Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଆଲାର୍ମ - ପରମିତା ମିଶ୍ର

ସବିତା ଦେବୀ ଭାରି ଗୁଣି ମଣିଷଟିଏ । ବୟସ ଏଇ ଷାଠିଏ କି ସତୁରି ହେବ । ଏଇ ଦୁଇ ବାଇ ଚାରି ଘରଟିରେ ଏକା ରୁହନ୍ତି । ଉପର ଘରଟିକୁ ଆମଭଳି ପାଠ ପଢୁଆ ଝିଅ କେତେ ଜଣଙ୍କୁ ଭଡାରେ ଦେଇଛନ୍ତି । ପ୍ରାୟ ଦଶ ବର୍ଷ ହେବ ଏମିତି ଏକା ରହି ଆସୁଛନ୍ତି ସେ । ସ୍ୱାମୀ ଆଉ ନାହନ୍ତି, ପିଲାମାନେ ବାହରେ ରୁହନ୍ତି । ଭାରି ସମୟାନୁବର୍ତ୍ତିତା ସେ, ଘର ସାରା ଆଲର୍ମ ଘଣ୍ଟା ଲାଗିଛି । କିନ୍ତୁ କେବେ ବାଜିବା ଆମେ ଶୁଣିନୁ । ସବିତା ଦେବୀ ତ ଘର ର କଲିଂଗ ବେଲ୍‍ ରେ ବି ଟାପ୍‍ ଲଗେଇ ରଖିଛନ୍ତି । କିଏ କଲିଂ ବେଲ ମାରିବା ପର୍ଯ୍ୟନ୍ତ ଯାଏନି, କେହିଦୁଆର ମୁହଁକୁ ଆସିବା ଆଗରୁ ହିଁ ଦୁଆର ଖୋଲି ଦିଅନ୍ତି ସେ, କେଜଣି କେମିତି ଜାଣନ୍ତି ! ସକାଳ ଠିକ୍‍ ପାଂଚଟା ରେ ଉଠନ୍ତି, ନା ଗୋଟେ କଣ୍ଟା ଏପଟ ନା ସେପଟ, ଅଲାର୍ମ ବାଜିବା ପୁର୍ବରୁ ହିଁ ତାକୁ ବନ୍ଦ କରିଦିଅନ୍ତି । ସିଧା ଯାଇ ରୋଷେଇରେ ଧିମା ଆଂଚରେ ଚା ଚଢାନ୍ତି ଆଉ ସିଧା ଗାଧୁଆ ଘରେ ପଶନ୍ତି, ଠିକ ଦଶ ମିନଟରେ ବାହରି ଆସନ୍ତି । ରନ୍ଧାଘରର ଆଲର୍ମ ବନ୍ଦ କରି ସେଠୁ ଚା କୁ କପ୍‍ ରେ ଧରି ବାରଣ୍ଡାରେ ଦୁର ଦିବାକର କୁ ଚାହିଁ ବସନ୍ତି କିଛି ସମୟ । କ୍ଷୀରବାଲା ବେଲ ମାରିବା ପୁର୍ବରୁ ସେଠି ବାସନ ଧରି ଠିଆ ହୋଇଯାଆନ୍ତି ସେ । କବାଟ କଣରୁ ଖବର କାଗଜଟି ବାହାର କରି ଠିକ ଟେବୁଲର ମଝିରେ ରଖନ୍ତି । ଘଡି କଣ୍ଟାରେ ଦଶ ବାଜିବା ଆଗରୁ ଡାଇନିଂ ର ଆଲର୍ମ କୁ ବନ୍ଦ କରି ଜଳଖିଆ ଧରି ବସି ଯାଆନ୍ତି । ଏଇମିତି ସବୁ ଜାଗାରେ ଗୋଟିଏ ଗୋଟିଏ ଆଲାର୍ମ୍ ଘଡି ସବୁ କାମ ପାଇଁ । ପ୍ରତିଦିନ ଏଇ କାର୍ଯ୍ୟକ୍ରମ ତାଙ୍କର ସ୍ଥିର ଥାଏ । ଦିନର ସମସ୍ତ କାମ ସରିଲା ପରେ ଶୋଇବା ପୁର୍ବରୁ ପୁଣି ଦ୍ଵିତୀୟ ଦିନ ସମାନ ଆଲାର୍ମ ଲଗେଇ ଦେଇ ଶୁଅନ୍ତି ସେ । ମୁଁ ଏଠିକି ଆସିବା ବାସ କିଛି ଦିନ ହିଁ ହୋଇଥିଲା, ମୋ ସହପାଠିନୀ ମାନଙ୍କ ଠୁ ଏସବୁ କଥା ଶୁଣିଥିଲି, ମତେ ବହୁତ କୌତୁହଳ ଲାଗୁଥିଲା ଜାଣିବା ପାଇଁ, କାହିଁକି ଜଣେ ମଣିଷ ଏମିତି ବାନ୍ଧି ରଖିଛି ନିଜକୁ ଘଡି ଭିତରେ । ଅନୁଶାସନ ମନୁଷ୍ୟ ପାଇଁ ଆବଶ୍ୟକ କିନ୍ତୁ ଏମିତି ଲାଗୁଥିଲା, ଯେମିତି ସେ ଘର ଭିତରେ କେହି ଜଣେ ସବିତା ଦେବୀଙ୍କୁ ବନ୍ଦୀ କରି ରଖିଛି ଆଉ ଏଇ ଘଡି ମାନେ ତାକୁ ଅନବରତ ଚାହିଁ ରହିଛନ୍ତି କିନ୍ତୁ କିଏ ?

ବହୁତଥର ଚେଷ୍ଟା କରିଛି ପଚରିବାପାଇଁ କିନ୍ତୁ ସାହାସ ହୋଇନି । ଦିନେ ସଞ୍ଜବେଳେ ସବିତା ଦେବୀ ଛାତକୁ ଯାଉଥିଲେ ଗଛରେ ପାଣି ଦେବା ପାଇଁ । ମୁଁ ବି ତାଙ୍କ ପଛରେ ସେଠିକି ଆସିଲି ଏଇମିତି ଧିରେ ଧିରେ ଆମ ଦୁହିଁଙ୍କର ବନ୍ଧୁତା ହୋଇଗଲା । ସବିତା ଦେବୀ ନିଜେ କୁହନ୍ତି ମୁ ତାଙ୍କର ପ୍ରଥମ ଆଉ ବୋଧ ହୁଏ ଶେଷ ବନ୍ଧୁ । ଏଇମିତି କିଛିଦିନ ବିତିଗଲା ପରେ ଦିନେ ମୁଁ ସାହସ କରି ପଚାରିଲି, ଭବିଥିଲି କାଳେ ବିରକ୍ତ ହେବେ କିନ୍ତୁ ସେମିତି କିଛି ହେଲାନି । ପ୍ରଥମ ଥର ତାଙ୍କ ଆଖିରେ ଭୟ ଦେଖିଲି, କିଛିକହିବା ପୁର୍ବରୁ ପାଖରେ ଥିବା ପାଣି ଗିଲାସଟିକୁ ପିଇଗଲେ ଆଉ କିଛିସମୟ ପରେ କହିଲେ, କିଛି ନାହିଁ ବାସ ଅଭ୍ୟାସରେ ପଡିଗଲାଣି ଯେ ଆଉ ଯାଉନି । ମୁ ଉଣେଇଶ ବର୍ଷର ଥିଲି, ବାହା ହୋଇ ଆସିଥିଲି, ମାଆ କାନେକାନେ କହିଥିଲା, ସ୍ୱାମୀ ହେଲେ ତୋ'ର ଦେବତା ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳିବୁ । ଅବାଧ୍ୟ ହେଲେ ବାପା ମାଆର ନାଁ ପଡିଯିବ । ବଧୁବେଶରେ ଆସିଛୁ ପୁଣି ଅସ୍ଥିରେ ବାହାରିବୁ । ମୁଁ ଠିକ ସେୟା ହିଁ କରି ଚାଲିଲି । ସ୍ୱାମୀଙ୍କୁ ସବୁ କାମ ଏକଦମ ସମୟରେ ଦରକାର୍, ନା ଟିକେ ଏପଟ ନା ସେପଟ, ଶବ୍ଦ ବିଲ‍କୁଲ ପସନ୍ଦ ନଥିଲା । ଆଲାର୍ମ ଘଡି ଗୁଡିକ ଲାଗିଛି ତ କିନ୍ତୁ ଆବାଜ କଲା ମାତ୍ରେ ଜୋର ଜୋର କାନ୍ଥରେ ପିଟନ୍ତି । ମୁଁ ପଚାରିଲି କଣ ଘଡି ଗୁଡିକୁ ? ମୋ ଆଡେ ଚାହିଁ ସବିତା ଦେବୀ କହିଲେ, "ନା ମତେ" । ମୁଁ ଅବାକ ହୋଇ ଚାହିଁ ରହିଲି କେବଳ । ଘଡିର କଣ୍ଟା ସହ ମତେ ବୁଲେଇବା ସେ ଶିଖେଇ ଦେଇ ଯାଇଛନ୍ତି । ମୋର ଚାରୋଟି ଛୁଆ ହେଲେ ମୋ ସ୍ୱାମୀ କୋଳାହଳ ଜମା ସହିପାରନ୍ତିନି । ତେଣୁ ସବୁ ଛୁଆ ମୋର ବୋର୍ଡିଙ୍ଗ ସ୍କୁଲରେ ପାଠ ପଢିଲେ, ଆଉ ବାପାଙ୍କ ଏତାଦୃଶ ପ୍ରକୃତି ଦେଖି ଆଉ ଘରକୁ ଆସିଲେନି । ମୁଁ କିଛି ପଚାରିବା ପୁର୍ବରୁ ହିଁ ସେ କହିଲେ, ହଁ ମୁ ଜାଣିଛି କଣ ପଚାରିବ ମୁଁ କାହିଁକି ଏଇଠି ରହୁଛି ଏୟା ତ ? ମୁଁ ତାଙ୍କୁ ବହୁତ ଭଲପାଏ, ମତେ ଲାଗେ ସେ ବି ମତେ ଭଲ ପାଉଥିଲେ, କାରଣ ଦିନ ସାରା କୌଣସି ନା କୌଣସି କାରଣରୁ ସେ ମତେ ମାରିଥାନ୍ତି । କିନ୍ତୁ ସେ ହିଁ ସେ ଜଖମରେ ମଲମ ବି ଲଗାନ୍ତି । ସେ ମାନୁଥିଲେ ଯେ, କାଳେ ସ୍ତ୍ରୀ ସ୍ୱାମୀ ଠୁ ଆଗୁଆ ମରିବା କଥା, ତା' ହେଲେ ଯାଇତା'କୁ ସ୍ୱର୍ଗସୁଖ ମିଳିବ । ଶେଷଶଯ୍ୟାରେ ପଡିଥିବା ସମୟରେ, ସେ ମତେ କାନେ କାନେ କହିଥିଲେ ସାବି ତୁ ଭାବୁଚୁ ମୋ ପରେ ତୁ ଆଜାଦ ହୋଇଯିବୁ, ଏ ଘର ଛାଡି କୁଆଡେ ବି ଯିବୁନି ସାବି । ମୁଁ ଏଇ ଆଲାର୍ମ ଘଡି ଭିତରେ ରହି ତତେ ଚାହିଁ ରହିଛି, ଆଉ ଏପାରିରେ ତତେ ଅପେକ୍ଷା କରିଛି । ମୁଁ ସିନା ସେଠିକୁ ଆସିପାରିବିନି, କିନ୍ତୁ ଦିନେ ନା ଦିନେ ତୁ ତ ଏଠିକି ଆସିବୁ ଆଉ ସେତେବେଳେ... । ତମେ କଣ ଭାବୁଚ ମୁଁ ନିଜେ ଉଠୁଚି ଘଡି ବନ୍ଦ କରିବା ପାଇଁ ସେ ମତେ ଉଠେଇ ଦିଅନ୍ତି, ଜୋରକରି ।

