Information

ଶିଶୁ କବିତା - ସକାଳ - ଧୃବ ଚରଣ ବେହେରା

ଧୃବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

ଶୁଭ ସକାଳର ସୁନେଲୀ କିରଣେ
ହସୁଥିଲା ମୋର ଗାଆଁ
କାଉ ରାବୁଥିଲା କୋଇଲି ଗାଇଲା
ହମ୍ବା ରଡି ଶୁଭେ ମାଆ ।।


ସାରୁ ପତର ଯେ କୁଲାକାନ ପରି
ଝୁଲୁଥିଲା ଥେଇ ଥେଇ
ପବନରେ ଖେଳେ ହରସିତ ହୋଇ
ନୂଆ ସକାଳକୁ ପାଇ ।।


କାକର ବିନ୍ଦୁର ଢଳ ଢଳ ଆଖି
ଦିଶୁଥିଲା ଜଳ ଜଳ
କୋମଳ ଶରୀରେ ରୂପା ଅଳଙ୍କାର
ଲାଗଇ ସତେ ଉଜ୍ଜଳ ।।


ସୋରିଷ କ୍ଷେତର ଧାରେ ଧାରେ ଦେଖ
ଭଅଁର ଗାଉଛି ଗୀତ
ମହୁମାଛିଙ୍କର ଶବଦ ଲାଗଇ
ଆମ ପରାଣର ମୀତ ।।


ନାନା ପ୍ରଜାପତି ଉଡନ୍ତି ଖୁସିରେ
ଫୁଲରୁ ଫୁଲକୁ ଚୁମି
ନୀଳ ଆକାଶର ନୀଳିମା ଭିତରେ
ମନ ଯାଉଥାଏ ଝୁମି ।।


ଶଗଡ ଗାଡ଼ିଟି କେଁ କଟରରେ
ଧିରେଯାଏ ଗଡି ଗଡି
ଭଗିଆ ନନାତ ଶଗଡିଆ ଗୀତ
ଗାଉଥାଏ ଭିଡି ଭିଡି ।।


ସକାଳୁ ସକାଳୁ ପିଲାମାନେ ମିଶି
ଉଡ଼ାନ୍ତି କତେ ଯେ ଗୁଡି
ଗଗନ ବୁକୁରେ ପକ୍ଷୀ ମାନେ ସବୁ
ଯାଆନ୍ତି ଆନନ୍ଦେ ଉଡି ।।


ଘର ଚଟିଆର କିଚିରି ମିଚିରି
ଲାଗଇ କେତେ ଗହଳି
ବିଛଣାରୁ ଉଠି ସଜବାଜ ହୋଇ
କୁନା ମୁନି କରେ ଅଳି ।।


ବାହରି ଜାଣନ୍ତି ପାଠଶାଳାକୁ ସେ
ପଢିବା ଶିଖିବା ପାଇଁ
ଶିଖନ୍ତି ସେଠାରେ କତେ ନୂଆ କଥା
ହସି ଖେଳି ନାଚି ଗାଇ ।।


କଇଁ ଫୁଟିଅଛି ହଂସ ପହଁରୁଛି
ସାଥେ ତାର ସାଥି ନେଇ
ଶୀତ ଅଛି ବୋଲି ବଗୁଲା ବଗୁଲି
ଥରନ୍ତି କୂଳରେ ଥାଇ ।।


ମାଛରଙ୍କା ଦେଖ ଧ୍ୟାନେ ବସିଅଛି
ଗଛ ଡାଳ ପରେ ଥାଇ
ଧରିନେବ ମୀନ ଏକା ମାଡକରେ
ପାଣିରେ ବୁଡ କୁ ଦେଇ ।।


କବାଡ଼ି ଖେଳ ସେ ପୃଥିବୀ ଉପରୁ
ପାଣି ସାଙ୍ଗେ କରି ଭାବ
ନିଜ ପାଇଁ ନିଜେ ଆହର ଖଞ୍ଜଇ
ଅପୂର୍ବ ସେ ରଙ୍ଗ ଜୀବ ।।


ମଲ୍ଲୀ ମାଳତୀର ବାସନା ଚହଟେ
ମନ୍ଦିରୁ ଶୁଭେ ଜଣାଣ
ଶଙ୍ଖ ଧ୍ବନି ନାଦେ ହସେ ଏ ସକାଳ
ନମଃ ପ୍ରଭୁ ନାରାୟଣ ।।

Post a Comment