Information

କ୍ଷୁଦ୍ରଗଳ୍ପ - ଜାତି ନିରୁପଣ - ନରେଶ କୁମାର ବେହେରା

ନରେଶ କୁମାର ବେହେରା (ଗଞ୍ଜାମର କବିତାଘର)
ବସୁଧା କମ୍ପୁଟର, ଗୋଇଲୁଣ୍ଡି ମେନ ରୋଡ, ବ୍ରହ୍ମପୁର, ଗଞ୍ଜାମ
ଦୂରଭାଷ : ୭୮୦୯୮୭୨୪୮୩

ଯେତିକି ମୁଁ ଖୁସି ଥିଲି ସେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତା’ଠାରୁ ଅଧିକ ଦୁଃଖୀ ଓ ଚିନ୍ତିତ ଅଛି ମୋର ସ୍କୁଲରେ ନାମାଙ୍କନକୁ ନେଇ । ଆଜିକୁ ପନ୍ଦର ଦିନ ତଳେ ସେଇ ସ୍କୁଲ ପ୍ରବେଶିକା ପରୀକ୍ଷାର ଫଳାଫଳ ବାହାରିଥିଲା, ତା’ପରେ ନାମାଙ୍କନର ନିୟମାନୁସାରେ ମୋ ବାପା ଖୁବ୍ ଦୌଡା-ଦୌଡି କରି ଆବାସିକ ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ଆଣିଲେ । କିନ୍ତୁ କଥାଟା ଏବେ ଅଟକିଛି ମୋର ଜାତି ପ୍ରମାଣପତ୍ର ପାଇଁ । ଆର୍.ଆଇ. ଓ ତହସିଲଦାର୍ ସମସ୍ତେ କହୁଛନ୍ତି ମୋତେ ଜାତି ପ୍ରମାଣପତ୍ର ମିଳିବନି । କାହିଁକି ନା’ ମୁଁ ଏ ଗାଁ'ର ଝିଅ ନୁହେଁ ବୋଲି । ମୁଁ ଜାଣେ ଏ ସବୁ ତାଙ୍କର ଚାଲ୍ ।


ବାପା ଦିନେ ବୌଉଙ୍କୁ କହୁଥିଲେ ମୁଁ ଯଦି ଶତକଡା ୯୫ ରୁ ଅଧିକ ମାର୍କ ଆଣିବି, ତେବେ ଯାଇ ମୋତେ ସ୍କୁଲରେ ସିଟ୍ ମିଳିବ । ନଚେତ୍, ଜାତିକୋଟାରେ ମିଳିପାରେ ଯଦି ୯୦ ରୁ ୯୫ ଭିତରେ ଆସେ । କିନ୍ତୁ ଏଠି ଏହା ଅସମ୍ଭବ । କାହିଁକିନା, ଆଜି ପର୍ଯ୍ୟନ୍ତ ସବୁ କିଛି ଏଠି ପଇସା ଦେଇ କାରବାର । ଯାହାର ବାପା ମା’ ଅଧିକ ପଇସା ବା ଲାଞ୍ଚ ଦେବେ, ତାଙ୍କ ପିଲାଙ୍କୁ ସ୍କୁଲରେ ସିଟ୍ ମିଳିବ । ବାସ୍ । କାରଣ କେବଳ ଥରେ ପ୍ରବେଶ ବା ନାମାଙ୍କନ ହୋଇଗଲେ, ମୋର ଭବିଷ୍ୟତ ଉଜ୍ଜଳ ହୋଇଯିବ । ଏଇଟା ହେଲା ଭାରତ ସରକାରଙ୍କ ଏକମାତ୍ର ଆବାସିକ ବିଦ୍ୟାଳୟ ଆମ ଜିଲ୍ଲାରେ । ଏଠି ଶିକ୍ଷା, ବ୍ୟବସ୍ଥା, ରହଣୀ, ଖାଦ୍ୟପେୟ ସବୁକିଛି ଭଲ ଓ ମାଗଣା । ଜିଲ୍ଲାରେ ବଛା ବଛା କେବଳ ୮୦ଟି ପିଲାଙ୍କୁ ହିଁ ସ୍ଥାନ ମିଳିଥାଏ । ଯୋଉଥିପାଇଁ ଏକ ପ୍ରବେଶିକା ପରୀକ୍ଷା ବି ହୁଏ ।


