Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରବନ୍ଧ - ଆଧ୍ୟାତ୍ମିକ ଚେତନା ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର - ଧୃବ ଚରଣ ବେହେରା

ଧୃବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

ପୂଣ୍ୟମୟ ଏହି ପବିତ୍ର ମାଟି.. ଜୀବନ୍ତ ତା ଇତିହାସ । ଧର୍ମ ନ୍ୟାୟ ବେଦ ଶାସ୍ତ୍ରରେ ଲେଖାଅଛି ଶାଶ୍ଵତେ ସଦା ଭାରତ । ସବୁଜିମା ରାଜିର ପଲ୍ଲୀ ଜୀବନର ସମାହାର ଏହି ପବିତ୍ର ଭାରତ ଭୂମିରେ କେଉଁ ଆଦିମ କାଳରୁ ଭାରତ ତାର ଐକ୍ୟ ଏକତା ତଥା ଆଧ୍ୟାତ୍ମିକତାର ବୌଦ୍ଧିକ ବିକାଶ କ୍ଷେତ୍ରରେ ଯେଉଁ ମାଇଲଖୁଣ୍ଟ ଅକ୍ତିଆର କରିଛି, ତାହା ସଦା ସର୍ବଦା ଜନ ମାନସରେ ଏକ ଅଭୁଲା ସ୍ମୃତିର ଉଦାହରଣ । ଯାହାକି ଆଜି ଭାରତକୁ ବିଶ୍ଵ ଦରବାରରେ ବେଶ ପରିଚିତ କରାଇ ପାରିଛି । ସମୟର ସ୍ରୋତରେ ଚିର ପ୍ରବାହିତ ଏହି ଆଧ୍ୟାତ୍ମିକ ଚେତନାର ବିକାଶ କ୍ଷେତ୍ରରେ ବହୁ ମହା ମାନବ ଏହି ପବିତ୍ର ରଙ୍ଗଭୂମିରେ ଯେଉଁ ନୀତିବାଣୀ ତଥା ଜୀବନ ମରଣର ବିଶ୍ଳେଷଣ ପ୍ରତିପାଦିତ କରିଛନ୍ତି ତାହା ଚିରନ୍ତନ ସତ୍ୟ ଓ ମାନବିକ ମୂଲ୍ୟବୋଧର ମୂଲ୍ୟ ନିରୂପଣ କରି ପାରିଛି । ସତ୍ୟ, ଦୟା, କ୍ଷମା ଭଳି ସୁନ୍ଦର ସଂସ୍କାର ଓ ସଂସ୍କୃତିକୁ ଗଢି ତୋଳିବା ବେଶ୍ ମର୍ମସ୍ପର୍ଶୀ ହୋଇଛି । "ଆମରି ସଂସ୍କୃତି ଆମରି ବୈଭବ ଯୁଗେ ଯୁଗେ ପାଏ ପୂଜା, କେତେ ଞ୍ଜାନୀ ଗୁଣି ଥିଲେ ତା ପୂଜକ ମାନବିକତାର ଧ୍ଵଜା" ଆଧ୍ୟାତ୍ମିକ ଜ୍ଞାନର ବିକାଶ ପାଇଁ ପୁରାତନ କାଳରେ ଅନେକ ଜ୍ଞାନୀ ତଥା ମହାଜ୍ଞାନୀ ମାନଙ୍କ ପ୍ରଚେଷ୍ଟା ବଳରେ ଯେଉଁ ସବୁ ଧାର୍ମିକ ଆନ୍ଦୋଳନ ହୋଇଥିଲା, ତାହା ସବୁଦିନ ପାଇଁ କାଳଜୟୀ ହୋଇ ପାରିଛି । ଯେପରି ସ୍ଵାମୀ ଦୟାନନ୍ଦ ସରସ୍ଵତୀ, ନାନକ, ମହମ୍ମଦ, ଯୀଶୁ ଆଦି ବିଭିନ୍ନ ଧର୍ମ ପ୍ରଚାର କରି ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଧର୍ମ ଚେତନାର ବିକାଶ କରି ସମାଜକୁ ସୁ-ସଙ୍ଗଠିତ କରି ପାରିଥିଲେ । ଭକ୍ତ ତଥା ଭଗବାନଙ୍କ ମଧ୍ୟରେ ନିବିଡ ସମ୍ପର୍କକୁ ତ୍ଵରାନିତ କରି ପାରିଥିଲେ । ଆଧ୍ୟାତ୍ମିକ ଚେତନା ମଣିଷର ବୌଦ୍ଧିକ ବିକାଶ ତଥା ସମାଜରେ ଭାତୃପ୍ରେମକୁ ବିସ୍ତାର କରିବା ଏହାର ମୂଳ ମନ୍ତ୍ର ଥିଲା ।


