Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ରମ୍ୟଗଳ୍ପ - ଫଟାରସିକ ନଣ୍ଡା ନାୟକ - ଇଂ ବିଦ୍ୟାଧର ପଣ୍ଡା

ଇଂ ବିଦ୍ୟାଧର ପଣ୍ଡା
ଏଲ-୧୭/୧୫ - ପଞ୍ଚସଖା ନଗର
ଖଣ୍ଡଗିରି, ବୁବନେଶ୍ଵର - ୭୫୧୦୧୯

ନଣ୍ଡା ନାୟକ ମୁଣ୍ଡରେ ବୋଝେ ଚୁଟି । ଜନ୍ମବେଳେ ଦେହ ମୁଣ୍ଡରେ ରୁମଟିଏ ନଥିବାରୁ ଧାଇ ପ୍ରଥମେ ତାକୁ ନଣ୍ଡା ନଣ୍ଡା ଡାକିଲା । ପରେ ସେହି ନାଁ’ରେ ସିଏ ବିଖ୍ୟାତ ହୋଇଗଲା । ନଣ୍ଡାର ଦୁଇ ଭାଇ ଓ ତିନି ଭଉଣୀ । ଇଏ ମଝିଆଁ । ବଡ ଭାଇ ଗାଣ୍ଡୁ ଓ ସାନ ଭାଇ ଛୋଟୁ, କୋଡପୋଛା । ନଣ୍ଡା ତଳେ ପଛକୁ ପଛ ତିନୋଟି ଯାକ ଭଉଣୀ । ଝିଅ ମାନଙ୍କ ମଧ୍ୟରେ ବଡ ନାଣ୍ଡି, ତା ତଳ ହୁଣ୍ଡି ଏବଂ ସଭା ସାନ ଭେଣ୍ଡି, ସଦା ବେଳେ ନାଳ ଗଢଉଥିବ । ବାପା ଅଗାଧୁ ନାୟକ ସରକାରୀ ସ୍କୁଲର ପିଅନ । ଯୌଥ ପରିବାର । କକା ଓ ଖୁଡି ସହ ତାଙ୍କର ଚାରୋଟି ଝିଅ ଏକାଠି ରୁହନ୍ତି । ବିଧବା ବୁଢିମାଆ ନଣ୍ଡାକୁ ବହୁତ ଭଲ ପାଆନ୍ତି । ନଣ୍ଡା ବଦମାସି କରେନି । ଭଲ ପାଠ ପଢେ । ଗାଁ ସ୍କୁଲରୁ ପ୍ରଥମ ଶ୍ରେଣୀରେ ପାସ୍ କରିବା ପରେ ମହାରାଜା ପୂର୍ଣ୍ଣ ଚନ୍ଦ୍ର ମହାବିଦ୍ୟାଳୟରେ ଦାଖଲା ନେଇ ଆଇ.ଏସ.ସି. ଉଚ୍ଚ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାରୁ କଟକ ରେଭେନ୍ସା ମହାବିଦ୍ୟାଳୟ ବି.ଏସ୍.ସି. (ପ୍ରାଣୀ ବିଜ୍ଞାନ) ରେ ପଢିବା ପାଇଁ ସ୍ଥାନ ମିଳିଗଲା । ବାଳୁଙ୍ଗା ପ୍ରକୃତି ନଣ୍ଡାର କିଛି ନାହିଁ ମାତ୍ର ଝିଅଟିଏ ଦେଖିଲେ ତା’ପାଖ ଛାଡିବନି । ପ୍ରଥମ ବର୍ଷରେ ସିଏ ତାର ତିନୋଟି ସହପାଠୀକାଙ୍କୁ ଭଲପାଇ ଛାଡି ସାରିଲାଣି । ଏସବୁ ସାଙ୍ଗଙ୍କ କଥା, ଭଉଣୀ ନାଣ୍ଡିକୁ କିଛି ଲୁଚାଏନି । ପ୍ରତିଟି ବ୍ରେକ୍ଅପ୍ ରେ ସିଏ ମାସ ମାସ ଧରି ମାନସିକ ଯନ୍ତ୍ରଣା ସହିଛି । ଏଥର ନିଷ୍ପତି କରିଛି ଯାହାକୁ ଭଲ ପାଇବ ତାକୁଇ ହିଁ ବାହାହେବ, ତେଣୁ ଭଲରେ ସବୁ ପଚରା ଉଚୁରା କରି ସାଙ୍ଗ ହେବ ଏବଂ ପ୍ରେମ କରିବ । ସମ୍ବଲପୁର ନନି ଗେହ୍ଲୀ ଏବର୍ଷ କଲେଜକୁ ନୂଆ ନୂଆ ଆସିଛି । ନଣ୍ଡାଭାଇକୁ ନୋଟବୁକ ମାଗିଲା ବେଳେ ଏତେ ସୁନ୍ଦର ଅଭିନୟ କଲା ଯେ, ନଣ୍ଡା ସେ ରାତିଟା ସାରା ଆଉ ଶୋଇ ପାରିନି । ଆଖି ବୁଜିଦେଲା ବେଳକୁ ଗେହ୍ଲୀର ମୁହଁଟା ଦିଶୁଥାଏ । ପରଦିନ ସକାଳ ୭ଟାରେ ଲେଡିଜ୍ ହଷ୍ଟେଲରେ ହାଜର । ଗେହ୍ଲୀକୁ ସବୁତକ ନୋଟବୁକ ଦେଲା ଆଉ ଟଗରଗଛ ମୂଳରେ କଥା ହଉହଉ କେତେବେଳେ ଅପରାହ୍ନ ୧୧ଟା ହେଲା, କିଛି ଜଣା ପଡିଲାନି । ଦୁହେଁ ଦୁଇଟା ଲେଖାଏଁ କ୍ଲାସ୍ ବି ମିସ୍ କଲେ ସେଦିନ । କିନ୍ତୁ ଦୁଃଖ ନାହିଁ – ନଣ୍ଡାର ପ୍ରେମଗାଡିଟା ଯାହା ଏତେଦିନ ଧରି ଗ୍ୟାରେଜରେ ପଡିପଡି ଖତ ହେଉଥିଲା, ପୁଣିଥରେ ରାସ୍ତାକୁ ଆସିଛି । ଉଇକ୍ ଏଣ୍ଡର କ୍ୟାଣ୍ଡେଲ୍ ଲାଇଟି ଡିନର ଟାଇମ୍ ଫିକ୍ସ ଅପରାହ୍ନ ୪ଟାରୁ ସଂନ୍ଧ୍ୟା ୭ଟା । ରାତ୍ର ୮ଟା ଭିତରେ ଲେଡିଜ୍ ହଷ୍ଟେଲ୍ର ମୁଖ୍ୟ ଫାଟକ ବନ୍ଦ । ଯିଏ ବି ୮ଟା ପରେ ଫେରୁଛି ମାଉସୀ ତା'ର ଲୋକାଲ୍ ଗାଡିୟନଙ୍କୁ ଜଣାଇ ଭିତରକୁ ନେଉଛି । ଗେହ୍ଲୀ ବାପାର ଅନେକ ସାଙ୍ଗ କଟକରେ, ତେଣୁ ଧରା ପଡିଲେ ଅସୁବିଧା ହୋଇଯିବ ।


ଏମିତି କିଛି ଦିନ ଚାଲିଲାପରେ ଗୋଟିଏ ଥର ସିନେମାର ମାଟିନି ସୋ’ ଗଲେ । ଅନ୍ଧାର ଘରେ ପରଦାରେ ଯେତେବେଳେ ନାୟକ ନାୟିକାଙ୍କ ଓଠ ଦି’ହଳ ଧିରେଧିରେ ପାଖକୁ ଆସି ଘସି ହେଲା, ନଣ୍ଡା ଗେହ୍ଲୀର ଜଙ୍ଘକୁ ଚୁମୁଟି ପକେଇଲା । ପଖରେ ସିନେମା ଦେଖୁଥିବା ଦର୍ଶକ ଜାଣିବେନି ବୋଲି, ଯେତେକଷ୍ଟ ହେଲେବି ଗେହ୍ଲୀ ହଲଚଲ୍ ନହୋଇ ନଣ୍ଡାକୁ ପୂର୍ଣ୍ଣ ସହଯୋଗଗ କଲା । ହାତରିକ୍ସାରେ ପାଖାପାଖି ବସି ଫେରିଲା ବେଳେ ନଣ୍ଡା ପଚାରିଲା ଆସନ୍ତା ରବିବାରକୁ ପୁରି ଗଲେ ଚଳନ୍ତାନି । ଗେହ୍ଲୀ କହିଲା ଡେରିହେବ ଯଦି ? ମାଉସିଟା ବିଲକୁଲ୍ ଖଡୁସ୍ ଚୁଡେଲ୍ । ନିଜେ ଦି ଦିଟାଙ୍କୁ ଛାଡି ଏଠି ଚାକିରୀ କରୁଛି କିନ୍ତୁ ଆମ ତକିଆ ତଳେ ଗୋଟାଏ କଣ ଫଟୋ ମିଳିଗଲେ... ...ଛାଡ ସେ ସବୁ ବାଜେ କଥା । ଆମେ ଶନିବାର ଅପରାହ୍ନ ୩ଟାରେ ଏଠାରୁ ବାହାରିବା, ଆଉ ସୋମବାରେ ସକାଳୁ ଫେରି ଆସିବା । ତୁମ ଘରେ କୁହ ମାଉସୀ ଘରକୁ ଯିବ ବୋଲି, ଆଉ ମାଉସୀ ଘରକୁ ଫୋନ୍ କରିଦେବ ଗୋଟିଏ ସାଙ୍ଗର ଜନ୍ମଦିନ ପାଇଁ ମୁଁ ତାଙ୍କ ଘରେ ରହିଗଲି । ଯୋଜନା ସଫଳ ହେଲା ଏବଂ ଦୁହେଁ ଯାଇ ପୁରି ହୋଟେଲରେ ରାତିଟିଏ ବିତାଇଲେ ଗୋଟିଏ ଶଯ୍ୟାରେ କିନ୍ତୁ ପତିପତ୍ନୀ ପରି ନୁହେଁ । ଦୁହେଁ ଦୁହିଁଙ୍କର ହୃଦୟ ଓ ମନକୁ ବିବାହ ବନ୍ଧନରେ ବାନ୍ଧି ହୋଇ ପୁରା ଜୀବନ ସାଥି ହୋଇ ରହିବାର ଶପଥ ନେଲେ । ଖାଲି ଏଇ ପୁରୀରେ ଏକତ୍ର ରହଣୀ କଥାଟି ଛାଡି ଦୁଇଜଣଙ୍କର ଅନେକ ଥଟ୍ଟାମଜ୍ଜା ମୂହୁର୍ତ୍ତ ବିଷୟରେ ନାଣ୍ଡିକୁ ନଣ୍ଡା କହିଦେଇଛି । ଗେହ୍ଲୀ ବାପା କିରାଣୀ ଚାକିରୀ କରନ୍ତି ଆଉ ନଣ୍ଡା ଠାରୁ ସେମାନେ ଟିକିଏ ଉଚ୍ଚ ଜାତିର । ଗେହ୍ଲୀ ତା’ ବାପାଙ୍କୁ ଡରୁଥାଏ । ମଝିରେ ଦିନେ ଏମିତି କଥାକଥାରେ କହି ପକାଇଲା, ଯଦି ମୋର ତୁମ ସାଙ୍ଗରେ ବାହାଘର ନ’ ହୁଏ ? ନଣ୍ଡା ଆଖିରୁ ଠକ୍ ଠକ୍ ହୋଇ ଲୁହ ଗଦା ହୋଇଗଲା । ତୁରନ୍ତ ଗେହ୍ଲୀ ଓଠରେ ପାପୁଲି ରଖି କହିଲା – ଏମିତି