Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବିତର୍କିତ ରାମସେତୁ - ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

ଆଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ
ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଲୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦

କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ରାମସେତୁ ଓ ରାମଙ୍କୁ ନେଇ ବିତର୍କ ଘଟିଥିଲା । ଯୁକ୍ତିଥିଲା ପୁରାଣ ବର୍ଣ୍ଣିତ ରାମସେତୁ ବନ୍ଧ କେତେ ଦୂର ସତ୍ୟ, ଶ୍ରୀରାମ ସ୍ୱୟଂ ଅବତାରୀ ପୁରୁଷ ନା ସାଧାରଣ ମଣିଷ, ଯାହାଙ୍କୁ ନେଇ ଇତିହାସ କାଳକ୍ରମେ ପୁରାଣ ପାଲଟି ଯାଇଛି । ବାଲ୍ମିକୀ କଣ ସତରେ ରାମ ଜନ୍ମଠାରୁ ତାଙ୍କ ଦେହାନ୍ତ ପର୍ଯ୍ୟନ୍ତ ପାଖେ ପାଖେ ରହି ସବୁ ଟିକିନିଖି ବିବରଣୀ ଲେଖୁଥିଲେ, ଏସବୁ କହିବାର ମୂଳ ଉଦ୍ଦେଶ୍ୟ ଯାହା ହେଉନା କାହିଁ ତର୍କ କରି କାହାର ଆଧ୍ୟାତ୍ମିକ ବିଶ୍ୱାସକୁ ଆଘାତ ଦେବା ଉଚିତ୍ ନୁହେଁ, ସହସ୍ର ବର୍ଷତଳେ ରାମ ସେତୁବନ୍ଧ ନିର୍ମାଣ ବେଳେ ପଥର ଭାସିବା ମିଥ୍ୟା ହେଉ ଅବା ଅଲୌକିକ ସତ୍ୟ ହେଉ, ବିଞ୍ଗାନର ତଥ୍ୟକୁ ନେଇ ଏହା ଅମୂଳକ ବୋଲି କୁହାଯାଇ ନପାରେ, ବା କୁହାଗଲେ ବୈଞ୍ଗାନିକ ତଥ୍ୟର ପ୍ରମାଣକୁ ଗ୍ରହଣ କରାଯାଇପାରେ । ଗୋଟିଏ ଲୋକଭିର୍ତ୍ତିକ ପ୍ରବଚନ ଅଛି, `ବିଶ୍ୱାସେ ମିଳନ୍ତି ହରି, ତର୍କେ ବହୁଦୂରେ ।