ଏହି କେତେଜଣ ମହାମାନବ ମାନଙ୍କ ମଧ୍ୟରୁ ବିବେକାନନ୍ଦ ଥିଲେ ଅନ୍ୟତମ । ଜଣେ ବଙ୍ଗୀୟ ଲେଖକ ତଥା ଧର୍ମ ପ୍ରଚାରକ ଭାବେ ସେ ବେଶ ଜଣାଶୁଣା । ସମାଜକୁ ଯେଉଁ ସୁନ୍ଦର ବାର୍ତ୍ତା ଦେଇ ଯାଇଛନ୍ତି ତାହା ଆମ ସମାଜର ମାନସିକ ବିକାଶ କ୍ଷେତ୍ରରେ ବେଶ ଦିଗଦର୍ଶନ କହିଲେ ଅତ୍ୟୁକ୍ତି ହେବନାହିଁ । ଅତି କମ୍ ବୟସରୁ ଜଣେ ଭଲ ତଥା ହିନ୍ଦୁଧର୍ମର ଧର୍ମ ପ୍ରଚାରକ ହୋଇ ଦେଶ ତଥା ଆମେରିକା ଭଳି ବିକଶିତ ଦେଶରେ ନିଜର ଐତିହ୍ୟ ପରମ୍ପରାକୁ ବାଣ୍ଟି ଜଣେ ବଳିଷ୍ଠ ଞ୍ଜାନୀ ଭାବେ ନିଜକୁ ପ୍ରତିପାଦିତ କରି ପାରିଥିଲେ । ତାଙ୍କର ବାଲ୍ୟକାଳ ବେଶ ଭଲରେ କଟିଥିଲା । ବାଲ୍ୟଶିକ୍ଷା ସେ ବଙ୍ଗଳାରୁ ଆରମ୍ଭ କରିଥିଲେ । ଇଶ୍ଵର ଚନ୍ଦ୍ର ବିଦ୍ୟାସାଗରଙ୍କ ବିଦ୍ୟାଳୟରେ ବାଲ୍ୟଶିକ୍ଷା ଆରମ୍ଭ କରି ପିଲାଦିନୁ ଭାଗବତ ଜ୍ଞାନ, ପୁରାଣ, ବେଦ ତଥା ଉପନିଷଦ ଭଳି ହିନ୍ଦୁ ଶାସ୍ତ୍ରର ଅଧିକାରୀ ହୋଇ ପାରିଥିଲେ । ସେ କହିଥିଲେ ଯେ "ବସୁଧୈବଃ କୁଟୁମ୍ବକମ୍" ଆତ୍ମିକ ଚେତନାରେ ନିଜକୁ ପ୍ରତିଫଳିତ କରି ସାରା ବିଶ୍ୱକୁ ଗୋଟିଏ ଦୃଷ୍ଟିରେ ଦେଖିଥିଲେ । ସେ ଜାଣି ଥିଲେ ଯେ ମଣିଷ ସମାଜ ଏକ, ସାରା ବିଶ୍ଵ ଯଦି ଗୋଟିଏ ପରିବାର ହୁଏ ଆମେ ତା'ର ଭାଇ ଭଉଣୀ । ସଞମଶୀଳ, ଶହନଶୀଳତା, ଉଦାରତା ଧର୍ମ ପରାୟଣତା ଆଦି ବିକଶିତ ବ୍ୟକ୍ତିତ୍ଵର ପରିଚୟ ଅଟେ । ଅନ୍ୟ ଦେଶ ତୁଳନାରେ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ବେଶ ପରିଚିତ । "ହିନ୍ଦୁ, ମୁସଲମାନ, ଶିଖ, ଇଶାଇ ଆମେ ସମସ୍ତେ ଭାଇ ଭାଇ" ଏହି ପରିପ୍ରେକ୍ଷୀରେ, ଭାରତ ଏକ ସର୍ବ ଧର୍ମ ପ୍ରାର୍ଥନା ସ୍ଥଳର କେନ୍ଦ୍ରବିନ୍ଦୁ କହିଲେ ଭୁଲ ହେବ ନାହିଁ ।


