Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୁଁ ଶିକ୍ଷକ ହେବି - ରଶ୍ମି ରଞ୍ଜିତା ମିଶ୍ର

ରଶ୍ମି ରଞ୍ଜିତା ମିଶ୍ର (ରୋଜି)
ବ୍ରାହ୍ମଣକୁଶଡିହ, ବାଲୁଗାଁ, ଖୋରଧା

ପାଠ ପଢି ବାବୁ ହାବୁ କଅଣ ????
ଚାଷବାସରେ ତୁ ଲାଗରେ ଧନ
ବୁଢ଼ାବାପ ହାତ ଦିଅ ପଟାଇ
କି ଲାଭ ପାଉଛୁ ପଢ଼ୁଛୁ ବହି
ଜେଜିମା' ମୋର ପୁରୁଣା ଲୋକ
ସହି ନ ପାରି ତା' ପୁଅର ଦୁଃଖ
କହିଲା ମତେ.........
ପାଠ ପଢ଼ି କିସ ହବୁ ଜଗତେ ।

ଏ ଗାଆଁର ମୁଁ ରଖିବି ଟେକ
ଦସ୍ତଖତ ଦେବେ ନ ଦେଇ ଟିପ
ସାହୁକାର ନ ପାରିବ ଭୁତେଇ
ହିସାବ ଜାଣିବେ ମୋ ଗାଁ ଭାଇ
ଅପେକ୍ଷା କର ତୁ ପାହିବ ରାତି
ବାପା ମୋ ଚାଲିବେ ଫୁଲେଇ ଛାତି
ଶୁଣଲୋ ଜେଜି,
ପାଠ ପଢି ମୁଁ ଶିକ୍ଷକ ହେବି
ଗାଁ ପିଲାଙ୍କୁ ଶିକ୍ଷିତ କରିବି ।


ଜାତି ସମାଜର ଚିର ନମସ୍ୟ
ଚରିତ୍ର ଗଠନେ ଛାତ୍ର ଭବିଷ୍ୟ
ନିଃସ୍ବାର୍ଥତା ସାଥେ କର୍ତ୍ତବ୍ୟ ନିଷ୍ଠା
ଆପେ ପ୍ରକାଶିତ ମହନୀୟତା
ଦଗ୍ଧଭୂତ କରି ଆପଣା ମନ
ଉଦବୁଦ୍ଧ କରନ୍ତି ଛାତ୍ର ର ମାନ
ଶୁଣ ଲୋ ଜେଜି,
ପାଠ ପଢି ମୁଁ ହେବି ଶିକ୍ଷକ
ରଖିବି ସମାଜ, ଜାତିର ଟେକ ।

ମଣିଷ ତିଆରି କାରଖାନା ରେ
ଭବିଷ୍ୟ ଗଢ଼ନ୍ତି ଅତି ଯତ୍ନରେ
କିଏ ବୈଜ୍ଞାନିକ କିଏ ଡାକ୍ତର
ରାଜନେତା କିଏ ଇଂଜିନିୟର
ଆଇନଜୀବି କିଏ ବା ଜବାନ
ସୁରକ୍ଷା କରନ୍ତି ଦେଶର ମାନ
ଶୁଣ ଲୋ ଜେଜି,
ପାଠ ପଢି ମୁଁ ହେବି ଶିକ୍ଷକ
ନିର୍ମାଣ କରିବି ଦେଶ ରକ୍ଷକ ।


ଗଢି ଶୃଙ୍ଖଳିତ ଛାତ୍ର ଜୀବନ
ଆଦର୍ଶ ବ୍ୟକ୍ତିତ୍ବ, ଯଶ ଓ ମାନ
ଏଇ ଆମ ମାଟି ମାଆର ପାଇଁ
ବୀରଦରପେ ଦେବେ ଛାତି ପତାଇ
ଭୁଲି ପାରିବେନି ମୋ ଶିକ୍ଷକତା
ଛାତ୍ର ପ୍ରେମ ଆଉ ନିଷ୍ଠାପରତା
ଶୁଣ ଲୋ ଜେଜି,
ପାଠ ପଢି ମୁଁ ହେବି ଶିକ୍ଷକ
ଝୁରିବେ ମୋଲାଗି ସଂସାର ଯାକ ।

Post a Comment

0 Comments