ରାମାୟଣ ଏକ କାଳ୍ପନିକ ମହାକାବ୍ୟ ନୁହେଁ, ଏହା ଭାରତୀୟ ଜୀବନ ଓ ସଂସ୍କୃତିର ଇତିହାସ । ରାମ କେବଳ ଏହାର ମୁଖ୍ୟ ନାୟକ ନୁହଁନ୍ତି, ବରଂ ସେ ଜଣେ ଆଦର୍ଶ ମର୍ଯ୍ୟାଦାବନ୍ତ ପୁରୁଷ ଭାବରେ ଭାରତୀୟ ମାନଙ୍କ ହୃଦୟରେ ଯୁଗ ଯୁଗ ଧରି ଜୀବନ୍ତ ଥାଇ ଭାରତୀୟ ମାନଙ୍କ ଆଧ୍ୟାତ୍ମିକ ଜୀବନକୁ ନିୟନ୍ତ୍ରଣ କରି ଆସୁଛନ୍ତି । ସେତୁବନ୍ଧ `ରାମରାଜ୍ୟ' ସ୍ଥାପତ୍ୟର ଏକ ଜ୍ୱଳନ୍ତ ସଙ୍କେତ । ଲଙ୍କାଗଡରୁ ରାବଣର କବଳରୁ ମା'ସୀତାଙ୍କୁ ଉଦ୍ଧାର ନିମନ୍ତେ ରାମଙ୍କ ପରିକଳ୍ପିତ ଏ ସେତୁବନ୍ଧର ନିର୍ମାଣ । ବାଲ୍ମିକୀ ରାମାୟଣରେ ଉଲ୍ଲେଖ ଅଛି ହନୁମାନ ରାମନାମ ତୁଣ୍ତରେ ଜପକରି ଲୋମେ ଲୋମେ ପାହାଡ ଟେକି ଆଣି ସମୁଦ୍ରରେ ପକାଇଲା, କିନ୍ତୁ ପର୍ବତ ନ ଭାସିବାରୁ ଏଥିରେ ରାମଚନ୍ଦ୍ର କ୍ରୋଧାନିତ୍ୱ ହୋଇ ଶର ମାରି ସମୁଦ୍ରକୁ ଶୁଖାଇ ଦେଲେ, ବରୁଣ ରାମଙ୍କ ଶରଣଗତ ହୋଇ ପଥର ଭସାଇବାର ପ୍ରତିଶୃତି ଦେବାଫଳରେ, ମନୁଷ୍ୟଛଡା ସତ୍ୟ, ନ୍ୟାୟ, ଧର୍ମର ପକ୍ଷପାତୀ କରୁନଥିବା ଜୀବ ଜନ୍ତୁ ଭଲ୍ଲୁକ, ବାନର ଆଦି ସେତୁ ନିର୍ମାଣ ଲାଗିଥିଲେ, ଏପରିକି ଗୋଟିଏ ଗୁଣ୍ତିଚି ମୂଷା ସେତୁବନ୍ଧ ପକାଇରେ ସାହାଯ୍ୟ କରିଥିଲା । ଲଙ୍କାର ରାବଣ ରାମଙ୍କ ସେତୁକୁ ବାରମ୍ବାର ଭାଙ୍ଗିଦବାରୁ ଶେଷରେ ଶ୍ରୀରାମ ରାବଣର ଇଷ୍ଟଦେବତା ଶିବଲିଙ୍ଗ ସ୍ଥାପନା କରି ସେତୁବନ୍ଧ ନିର୍ମାଣ କରିଥିଲେ ।


ସେତୁ ଯାହାକୁ ସାଧାରଣ ଅର୍ଥରେ ପୋଲ କୁହାଯାଏ । ଅନ୍ୟ ଅର୍ଥରେ ଏକରେ ଏକ ମିଳନକୁ ସେତୁ ବୁଝାଇଥାଏ । ରାମଚରିତ ମାନସରେ ସ୍ୱୟଂ ରାମଙ୍କ ନାମକୁ ସେତୁ ବୋଲି ବୁଝା ଯାଇଛି । କାରଣ, ଯେତେବେଳେ ଶ୍ରୀରାମଚନ୍ଦ୍ର ତାଙ୍କର ମନ୍ତ୍ରୀମାନଙ୍କୁ ଡାକି କହିଲେ, ବିଳମ୍ବ ନକରି ସେତୁ ନିର୍ମାଣ କର, ସେନାମାନେ ପାର ହେବେ, ସେତେବେଳେ ଜାମ୍ବବାନ ହାତ ଯୋଡି କହିଲେ, ହେ ଭାନୁକେତୁ ପ୍ରଭୃ ଶ୍ରୀରାମ ଶୁଣନ୍ତୁ, ହେ ନାଥ, ସବୁଠାରୁ ବଡ ସେତୁତ ଆପଣଙ୍କ ନାମ, ଯାହାଙ୍କ ନାମ ଆଶ୍ରୟରେ ମାନବ ସଂସାର ରୂପକ ସମୁଦ୍ରପାରହୋଇ ଯାଆନ୍ତି : ରାମଚରିତ ମାନସରେ-


''ସୁନହୁ ଭାନୁକୁଲ କେତୁ ଜାମବନ୍ତ କର ଜୋରି କହ
ନାଥ ନାମ ତବ ସେତୁ ନର ଚଢି ଭବସାଗର ତରହିଁ ।"