ପ୍ରସ୍ତର ଯୁଗରୁ ଆରମ୍ଭ କରି ବୈଦିକ ସଭ୍ୟତାର କ୍ରମବିକାଶ ଫଳରେ ପ୍ରାଚୀନ କାଳରେ ଯେଉଁ ମହାପୁରୁଷ ମାନେ ଆମକୁ ପୁରାଣ, ଶାସ୍ତ୍ର ଭାଗବତ, ବେଦ, ରାମାୟଣ, ମହାଭାରତ ସବୁ ଶିକ୍ଷା ଦେଇ ଯାଇଛନ୍ତି ବର୍ତ୍ତମାନ ତାହା ବିଶ୍ଵରେ ବେଶ ଚର୍ଚ୍ଚାର ବିଷୟ ହୋଇପାରିଛି । ବିଦେଶୀ ମାନେ ବର୍ତ୍ତମାନ ଆମ ସଂସ୍କୃତିକୁ ପାଥେୟ କରି ଭଗବତ ଶିକ୍ଷା ପାଇଁ ଅନୁପ୍ରାଣିତ ହେଲେଣି । ଆମ ପରମ୍ପରା ତଥା ଆମ ସଂସ୍କୃତି ଦିନେ ନା ଦିନେ ସାରା ଦୁନିଆଁରେ ତା'ର କାୟା ବିସ୍ତାର କରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କର ଛାତ୍ର ଥିଲେ । ଭଦାରବାଦି ଧର୍ମ ପରାୟଣ ତଥା ମାନବିକ ମୂଲ୍ୟବୋଧର ସାରମର୍ମ ଆଜି ଯୁବପିଢ଼ି ପାଇଁ ଅନେକାଂଶରେ ଉପଯୋଗୀ ଅଟେ, କାରଣ ବୌଦ୍ଧିକ ଚେତନାର ଅଭାବରେ ମନୁଷ୍ୟ କେବଳ ଆସୁରୀକ ପ୍ରବୃତିର ପଥିକ ସାଜିଥାଏ । ବର୍ତ୍ତମାନର ବିଜ୍ଞାନ ଯୁଗରେ ମଣିଷ ଯେପରି ବିକାଶ କରୁଛି ତା'ର ଆଧ୍ୟାତ୍ମିକ ସଚେତନତା ସେତିକି ଅଧୋଗତି ହେବାରେ ଲାଗିଛି । ବିଜ୍ଞାନର ବିକାଶ ଏବଂ ଭୌତିକବାଦୀ ଚିନ୍ତାଧାରା ମଣିଷକୁ ତା'ର ଅନ୍ତ ପାଇଁ ପଥ ପରିଷ୍କାର କରୁଛି । ତେଣୁ ଶାସ୍ତ୍ରରେ କୁହା ଯାଇଛି "ଯଦା ଯଦାହିଃ ଧର୍ମସ୍ୟ ଗ୍ଲାନିର ଭବତି ଭାରତଃ.. ଅଦଭୁଥାନଃମ ଧର୍ମସ୍ୟ ପରିତ୍ରାଣାୟ ସାଧୁନାୟ.. ଧର୍ମ ସଂସ୍ଥାପନାରଥମ ସଂଭଵାମି ଯୁଗେ ଯୁଗେ" । ଭାରତ ଭଳି ଏହି ପବିତ୍ର ଭୂମିରେ ମହାଭାରତରେ ଯେଉଁ ସବୁ କାହାଣୀ ବା କିମ୍ବଦନ୍ତୀ ରହିଛି, ସେଥିରେ ଅଧର୍ମର ସବୁବେଳେ ପରାଜୟ ହୋଇଛି ଏବଂ ଧର୍ମର ଜୟ ହୋଇଛି । ତେଣୁ ଭାରତ ବିଶ୍ୱ ଇତିହାସରେ ତା'ର କାଳଜୟୀ ଶାଶ୍ଵତ ତଥା ଭଗବତ ଚେତନାର ପରିପୃଷ୍ଟ ଉଦାହରଣ ହୋଇ ପାରିଛି । ତେଣୁ ଭୌତିକ କ୍ରମ ବିକାଶରେ ମାନବ ଜାତିର ଯେ କଲ୍ୟାଣ ପୁରାପୁରି ଭାବରେ ହୋଇଛି କହିଲେ ଭୁଲ ହୋଇଯିବ । ଆଧ୍ୟାତ୍ମିକ ଚେତନା ମାନବିକ ମୁଲ୍ୟବୋଧ ତଥା ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର କହିଲେ ଭୁଲ ହେବନାହିଁ । ଆଜିର ଯୁବ ସମାଜ ପାଇଁ ଏହା ଏକାନ୍ତ କାମ୍ୟ । ଯାହାକି ସ୍ଵାମୀ ବିବେକାନନ୍ଦ ତା'କୁ ଉପଲବ୍ଧି କରିଥିଲେ ଅନ୍ୟମାନଙ୍କୁ ମଧ୍ୟ ଏହି ବିଷୟରେ ଶିକ୍ଷା ଦେଇଥିଲେ । ରାମକୃଷ୍ଣ ମିଶନ ଏକ ଆଧ୍ୟାତ୍ମିକ ଶିକ୍ଷାକେନ୍ଦ୍ର, ଯାହାକି ବିବେକାନନ୍ଦଙ୍କ ଏକ ଅନବଦ୍ୟ କୃତି । ଯାହା ଆଜି ବିଶ୍ଵରେ ଭଗବତ ତଥା ଆଧ୍ୟାତ୍ମିକ ଚେତନାର ଶିକ୍ଷା ଓ ଶାସ୍ତ୍ରର ମୂଳ ସୋପାନ କହିଲେ ଅତ୍ୟୁକ୍ତି ହେବନାହିଁ ।