ଏମିତି ଏକ ତର୍କର ମୁଁ କଣ ବା ଜବାବ ଦେବି, ଆଉ କଣ କହି ତାଙ୍କୁ ସେ ଭ୍ରମର ଦୁନିଆଁରୁ ବାହାରକୁ ଆଣିବି ମୁଁ ବୁଝିପାରୁନଥିଲି । କିଛି ପଚାରିବାକୁ ଉଦ୍ଦିଷ୍ଟ ହେଲା ବେଳେ ହିଁ ସେ କହିଲେ, ମୁଁ ଜାଣିଚି ଏସବୁ ଗୋଟେ ଭ୍ରମ, ମୋ ପିଲାମାନେ ଏ ଘରକୁ ଆସିବାକୁ ଜମା ଚାହୁଁ ନାହାନ୍ତି । ମତେ ବହୁତ ଥର ଡାକୁଛନ୍ତି ଏଠୁ ଚାଲିଯିବାକୁ କିନ୍ତୁ ମୁଁ ବି ସ୍ଥିର କରିସାରିଛି ବାହା ହୋଇ ସ୍ୱାମୀ ହାତ ଧରି ଏଇ ଘରକୁ ଆସିଥିଲି, ଆଉ ଏଇଠୁ କେବଳ ମୋ ଅସ୍ଥି ହିଁ ବାହାରକୁ ଯିବ । ହସି କି କହିଲେ ମୋର ଅଭ୍ୟାସ ହୋଇଗଲାଣି । ଏବେ.. ବର୍ତ୍ତମାନ ପୂଜା ସମୟ ହୋଇଗଲାଣି, ଘଡି ବନ୍ଦ କରିବାର ଅଛି ଯାଉଛି, କାଲି ଆସିବୁ ଘରକୁ, ନାତିର ଜନ୍ମଦିନ ତ ପିଠା କରିବି । ମୁଁ ଆଉ କିଛି କହିଲିନି, ହସି କି ହଁ ଭରିଲି । ଏଇଥିରେ ତାଙ୍କର ଖୁସି ଯଦି, ସେଥିରେ ବାଧା ଦେବା ଠିକ ହେବନି । ଏମିତି ବହୁତ ଦିନ ଚାଲିଗଲା, ମୋର ପରୀକ୍ଷା ଆଗକୁ ଥିଲା । ମୁଁ ପଢାପଢିରେ ଟିକେ ବ୍ୟସ୍ତ ଥିଲି, ତେଣୁ ସବିତା ମାଉସୀ ଘର ଆଡେ ଆଉ ଧ୍ୟାନ ଦେଇନଥିଲି । ସେଦିନ ଡେରି ଯାଏଁ ପଢି ପାହାନ୍ତାରୁ ଟିକେ ଆଖି ଲାଗିଥିଲା । ହଠାତ ତଳ ଘରୁ ଆଲାର୍ମ ଘଡିଟି ଜୋରରେ ବାଜି ଉଠିଲା । ମୋର ନିଦ ଭାଙ୍ଗିଗଲା ସହପାଠୀ ମାନେ ତଳକୁ ଧାଇଁଗଲେ ଆଉ ମୁଁ ? ମୁଁ ଘଟଣାଟି ର ମର୍ମ ଅନୁମାନ କରି ସାରିଥିଲି... ।