ଆଉ କେବେବି କହିବନି । ତୁମକୁ ମୋ’ ରାଣ । ଏଇ ଆଠମାସ ହେଲା ନଣ୍ଡାର ମନ ବହୁତ ପ୍ରଫୁଲ୍ଲ । ଆଗରୁ ତିନି ଜଣ ଝିଅ ଧୋକ୍କା ଦେଇ ସାରିଛନ୍ତି, ତେଣୁ ଏ ସାମାନ୍ୟ କଥାକୁ ମଧ୍ୟ ସହ୍ୟ କରିବାକୁ ସମର୍ଥ ନଥିଲା । ଗେହ୍ଲୀ ତା କାନ ପାଖକୁ ମୁହଁ ନେଇ କହିଲା- ବାବା, ଏବେ ହସ, ମୁଁ ସାତଜନ୍ମ ପାଇଁ ତୁମର, ମୋତେ ତୁମଠାରୁ ଭଗବାନ ବି ଅଲଗା କରିପାରିବେନି । ଦେଢବର୍ଷ ଭିତରେ ଗେହ୍ଲୀ ବହୁତ ଥର ବାରିପଦା ଆସି ନଣ୍ଡା ସାଙ୍ଗରେ ଦୁର୍ଗା ହୋଟେଲରେ ରହିଛି । ନାଣ୍ଡି ସାଙ୍ଗରେ ରକ୍ସି ସିନେମା ହଲ ଯାଇ ଗରମା ଗରମରେ ମୁଢିମାଂସ ଖାଇଛି । ନଣ୍ଡା, ନାଣ୍ଡି ଓ ଗେହ୍ଲୀ – ତିନିଜଣଙ୍କ ଭିତରେ ଗୋଟିଏ ଅତୁଟ ସମ୍ପର୍କ ଗଢି ଉଠିଛି ।


ଦିନକର କଥା । ଗୋଧୂଳୀ ସମୟ କିଛି ବାକି । ପଶ୍ଚିମଦିଗରେ ସୁରୁଜ ତଳମୁହାଁ ହୋଇ ନାଲି ପଡିବାକୁ ଘଡିଏ ଖଣ୍ଡେ ଅଛି । ବାଳୁଙ୍ଗା ଛୁଆଗୁଡା ସ୍କୁଲରୁ ଫେରି ବୋହୁଚୋରୀ ଖେଳରେ ମାତି ଏମିତି ଦୌଡା ଦୌଡି ହେଉଛନ୍ତି ଯେ କଣ୍ଡରାବୁଢା ଦିହରେ ଯାଉନି । ସମସ୍ତଙ୍କୁ ଶଳା ଅଳପେଇଷା ବୋଲି କହି ଏଡୁସେଡୁ ଗାଳିଗୁଲଜ କରୁକରୁ କାଶ ଉଠିଯାଉଚି । ଗାଁ ‘ ମାଇପିଙ୍କର ମଝିକୂଅ ମିଠାପାଣି ପାଇଁ ଆସି ଦୁରଦର୍ଶନ ଧାରାବହିକ ଉପରେ ଆଲୋଚନା ଚାଲିଛି । ଏତିକି ବେଳେ ଖଡ୍ଖାଡ୍ ଧଡ୍ଧାଡ୍ କେଁ କଟର ଶଗଡ ଗାଡି ଶଦ୍ଦକରି ବାରିପଦାରୁ ଆସୁଥିବା ଶିବପାର୍ବତୀ ବସଟି ରହିଗଲା ଗାଁ ମଝିରେ । ଆଜି ବୋଧେ ଗାଁ ର କେହି ଯାତ୍ରୀଙ୍କୁ ନେଇ ଆସିଛି ବୋଲି ସମସ୍ତେ ବସର ବାମପଟ ଫାଟକ ପାଖକୁ ଅନେଇଲେ । କଟକରେ ବି.ଏସ.ସି ଶେଷବର୍ଷର ଛାତ୍ର ପଢୁଥିବା ନଣ୍ଡା ନାୟକକୁ ଓହ୍ଲାଇ ବସଟି ଚାଲିଗଲା । ହାତରେ ଆଟାଚିଟିଏ ଓ ମୁଖ ମଣ୍ଡଳ ଶୁଖିଲା । ଚନ୍ଦ୍ରବଦନରେ ତେଜ ନାହିଁ । ବସ୍ ରହଣି ଜାଗାରୁ କିଛି ଦୂରରେ ଘର ବାରଣ୍ଡାକୁ ନଣ୍ଡା ଧିରେଧିରେ ଉଠିଯାଇ ହଠାତ୍ ଭୋ’ଭୋ’ କରି ରଢି ଛାଡିଲା । ତା'ର କ୍ରନ୍ଦନ ସ୍ୱରରେ ଗାଁ ଦାଣ୍ଡ କମ୍ପି ଉଠିଲା । ତାକୁ ଏମିତି କାନ୍ଦିବାର ଆଗରୁ କେହି କେବେହେଲେ ଦେଖିନାହିଁ । ବୋହୁଚୋରୀ ଖେଳ ଅଧାରୁ ବାଳୁଙ୍ଗା ଛୁଆଗୁଡା ଦଳଦଳ ହୋଇ ମାଡି ଆସିଲେ । ମଝିକୂଅଟାରୁ ଗରା ବାଲ୍ଟି ଛାଡି ଚାହୁଁ ଚାହୁଁ ସବୁ ମାଇପି ନଣ୍ଡା ପାଖରେ ଜମା ହୋଇଗଲେ । ନଣ୍ଡାଟା ବହୁତ ଭଲପିଲା । ସମସ୍ତେ ତାକୁ ଭଲ ପାଆନ୍ତି । ଛୁଆବେଳେ ସବୁଶ୍ରେଣୀରେ ପ୍ରଥମ । ଶିକ୍ଷକ ମାନେ କୁହନ୍ତି ଦିନେ ନା ଦିନେ ପିଲାଟି ଅଂଚଳର ଟେକ ରଖିବ । ବେଳ ବୁଡିବାକୁ ବସିଲାଣି । ଦୁଃଖିଆଇ ତା ବୋହୁ ସେନ୍ତେରିକୁ ଡାକିଡାକି ବେଦମ୍ ହୋଇ ଗଲାଣି । ଆଜି କାଲିର ବୋହୁ ଗୁଡାକୁ ଦେଖ । ଶାଶୁମା’କୁ ଟିକିଏ ବି ଖାତିର ନାହିଁ । ଯୋଗଣିଖାଇ କୁଆଡେ ମଲା ? କେତେବେଳେ ସଂଜ ଦେବ କେଜାଣି ? ଆମ ବେଳେ ଶାଶୁ ଅନେଇଦେଲେ ଶାଢୀରେ ପରିସ୍ରା ହୋଇଯାଉଥିଲା । ସୁକୁଟି ବୁଢି ବହୁତ କଡକ । ତା ବୋହୁ ମିଂଜିକୁ ରାଗିକି ଚିଲେଇଲାଣି । ଆସୁ ଆଜି ସେ ଅଲକ୍ଷଣୀ । ପାଣି ଗରାଟିଏ ପାଇଁ ଯାଇ କୋଉଠି ଗପୁଚି କେଜାଣି ? ବୋପାମାଆ ତ ଦିଇଟା ଯାକ ଓଘରି । ସଂକ୍ରାନ୍ତିରେ ଶୁଖୁଆ ପୋଡିବେ । ଝିଅଟା ଚୌରା ମୁଳରେ ଦୀପ ଜାଳିବା କଥା ମନେ କାହିଁକି ରଖିବ ? ଆଜି ଆସୁ ସିଏ । ତାର ଦିନକୁ ମୋର ଦିନେ । ପୁଅଟା ତା'ର ମୁହଁ ବଢାଇ ଦେଲାଣି । ମୋତେ ତା'କୁ ସାବାଡ କରିବାକୁ ପଡିବ । ମୋଓରି ଭାଗ୍ୟକୁ ଏମିତି ଗୋଟାଏ ଝିଅ ବିଧାତା ଲେଖିଥିଲା ? ଏମିତି ସମସ୍ତଙ୍କ ଘରେ ସମସ୍ତଙ୍କୁ ଗାଳି ହେବାକୁ ଲାଗିଲେଣି କିନ୍ତୁ ସମୟକୁ କାହାର ନିଘା ନାହିଁ । ସନ୍ଧ୍ୟାବେଳ ଗଡିଗଲା । ସମସ୍ତେ ନଣ୍ଡାକୁ ଆବାକ୍ ହୋଇ ଅପଲକ ନୟନରେ ଚାହିଁଛନ୍ତି । ନଣ୍ଡାର ମାଆ, ଖୁଡୀ, ପରିବାରର ଯେତେ ସାନସାନ ଛୁଆ ସମସ୍ତେ ରୁଣ୍ଢ ହୋଇ ନଣ୍ଡାକୁ ଦେଖୁଥାନ୍ତି । ଭାଉଜ ହଗୁରି ଦିଶୁନି । ସିଏ ଆସିଲେ ନଣ୍ଡାକୁ ପଚାରି ବୁଝନ୍ତା ଏପରି କାନ୍ଦିବାର ପ୍ରକୃତ କାରଣ କଣ ? ନହେଲେ ନଣ୍ଡା କହିବ କେବଳ ତା ସାନ ଭଉଣୀ ନାଣ୍ଡିକୁ । ତା ସାଂଗରେ ସବୁ ଖୋଲାଖୋଲି କଥା ହୁଏ । ଆଜିକୁ ଭଉଣୀ ବି ଏପର୍ଯ୍ୟନ୍ତ ଫେରିଲାନି । ମଝିରେ ମଝିରେ ନଣ୍ଡା ରାହା ଧରି କାନ୍ଦି କାନ୍ଦି ବନ୍ଦ ହୋଇ ଯାଉଥାଏ । ନଣ୍ଡା ମାଆ ଆଖି ପୋଛି ଡାକ ପକେଇଲେ – ହଗୁରୀ ! ହଗୁରୀ.. ଇ.. । କୁଆଡେ ମରିଚୁ ? ପାଇଖାନା ଭିତରେ କାଳ ହେଇଗଲୁନା କଣ ? ବାହାରକୁ ଆ, ବୁଝ୍ ଟିକେ ଛୁଆଟା କାହିଁକି କାନ୍ଦୁଚି ? ବୁଢୀର ଡାକ ହଗୁରୀ ଭାଉଜକୁ କିପରି ଶୁଭିବ ? ହଗୁରୀ ଭାଉଜର ଝାଡାଯିବା କାର୍ଯ୍ୟକ୍ରମଟି ତିରିଶରୁ ପଇଁତିରିଶ ମିନିଟରେ ସମ୍ପୂର୍ଣ୍ଣ ହୁଏ । କାଲି ଖାସିମାଂସ ସହ ଘିଅ ଗିଳିଛନ୍ତି, ତେଣୁ ଅଧିକ କିଛି ମିନିଟ ନିହାତି ଲାଗିବ । ନଣ୍ଡାର ଭାଇ ଗାଣ୍ଡୁ ବି ଯୋଗାଡିଆ ସରକାରୀ ପିଅନ । ବାବୁଙ୍କର ବିଶ୍ୱସ୍ତ ହୋଇ ଥିବାରୁ ଭଲ ଦି’ପଇସା ଉପରି ଅଛି । ତେଣୁ ପାଇଖାନା ଘରେ ପଶ୍ଚିମଶୈଳୀର ପ୍ୟାନ ସହ ଫ୍ୟାନ୍ ଟିଏ ବି ଲଗାଇଛନ୍ତି । ନହେଲେ ମଶା ଗୁଡିକ ହଗୁରୀ ଭାଉଜର ଯାଗା ଅଜାଗାକୁ କାମୁଡି କାମୁଡି ଫୁଲେଇ ନାଲି ପକାଇ ଦେଉଥିଲେ । ଏବେ କିନ୍ତୁ ସବୁ ଠିକ୍ । ଭାଉଜ ବି ଭିତରକୁ ପଶିଲା ବେଳେ ଦୁଇଟି କଛୁଆ ଛାପ ଧୁପବତୀ ସହ ହାତରେ ଗୋଟିଏ ପତ୍ରିକା ଓ ଚଷମା ନେଇ ପଶନ୍ତି । ମାଆ ବ୍ୟସ୍ତ ହେଲେ କଣ ହେବ ? ଭାଉଜ ବି ଆରାମରେ ପଙ୍ଖା ଲଗାଇ ଚଳଚିତ୍ର ଦୁନିଆର ଗପ ଦୁଇଟା ସାରୁ ସାରୁ ଆପେ ଆପେ ପେଟ ଖାଲି ହୋଇଯାଏ । ନଖିଆ ଆଉ ଭଗିଆ ଭେଣ୍ଡା ଦୁଇଟା ଯାକ ନଣ୍ଡାର ଭଲ ସାଙ୍ଗ । ହେଲେ ଦରକାର ବେଳକୁ ସହର ପଳେଇଛନ୍ତି କେହି ଜଣେ ବି ଗାଁ ମାଟିରେ ନାହାନ୍ତି । ଆସୁ କେତେ ବେଳକୁ ଆସୁଚି ସେ ପୋଡାମୁହିଁ ହଗୁରୀ ।


ମୁଣ୍ଡଟିକୁ ତଳକୁ ପୋତି ନଣ୍ଡା ସେମିତି ସୁଁ ଉଁ ସୁଁ ଉଁ ହୋଇ ମଝିରେ ମଝିରେ ଧକେଇ ପକଉଥାଏ । ଲୁହଗୁଡା କେତେଦିନରୁ ଜମ୍ମା ହୋଇ ରହିଥିଲା କେଜାଣି ଯେ ବନ୍ଦ ହେବାର ନାଁ ନେଉନି । ହଗୁରୀ ଭାଉଜର ପାଉଁଜି ଶଦ୍ଦ ଶୁଣାଗଲା । ପାଇଖାନାରେ ଏତେ ସମୟ ରହିଲେ ସବୁଯାକ ପିନ୍ଧାପୋଷାକ ସହ ଦେହହାତ ବି ଗନ୍ଧେଇଯାଏ । ଦିନେ ଶୋଇବା ପୂର୍ବରୁ ଭାଉଜଙ୍କୁ ଦୁଇ ଲାଗିଲା । ସେଦିନ ଭାଉଜ ସାଙ୍ଗରେ ଶୋଇବା ବେଳେ ଭାଇଙ୍କୁ ବହୁତ ଗନ୍ଧ ହେଲା । ସାୟାରେ ଛିଟା ପଡିଯାଇଥିଲା ନା କଣ କେଜାଣି ? ଅଗରବତୀ ଖଟ ଚାରିପଟ ସବୁ ସନ୍ଧିରେ ଗେଂଜିଲା ପରେ ବି କିଛି ଲାଭ ହେଲାନି । ଗନ୍ଧ ହଟାଇବାର କିଛି ବି ଯୋଗାଡ ମୁଣ୍ଡରେ ନପଶିବାରୁ ଶେଷରେ ମନକୁ ବୁଝାଇ ଦେଇ ଅଶାନ୍ତିରେ ଶୋଫାରେ ଶୋଇ ପାହାନ୍ତା ପ୍ରହରକୁ ଖଟକୁ ଆସିଲେ । ପରଦିନ ଭଳିଭଳି ଅତର, ବାସ୍ନା ତେଲ ଆଦି ଫେରିଲା ବେଳେ ଘରକୁ ଆଣିବାକୁ ମୋଟରୁ ଭୁଲିଲେନି ଗାଣ୍ଡୁଭାଇ । ତେଣୁ ଭାଉଜଙ୍କର ଅଭ୍ୟାସ ଯେ ପାଇଖାନାରୁ ବାହାରିଲେ ସିଏ ଟିକିଏ ମେକ୍ଅପ୍ ନିଅନ୍ତି । ଭାଇ ଆଣିଥିବା ଦେହଲଗା ଚିକ୍କଣିଆ ସ୍ନୋ କ୍ରିମ୍ ସାଂଗକୁ କ’ଣ କ’ଣ ସବୁ ଲଗାଇ ବାହାରକୁ ବାହାରନ୍ତି ଯେ ପ୍ରାୟ ଘଡିଏଁ ଯାଏ ତାଙ୍କ ଚାରିପଟ ଦଶପାହୁଣ୍ଡ ଗୋଲାଇ ମହକୁଥାଏ । ଆଜି କଥା କିନ୍ତୁ ଅଲଗା । ଦିଅରଟା କାନ୍ଦି କାନ୍ଦି ଦରମରା ହେଲାଣି । ତେଣେ ଭାଉଜ ଦର୍ପଣ ଆଗରେ ଓଠକୁ ଚୁଚୁନ୍ଦ୍ରା ପରି କରି ରଙ୍ଗ ମାଖୁଛନ୍ତି । ଶାଶୁ ବୁଢୀ ମୁଣ୍ଡରେ ପିତ ଚଢିଗଲା । ଚିଲେଇକି ଡାକିଲା ହଇଲୋ ବଜାତୁଣି କେତେ ଘଡି ହଗୁଚୁ ? ପାଉଡର ମାଖିବା ପଛକୁ ଥାଉ । ଆଗ ଆସି ଦେଖ ପୁଅଟା କାହିଁକି କାନ୍ଦୁଛି ? ଡ୍ରେସିଂ ପେଟିଂ ରାତିକି ହେବୁ ଟିକିଏ ଜଲଦି ବାହାର କୁ ଆ’ । ଭିଡର ପଛରୁ ସୁକୁଟିବୁଢୀ ଫୁଲେଇଆଇର ମୁହଁରେ ମୁହଁକୁ ଲଗାଇ କହୁଚି – ମୋତେ ଲାଗୁଚି ନଣ୍ଡା ପରୀକ୍ଷାରେ ଫେଲ୍ ହେଇଯାଇଚି । ଦୁଇ ବୁଢୀଙ୍କର