ଜୀବନର କର୍ମମୟ ଜଞ୍ଜାଳ ଭିତରେ ଭଗବତ ଗୀତା, ମହାଭାରତ ଓ ରାମାୟଣ ଭଳି ଚରିତାର୍ଥ ପାଠ ଆଜିର ଯୁବପିଢ଼ି ପାଇଁ ବେଶ ଦରକାରୀ । ଭାରତ ଏକ ପବିତ୍ର ଭୂମି ଅଟେ, ଯାହାକି ବିଶ୍ଵରେ ଆଜି ବିଦିତ । ସ୍ଵାମୀ ବିବେକାନନ୍ଦ ଜଣେ ଧର୍ମ ପରାୟଣ ସଂସ୍କାରବାଦୀ ମହାପୁରୁଷ ଥିଲେ ଏବଂ ଆଧ୍ୟାତ୍ମିକତା କ୍ଷେତ୍ରରେ ସମଗ୍ର ବିଶ୍ୱରେ ବେଶ ପରିଚିତ । ଭୌତିକ ବିକାଶ ସହିତ ଆଧ୍ୟାତ୍ମିକ ବିକାଶ ଆଜିର ଯୁବସମାଜ ପାଇଁ ଅପରିହାର୍ଯ୍ୟ ଅଟେ । ଆଧ୍ୟାତ୍ମିକ ଚେତନା ମାନବ ସମାଜ ପାଇଁ ଏକ ଦର୍ପଣ ସଦୃଶ ଅଟେ । ଭାରତକୁ ସର୍ବଧର୍ମ ପ୍ରାର୍ଥନା ସ୍ଥଳର ଏକ କେନ୍ଦ୍ର ବିନ୍ଦୁ କହିଲେ ଠିକ ହେବ । ସୁସ୍ଥ ସମାଜ ଗଠନ ପାଇଁ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ । ମଣିଷ ଏକ ସାମାଜିକ ପ୍ରାଣୀ, ତେଣୁ ସମାଜ ପାଇଁ ଯେମିତି କଳା, ସ୍ଥାପତ୍ୟ, ଚାରୁକଳାର ମହତ୍ଵ ବେଶ ଗୁରୁତ୍ୱପୂର୍ଣ୍ଣ, ସେହିପରି ଆଧ୍ୟାତ୍ମିକ ଚେତନା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।

Post a Comment

1 Comments

  1. ବଣମଲ୍ଲୀ ମହକରେ ମହକିତ ବଣ ଜଙ୍ଗଲର ସତ୍ତା। ଚତୁର୍ଦିଗେ ମହକାଇ ନିଜ ମୌଳିକ ସୁଗନ୍ଧ, ବାରିହୋଇ ଯାଏ ,ଦେଇଦିଏ ନିଜ ଗୌରବ ଗାରିମା।ଦୁଃଖ ନ ଥାଏ ପରିଚୟ ପାଇବାକୁ ;ସେହି ବଣମଲ୍ଲୀ ନିଜର ସୁଗନ୍ଧରେ ସୁଗନ୍ଧିତ ନିଜ ଚାରିପଟେ।ଏଇତ ଈତି ବୃତ୍ତ ମୋର।

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।