ପରମିତା ମିଶ୍ର, ଆମ୍ବପୁଆ ହାଉସିଂ ବୋର୍ଡ କଲୋନୀ, ବ୍ରହ୍ମପୁର

Post a Comment

6 Comments

  1. ଲକ୍ଷ୍ମୀନାରାୟଣ ପଟ୍ଟନାୟକ2/23/2018

    Sundara shikhyaniya galpa tie

    ReplyDelete
  2. ନରେଶ କୁମାର ବେହେରା2/24/2018

    Unique experience shared in this article. Nice to read it.

    ReplyDelete
  3. Paramita2/24/2018

    ଧନ୍ୟବାଦ ସାର୍. ଆପଣଙ୍କ ସୁଚିନ୍ତିତ ମତାମତ ସବୁ ମୋର ପୁରସ୍କାର

    ReplyDelete
  4. Paramita2/24/2018

    ପଣଙ୍କ ସୁଚିନ୍ତିତ ମତାମତ ସବୁ ମୋର ପୁରସ୍କାର. ଅଶେଷ ଧନ୍ୟବାଦ

    ReplyDelete
  5. SATYARANJAN DAS2/24/2018

    ବହୁତ ବହୁତ ସୁନ୍ଦର !!!

    ReplyDelete
  6. Paramita2/24/2018

    ଅଶେଷ ଧନ୍ୟବାଦ ସାର୍ ଆପଣଙ୍କ ମତାମତ ପାଇଁ

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।