ଶେଷରେ ଜାମ୍ବବାନ ନଳ ଓ ନୀଳ ଦୁଇଭାଇଙ୍କୁ ଡକାଇ ମନରେ ପ୍ରଭୃ ଶ୍ରୀରାମଙ୍କ ମହିମା କଥା ସ୍ମରଣ କରି ସେତୁ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇ ପୁର୍ନବାର କହିଥିଲେ, ପ୍ରଭୃ ଶ୍ରୀରାମଙ୍କ ପ୍ରତାପ ଯୋଗୁ ତୁମ୍ଭଙ୍କୁ ଟିକିଏ ବି ପରିଶ୍ରମ ପଡିବ ନାହିଁ । ଏପରିକି ବାନରମାନଙ୍କୁ ଡକାଇ କହିଲେ ହୃଦୟରେ ଶ୍ରୀରାମ ଚରଣ କମଳ ଧ୍ୟାନ କରି ପର୍ବତମାନ ଉପାଡି ଆଣି ସେତୁ ନିର୍ମାଣରେ ନଳ ନୀଳଙ୍କୁ ଦିଅ , ଜାମ୍ବବାନଙ୍କ ନିର୍ଦ୍ଦେଶ ପାଇ ବାନର ଓ ଭଲ୍ଲୁକମାନେ ଉଚ୍ଚ ଉଚ୍ଚ ପର୍ବତ ଓ ବୃକ୍ଷମାନ ଉପାଡି ନଳ ନୀଳଙ୍କୁ ଦେବାରୁ, ସେ ଦୁହେଁ ଉତ୍ତମ ଭାବରେ ସେତୁ ନିର୍ମାଣ କରିଥିଲେ । ରାମଚରିତ ମାନସରେ :


``ଅତି ଉତଙ୍ଗ ଗିରି ପାଦପ ଲୀଲହିଁ ଲେହି ଉଠାଇ
ଆନି ଦେହି ନଲ ନୀଲହି ରଚହିଁ ତେ ସେତୁ ବନାଇ ।"


ରାମସେତୁ ସମ୍ଫର୍କରେ ବାଲ୍ମିକୀ ରାମାୟଣରେ ଉଲ୍ଲେଖ ଅଛି ରାମଚନ୍ଦ୍ର ତିନିଦିନ ପର୍ଯ୍ୟନ୍ତ ଧାରଣା ଦେବା ପରେ କ୍ରୋଧାନିତ୍ୱ ହୋଇ ସମୁଦ୍ର ଶୁଖାଇବା ପାଇଁ ବୈଷ୍ଣବାସୁର ସନ୍ଧାନ କରିଥିଲେ । କିନ୍ତୁ ସଂସ୍କୃତ ମହାଭାରତର ରାମଉପଖ୍ୟାନରେ ବର୍ଣ୍ଣନା ଅଛି ରାମଚନ୍ଦ୍ର ବିଶ୍ୱକର୍ମାସୁତ ନଳର ଚମତ୍କାର ଶକ୍ତି ବଳରେ ପଥର ଜଳରେ ଭାସିବା ପାଇଁ ସ୍ୱପ୍ନ ଦେଖିଥିଲେ । ଯାହା ଫଳରେ ନଳଙ୍କୁ ଡାକି ସେତୁବନ୍ଧ ନିର୍ମାଣର ଦାୟିତ୍ୱ ଅର୍ପଣ କରିଥିଲେ ଓ ଶ୍ରୀରାମଙ୍କ ଆଞ୍ଣାରେ ନଳ ପ୍ରତ୍ୟେକଟି ପଥରେ ପ୍ରଭୃଙ୍କ ନାମଲେଖି ପଥର ସମୁଦ୍ରରେ ପକାଇବାରୁ ତାହା ଭାସମାନ ଥିଲା । ଯଦିଓ ଏହା କାବ୍ୟିକ ଅତିରଞ୍ଜନ ହୋଇପାରେ, ତାସତ୍ତ୍ୱେ ବି ଏଥିରେ ଐତିହାସିକ ସତ୍ୟତା ନିହିତ ଅଛି ।


