Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରବନ୍ଧ - ଗଣଚେତନରେ ଶ୍ରେୟ ବନାମ ପ୍ରେୟର ଭେଦାନୁଭୂତି - ଡକ୍ଟର ଲକ୍ଷ୍ମଣ ସାହୁ

ଡ଼କ୍ଟର ଲକ୍ଷ୍ମଣ ସାହୁ
ଅଧ୍ୟାପକ, ଓଡିଆ ବିଭାଗ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟରେ, କଟକ
ଦୂରଭାଷ : ୯୪୩୭୭ ୪୦୨୮୦

ଭଗବାନଙ୍କ ସୃଷ୍ଟିରେ ଅସଂଖ୍ୟ ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟ ମଧ୍ୟ ଏକ ଇନ୍ଦ୍ରିୟଗ୍ରାହୀ ଶ୍ରେଷ୍ଠ ପ୍ରାଣୀ । ଅନ୍ୟ ପ୍ରାଣୀମାନଙ୍କ ଭଳି ମନୁଷ୍ୟର କ୍ଷୁଧା, ତୃଷ୍ଣା, ମୈଥୁନ ରାଗ, ବିରାଗ, ଘୃଣା, ବିଦ୍ୱେଷ, ଭୟ, ସଂକୋଚ, ସ୍ପର୍ଶ, କାତର ଆଦି ଶଦ୍ଦ ଅନୁଭୂତ ହୁଏ । ହେୟ, ଉପାଦେୟର ଭେଦଞ୍ଗାନ ଅନୁଭବ କରି ହୁଏ । ତେଣୁ ଉପିଦେୟର ପ୍ରାପ୍ତି ଓ ହେୟର ପରିହାର ପାଇଁ କର୍ମ ପ୍ରେରଣା ଆବଶ୍ୟକ । ଅନ୍ୟ ପ୍ରାଣୀଙ୍କ ଭଳି ମନୁଷ୍ୟର ଜନ୍ମ, ସ୍ଥିତି, ବୃଦ୍ଧି, ପରିମାଣ ବିକାଶ, ଅପକ୍ଷୟ ଓ ମୃତ୍ୟୁର ଅଧିନତା ଶୃଙ୍ଖଳା ମଧ୍ୟରେ ଆବଦ୍ଧ । ଏସବୁ ବିଷୟଗତ କାରଣରୁ ମନୁଷ୍ୟ ଅନ୍ୟ ପ୍ରାଣୀମାନଙ୍କ ସହିତ ସମାନ ଭାବରେ ବିଚରଣ କରୁଛି । ଯଦିଅ ମନୁଷ୍ୟର ଶାରୀରିକ ଗଠନ, ଇନ୍ଦ୍ରିୟ ଶକ୍ତିର ବିକାଶ ଓ ସର୍ବୋପରି ମନୋବୃର୍ତ୍ତିରେ ବିଚିତ୍ରତା ଥିବାରୁ ମନୁଷ୍ୟକୁ ବିଶିଷ୍ଟତା ପ୍ରଦାନ କରାଯାଇଛି, ପ୍ରାଣୀଜଗତରେ ଏହାର ଶ୍ରେଷ୍ଠତ୍ୱ ନିର୍ବିବାଦରେ ସ୍ୱୀକାର କରାଯାଏ । ତାସତ୍ତ୍ୱେ ମନୁଷ୍ୟର ଜୀବନ ଯଦି ଏହା ଭିତରେ ଆବଦ୍ଧ ହୋଇରହେ, ମନୁଷ୍ୟ ଏ ବିଶାଳ ଜଗତରେ ଯେଉଁ ଶ୍ରେଷ୍ଠତ୍ୱ ପ୍ରାପ୍ତି ପାଇଁ ଲକ୍ଷ୍ୟ ରଖେ ତାହା ଭିତ୍ତିହୀନ । ସମଜାତୀୟ ବିଷୟଗତ ଭାବ ଏକାକଥା ନୁହେଁ, ଜାତିଗତ ଭାବରେ ଶ୍ରେଷ୍ଠତ୍ୱ ଅନ୍ୟ ଏକକଥା ଅଟେ । ମନୁଷ୍ୟ ସୃଷ୍ଟିରେ ଏକ ଉନ୍ନତତର ସ୍ତରରେ ବିଚରଣ କରେ, ଏସବୁର ପ୍ରମାଣ ପ୍ରାଣୀ ସାଧାରଣ ଶକ୍ତି ଓ ବୃର୍ତ୍ତିରେ ପରିମାଣଗତ ତାରତମ୍ୟ ନଥାଏ, ପ୍ରାଣୀ ସାଧାରଣ କର୍ମ, ଭୋଗ ଓ ଅନୁଭୂତିର ବୈଚିତ୍ର ଓ ଜଟିଳତାର ଅଧିକତ୍ୱର ବିକାଶ ଦ୍ୱାରା ନିରୂପିତ ହେବା ସମ୍ଭବ ନୁହେଁ । ମନୁଷ୍ୟ ଭିତରେ ଏଭଳି କିଛି ବିଶେଷତ୍ୱ ରହିଛି, ଯେଉଁଠିରେ ତାର ସମଗ୍ର ଜୀବନ ଧନ୍ୟ ପାଲଟେ । ଜୀବନର ସକଳ ଅଂଶ ଏକ ଉନ୍ନତତର ସୋପାନରେ ପ୍ରତିଷ୍ଠିତ କରେ । ତେଣୁ ପ୍ରତ୍ୟେକ ପ୍ରାଣୀଙ୍କ ଅପେକ୍ଷା ମନୁଷ୍ୟକୂ କେବଳ ଉଂଚ୍ଚତର ଅଧିକାର ପ୍ରଦାନ କରାଯାଇଛି ।


ମନୁଷ୍ୟର ଏହି ବିଶିଷ୍ଟତା ଗୁଣ ସଂପର୍କରେ କଠୋପନିଷଦରେ କୁହାଯାଇଛି-
"ଶ୍ରେ ଯଞ୍ଗ ପ୍ରେ ଯଞ୍ଗ ମନୁଷ୍ୟମେତ ସ୍ତୌ, ସମ୍ଭରୀତ୍ୱୁୟ ବିବିନକ୍ତି ଧୀରଃ ।"


ଅର୍ଥାତ୍, ଏହି ଶ୍ରେୟ ଓ ପ୍ରେୟ ହେଉଛି ବିବେକ, ଏହା ମନୁଷ୍ୟ ଜାତିର ବୈଶିଷ୍ଟ୍ୟତା ଅଟେ । ଏହା ମାନବ ଜାତିର ଅନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ବିଶେଷତ୍ୱ ଓ ଶ୍ରେଷ୍ଠତ୍ୱ ପ୍ରାପ୍ତ ଅଟେ । ଅନ୍ୟ ପ୍ରାଣୀଙ୍କ ସ୍ୱଭାବ କେବଳ ପ୍ରେୟକୁ ନେଇ ଚାଳିତ, କାରଣ ତାକୁ ଯାହାକିଛି ଭଲ ଲାଗେ, ତାର ଜୀବନ ଧାରଣପାଇଁ ଆବଶ୍ୟକ ଓ ଦେହେନ୍ଦ୍ରିୟ ତୃପ୍ତି(ଶାରୀରିକ ତୃପ୍ତି) ପାଇଁ ଯାହା ଆବଶ୍ୟକ ପଡେ, ସେ ନିଜର ସ୍ୱଭାବତଃ ନିର୍ବିକାର ଭାବରେ ଗ୍ରହଣ କରେ । ଶ୍ରେୟ ପ୍ରାପ୍ତି ଓ ପ୍ରେୟ ତ୍ୟାଗ ପାଇଁ କର୍ମପ୍ରେରଣା ରହିଛି । ଶ୍ରେୟ ସଂଯୋଗ ଓ ପ୍ରେୟର ବିଯୋଗରେ ତାକୁ ଦୁଃଖ ଲାଗେ । ଫଳତଃ ରାଗ, ଦୋଷ, ଭୟ ଆଦି ପ୍ରେୟକୁ କେନ୍ଦ୍ରକରି ପ୍ରକଟ ହୋଇଥାଏ । ଗୋଟିଏ ପ୍ରେୟ ସହ ଅନ୍ୟ ଗୋଟିଏ ପ୍ରେୟର ଭେଦ, ଏହା ଞ୍ଗାନରେ ପ୍ରକାଶିତ ହୋଇଥାଏ ଓ ଅଧିକତର ପ୍ରେୟର ଆଶାରେ ଓ ଅଳ୍ପତର ପ୍ରେୟକୁ ବିସର୍ଜନ କରିବା ଶିଖେ, କିନ୍ତୁ ପ୍ରେୟର ସୂରୂପ ଭିନ୍ନ, ଶ୍ରେୟର ଞ୍ଗାନ ସାଧାରଣ ପ୍ରାଣୀର ଚିତ୍ତରେ କେବେ ବିକଶିତ ହୁଏ ନାହିଁ । ମନୁଷ୍ୟର ଚିନ୍ତା ବିକାଶ ସଙ୍ଗେ ସଙ୍ଗେ ପ୍ରେୟଠାରୁ ଶ୍ରେୟର ଏକ ପାର୍ଥକ୍ୟବୋଧ ଜାଗ୍ରତ ହୁଏ । ଉଚିତ-ଅନୁଟିତ, ଭଲ-ମନ୍ଦ, ନ୍ୟାୟ-ଅନ୍ୟାୟ, ଶୁଭ-ଅଶୁଭ, ପାପ-ପୁଣ୍ୟ ଆଦି ଏସବୁ ପ୍ରଭେଦ ମାନବ ଚିତ୍ତରେ ସ୍ୱଭାବତଃ ବିକଶିତ ହୋଇଥାଏ । ଯାହା ଅନ୍ୟାୟ, ଅନୁଚିତ୍ତ, ମନ୍ଦ, ଅଶୁଭ, ତାହା ପାପ ବୋଲି ଜଣାପଡେ, ତାହାହିଁ ପ୍ରେୟ । ଇନ୍ଦ୍ରିୟ ତୃପ୍ତି ପାଇଁ ସେସବୁ ବେଳେବେଳେ ଆବଶ୍ୟକ ପଡିଥାଏ । ଜୀବନ ଧାରଣ ପାଇଁ ବି ବେଳେବେଳେ ପ୍ରୟୋଜନ ମନେହୁଏ । ତଥାପି ମାନବର ବୁଦ୍ଧି ବିବେକ ଏସବକୁ ଅନୁମୋଦନ କରେ ନାହିଁ, ଏହାକୁ ତ୍ୟାଗ କରିବାକୁ ଉଚିତ ମନେକରେ । ମାନବ ଚିତ୍ତର ବିକାଶ ନିରନ୍ତର ସ୍ତରରେ ସାଧାରଣ ପ୍ରାଣୀର ପ୍ରେୟ ଲିପସା ମନୁଷ୍ୟଚିତ୍ତର ଶ୍ରେୟ ଲିପ୍ସା ଅପେକ୍ଷା ସ୍ୱଭାବତଃ ପ୍ରବଳତର ରହିଛି ଓ ସେ ଅନେକ ସମୟରେ ମାନବ ଶ୍ରେୟକୁ ପରିତ୍ୟାଗ କରି ପ୍ରେୟକୁ ଆବୋରି ନିଏ । ତାସତ୍ତ୍ୱେ ବି ଶ୍ରେୟ ଓ ପ୍ରେୟର ପ୍ରଭେଦ ଥିବା ସେ ବୁଝିଥାଏ ।


