାଣବାୟୁ ଯଥା ଅମ୍ଳଜାନ ଯୋଗାଇଥାଏ । ଯଦି ଉଦ୍ଭିଦ ଏ ବାୟୁ ଯୋଗାଇ ନଥାନ୍ତା ତାହେଲେ ଜୀବ ଜଗତରେ ଜୀବଙ୍କ ଜୀବଧାରଣ ସମ୍ଭବ ହୋଇ ନଥାନ୍ତା । ସୃଷ୍ଟି ଓ ଜୀବର ବିବର୍ତ୍ତନ କ୍ଷେତ୍ରରେ ବି ବନର ବିଶେଷ ଭୂମିକା ରହିଥିଲା, ଆଗକୁ ରହିବ ମଧ୍ୟ । ପ୍ରକୃତିର ସମସ୍ତ ସୃଷ୍ଟି ମଧ୍ୟରୁ ବନ ଅନ୍ୟତମ । ସୃଷ୍ଟିକର୍ତ୍ତା ଏହା ଜଗତକୁ ସର୍ବତ୍ର ଦାନ କରିଛନ୍ତି । ସତରେ ଆମେ ମହାନ ଯେ ତା'ର ମଧୁରିମାକୁ ଉପଭୋଗ କରିପାରୁଛେ । ମାନବର ଜନ୍ମରୁ ଜୁଇ ପର୍ଯ୍ୟନ୍ତ ବୃକ୍ଷ ସହ ନିବିଡ ସମ୍ପର୍କ ଅଛି । କିନ୍ତୁ ଆମେ କ'ଣ କରୁଛେ ତା ପ୍ରତିବଦଳରେ ? ଧ୍ଵଂସ ମୁଖରେ ଠେଲି ଦେଉଛେ ସେଇ ସବୁଜ ବନାନୀକୁ ।


ଏକଦା ବନଥିଲା ଶ୍ୟାମଳିମା ସୁଶୋଭିତ ସୌନ୍ଦର୍ଯ୍ୟର ଗନ୍ତାଘର । ପୃଥିବୀ ପ୍ରସିଦ୍ଧ ଭାରତରେ ଆୟୁର୍ବେଦର ମୂଳ ଉପାଦାନ ଏଇ ବନରୁ ହିଁ ସଂଗ୍ରହ ହୋଇ ପାରୁଥିଲା । କିନ୍ତୁ ବର୍ତ୍ତମାନ ତାହା ପାଲଟିଯାଇଛି ମରୁଭୂମି ସଭ୍ୟ ମାନବର କବଳରେ । ଅନେକ ଉପାଦେୟ ଔଷଧିୟ ବୃକ୍ଷ ଲୋପ ପାଇଗଲାଣି । ବର୍ଦ୍ଧିତ ଜନସଂଖ୍ୟାର ବୃଦ୍ଧିରେ ବିକାଶର ବାହାନାରେ, ଶିଳ୍ପବାଣିଜ୍ୟ କଳକାରଖାନାର ଅଭିବୃଦ୍ଧିରେ ବନଭୂମି ଆଜି କଂକ୍ରିଟ ଜଙ୍ଗଲ ସାଜିଛି । ମଣିଷର ନିର୍ବିଚାର ପଦକ୍ଷେପ ଧରଣୀକୁ ବିନାଶମୁଖରେ ଠେଲି ଦେଇଛି । ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇ ପୃଥିବୀରେ ଅନେକ ଅହେତୁକ ଘଟଣାମାନ ଘଟୁଛି । ଅତିବୃଷ୍ଟି, ଅନାବୃଷ୍ଟିର କାରକ ସୃଷ୍ଟି ହେଉଛି ବନର ବୃକ୍ଷ କ୍ଷୟ ହେତୁ । ପ୍ରାକୃତିକ ଜଙ୍ଗଲର ବିନାଶ ହେତୁ ଆଜି ପୃଥିବୀର ଅନେକ ଜୀବଜନ୍ତୁ ଲୋପ ହେଇ ଯିବାକୁ ବସିଲେଣି । ଆଜିର ବନ୍ୟଜନ୍ତୁଙ୍କ ଯେଉଁ ପ୍ରତିକୂଳ ପରିସ୍ଥିତି ଚାଲିଛି ଏଥିପାଇଁ ସଭ୍ୟ ସମାଜ ହିଁ ଦାୟୀ । ହୁଏତ ଆଗାମୀ କିଛି ବର୍ଷ ପରେ ସେଗୁଡିକ ମଧ୍ୟ ଦେଖିବାକୁ ମିଳିବେ କେବଳ ମ୍ୟୁଜିୟମରେ କିମ୍ବା ଫଟୋରେ । ତେଣୁ ସମାଜର ପ୍ରତ୍ୟେକ ମାନବ ବୃକ୍ଷର ମହତ୍ତ୍ୱକୁ ହୃଦୟଙ୍ଗମ କରିବା ଉଚିତ । ଖାଲିସ୍ଥାନ, ରାସ୍ତା କଡ଼, ପଡିଆ ଇତ୍ୟାଦି ଜାଗାରେ ପରିବାର ତଥା ସମସ୍ତ ଲୋକେ ଯଦି ଗୋଟିଏ ଗୋଟିଏ କରି ବୃକ୍ଷରୋପଣ କରିପାରି ତା' ମହତ୍ଵ ବିଷୟରେ ଅବଗାହନ କରାଇପାରିବା ପୁର୍ନବାର ଆମ ବନଭୂମି ହସି ଉଠିବ ।