କଥାକୁ ପସନ୍ଦ ନକରି ମିଂଜି ଭାଉଜ କହିଲା ପାଠରେ ଫେଲ୍ ହେଲେ କିଏ କଣ ଏତେ ଜୋରରେ ଏତେ ସମୟ ଧରି କାନ୍ଦିବ ? ମୋତେ ଲାଗୁଚି ସହର ଯାଇ ନଣ୍ଡା କିଛି ଲଫଡା କରିଚି । କାହା ବାଡ ଡେଇଁ ମାଡଫାଡ ଖାଇଛି ବୋଧେ । ହେଲେ ଖାଲି କାନ୍ଦିଲେ କିଏ କଣ ଜାଣିବ ? ଛୋଟି ଭାଉଜର ଦର୍ଶନ ପୁରା ଅଲଗା । ମୋ ହିସାବରେ ଆଜିକାଲି ପୁଅମାନଙ୍କୁ କୋଉ ଗୋଟେ ଅଚିହ୍ନା ରୋଗ ହେଇ ଯାଉଚି ଯେ - କିଛି ବି ଛୋଟମୋଟ ରୋଗରେ ମଧ୍ୟ ଖରାପ ହେଇଯାଉଛନ୍ତି । ଯିଏ ତାଙ୍କୁ ବାହା ହେଲା ତା'କୁ ବି ସେଇ ରୋଗ ହଉଚି । ସେ ରୋଗର ଏପର୍ଯ୍ୟନ୍ତ ଔଷଧ ବାହାରିନି । ହେଲା ମାନେ ଜୀବନ ନଷ୍ଟ । ମୋତେ ଲାଗୁଚି କୋଉ ବୈଦ୍ୟ କି ଡାକ୍ତର ନଣ୍ଡାକୁ କିଛି କହିଛି ଯେ ତା'କୁ ଏ ରୋଗ ଗ୍ରାସିଚି ବୋଲି । ସହରରେ ଏସବୁ ରୋଗ ହେବାର ସମ୍ଭାବନା ରହିଛି କାରଣ ବହୁତ ବାରଙ୍ଗନା ବୁଲୁଛନ୍ତି । ବୟସ କଥା । ନଣ୍ଡାଟା ଭଲ ପିଲା କିନ୍ତୁ କିଏ କହିବ କେତେବେଳେ କଣ ? ସହରୀ ଝିଅଗୁଡା ବି ଏତେ ଛୋଟଛୋଟ ପୋଷାକ ପିନ୍ଧୁଛନ୍ତି ଯେ ପୁଅ ଛୁଆ ଗୁଡା ସମ୍ଭାଳିବା କଷ୍ଟ । ମୋ ଭାଇକୁ ଦେଖୁନୁ ଗାଁ ରେ ମାଛିକୁ ମ’ କହୁ ନ ଥିଲା, କିନ୍ତୁ ସହର ଗଲା ଦିନରୁ ଯେତେବେଳେ ଛୁଟିରେ ଆସୁଚି ଘଡିଏ ଘଡିଏ ଗୋଟାଏ ଝିଅ ସାଥିରେ ଫୁନରେ କଥା ହଉଚି । ତା ଫଟୋ ବି ଫୁନରେ ରଖିଚି । ଦେଖିବାକୁ ସାକ୍ଷାତ ରଣଚଣ୍ଡୀ । ଓଠରେ ନାଲିରଙ୍ଗ ବୋଳି କାଖକଟା କାମିଜିରେ ଛାତିକୁ ଉଠେଇ ଯାହା ଦେଖା ଯାଉଚି କଣ କହିବି । ଥରେ ଆମ ଘରକୁ ଆସିଥିଲା ଯେ ଆମ ପଡୋଶୀ ଟୋକାଗୁଡା ଖାଲି ପାଣି ମାଗିବାକୁ ଆସିଲେ । ଲାଜ ସରମ କିଛି ନାହିଁ, ଟୋକାଙ୍କ ଉପରେ ଆସି ବାଡେଇ ହେବେ । ମୋତେ ଲାଗୁଚି ନିଶ୍ଚୟ ଏଇଭଳି କିଛି କଥା ।


ଗାଁ ମାଇପିଙ୍କର ଏସବୁ ଟୁପୁରୁ ଟାପୁରୁ କାନରେ ଶୁଣିଶୁଣି ମାଆ ଆଉ ଖୁଡୀଙ୍କର କାନ ଝାଇଁ ମାରିବାକୁ ଲାଗିଲାଣି । ଏତିକି ବେଲକୁ ହଗୁରୀ ଭାଉଜର ବାସ୍ନା ଆସିଲା । ଏତେ ଗହଳି ଦେଖିକି ଚମକି ପଡିଲେ ଭାଉଜ । ବାହାରକୁ ଆସି ଦେଖିଲେ ଗାଁ ଯାକର ଅଣ୍ଡା ପିଚିକା ସବୁ ନଣ୍ଡାକୁ ମଣ୍ଡଳି କାଟି ସର୍କସ ଦେଖିଲା ପରି ଛିଡା ହୋଇଛନ୍ତି । ଭିତରକୁ ଆଡେଇ ଧସେଇ ପଶି ଦେଖୁଛନ୍ତି ନଣ୍ଡାଟା ମଣିଷମରା ଆସାମୀ ପରି ମୁହୁଁ ପୋତି ଲୁହ ଗଢଉଚି । ତୁରନ୍ତ ନଣ୍ଡାର ଚିବୁକରେ ଟିକେ ଟିପ ଲଗାଇ ଓଠକୁ କଅଁଳ କାଲୁଆ ପାପୁଲିରେ ଟେକି ଦେଖିଲେ ଆଖିଗୁଡା କାନ୍ଦିକାନ୍ଦି ଫୁଲି ଗଲାଣି । ଲୋକେ ଠିଆଠିଆ ପାଲା ଦେଖି ଫୁସୁଲାଫୁସୁଲି ହେଉଛନ୍ତି । ଭାଉଜଙ୍କ ରାଗ ପଂଚମ । ଗହଳିକୁ ଚାହିଁ କହିଲେ ସମସ୍ତେ ନିଜନିଜ ଘରକୁ ଚୁପଚାପ ଚାଲିଯା’ । ଏଠି କଣ କାହାର ଛିଣ୍ଡି ପଡିଚି । ସବୁ ତାମସା ଦେଖିବାକୁ ପଳାଇ ଆସିଚ । ନଣ୍ଡାର ହାତ ଧରି ଭିତରକୁ ଟାଣି ନେବାବେଳେ ଦାଣ୍ଡ ଦୁଆର ପାଖରେ ନିଜର ପରିବାର ଲୋକମାନଙ୍କୁ ଖଂଜାରେ ପୁରାଇ ଭିତରପଟୁ କିଳିଣି ଲଗାଇ ଦେଲେ । ଭାଉଜ ଦିଅରଙ୍କର ଭଲ ପଡେ । ନଣ୍ଡାକୁ ଧରିଧରି ନେଇ ପଲଙ୍କ ଉପରେ ବସାଇ ଆଲେଣାରୁ ଗାମୁଛାଟିଏ ଦେଇ ମୁହଁ ପୋଛିବାକୁ ତାଗିଦ କଲେ । ଟିକିଏ ପରେ ପଚାରିଲେ କଣ ହେଲା ? କାନ୍ଦୁଛ କାହିଁକି ? ନଣ୍ଡା ଖାଲି ସମସ୍ତଙ୍କୁ ବଲବଲ ହୋଇ ଅନଉଥାଏ । ଭାଉଜ ଚଢା ଗଳାରେ ଗର୍ଜନ କରି ପଚାରିଲେ – ତୁମ ପାଟିରେ କ’ଣ ବିଣ୍ଡା ମଡା ହେଇଚି ? କହୁନ କାହିଁକି କ’ଣ ହେଇଚି ? ଭାଉଜ ଟିକିଏ ବିରକ୍ତି ଭାବରେ ନଣ୍ଡାକୁ ଦେଖିଲା ବେଳକୁ ଦାଣ୍ଡ ଦୁଆର କବାଟରୁ ଠକ୍ ଠକ୍ ଶଦ୍ଦ ଶୁଣାଗଲା । ଖୁଡୀ ଯାଇ ଦେଖିଲେ ନାଣ୍ଡି ଆସିଲା । ଏଥର ମାଆ ଓ ଖୁଡୀ ଟିକିଏ ଆଶ୍ଵସ୍ତି ଅନୁଭବ କଲେ । ନାଣ୍ଡି ଆଉ ନଣ୍ଡା ବର୍ଷେ ସାନବଡ । ନଣ୍ଡା ସବୁ ଗୋପନ କଥା ବି ନାଣ୍ଡିକୁ ବେଳେବେଳେ କହିଥାଏ । ଘରଟିରେ ନଣ୍ଡା ଓ ଭାଉଜ ପଲଙ୍କ ଉପରେ ବସିଥାନ୍ତି । ମାଆ ଆଉ ଖୁଡୀ ପାଖରେ ଥିବା ଚୌକି ଦୁଇଟିରେ । ଏଥିସହ ନଣ୍ଡାର ଦୁଇ ସାନଭାଇ ଓ ଖୁଡୀଙ୍କର ଚାରୋଟି ଝିଅ କାନ୍ଥକୁ ଆଉଜି ଛିଡା ହୋଇଥାନ୍ତି । ନାଣ୍ଡି ଗୋଟିଏ ବର୍ଷ ସାନ ହେଲେ ବି ନଣ୍ଡାକୁ ସାଙ୍ଗ ଭଳି ଦେଖେ ଆଉ ତୁ ତା କରି କଥାହୁଏ । ନାଣ୍ଡି ସମସ୍ତ ବୃତ୍ତାନ୍ତ ଜାଣିଲା ପରେ କାଳ ବିଳମ୍ବ ନକରି ନଣ୍ଡା ଆଡେ ଚାହିଁ ପଚାରିଲା – କନ୍ଦାକନ୍ଦି ନାଟକ ବନ୍ଦ କର ଆଉ ଜଲଦି କହ ତୋର କଣ ହେଇଚି ? ନାଣ୍ଡିକୁ ଦେଖି ନଣ୍ଡା ବି ଟିକିଏ ସହଜ ପ୍ରକୃତିସ୍ଥ ହେବାକୁ ଲାଗିଥିଲା । ପୁଣି ଥରେ ଆରମ୍ଭରେ କାନ୍ଦିଲା ପରି ନଣ୍ଡା କୋହ ଉଠାଇ ରାହା ଧରି ଥଙ୍ଗଥଙ୍ଗ ଗଳାରେ କହିଲା – ମୋ ଝିଅସାଙ୍ଗ ଗେହ୍ଳୀ ବାହାଘର ଠିକ ହେଇଚି, ଏଇ ଆସନ୍ତା ଶୁକ୍ଲପକ୍ଷ ଦ୍ୱିତିୟା ଦିନ । ମୋଟେ ଛଅ ଦିନ ବାକି ଅଛି । ମୁଁ ଗେହ୍ଳୀ ବିନା ଆଦୌ ବଂଚି ପାରିବିନି । ଗେହ୍ଳୀର ସାଙ୍ଗ ନାକେଇ କହୁଥିଲା ସିଏ ବି ମୋତେ ଚାହୁଁଛି ଆଉ ବହୁତ କାନ୍ଦୁଛି । ତା'ର ବି ସେ ବାହାଘରରେ ମୋଟେ ଇଛା ନାହିଁ । ମୋତେ କିଛି ବୁଦ୍ଧିବାଟ ଦେଖା ଯାଉନି । ମୁଁ ଆତ୍ମହତ୍ୟା କରି ଦେବି । ମୁଁ ତାକୁ ବହୁତ ଭଲ ପାଉଚି । ଏ ବିଛେଦ ଯନ୍ତ୍ରଣା ମୋ ପାଇଁ ଅସହ୍ୟ । ମୁଁ ମରିଯିବି । ଏତିକି ଶୁଣି ନାଣ୍ଡି ଫେଁ ଫେଁ ହୋଇ ହସିବାକୁ ଆରମ୍ଭ କଲା । ତା'କୁ ଦେଖି ଘରଲୋକବି ହସିବାକୁ ଲାଗିଲେ । ଖୁଡୀ ନାଣ୍ଡିକୁ ପଚାରିଲେ ଇଏ ଗେହ୍ଳୀ କିଏ କିଲୋ ଝିଅ ? ତା’ ଘର କୋଉଠି ? କୋଉ ଜାତିର ? ଆମ ନଣ୍ଡା ସାଙ୍ଗରେ କେବେଠାରୁ ସମ୍ପର୍କ ? ନାଣ୍ଡି ଦାନ୍ତ କଡମଡ କରି ନଣ୍ଡାଆଡେ ଚାହିଁଲା ଆଉ ତା'ପରେ ମାଆ ଆଡକୁ ତୀକ୍ଷ୍ନ ଦୃଷ୍ଟିରେ ଚିଲେଇ କି କହିଲା ତୋ ପୁଅ ନଣ୍ଡା ନାୟକ ଏବେ ଗୋଟିଏ ଫଟାରସିକ । ତା ସାଙ୍ଗରେ ପାଠ ପଢୁଥିବା ସମ୍ବଲପୁର ନନି ଗେହ୍ଳୀକୁ ଇଏ ରସି ଯାଇଛି । ଗେହ୍ଳୀ ବାପା ଗେହ୍ଳୀକୁ ନ’ପଚାରି ତା'ର ଇଛା ବିରୁଧରେ ବାହାଘର ଠିକ କରିଛନ୍ତି । ଆଉ ଛଅଦିନ ପରେ ବର ଆସିବ, ତା’ର ବାହାଘର ହେବ । ସେଥିପାଇଁ ତୋ ଶିଶୁପାଳ ପୁଅ ଏତେ କାନ୍ଦୁଚି ଆଉ ଆତ୍ମହତ୍ୟା କରିବ ବୋଲି କହୁଛି ।


ସମସ୍ତେ ଏକଥା ଶୁଣି ହସିବାକୁ ଲାଗିଲେ କିନ୍ତୁ ନଣ୍ଡା ମନ ମାରି ମୁହଁ ତଳକୁ ପୋତିଥାଏ । ଭାଉଜ ପଖକୁ ଯାଇ ନଣ୍ଡା କାନ୍ଧରେ ହାତ ରଖି ପଚାରିଲେ – ସେ ଝିଅ ଫଟୋ ଦେଖି ? ନଣ୍ଡା ମୋବାଇଲର ସାମନା ପରଦା ଫଟୋକୁ ଠାରିଲା । ଆଛା- ତେବେ ଏଇ ସାଇଜର ଏଇ ରଙ୍ଗର ଏମିତିକା ଗୋଟେ ଝିଅ ଯୋଗାଡ କଲେ ଚଳିବ ? ନାଁ ତାକୁଇ ଦରକାର ? ନାଣ୍ଡି ତା’ପାଖରେ ଆଉଜିକି ବସିପଡି କାନରେ ସମସ୍ତଙ୍କୁ ଶୁଭିଲା ପରି ନରମ ଗଳାରେ କହିଲା ତା ବାହାଘର ଦିନ ଆତ୍ମହତ୍ୟା କରିବୁ ନା ପୁର୍ବରୁ ? ଦଉଡି ଦବୁ ନା ବିଷ ଖାଇବାକୁ କହ ? ଏମିତିରେ ଆମ ବାଡିପଟ ପୋଖରୀରେ ପାଣି ଭରିକି ଅଛି । ତୁ ତ ପହଁରା ଜାଣିନୁ । ଚାଲୁନୁ ସେଇଠି ଯଦି ଚେଷ୍ଟା କରିବୁ ? ମାଆ ଭାଇ ଭଉଣୀର ଥଟ୍ଟାମଜ୍ଜା କଥାରେ ହସ୍ତକ୍ଷେପ କରି ନାଣ୍ଡିକୁ କହିଲା କାଳ କଥା ତୁଣ୍ଡରେ ଧରନ୍ତିନି । ହଗୁରୀ ଯା ଟିକେ ନାଲି ଚା’ କରି ଆଣ୍, ବାବୁକୁ ଦେ । ତା'ର ମୁଣ୍ଡ ଥଣ୍ଡା ହେଉ ପଛରେ କଥା ହେବା । ହଗୁରୀ ଭାଉଜ ମୁରୁକି ହସା ଦେଇ ଯାଉଯାଉ ଦିଅର ଆଡକୁ ଚାହିଁ ମୁହଁ ମୋଡି କହିଲେ ମୁଁ ମୋ ଦିଅରକୁ ଏତକର ବୋଲି ମୋଟରୁ ଭାବି ନଥିଲି । ସାମାନ୍ୟ କଥାରେ ପୁଅ ହେଇ ଏତେ କାନ୍ଦ ? ମାଇଚିଆକୁ ମହୁ ଚଖେଇ ଦେଇଚି ବୋଧେ ? ଛୋପରା ହେଲେ କଥା ସଇଲା, ଭାଇ ଆସନ୍ତୁ । ନାଣ୍ଡି ଶାନ୍ତ ପଡି ନଣ୍ଡାକୁ କହିଲା ତୁ ଗୋଟେ ଅପଦାର୍ଥ ଆଉ ଅଲାଜୁକ । ଲାଜ ସରମ ବୋଲିକି ତୋ ପାଖରେ ଯଦି କିଛି ଥାଆନ୍ତା ଗାଁ’ ରେ ଏତେ ପାଲା କରି ଇଜ୍ଜତ ମହତ ସାରି ନଥାନ୍ତୁ କି ଆତ୍ମହତ୍ୟା କରିବା ନାଁ ଧରନ୍ତୁନି । କହିଲା ନା କ’ଣ ଭଲପାଉଚି... ।

Post a Comment

0 Comments