Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଣୁଗଳ୍ପ - କ୍ଷୀର ଓ ସୁରା - ଶୁଭକାନ୍ତ ସାହୁ

ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଞ୍ଜାମ


ସୁରା ମଦମତ୍ତ ହୋଇ କ୍ଷୀର ପ୍ରତି ବାକ୍ୟାକ୍ରମଣ କରୁଥିଲା, "ଭୁଲରେ ତୋତେ କିଏ ଅମୃତ ନାମିତ କରିଦେଇଛି ଅଥବା ତୁ କେବେ ଦିନେ ଥିଲୁ; ଆଜିର ଦୁନିଆଁରେ ମୋର ଚାହିଦା ବେଶୀ । ତେଣୁ ଅମୃତ ନାମର ଦାବୀଦାର ମୁଁ" । କ୍ଷୀର ନମ୍ରତାର ସହ ଉତ୍ତରିଲା, ତୁ କେବେବି ଚାହିଦାଯୁକ୍ତ ନଥିଲୁ କି କେବେ ହୋଇପାରିବୁନି । ତୁ କିଛି ଲୋକଙ୍କ ସଉକ ମାତ୍ର; ହେଲେ ମୁଁ ଶିଶୁ ଠାରୁ ବୃଦ୍ଧ ଯାଏଁ ସଭିଙ୍କ ପ୍ରାଣ ରକ୍ଷାକାରୀ, ତେଣୁ ମୋର ସମକକ୍ଷ ଦାବୀ ତୋର ବୃଥା ଆସ୍ଫାଳନ" । ଅଟ୍ଟହାସ୍ୟେ ସୁରା କ୍ଷୀରକୁ ଇସାରା କଲା ଏକ ଦୃଶ୍ୟ ଆଡ଼କୁ ।


ଯୁବକଟି ସ୍ତ୍ରୀ ଯାଚୁଥିବା କ୍ଷୀର ଗ୍ଲାସକୁ ଫୋପାଡ଼ି ଦେଇ ମୁହାଁଇଲା ମଦଭାଟିକୁ । ଏକା ନିଶ୍ଵାସକେ ଗ୍ଲାସେ ମଦ ପିଇ ଫୁର୍ତ୍ତି ଅନୁଭବ କଲା । କହିଲା, "ଦେଖିଲୁତ ଲୋକେ କିପରି ତୋତେ ଫୋପାଡ଼ି ମୋତେ ଆପଣାଉଛନ୍ତି ? ଆରେ ଏବେ ଗାଁ ଗାଁରେ ଦେଖ୍ କ୍ଷୀର ପାଇଁ ଗୋପାଳନ କେନ୍ଦ୍ର ନାହିଁ କି ଘରେ ଗାଇ ନାହିଁ । କିନ୍ତୁ ମଦଭାଟି ନିଶ୍ଚୟ ଥିବ । ତୋର ଚାହିଦା ଏତେ କମ୍ ଯେ ବିକ୍ରି ହୋଇପାରୁନୁ ବୋଲି ବିଚରା ଚାଷୀ ହତାଶ ହୋଇ ରାସ୍ତାରେ ଢାଳୁଛନ୍ତି । ଆଉ ମୋତେ ପାଇବା ପାଇଁ..... ହେ...ହେ... ଲୋକେ ଖୋଜି ଖୋଜି ଠିକଣା ସ୍ଥାନରେ ପହଞ୍ଚି ଯାଉଛନ୍ତି । ତୋର ଅଧା ଲିଟର ପ୍ୟାକେଟର ମୂଲ୍ୟ । ମୋର ଶହେ ଗ୍ରାମର ଦାମ୍ ଠାରୁ ବି ସାମାନ୍ୟ । ତୁ କାହାକୁ ନେଇ ଗର୍ବ କରୁଛୁ ?" କ୍ଷୀର ସ୍ମିତହସି କହିଲା, "ଗର୍ବ ତ ମୋର କେବେ ବି ନଥିଲା । ବରଂ ତୁ ଦିନକୁ ଦିନ ଅଧିକ ଗର୍ବି ହୋଇଯାଉଛୁ । ଏଇ ଦେଖ୍ ତୋତେ ଗ୍ରହଣ କରିଥିବା ଲୋକର ଅବସ୍ଥା କ'ଣ ?" ଲୋକଟି ଅର୍ଦ୍ଧ ନଗ୍ନ ହୋଇ ଅଣାୟତ ହୋଇପଡୁଥିଲା । ପଥଚାରୀମାନେ ମୁହଁ ବୁଲେଇ ଦୂରେଇ ଯାଉଥିଲେ । ରାସ୍ତା କଡ଼ ଅସନାରେ ପଡ଼ି ମନକୁ ମନ ଗପୁଥିଲା । ମଦର ପ୍ରଭାବ ସାମାନ୍ୟ ହେବା ପରେ ଘରେ ଯାଇ ସମସ୍ତଙ୍କୁ ମାରଧର କରିବାକୁ ଉଦ୍ୟତ ହେଲା । କ୍ଷୀର ଇସାରା କଲା ସୁରାକୁ, "ଦେଖିଲୁତ ସମାଜରେ ମଦ୍ୟପ କେତେ ବିଶୃଙ୍ଖଳିତ ?" ସୁରା ଅଟ୍ଟହାସ୍ୟ କରି କହିଲା, "ମୋର ଗୋଟିଏ ମାତ୍ର ଭକ୍ତ ତୋର ଅନେକ ଭକ୍ତଙ୍କୁ ନାକେଦମ କରି ପକେଇଲାଣି" । ଏହିପରି ପ୍ରତିଦିନ ସୁରା ନିଜର ବଡିମା ବଖାଣି ଆତ୍ମହରା ହୋଇପଡୁଥିଲା । କ୍ଷୀର କିନ୍ତୁ ଆଦୌ ବିଚଳିତ ନୁହେଁ ।