ସାଧାରଣତଃ ବ୍ୟକ୍ତି ବିଶେଷରେ ଜଣେ ଶ୍ରେୟକୁ ବୁଝିବାବେଳେ ଅନ୍ୟ କିଏ ପ୍ରେୟକୁ ବୁଝେ, ଏଭଳି ସମୟ ଆସେ ଯିଏ ଦିନେ ଶ୍ରେୟକୁ ଗ୍ରହଣ କରି ଥାଏ, ଅନ୍ୟ ଏକସମୟରେ ବା କୌଣସି ପରିସ୍ଥିତିରେ ପଡି ସେ ପୁଣି ପ୍ରେୟକୁ ଆଲିଙ୍ଗନ କରିବସେ, ହୁଏତ ଏସବୁ ଅବସ୍ଥା ଚକ୍ରରେ ଘଟେ ବୋଲି କୁହାଯାଇପାରେ । ତେଣୁ ପ୍ରେୟ ଓ ଶ୍ରେୟ ଉଭୟ ମଣିଷର ଚିତ୍ତକୁ ଆନ୍ଦୋଳିତ କରିଥାଏ । ଯାହାଫଳରେ ମଣିଷର ଦେହିନ୍ଦ୍ରିୟ ପ୍ରେୟକୁ ମାନିନେଇ ତାକୁ ଗ୍ରହଣ କରିବାକୁ ଲାଳାୟିତ ହୋଇପଡେତ, ପୁଣି ମଣିଷର ଅକ୍ଷୟ ଚିତ୍ତ, ବିବେକ, ବୁଦ୍ଧି ଶ୍ରେୟକୁ ବିଚାରକୁ ନେଇ ପ୍ରେୟକୁ ତ୍ୟାଗ କରି ଡସେ । ସେତେବେଳେ ମନୁଷ୍ୟର ଅନ୍ତଃକରଣରେ ଏକ ନୈତିକ ଓ ଆଧ୍ୟାତ୍ମିକ ଯୁଦ୍ଧ ଆରମ୍ଭ ହୋଇଯାଏ । ଏହି ଦ୍ୱନ୍ଦ୍ୱ ଦ୍ୱାରା ମନୁଷ୍ୟ ଜୀବନରେ ନାନା ପ୍ରକାର ସମସ୍ୟା ଉତ୍ପନ୍ନ ହୋଇଥାଏ, ଫଳତଃ ତା'ଜୀବନ ସାଧନାମୟ ପାଲଟିଯାଏ । କିନ୍ତୁ ଅନ୍ୟ ପ୍ରାଣୀଙ୍କ ଅନ୍ତରରେ ଏହି ଶ୍ରେୟ/ପ୍ରେୟର ଆଦର୍ଶ ଓ ପ୍ରବୃତ୍ତିର ଦ୍ୱନ୍ଦ୍ୱ ରହେ ନାହିଁ କି ସେମାନେ ସାଧନାର ଅଧିକାରୀ କେବେ ହୋଇପାରନ୍ତି ନାହିଁ । ବିଚିତ୍ର ଜଗତରେ ସେମାନଙ୍କ ଜୀବନରେ କୌଣସି ବଡ ସମସ୍ୟା ନଥାଏ ଓ ତାର ସମାନ୍ଧନ ପାଇଁ ସେମାନଙ୍କ ବିଚାରପୂର୍ବକ ଚେଷ୍ଟା ବି ନଥାଏ । ବାସ୍ତବରେ ଶ୍ରେୟ ଓ ପ୍ରେୟର ଭେଦାନୁଭୂତି ଓ ତଜ୍ଜନିତ ସାଧନା ହେଉଛି ମନୁଷ୍ୟର ମନୁଷ୍ୟତ୍ୱ । ଏହି କାରଣରୁ ଅନ୍ୟପ୍ରାଣୀ ସାଧନା ରହିତ ନୁହେଁ, କେବଳ ମନୁଷ୍ୟ ସାଧନାର ଅଧିକାରୀ ପାଲଟେ । ମନୁଷ୍ୟ ଏହି ପ୍ରକୃତି ରାଜ୍ୟରେ ଯେଉଁ ସ୍ୱାଧିନତା ଲାଭ କରିଛି, ତାହା ଅନ୍ୟପ୍ରାଣୀଙ୍କ ପାଖରେ ନାହିଁ । ଏହି ଦୃଷ୍ଟିରୁ ମନୁଷ୍ୟର ଜୀବନ ଅନ୍ୟପ୍ରାଣୀଙ୍କ ଅପେକ୍ଷା ଅନନ୍ତ ଗୁଣ ଜଟିଳମୟ ଓ ରହସ୍ୟମୟ ଅଟେ । ପ୍ରେୟ ଓ ଶ୍ରେୟ ଉପରେ ମାନବ ଜୀବନର ପ୍ରତ୍ୟେକ ମନୁଷ୍ୟଚିତ୍ତ ସାଧନା ଓ ସିଦ୍ଧିରେ ପ୍ରତିଷ୍ଠିତ ।