ଏପରିକି ଲଙ୍କାସାଗର ଓ ସେତୁର ଦୃଶ୍ୟକୁ କାଳିଦାସଙ୍କ ତାଙ୍କ ରଘୁବଂଶ କାବ୍ୟରେ ବିସ୍ତୁତ ଭାବରେ ବର୍ଣ୍ଣନା କରିଛନ୍ତି । ରାମଚନ୍ଦ୍ର ପୁଷ୍ପକଯାନରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ସମୁଦ୍ର ଭିତରେ ସ୍ୱନିର୍ମିତ ସେତୁର ମନୋହର ଦୃଶ୍ୟରାଶିକୁ ଦର୍ଶାଇ ସୀତାଙ୍କୁ କହିଥିଲେ-


``ବୈଦହୀ, ପଶ୍ୟାମଳୟାତ୍ ବିଭକ୍ତମ୍
ମତ୍ ସେତୁନା ଫେନିଳମମ୍ବରାଶିମ୍
ଛାୟାପଥେନେବ ଶରତ୍ ପ୍ରସନ୍ନମ୍
ଆକାଶମାବିଷ୍କୃତ ଚାରୁତାରମ୍ ।"


ଏହାକୁ ଅନୁବାଦ କରି ଭକ୍ତ କବି ମଧୁସୂଦନ ଉଲ୍ଲେଖ କରିଛନ୍ତି ।


``ବିଦେହନନ୍ଦିନି; ଦେଖ ମଳୟ ପର୍ଯ୍ୟନ୍ତ
ବିଭକ୍ତ ସେତୁରେ ମୋର ସିନ୍ଧୁ ଫେନବନ୍ତ ।
ଯେସନେ ଶରଦେ ଚାରୁ ତାରା ବିମଣ୍ତିତ
ଗଗନେ ଦିଶଇ ଛାୟାପଥେ ଦ୍ୱିଖଣ୍ତିତ ।"