ଦିନେ ସେହି ଯୁବକଟି ରୋଗଗ୍ରସ୍ତ ହୋଇ ମୁମୂର୍ଷୁ ଅବସ୍ଥାରେ ଡ଼ାକ୍ତରଖାନାରେ ଶଯ୍ୟାଶାୟୀ ହେଲା । ଡ଼ାକ୍ତର କହିଲେ, "ଅତ୍ୟଧିକ ମଦ୍ୟପାନ ଯୋଗୁଁ ତୁମର ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ ହେବାକୁ ବସିଲାଣି । ଉପଯୁକ୍ତ ଚିକିତ୍ସା ନକଲେ ମାତ୍ର କେଇ ଦିନ ମଧ୍ୟରେ ପ୍ରାଣହାନୀ ହୋଇପାରେ । ମଦ୍ୟପାନ କରି ସର୍ବସ୍ଵାନ୍ତ ହୋଇଥିବା ଯୁବକଟିର ଚିକିତ୍ସା ପାଇଁ ସମ୍ବଳ ନଥିଲା । ସେ କେତେ ଲୋକଙ୍କ ପାଖରେ ଗୁହାରୀ କଲା । ହେଲେ ସମସ୍ତେ କହିଲେ, "ମଦୁଆକୁ ବିଶ୍ୱାସ ନାହିଁ" । ବାପା, ମାଆ, ସ୍ତ୍ରୀ ଅନ୍ୟକୁ ନେହୁରା ହୋଇକିଛି ସମ୍ବଳ ସଂଗ୍ରହ କଲେ । ଚିକିତ୍ସା ପରେ ମଦ ସଂପୂର୍ଣ୍ଣ ବାରଣ କରାଗଲା । ଔଷଧ ଓ ଖାଦ୍ୟ ସହ ପ୍ରତ୍ୟେହ ଦୁଇ ଗ୍ଲାସ କ୍ଷୀର ପିଇବାକୁ ପରାମର୍ଶ ଦିଆଗଲା । କ୍ଷୀର ହସି ହସି କହିଲା, "ତୁ ଜୀବନ ନେଇପାରୁ ଆଉ ମୁଁ ଜୀବନ ଦେଇପାରେ । ସୃଷ୍ଟିର ଆଦ୍ୟ ଓ ଅନ୍ତିମ ପାନୀୟ ମୁଁ । ମୁଁ କାହାରି ନିକଟରେ ବି ଅଛୁଆଁ ନୁହେଁ । ତୁ ମୁଷ୍ଟିମେୟ ଯୁବଗୋଷ୍ଠୀର କୁପଥର ପ୍ରବେଶ ଦ୍ଵାର" । ସୁରା ନିକଟରେ ଆଉ କିଛି ଯୁକ୍ତି ନଥିଲା । ସେ ବୁଝି ସାରିଥିଲା ଯେ, ସେ କ୍ଷୀର ସହ କେବେ ବି ତୁଳନୀୟ ନୁହେଁ । କ୍ଷୀରକୁ ଅମୃତ କହିବା ଯୁକ୍ତିଯୁକ୍ତ ।

Post a Comment

0 Comments