ମାନବ ପ୍ରକୃତିର ଦାସ, ତାର ସାଧାରଣ ବୃତ୍ତି ଓ ବିବେକ ଚିତ୍ତ ବୈଶିଷ୍ଟ୍ୟ ଉଭୟ ବିଦ୍ୟମାନ ହୋଇରହିଛି । ଫଳତଃ ସେ ପ୍ରେୟର ବନ୍ଧନକୁ ତ୍ୟାଗ କରିପାରେନି, କି ଶ୍ରେୟର ଆଦର୍ଶକୁ ଅସ୍ୱୀକାର କରେ ନାହିଁ । ଶ୍ରେୟ ଓ ପ୍ରେୟ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ସାମ୍ନା କରିପାରେ ନାହିଁ । ଏହାର ଅନ୍ତଃକରଣରୁ କୌଣସି ପ୍ରକାର ନିବାରଣ ମିଳେନାହିଁ । ପ୍ରେୟ ନିର୍ଣ୍ଣୟ କରିବା ସହଜ, କିନ୍ତୁ ଶ୍ରେୟକୂ ଧାରଣ କରିବା ଅତି କଠିନ । ଦେହିନ୍ଦ୍ରିୟ ମନୋବୃତ୍ତିର ବିଶ୍ଳେଷଣ କରି ପ୍ରେୟକୁ ବୁଝିବା ଯେତେ ସହଜ ଶ୍ରେୟ ବୁଝିବା ଅତି କଷ୍ଟକର । ତେଣୁ ମାନବ ଜୀବନର ପ୍ରଧାନ ସମସ୍ୟା ହେଉଛି, ଶ୍ରେୟର ଯଥାର୍ଥ ସୂରୂପ କଣ ? ଏହାର ଞ୍ଗାନଶକ୍ତି, କର୍ମଶକ୍ତି ଓ ଭୋଗଶକ୍ତି ବିଦ୍ୟମାନ, ଯାହା କେବଳ ବର୍ହିଃଜଗତ ସହିତ ଆଦାନ-ପ୍ରଦାନ ଓ ଘାତ-ପ୍ରତିଘାତ ଦ୍ୱାରା ଏହି ଶକ୍ତି ଉତ୍ପନ୍ନ ହୋଇ ବିଚିତ୍ର ରୂପରେ ଆତ୍ମ ପ୍ରକାଶ କରେ । ଜଗତର ବିବିଧ ବିଷୟ ସହିତ ସ୍ୱାଭାବିକ ଭାବେ ଏହାର ପରିଚୟ ହୁଏ, ଘନିଷ୍ଠତା ବଢେ, ଯାହାକେବଳ ପ୍ରବୃତ୍ତି ଦ୍ୱାରା ସମ୍ଭବ ହୋଇଥାଏ । ବିଚିତ୍ର ଭୋଗ ସାମଗ୍ରୀ ଏହି ଦେହିନ୍ଦ୍ରିୟ, ଯାହା ମନରେ ଅନୁକୂଳ ଓ ପ୍ରତିକୂଳ ବେଦନା ସୃଷ୍ଟି କରେ । ଅନୁକୂଳ ବେଦନାର ପ୍ରାପ୍ତି ଓ ପ୍ରତିକୂଳ ବେଦନାର ପରିହାର କରିବା ପାଇଁ ଏହାର ସ୍ୱଭାବ ସିଦ୍ଧ ବୁଦ୍ଧି ବୃତ୍ତିର ବିଭାଗ କରି ଭୋଗ ଓ ତ୍ୟାଗରେ ପ୍ରବୃତ୍ତ ହୁଏ । କର୍ମଶକ୍ତି ମଧ୍ୟ ଏପ୍ରକାର ସୁଖ ପ୍ରାପ୍ତି ଓ ଦୁଃଖ ନିବାରଣ ଉଦ୍ଦେଶ୍ୟରେ ପ୍ରଭାବିତ ହୁଏ । କିନ୍ତୁ ତାର ସାଧାରଣ ସ୍ୱଭାବ ପ୍ରସ୍ତୁତ କର୍ମ, ଞ୍ଗାନ ଓ ଭୋଗରେ ଏହାର ଶ୍ରେୟପ୍ରାପ୍ତିର ଆକାଂଙକ୍ଷା ପରିତୃପ୍ତ ହୁଏ ନାହିଁ । ତା'ଅନ୍ତରରେ ଅନବରତ ଏହି ପ୍ରଶ୍ନ ଉଠେଯେ, କେଉଁ ପ୍ରକାରର ଞ୍ଗାନ ପ୍ରାପ୍ତ କରିବା ଉଟିତ୍ ? କେଉଁ ପ୍ରକାରର କାର୍ଯ୍ୟ କରିବା ଆବଶ୍ୟକ ?? କେଉଁ ପ୍ରକାର ଭୋଗକୁ ଗ୍ରହଣ କରିବା ଦରକାର ଓ କେଉଁ ପ୍ରକାରର କର୍ମ, ଞ୍ଗାନ ଓ ଭାବକୁ ଅନୁଶୀଳନରେ ମାନବ ଜୀବନ ସକଳ କ୍ଷେତ୍ରରେ ସାର୍ଥକ ହେବାର ସଫଳତା ପାଏ ??? ଶ୍ରେୟସ୍କର ଞ୍ଗାନ, ଶ୍ରେୟସ୍କର କର୍ମ ଶ୍ରେୟସ୍କର ଭୋଗ ଓ ଶ୍ରେୟସ୍କର ଭାବ ସ୍ୱରୂପତଃ କଣ ? ଏହା କେଉଁ ଉପାୟରେ ପ୍ରାପ୍ତ କରିବା ସମ୍ଭବ । ପ୍ରେୟର କେଉଁ ପ୍ରକାର ଶ୍ରେୟର ଅନୁବତ୍ର(ଅନୁରିକ୍ତ) କରିବା ସମ୍ଭବ ହୋଇପାରେ । ମାନବ ବୁଦ୍ଧି କ୍ଷେତ୍ରରେ ଏହି ଚିରନ୍ତନ ପ୍ରଶ୍ନ ସର୍ବଦା ଆନ୍ଦୋଳିତ ହୋଇଥାଏ ।


ମାନବ ବୁଦ୍ଧି ଶ୍ରେୟର ଆଦର୍ଶ ନିରୂପଣରେ ପ୍ରବୃତ୍ତ ହୋଇ ପ୍ରଥମେ ପ୍ରେୟ ଭିତରେ ଶ୍ରେୟର ଅନୁସନ୍ଧାନ କରିଥାଏ ଓ ସିଦ୍ଧାନ୍ତ କରେଯେ, ସୁଖ ହେଉଛି ବାସ୍ତବରେ ଶ୍ରେୟ । ସୁଖ ଯାହାକେବଳ ଦୁଃଖ ମିଶ୍ରିତ ଅସ୍ଥାୟୀ ଓ ଅକ୍ଷୟ ଅଟେ । ସ୍ଥାୟୀ ଗମ୍ଭିର ଓ ଅବିମିଶ୍ରିତ ସୁଖହିଁ ଶ୍ରେୟ ଓ ଦଦାନୁଯାୟୀ କର୍ମ, ଞ୍ଗାନ ଓ ମନୋବୃର୍ତ୍ତିର ଅନୁଶୀଳନ ହେଉଛି ଶ୍ରେୟର ମାର୍ଗ । ଭବିଷ୍ୟତରେ ସ୍ଥାୟୀ, ଗମ୍ଭିର ଓ ଅବିମିଶ୍ରିତ ସୁଖ ପାଇବା ଉଦ୍ଦେଶ୍ୟରେ ଅନେକ କ୍ଷେତ୍ରରେ ଦୁଃଖମିଶ୍ରିତ ପଶ୍ଚାତାପଜନକ ସୁଖରେ ଦେହିନ୍ଦ୍ରିୟ ମନର ଆକର୍ଷଣକାରୀ ହୋଇପାରେ ସତ, କିନ୍ତୁ ତାକୁ ବିସର୍ଜନ କରିବା ଉଚିତହିଁ ବିବେଚିତ ହୋଇଥାଏ । ସୁଖରେ ସକଳ କର୍ମ,ଞ୍ଗାନ ଓ ଭାବାନୁଶୀଳନ ଆକାଙକ୍ଷାର ଫଳ ଅଟେ, ଏହି ଫଳର ତାରତମ୍ୟରେ କର୍ମ,ଞ୍ଗାନର ମୂଲ୍ୟ ନିଦ୍ଧାରଣ କରିବା ଆବଶ୍ୟକ । ସୁଖ ପାଇଁ ଐଶ୍ୱର୍ଯ୍ୟର ଅର୍ଜନ ଓ ସଞ୍ଚୟ କରିବା ଆବଶ୍ୟକ ଅନୁଭୂତ ହୁଏ । ଅନ୍ୟ ଉପରେ ପ୍ରଭୃତ୍ୱ କରେ ନାହିଁ, ବରଂ ଐଶ୍ୱର୍ଯ୍ୟର ସାର୍ଥକତା ଜଣାଏ ନାହିଁ । ତେଣୁ ସୁଖ, ଐଶ୍ୱର୍ଯ୍ୟ ଓ ପ୍ରଭୃତ୍ୱ ଏ ତିନୋଟି ଅପରିପକ୍ୱ ମାନବ ବୁଦ୍ଧି, ଞ୍ଗାନ, କର୍ମାଦିକୁ ଆଦର୍ଶ ରୂପେ ଗ୍ରହଣ କରିନିଏ । ଆର୍ଯ୍ୟଶାସ୍ତ୍ରରେ ଏହି ତିନୋଟିକୁ କାମ ଓ ଅର୍ଥ ଦୁଇଟି ନାମରେ ଅଭିହିତ କରାଯାଏ । ଐଶ୍ୱର୍ଯ୍ୟ ଓ ପ୍ରଭୃତ୍ୱ ଏକ ବସ୍ତୁ ଅର୍ଥର ଦ୍ୱିବିଧ ମୂର୍ତ୍ତୀ । ବର୍ତ୍ତମାନର ପାଶ୍ଚାତ୍ ସଭ୍ୟତା ଏବେ ମଧ୍ୟ ଏହି ତିନି ଦେବତାକୁ ଆରାଧନାରେ ନିଯୁକ୍ତ ଅଛି । ସୁଖ, ଐଶ୍ୱର୍ଯ୍ୟ ଓ ପ୍ରଭୃତ୍ୱକୁ ଶ୍ରେୟ ରୂପେ ଗ୍ରହଣ କରି ପାଶ୍ଟାତ୍ୟ ଦେଶରେ ଞ୍ଗାନ, ବିଞ୍ଗାନ ଚର୍ଚ୍ଚାରେ ଯଥେଷ୍ଟ ଉନ୍ନତି ହୁଏ । ଏହି ତିନୋଟି ପ୍ରାପ୍ତ କରିବା ଉଦ୍ଦେଶ୍ୟ ଅଟେ, ଯାହା କେବଳ ମାନବୀୟ କର୍ମଶକ୍ତିର ଅଦଭୂତ ଜାଗରଣ ଓ ସଂଗଠନ ଅଟେ । ମନୁଷ୍ୟ ସହିତ ମନୁଷ୍ୟର ସମ୍ବନ୍ଧ ମଧ୍ୟ ଏହି ତିନି ପୁରୁଷାର୍ଥକୁ କେନ୍ଦ୍ର କରି ଅବତୀର୍ଣ୍ଣ ହୋଇଥାଏ ।


ଭାରତୀୟ ଆର୍ଯ୍ୟଋଷିଗଣ ଶ୍ରେୟ ସମ୍ବନ୍ଧରେ ଏପ୍ରକାର ଧାରଣାକୁ ଆସୁରିକ ଧାରଣା ମନେକରନ୍ତି, ଏବଂ ତନ୍ତ୍ରତିଷ୍ଠ ସଭ୍ୟତାକୁ ଆସୁରିକ ସଭ୍ୟତା କହି ନିନ୍ଦା କରିଛନ୍ତି । ସୃଷ୍ଟି ବିଧାନରେ ନାନା ପ୍ରକାରର ସଂଘର୍ଷ ସୃଷ୍ଟି ଦ୍ୱାରା ଏହା ସ୍ୱୟଂହିଁ ବିନାଶ ସାଧନ କରେ । ପ୍ରତିଯୋଗିତା, ପ୍ରତିଦ୍ୱନ୍ଦିତା, ବୈରଭାବ ପୋଷଣ, ଆତ୍ମସମ୍ଫନ୍ନ ବୁଦ୍ଧି ଓ ପର ସମ୍ପଦ ହରଣ ଉଦ୍ଦେଶ୍ୟରେ ସଂଘ ସଂଗଠନ, ମହାଯନ୍ତ୍ର ସଂସ୍ଥାପନ ଓ ମାରଣାସ୍ତ୍ର ଆବିଷ୍କାର, ଦୃର୍ବଳ ପ୍ରତି ସବଳର ଅତ୍ୟାଚାର ଏସବୁ ଆଧୁନିକ ସଭ୍ୟତାର ନିତ୍ୟ ସହଯାତ୍ରୀ ପାଲଟିଛି । ଏହାର ପରିଣାମ ସ୍ୱରୂପ ଆଜିର ସଭ୍ୟତା ବିନାଶ ଆଡକୁ ଅଗ୍ରସର ହେଉଛି । ତେଣୁ ମାନବୀୟ ଜୀବନ ସମସ୍ୟାର ମଧ୍ୟ ସମାଧାନ ନାହିଁ । ବର୍ତ୍ତମାନର ପାଶ୍ଚାତ୍ୟ ସଭ୍ୟତାକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ ଜନସାଧାରଣଙ୍କ ତିନୋଟି ମୌଳିକ ମୁଖ୍ୟ ଉପାଦାନ ଖାଦ୍ୟ, ବସ୍ତ୍ର ଓ ବାସ ସମସ୍ୟାର ମଧ୍ୟ ସମାନ୍ଧନ ହୋଇପାରି ନାହିଁ, ଏହା ଦ୍ୱାରା ମଧ୍ୟ ସମ୍ଭବ ନୁହେଁ । ତଥାପି ବହୁ ଲୋକଙ୍କ ମାନବୀୟ ଶକ୍ତିର ଆଜିବି ଉଜ୍ଜଳ ପ୍ରକାଶ ଦୃଷ୍ଟିକୁ ଆସେ । ଅଧିକାଂଶ ବ୍ୟକ୍ତି ସାମାନ୍ୟ ଅନ୍ନ, ଜଳ ଓ ବ୍ୟବସ୍ଥା ପାଇଁ ରାତି-ଦିନ ବ୍ୟସ୍ତ ରହନ୍ତି । ସଭ୍ୟତାର ଚାକ୍ୟଚକ୍ୟ ସହିତ ବୁଦ୍ଧି ସହ ଏସଭ୍ୟତା ମଧ୍ୟ କ୍ରମଶଃ ବିକଟ ଆକାର ଧାରଣ କରିବାରେ ଲାଗିଛି । ଏହି ସମସ୍ୟା ମଧ୍ୟ ଏସଭ୍ୟତାକୁ ବିନାଶ ମାର୍ଗରେ ପକାଇବାକୁ ଯାଉଛି, ତା'ସହିତ ଜାତିଗତ, ଶ୍ରେଣୀଗତ ଓ ସାଂପ୍ରଦାୟିକ ବିରୋଧ ମଧ୍ୟ ଏହି ଧ୍ୱଂସ-ଯଞ୍ଗର ପୂର୍ଣ୍ଣାହୂତିର ବ୍ୟବସ୍ଥା କରି ରଖିଛି । ପ୍ରାଚୀନ ଇତିହାସ ମଧ୍ୟ ବହୁବାର ଏହାର ପ୍ରମାଣ ଦେଇଛି । ପ୍ରେୟକୁ ଶ୍ରେୟର ଆସନରେ ରଖି ମାନବ ସମାଜ କେବେବି ଶାନ୍ତି ଓ ଆତ୍ମ ପ୍ରତିଷ୍ଠା କରିପାରିବ ନାହିଁ । କାରଣ ଏବିଷୟରେ ବୈଷମ୍ୟ, ପ୍ରତିଦ୍ୱନ୍ଦ୍ୱିତା, ସଂଘର୍ଷ, ଯୁଦ୍ଧ ଅସମ୍ଭବ ନୁହେଁ, ଧ୍ୱଂସ ଅନିବାର୍ଯ୍ୟ ହୋଇପାରେ.....!! (କ୍ରମଶଃ)

Post a Comment

0 Comments