ପ୍ରଭୃ ଶ୍ରୀରାମଙ୍କ ମହିମାରେ ସମୁଦ୍ରରେ ଲହରୀର ଉଦବେଳନ ନାହିଁ, ସ୍ଥିର ନିଥର ଶାନ୍ତ ଲବଣାମ୍ବୁରାଶି । ସମୁଦ୍ରରେ ଖଣ୍ତ ବିଖଣ୍ତିତ ଏକ ଅସ୍ପଷ୍ଟ ରେଖା ଦିଗ୍ବଳୟକୁ ଭେଦ କରିଥିବା ସ୍ପଷ୍ଟ ଦୃଷ୍ଟିକୁ ଆସେ । କହିବାକୁ ଗଲେ, ସେତୁର ପୂର୍ବ ଗୌରବ ଏବେ କ୍ଷୁଣ୍ଣ, ମନୋରମ ସୌନ୍ଦର୍ଯ୍ୟ ମଳିନ ପଡିଛି । ଏହା ବର୍ତ୍ତମାନ ବହୁ କ୍ଷୁଦ୍ର କ୍ଷୁଦ୍ର ଦ୍ୱୀପରେ ବିଭକ୍ତ ହୋଇଯାଇଛି, କେବଳ ମଧ୍ୟେ ମଧ୍ୟେ ଗଭୀର ଲବଣାକ୍ତ ଜଳରାଶି ବିସ୍ତାର ଲାଭକରିଛି । ରାମେଶ୍ୱର ଠାରୁ ମାନ୍ନାର ପର୍ଯ୍ୟନ୍ତ ଏହି ସେତୁଟିର ଦୈର୍ଘ ୬୦ ମାଇଲ୍ ପର୍ଯ୍ୟନ୍ତ ବିସ୍ତୃତ । ଏପରିକି ମାଣ୍ତାପମ୍ ଠାରୁ ପାମ୍ବାନ ପର୍ଯ୍ୟନ୍ତ 2 ମାଇଲ୍ ବିସ୍ତୃତ ଥିବା ଏକ ଜଳମଗ୍ନ ପାହାଡ ରହିଛି ଓ ଏହି ପର୍ବତଟି ଗନ୍ଧମାଦନର ଅଂଶ ବୋଲି ଜନଶ୍ରୃତିରେ ରହିଛି । ସମୁଦ୍ର ଭଟ୍ଟା ସମୟରେ ଏହା ଉପରେ ଲୋକମାନେ ଯାତାୟାତ କରୁଥିଲେ । ପାମ୍ବାନରୁ ୨ ମାଇଲ୍ ଦୂରରେ ୧୧ ମାଇଲ ଦୀର୍ଘ ଓ 6 ମାଇଲା  ପ୍ରସ୍ଦ ବିସ୍ତୃତ ରାମେଶ୍ୱର ଦ୍ୱୀପ ରହିଛି, ଏଠାରେ ୧୬ ମାଇଲ ଭଗ୍ନ ସେତୁଟିର ଭଟ୍ଟା ସମୟରେ ବାଲି ଓ ପଥର ଗୁଡିକୁ ଦେଖିବାକୁ ମିଳେ । ପୁନଶ୍ଚ ୧୯ ମାଇଲ୍ ଦୀର୍ଘ ଓ ୨୪ ମାଇଲ ବିସ୍ତୃତ ମାନ୍ନାର ଦ୍ୱୀପ ରହିଛି, ଯାହା ଏବେ ଜନବସତିରେ ପୂର୍ଣ୍ଣ । ଏହି ଦ୍ୱୀପପୁଞ୍ଜରୁ ଲଙ୍କା ଆରମ୍ଭ ହୋଇଛି । କୁହାଯାଏ ପୂର୍ବେ ଏହି ସେତୁ ଉପର ଦେଇ ଭାରତରୁ ଲଙ୍କା ପର୍ଯ୍ୟନ୍ତ ଲୋକମାନଙ୍କ ଯିବା ଆସିବା ଥିଲା, ଏପରିକି ଏହି ପଥଦେଇ ଲଙ୍କାବାସୀ ଭାରତ ଆକ୍ରମଣ କରିଥିବା ଜଣାଯାଏ । ୧୪୮୪ ଖ୍ରୀଷ୍ଟାଦ୍ଦରେ ଭୀଷଣ ଝଞ୍ଝାଜନିତ ପ୍ରଳୟ ତରଙ୍ଗାଘାତରେ ସେତୁଟି ଭଗ୍ନରୂପରେ ପରିଣତ ହୋଇଛି ଓ ସେହି ଦିନରୁ ଲଙ୍କାଠାରୁ ଭାରତର ଗମନାଗମନ ସୁବିଧା ବିଚ୍ଛିନ୍ନ ହୋଇପଡିଛି ।


ଜନଶ୍ରୃତି ଓ ଲୋକବିଶ୍ୱାସ ଅଛି ଯେ, ଲଙ୍କା ଯୁଦ୍ଧର ଅବସାନ ପରେ ପରେ ଏହି ସେତୁ ଉପରେ ଶ୍ୱାନାଦି ଜୀବ ଗମନାଗମନ କରିବା ଫଳରେ ରାମଙ୍କ ପ୍ରତିଷ୍ଠିତ ପବିତ୍ର ସେତୁ ଓ ମହାତୀର୍ଥ ସମୁଦ୍ର ଜଳ ଅପବିତ୍ର ହେବାରୁ ବରୁଣ ପ୍ରଭୃ ଶ୍ରୀରାମଙ୍କ ନିକଟରେ ଗୁହାରି କରିଥିଲେ । ଯାହାଫଳରେ ପ୍ରଭୃ ଶ୍ରୀରାମ ଏହାର ପ୍ରତିକାର ସ୍ୱରୂପ ସେତୁଟିକୁ ଶରାଘାତ ଦ୍ୱାରା ଛିନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଭାତ୍ରୃ ଭକ୍ତ ଲକ୍ଷ୍ମଣ ତାହା ତତକ୍ଷଣାତ୍ ପାଳନ କରିଥିବାର କିମ୍ବଦନ୍ତୀ ରହିଛି ।


ଇଂରେଜମାନେ ଏହି ସେତୁର ନାମ Adam 's bridge ନାମରେ ନାମିତ କରିଥିଲେ । ପୁରାଣ ବର୍ଣ୍ଢିତ ଓ ଆଧ୍ୟାତ୍ମକ ବିଶ୍ୱାସାନୁଯାୟୀ ଭାରତରୁ ଲଙ୍କା ପର୍ଯ୍ୟନ୍ତ ଏହି ସେତୁ ମଧ୍ୟରେ 24ଟି ପବିତ୍ର ତୀର୍ଥ ରହିଛି । ଏହି ତୀର୍ଥ ଗୁଡିକ ମଧ୍ୟରେ ଚକ୍ର ତୀର୍ଥ, ପାପ ବିନାଶକ ତୀର୍ଥ, ସୀତାସର ତୀର୍ଥ, ହନୁମତ୍ ତୀର୍ଥ, ଅଗସ୍ତ୍ୟ ତୀର୍ଥ, ଶ୍ରୀରାମ ତୀର୍ଥ, ଶ୍ରୀଲକ୍ଷ୍ମଣ ତୀର୍ଥ, ଜଟା ତୀର୍ଥ, ଚକ୍ର ତୀର୍ଥ, ଗଙ୍ଗା ତୀର୍ଥ, ଯମୁନା ତୀର୍ଥ, କୋଟି ତୀର୍ଥ ଓ ଧନୁଷ୍କୋଟୀ ତୀର୍ଥ ଆଦି ବହୁ ପବିତ୍ର ତୀର୍ଥ ଭାରତୀୟ ମାନଙ୍କ ଅବା ହିନ୍ଦୁମାନଙ୍କ ଆଧ୍ୟାତ୍ମକ ବିଶ୍ୱାସକୁ ଜାବୋଡି ଧରିଛି । ରାମାୟଣ ଆଧାରିତ ଏସବୁ ତୀର୍ଥଗୁଡିକର ଉତ୍ପତ୍ତି ସମ୍ଫର୍କରେ ଗୋଟିଏ ଗୋଟିଏ ସୁନ୍ଦର କିମ୍ବଦନ୍ତୀ ମୂଳକ କାହାଣୀ ପ୍ରଚଳିତ ଅଛି । ଏସବୁ ତୀର୍ଥ ବ୍ୟତିତ ଏହି ରାମସେତୁରେ 17ଟି ଉପତୀର୍ଥ ମଧ୍ୟ ରହିଛି । ନିଃସ୍ୱାର୍ଥପର ଭାବରେ ଶ୍ରୀରାମଙ୍କୁ ସେତୁବନ୍ଧ ନିର୍ମାଣରେ ସାହାଯ୍ୟ କରିଆସିଥିବା ତଥା ତାଙ୍କର ପରମ ଭକ୍ତ ପାଲଟି ଥିବା ରାମଙ୍କ ବିଭିନ୍ନ ସେନାପତି ଓ ସୈନ୍ୟମାନଙ୍କ ନାମରେ ଅନେକ ଉପତୀର୍ଥ ରହିଛି, ଯାହାକୁ ଦର୍ଶନ କଲେ ସର୍ବପାପ କ୍ଷୟ ହୁଏ ଓ ମାନବ ଜନ୍ମରୁ ମୁକ୍ତି ମିଳେ । ଅଦ୍ୟାପି ସେହି ପବିତ୍ର ସେତୁର ତୀର୍ଥ ଦେବାଦେବୀଙ୍କର ରକ୍ଷଣାବେକ୍ଷଣ ଓ ସମସ୍ତ ପୂଜାର ବ୍ୟବସ୍ଥା ସେଠାକାର ରାଜାମାନେ ବଂଶାନୁକ୍ରମେ କରି ଆସୁଥିବା ଜଣାଯାଏ । ତାସତ୍ତ୍ୱେ ଏହି ତୀର୍ଥମାନଙ୍କ ଭିତରେ ଧନୁଷ୍କୋଟୀ ତୀର୍ଥ ପ୍ରଧାନ । କାରଣ ରାବଣର ବଧ ପରେ ରାକ୍ଷାସମାନେ ଯେପରି ଭାରତକୁ ଆସି ନପାରନ୍ତି, ସେଥିପାଇଁ ଶ୍ରୀରାମ ଲକ୍ଷ୍ମଣଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ସେହି ସ୍ଥାନକୁ ଧନୁର କୋଟୀରେ କର୍ତ୍ତନ କରିବାକୁ । ଫଳରେ ଭାଇଙ୍କ ଆଦେଶରେ ଲକ୍ଷ୍ମଣ ସେତୁବନ୍ଧର ସେହି ସ୍ଥାନକୁ ଧନୁର କୋଟୀରେ କର୍ତ୍ତନ କରିଥିବାରୁ ତାହାକୁ ଧନୁଷ୍କୋଟୀ ତୀର୍ଥ କୁହାଯାଇଥିବା ଜନଶ୍ରୃତି ରହିଆସିଛି ।