ସେ ଦିନର ବାପାଙ୍କ କଥାଟା ଏବେ ସମ୍ପୁର୍ଣ୍ଣ ରୁପେ ସତ୍ୟ ଲାଗୁଛି । କାରଣ, ପ୍ରମାଣପତ୍ର ପାଇଁ ଯୋଉପ୍ରକାର ଅଯଥା ହଇରାଣ କଲେଣି, ଏହା ପଛରେ କିଛି ନା କିଛି ଷଡଯନ୍ତ୍ର ନିଶ୍ଚୟ ଥିବ । କାହିଁକି ନା, ୨୦ହଜାରରୁ ଅଧିକ ପିଲା ପ୍ରବେଶିକା-ପରୀକ୍ଷା ଦେଇଥିଲେ, ସେଥି ମଧ୍ୟରୁ ୧୧୫୦ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସିଟ୍ ସଂଖ୍ୟା ମାତ୍ର ୮୦ଟି । ରାଙ୍କ ବା ଗ୍ରେଡ୍ ଅନୁସାରେ ପ୍ରଥମ ୮୦ ଜଣଙ୍କୁହିଁ ପ୍ରବେଶ ମିଳିବ । ଯଦି କେହି ବଡଲୋକ ଭିତରେ ଭିତରେ ଧରାଧରି କରି ପଇସାପତ୍ର ଦିଏ, ତେବେ ସେ ୮୦ ଜଣଙ୍କ ମଧ୍ୟରୁ କାହାକୁ ହେଲେ, କିଛି ନା କିଛି କାରଣ ଦର୍ଶାଇ ବାହାର କରିଦେବେ । ଏଠି ଯଦି ମୋର ନାମାଙ୍କନ ନହୁଏ, ତେବେ ସାଧାରଣ ଓଡ଼ିଆ ସ୍କୁଲରେ ମୋତେ ପଢିବାକୁ ହେବ । ଯୋଉଠିକି ପଠାପଢା ଭଲ ହୁଏନା ବୋଲି ବାପା କହନ୍ତି । ଆଉ, ଟିକେ ଭଲ ସ୍କୁଲରେ ପଢ଼ିବାପାଇଁ ହେଲେ, ବହୁତ ପଇସା ଦରକାର । ବାପାଙ୍କର ଦେହ ଖରାପ ଯୋଗୁଁ ସେ ଚାକିରୀ ଛାଡ଼ିବା ୫ ବର୍ଷ ହେଲାଣି । ବାପା ମା’ ଦୁହେଁ ଟିଉସନ୍ କରି ଘର ଚଳାଉଛନ୍ତି । ଦୁହେଁ ମୋ ପାଇଁ ଭାରି ବ୍ୟସ୍ତ ଅଛନ୍ତି । ମୋ ମାମୁଁ ବି ଭାରି ଚିନ୍ତାରେ ଅଛନ୍ତି । ଯେହେତୁ ସେ ଦୂରଦେଶରେ ଅଛନ୍ତି, ଆସିପାରିଲେନି । ନଚେତ୍ ସେ ସବୁ ଠିକ୍ କରି ଦେଇଥାନ୍ତେ । କାରଣ, ସେ ଏହି ସ୍କୁଲରେ ଜଣେ ପୁରୁଣା ଛାତ୍ର । ପ୍ରାୟ ୨୫ବର୍ଷ ତଳେ ଏ ସ୍କୁଲରେ ସେ ପଢୁଥିଲେ, ତା’ପରେ ଆମ ପରିବାରରେ ମୁଁ ଜଣେ ହିଁ ଏହାର ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛି ।


