Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଣୁଗଳ୍ପ - ଜୀବନର ଚଲାବାଟେ - ସମିର କୁମାର ବେଉରା

ସମିର କୁମାର ବେଉରା
ଜନ୍ମସ୍ଥାନ - ବାଙ୍କୀ, କଟକ
ବର୍ତ୍ତମାନ ବାସ - ଚେନ୍ନାଇ, ତାମିଲନାଡୁ

୨୦୧୪ ମସିହା ଜାନୁଆରୀ ମାସ । ଛୁଟିରେ ମୁ ଓଡିଶା ଯାଇଥାଏ । କେତେକ ସାହିତ୍ୟିକ କାର୍ଯ୍ୟକ୍ରମ ତଥା କେତେକ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସମୟ ପୁରା ସ୍ଥିର ହୋଇସାରିଥାଏ । ଦିନେ ବାଙ୍କୀ ଷ୍ଟେଟବ୍ୟାଙ୍କକୁ ଯାଇଥାଏ ମୋର ସଞ୍ଚୟ ଖାତାକୁ ବନ୍ଦ କରିବା ପାଇଁ । କହିବାକୁ ଚାହେଁ ବାଙ୍କୀ ହେଉଛି କଟକ ଜିଲ୍ଲାର ଏକ ସବଡିଭିଜନ, ଯେଉଁଠି ଭାଇଚାରା ଆଉ ମାତୃଭୂମି ପ୍ରେମ ପାଣି ପବନରେ ମଧ୍ୟ ଜଡିତ ହୋଇ ରହିଥାଏ । ବ୍ୟାଙ୍କ ଭିତରେ ମୁଁ ଦେଖିଲି ଏକ ଅଜବ ଦୃଶ୍ୟ । ଆଧୁନିକ ବେଶରେ ( ଜିନ୍ସ ଓ ଟି-ସାର୍ଟ) ଦୁଇଜଣ କଲେଜ ପଢୁଆ ଝିଅ ବ୍ୟାଙ୍କର ସୋଫାରେ ପ୍ରତୀକ୍ଷାରତ । ମୋ ଆଗରେ ପଇସା ଜମା କରିବାର ଧାଡିରେ ସେମାନଙ୍କ ପାଇଁ ଜଣେ ପୁଅ ପିଲା ଛିଡାହୋଇଥାଏ । ଝିଅ ଦୁଇଜଣଙ୍କ ହାତରେ ଟିଣ ଜାରରେ (7up)ଥଣ୍ଡା ପାନୀୟ, ଯାହାକୁ ସେମାନେ ପିଉଥାନ୍ତି କମ ଏବଂ ଦେଖଉଥାନ୍ତି ବେଶୀ ।


ଆପଣ ଭାବୁଥିବେ ଏଥିରେ ଅଜବ ଦୃଶ୍ୟ କଣ ? ମୁଖ୍ୟ କଥା ହେଲା ସେହିଭଳି ବେଶଭୂଷାରେ ମୁଁ ପ୍ରଥମ ଥର କଲେଜ ପଢୁଆ ଝିଅ ଦେଖିଲି ବାଙ୍କୀର । ଆଉ ଦ୍ୱିତୀୟ କଥା, ଯେତେବେଳେ ସେମାନଙ୍କ ପାଇଁ ଧାଡିରେ ଛିଡାହୋଇଥବା ପୁଅଟି କାମର ବାହାନା କରି ପଳାଇଲା ସେତେବେଳେ ସେମାନେ ଦୁଇଜଣ ଯାକ ଆସି ମୋ ସାମନାରେ ଛିଡାହେବା ପାଇଁ ଚାହିଁଲେ । ଅବଶ୍ୟ ମୋର କିଛି ଆପତ୍ତି ନଥିଲା କିନ୍ତୁ ସେମାନେ ମୋ ସହ ହିନ୍ଦୀରେ କଥା ହୋଇଥିଲେ । ମୁଁ ଚମକି ପଡ଼ିଥିଲି । ମୁଁ ସାଧାରଣ ବେଶପୋଷାକରେ ଥାଏ । ତେଣୁ ସେମାନେ ମୋତେ ମଫୁ, ଗାଉଁଲି ଇତ୍ୟଦି ଭାବିଥାଇ ପାରନ୍ତି । କିନ୍ତୁ ବାଙ୍କୀ ମାଟିରେ ମୋ ଜନ୍ମରୁ ସେଦିନ ଯାଏଁ ମୁ ଓଡ଼ିଆ ବ୍ୟତୀତ ଅନ୍ୟ କୌଣସି ଭାଷାରେ କେବେ କଥା ହୋଇନଥିଲି । ସେ ଝିଅ ଦୁଇଜଣଙ୍କୁ ମୁଁ ମୋ ସାମ୍ନାରେ ଧାଡିରେ ଛିଡାହେବାପାଇଁ ଜାଗା ଦେଇଦେଲି । କିନ୍ତୁ ମୋ ମନରେ କେତୋଟି ପ୍ରଶ୍ନ ଉଙ୍କି ମାରୁଥିଲା । ପଚାରିବି ନ ପଚାରିବିନି ଭାବୁଥିଲି । ଶେଷରେ ନିଷ୍ପତି ନେଲି ଯେ ପଚାରିବି, ହେଲେ ଓଡ଼ିଆ ଭାଷା ନୁହେଁ କିମ୍ବା ହିନ୍ଦୀ ଭାଷା ନୁହେଁ (କାରଣ ସେମାନେ ଓଡ଼ିଆ କହିବାକୁ ଚାଁହନ୍ତିନି ଆଉ ମୁଁ ହିନ୍ଦୀ କହିବାକୁ ଚାହେଁନି) ବରଂ ଇଂରାଜୀ ଭାଷାରେ ।


- ମୁଁ ପଚାରିଲି ସେମାନଙ୍କୁ -
- ଆପଣମାନେ କଣ କରନ୍ତି ? ଆପଣମାନଙ୍କ ଘର କୋଉଠି ?
- ସେମାନେ ଉତ୍ତର ଦେଲେ ଯେ, ସେମାନେ ବି.ଏ . (ଇତିହାସ ଛାତ୍ରୀ) ପଢ଼ନ୍ତି ବାଙ୍କୀ କଲେଜରେ, ହଷ୍ଟେଲରେ ରୁହନ୍ତି, ଆଉ ସେମାନଙ୍କ ଘର ଖୋରଧା ଜିଲ୍ଲାର ସୀମର ଅଞ୍ଚଳରେ ।
- ମୁଁ ପୁଣି ପଚାରିଲି : ଆପଣଙ୍କ ବାପା କଣ କରନ୍ତି ? ସେମାନେ ନୀରବ ରହିଲେ
- ମୁଁ ପୁଣି ପଚାରିଲି : ଆପଣମାନେ ଓଡ଼ିଆ ଜାଣନ୍ତି ନା ନାହିଁ ? ପୁଣି ସେମାନେ ନୀରବ

ସେମାନଙ୍କ ନୀରବତା ହିଁ ସବୁ ଉତ୍ତର ମୋତେ ଦେଇଦେଲା ।
ଏଥର ମୁଁ ଓଡ଼ିଆରେ କହିଲି : ସମୟ ବଦଳିପାରେ, ଦେଶ ପ୍ରଗତି କରିପାରେ , ଆମେ ମଧ୍ୟ ଆଧୁନିକରୁ ଅତ୍ୟାଧୁନିକ ହୋଇପାରୁ କିନ୍ତୁ ଆମ ମାତୃଭୂମି, ଆମ ଭାଷା, ଆମ ବାପା ମା, ଆମ ସଂସ୍କୃତି ତଥା ଆମ ପରମ୍ପରା ଇତ୍ୟାଦି ଆମର ପରିଚୟ ହୋଇ ରହିଥିବ ।
ସେମାନେ କେବଳ ମତେ ଇଂରାଜୀରେ କହିଲେ : ସରି
ସେମାନଙ୍କର ପାଳି ପଡିଲା ଆଉ ସେମାନେ ଯଥାଶୀଘ୍ର ଟଙ୍କା ଜମାକରି ସେ ସ୍ଥାନ ଛାଡିଲେ ।
ମନ ଦୁଃଖ ହେଲା ସମୟ ସହ ଯୁବପିଢ଼ି ନିଜ ସଂସ୍କୃତିକୁ ବଦଳେଇଦେଉଛନ୍ତି ବୋଲି । ଆଉ ଅବଶୋଷ ରହିଗଲା ଏୟା ଭାବି ଯେ, ସେ ଦୁହେଁ ମୋତେ ଖରାପ ଭାବିଥିବେ ବୋଲି ଆଉ ତାଙ୍କ ମୁଁହରୁ ଓଡ଼ିଆ ଶବ୍ଦଟିଏ ଶୁଣିପାରିଲିନି ବୋଲି ।

Post a Comment

4 Comments

  1. ବହୁତ ସୁନ୍ଦର ଅନୁଭୁତିଟିଏ ଆପଣ ବର୍ଣ୍ଣନା କରି କହିଲେ | ଏହ ନିରାଟ ସତ୍ୟ ଆଉ ମୁଁ ବି ବହୁତ ଥର ଅନୁଭବ କରିଛି | ଟ୍ରେନରେ ଗଲା ବେଳେ କିମ୍ବା ଅନ୍ୟ ରାଜ୍ୟରେ ରହୁଥିବା ବେଳେ ବହୁତ ଓଡ଼ିଆ ଅଛନ୍ତି ଯେଉଁ ମାନେ କି ନିଜ ଭାଷା ଓଡ଼ିଆ କହିବା ପାଇଁ କୁଂଠାବୋଧ କରନ୍ତି ଓ ଇଂରାଜୀ ଭାଷାକୁ ଉପଯୁକ୍ତ ମନେ କରନ୍ତି | ଏହା ଦେଖି ବହୁତ କଷ୍ଟ ହୁଏ, ସତରେ |

    ReplyDelete
  2. Anonymous1/30/2018

    Bahut Vala heichi gapa
    Dhanyabad bhai

    ReplyDelete
  3. Samir Kumar B1/31/2018

    Thank you very much Naresh Bhai

    ReplyDelete
  4. Samir Kumar B1/31/2018

    Thank you very much

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।