ରାମାୟଶ ପ୍ରସିଦ୍ଧ ଏହି ଲଙ୍କା କେବଳ ଭାରତବାସୀଙ୍କ ପାଇଁ ପରିଚିତ ନୁହେଁ ତାହା ବିଶ୍ୱ ପରିଚିତ । ସିଂହହନ୍ତା ସିଂହ ବାବୁଙ୍କ ପୁତ୍ର ବିଜୟ ସିଂହଙ୍କ ନାମାନୁଯାୟୀ ଏହାର ନାମ ସିଂହଳ ରଖାଯାଇଛି । କିନ୍ତୁ ପାଶ୍ଚାତ୍ୟ ଦେଶବାସୀଙ୍କ ନିକଟରେ ଲଙ୍କା ବା ସିଂହଳ ସିଲୋନ୍ ନାମରେ ପରିଚିତ ହୋଇଆସିଛି । ସେଦିନର ଦଶାନନ ରାବଣର ଥିବା ସ୍ୱର୍ଣ୍ଣମୟ ଲଙ୍କା ଆଜି ଆଉ ନାହିଁ । ଏହାର ୧୧/୧୨ ଅଂଶ ପ୍ରଳୟ ସମୁଦ୍ର ଗର୍ଭରେ ଡୁବିଯାଇଛି । ଏପରିକି 1500 ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ପ୍ରଭୃ ଶ୍ରୀରାମ ନିର୍ମିତ ସେତୁବନ୍ଧ ଉପରେ ଜନସାଧାରଣଙ୍କ ଯାତାୟାତ ଥିଲା । କୁହାଯାଏ ଅତ୍ୟାଧିକ ଝଞ୍ଜା ଓ ତରଙ୍ଗାଘାତରେ ଏହି ରାମସେତୁ ଭଗ୍ନ ଓ ଜଳମଗ୍ନ ପାଲଟିଗଲା । ଯାହାଫଳରେ ସେହି ଦିନଠାରୁ ଲଙ୍କା ଭାରତ ଭୂମିରୁ ପ୍ରାକୃତିକ ଭାବରେ ବିଚ୍ଛିନ୍ନ ହୋଇ ପଡିଛି ।