କାଲିତ, ସେ ଫୋନ୍ କରି ବାପାଙ୍କ ଉପରେ ଖୁବ ବିରକ୍ତ ହେଉଥିଲେ, କାହିଁକି ମୋର ଜନ୍ମ ପ୍ରମାଣପତ୍ର କି ଜାତି ପ୍ରମାଣପତ୍ର ଆଦି କରି ନାହାନ୍ତି ବୋଲି । ସେ କହୁଥିଲେ, ଯଦି ତହସିଲଦାର୍ ଆବାସିକ ଓ ଆୟ ପ୍ରମାଣପତ୍ର ଦେଲେ ତେବେ ଜାତି ପ୍ରମାଣପତ୍ର କାହିଁକି ଦେଉନାହାନ୍ତି ? ହଁ, ଏହା ସତ ଯେ ଆମେ ଅନ୍ୟ ଗାଁରୁ ଆସି, ଏଠି ଆଈଙ୍କ ଘରେ ରହୁଛୁ । ଆଉ ସରକାରଙ୍କ ନିୟମାନୁସାରେ ଯୋଉ ଘରେ କିମ୍ବା ଗାଁରେ ୧୫ ବର୍ଷରୁ ଅଧିକ ରହିଲେ ଆବାସିକ ପ୍ରମାଣପତ୍ର ମିଳେ । ଯାହାକି ମିଳିଛି । କିନ୍ତୁ ଜାତି ପ୍ରମାଣପତ୍ରରେ କି ତନଖି ? ମୁଁ ତ ମୋ ବାପାର ଝିଅ ! ମୁଁ ମୋ ମା’ ପେଟରୁ ହିଁ ତ ଜନ୍ମ ହୋଇଛି, ମୋତେ କୋଉ ଅନାଥାଶ୍ରମରୁ ତ ଆଣି ନାହାନ୍ତି ! ତେବେ ଜାତି କେମିତି ବଦଳିବ ? ମୋର ବାପା ମା’ ଦୁହିଙ୍କ ଯଦି ଜାତି ପ୍ରମାଣପତ୍ର ଅଛି, ମୋର କାହିଁକି ବା’ ନ ହେବ ? ଯଦି ପ୍ରମାଣ ଦରକାର ତେବେ ରକ୍ତ ପରୀକ୍ଷା କରି ଦେଖୁ ନାହାନ୍ତି ! ମୋର ଜନ୍ମ ପରେ ବାପା ମୋ ଜନ୍ମ ପ୍ରମାଣପତ୍ର କରିନାହାନ୍ତି, ତା’ ଅର୍ଥ କ’ଣ ମୁଁ ବଂଚିନି ? ସ୍କୁଲ୍ ହେଡ଼ସାର୍ ଯଦି ମୋ ଜନ୍ମ ତାରିଖ ଲେଖିନଥାନ୍ତେ, ତା ହେଲେ କ’ଣ ମୁଁ ମଲା ସଦୃଶ୍ୟ ? ପ୍ରବେଶିକା ଫର୍ମରେ ପୁରୁଷ/ସ୍ତ୍ରୀ ଚିହ୍ନଟ କଲାବେଳେ ତ ଲଂଗଳା କରି କି ଦେଖୁ ନାହାନ୍ତି, ଇଏ ପୁରୁଷ ନା ସ୍ତ୍ରୀ ବୋଲି ? ମୋ ମତରେ ସେଇୟା ବି କରିବା କଥା । ଯଦି କେହି ପୁଅ ନିଜକୁ ସ୍ତ୍ରୀ କହେ, ତାକୁ ତ ପୁଣି ଲିଙ୍ଗକୋଟାରେ ସିଟ୍ ମିଳିଯିବ ! ସେଥିପାଇଁ ତ କେହି ପ୍ରତିରୋଧ କରୁନାହାନ୍ତି ? ତେବେ ମୋ ଜାତି ପାଇଁ କାହିଁକି ଏତେ ତନଖି ? ଘର, ଗାଁ, ଆଦି ବଦଳିପାରେ ନିଜ-ନିଜର ଚାକିରୀ ବା ବ୍ୟବସାୟ ଦ୍ଵାରା । କିନ୍ତୁ, ଜାତି ତ କେବେ ମୋର ବଦଳିନି ଆଜି ପର୍ଯ୍ୟନ୍ତ । ନା’ ତ ମୋର ବାବା ଅନ୍ୟ ଧର୍ମ ଗ୍ରହଣ କରିଛନ୍ତି, ନା’ ଅନ୍ୟ ଧର୍ମ / ଜାତିର ମୋ ମା’! ତାଙ୍କରି ରକ୍ତରେ ଯଦି ମୁଁ ଗଢା, ତେବେ ମୁଁ ବି ତ ସେଇ ଜାତିର ହିଁ ହେବି ନା ଅନ୍ୟ ଜାତିର ??


ଏତେ ସବୁ କଥା ମାମୁଁ ମୋ ବାପାଙ୍କୁ କହି ବୁଝାଇଲା ପରେ, ସେ ପୁଣି ଯାଇଛନ୍ତି ଆର୍.ଆଇ ଓ ତହସିଲଦାରଙ୍କ ପାଖକୁ । କାଲି ମୁଁ ସ୍କୁଲକୁ ଯାଇଥିଲି । ବହୁତ ବଡ ସ୍କୁଲ । ମୋର ଫର୍ମ୍ ପୁରଣ ସବୁ ସରିଲା, କିନ୍ତୁ ୭ଦିନ ଭିତରେ ଜାତି ପ୍ରମାଣପତ୍ର ଦେବା ପାଇଁ କହିଛନ୍ତି । ଯଦି ନହୁଏ, ତେବେ ଏଠି ପଢ଼ିବାର ସମ୍ଭାବନା ନୁହେଁ । ହେ ପ୍ରଭୁ ! ମୋତେ କାହିଁକି ଏ ନିଚ୍ଚ ଜାତିରେ ଜନ୍ମ କଲ ? ଯଦି ବା ଜନ୍ମ କଲ, ତେବେ କାହିଁକି ଏ ଦେଶରେ ଏ ସବୁ ଜାତିକୋଟା, ଓ ଧର୍ମ/ଜାତିର ଭେଦଭାବ ! ଧିକ୍ ଏ ଜୀବନ...


Post a Comment