ଆଜିର ସଭ୍ୟ ଶିକ୍ଷିତ ମାନବକୁ ହୁଏତ ସେଇ ସରଳ ଆଦିବାସୀଙ୍କ ଠାରୁ ଅନେକ ଶିଖିବାକୁ ବାକି ଅଛି, କାରଣ ସେମାନେ ଅଧିକ ପାଠୁଆ ନହେଲେ ବି ବନର ମହତ୍ଵ ବୁଝନ୍ତି, ତାକୁ ଦେବତା ବୋଲି ପୂଜା କରନ୍ତି, ତା'ର ସୁରକ୍ଷା କରନ୍ତି । ଯଦି ବିଜ୍ଞାନୀ ମାନବ ନିଜ ଜ୍ଞାନ ବଳରେ ଅସମ୍ଭବକୁ ସମ୍ଭବ କରିପାରୁଛି ବୋଲି ଡିଣ୍ଡିମ ପିଟୁଛି ତା'ହେଲେ ଏଇ କାମ କରିବାକୁ ପଛଘୁଞ୍ଚା କାହିଁକି ! ଆଗାମୀ ଭବିଷ୍ୟତର ପ୍ରତିକୂଳ ପରିସ୍ଥିତିକୁ ଏଡେଇବାକୁ ହେଲେ ଏବେ ଠାରୁ ବୃକ୍ଷରୋପଣର ଗୁରୁଦାୟିତ୍ଵ ମୁଣ୍ଡାଇ ତା'ର ମହତ୍ଵକୁ ବଜାୟ ରଖି ପ୍ରକୃତିମାତାର ମୁଖେ ହସ ଫୁଟାଇବାକୁ ହେବ । ଫଳରେ ପୁଣି ନୂତନଭାବେ ରୁଦ୍ଧିମନ୍ତ ହେବ ଆମ ପ୍ରକୃତି । ଆମେ ସବୁଜ ଶ୍ୟାମଳ ଧରଣୀରାଣୀକୁ ରୌଦ୍ରତାପରୁ ରକ୍ଷା କରିପାରିବା । ଅତୀତର ପୂଣ୍ୟପୂତ ମହିମାର ଗୁଣ ଗାଇବା ଓ ପରିବେଶକୁ ସ୍ୱଚ୍ଛ ରଖି ଆସନ୍ନ ବିପଦରୁ ରକ୍ଷା ପାଇବା ।

Post a Comment

1 Comments

  1. ସୁନ୍ଦର ପ୍ରବନ୍ଧଟି ଉଷାରାଣୀ ଦିଦି | ବନର ରହସ୍ୟ, ଆବଶ୍ୟକତାକୁ ଆପଣ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ଆପଣ ଏହି ଲେଖା ମାଧ୍ୟମରେ | ଆଶାକରୁ ପାଠକ ପାଠିକାଂକ ମାନସରେ ଏହା ପରିବର୍ତ୍ତନ ଆଣିବା ସଂଗେ ସଂଗେ ସମାଜରେ ବିକଳ୍ପ ଆଣୁ | ଧନ୍ୟବାଦ୍ |

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।