ରାମାୟଣର ରାମସେତୁ ସତ କି ମିଛ, ରାମଙ୍କ ଅଲୌକିକ ପ୍ରତାପରେ ଜଳରେ ପଥର ଭାସିବା ସତ୍ୟ କି ମିଛ, ରାମଙ୍କୁ ବିତର୍କ ମଧ୍ୟକୁ ଠେଲିଦେବା ଭାରତ ଭଳି ଏକ ଧର୍ମ ନିରପେକ୍ଷ ରାଷ୍ଟରେ ପ୍ରଶ୍ନ ଉଠାଇବା ଶୋଭା ପାଏନାହିଁ । କାହାପାଇଁ କୋରାନ୍ ଯେତିକି ସତ୍ୟ ଆଉ ପବିତ୍ର, କାହାଲାଗି ବାଇବେଲ୍ ଯେତିକି ସତ୍ୟ ଓ ପବିତ୍ର ହୁଏ, ଠିକ୍ ସେଭଳି କାହା ପାଇଁ ଏ ରାମାୟଣ ସତ୍ୟ ଓ ପବିତ୍ର ପାଲଟି ଯାଏ । ଏହାକୁ କେବେ କବିର ଅତିରଞ୍ଜନ କଳ୍ପନା କହିବା ଯଥାର୍ଥ ନୁହେଁ । ହୁଏତ ରାମସେତୁ ବିଞ୍ଗାନ ସମ୍ମତ ହୋଇପାରେ ବା ହୋଇନପାରେ, ତଥାପି ଅଲୌକିକ ଶକ୍ତିର ପ୍ରତାପକୁ କେବେ ଅସ୍ୱୀକାର କରିପାରେନାହିଁ । ଯେଉଁମାନେ ରାମସେତୁ ପଥର ଭାସିବା ଉପରେ ପ୍ରଶ୍ନବାଚୀ କରନ୍ତି, ତାହା ବିଞ୍ଗାନ ସମ୍ମତ ହୋଇଥାଇ ପାରେ, ସେମାନେ ଟୋପାଏ ଜଳ ସୃଷ୍ଟି କରିପାରନ୍ତି, କିନ୍ତୁ ଗୋଟିଏ ସମୁଦ୍ର ଜଳ ସୃଷ୍ଟି କରିପାରନ୍ତି ନାହିଁ , ପ୍ରକୃତିର ଶକ୍ତି ପାଖରେ ସମସ୍ତେ ହାରମାନିବେ ।


ତଥାପି ଏ ରାମସେତୁ ଐତିହାସିକ ସତ୍ୟ ହେଉ ଅବା ପୌରାଣିକ କଳ୍ପିତ ଇତିକଥା ହେଉ, ଏହି ରାମସେତୁ ନିର୍ମାଣ ପାଇଁ ଶ୍ରୀରାମଙ୍କ ପ୍ରତି ହନୁମାନ, ସୁଗ୍ରୀବ, ଅଙ୍ଗଦ, ଜାମ୍ବବାନ, ନଳ, ବିଭୀଷଣ, କପି ସୈନ୍ୟ ଓ ଭଲ୍ଲୁକ ସୈନ୍ୟ ଆଦି ବିନା ସ୍ୱାର୍ଥରେ କରିଥିବା ଉପକାରର ତୁଳନା ନାହିଁ । ଗୁଣ୍ତିଚି ମୂଷା ସେତୁବନ୍ଧ ବେଳେ ନିଜ ଶରୀରରେ। ଧୂଳି ବୋଳି ହୋଇ ବନ୍ଧ ଉପରେ ଝାଡି ସମତୁଲ କରିବା ଅପୂର୍ବ ଦୃଶ୍ୟ ଓ ପ୍ରଭୃ ଶ୍ରୀରାମ ଗୁଣ୍ତିଚି ମୂଷାର ଉପକାରର ପ୍ରତିଦାନରେ ତା'ର ପୃଷ୍ଟଦେଶରେ ସ୍ନେହରେ ଆଙ୍କି ଦେଇଥିବା ତିନୋଟି ରେଖା ଜନଶ୍ରୃତିରେ ତାହା ସ୍ମରଣୀୟ ହୋଇ ରହିଛି । ଏହାର ସତ୍ୟତା ଅଧିକ ଗବେଷଣା ସାପେକ୍ଷକୁ ଅପେକ୍ଷା ରଖେ ।

Post a Comment

0 Comments