Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଏକଲବ୍ୟ - ଉଦୟନାଥ ଗୌଡ

ଉଦୟ ନାଥ ଗୌଡ
ଅମୂଲ୍ୟ ନିବାସ, ତୁଳସୀ ନଗର, ବ୍ରହ୍ମପୁର

ଆଞ୍ଚଳିକ ବଜାରରୁ ସାପ୍ତାହିକ ସଉଦା କରି ଘରକୁ ଫେରିବାକୁ ଉଦ୍ୟତ ହେଉଥାଏ । ଦେଖିଲି ସତର ଅଠର ବର୍ଷର ଟୋକାଟିଏ, ହାତରେ ଖଣ୍ଡେ ଦିଖଣ୍ଡ ନୋଟବୁକ୍, ଲମ୍ବା ବାଳ, କଲି, ତେଢା ଚାଲି, ରଙ୍ଗବେରଙ୍ଗର ପୋଷାକ । ବେଶ ପରିପାଟି ଜଣାଇ ଦେଉଥିଲା ପୁରା ଗୋଟେ ହିପ୍ପି । ଗୁଣୁଗୁଣୁ ହିନ୍ଦି ଗୀତ, ସତେଯେମିତି ରାସ୍ତା ଉପରେ ନାଚି ପକାଇବ । ମୋ ମୋଟରଗାଡି ଉପରକୁ ଝୁଙ୍କି ପଡୁ ପଡୁ ପାଟି କରି ଉଠିଲା "ଅଙ୍କଲ୍ ଟିକେ ଦେଖିକି ଗାଡି ଚଲାଉନାହାନ୍ତି, ଏବେଯଦି ଲାଗିଥାନ୍ତା ।" ଦେଖିଲି ପିଲାଟା ଟିକେ ବାହାଦୂରୀ କଥା କହିବାରେ । ବାସ୍ତବିକ ତା ନଜର ଥିଲା ମୋର ଦୁଇଜଣ ପୁରୁଣା କଲେଜ ଛାତ୍ରୀଙ୍କ ଉପରେ ଟିକିଏ ଆଗରୁ ଯେଉଁମାନେ ସମ୍ଭ୍ରମତାର ସହ ମୋତେ ସମ୍ମାନ ଦେଇ ନିଜ ବସ୍ କୁ ଅପେକ୍ଷା କରିଥିଲେ । କିଶୋର ବୟସର ଚପଳତା ମୋତେ ଅଛପା ନଥିଲା । ସାମାନ୍ୟ ହସିଦେଇ କହିଲି "ନା ବାବୁ ଲାଗିବନି ଡରନି ।" ପିଲାଟି ଅଧିକ ଯୁକ୍ତି ନକରି ଝିଅ ମାନଙ୍କ ଆଡକୁ ବଢିଲା, କିନ୍ତୁ ବସ୍ ଆସିଯିବାରୁ ସେମାନେ ଉଠିଗଲେ । ମୁଁ ଲକ୍ଷ କରିଛି ପିଲାଟିର ସେ ସମୟର ଭାବାନ୍ତର ତା ମୁହଁରୁ । ସତେ ଯେମିତି ପରାଜୟର ଆତ୍ମଗ୍ଲାନି କିଛି ନକରିପାରିବାର । ମନେ ହେଉଥିଲା ଯଦି ମୋ ଛାତ୍ର ହୋଇଥାନ୍ତା ଏମିତି ଚରିତ୍ରଗତ ସ୍ଖଳନ ହୁଏତ ଘଟିନଥାନ୍ତାକି ?


ମୋ ଅଧ୍ୟାପନାର କଲେଜ ଏକ ଅଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଟେ । ପରିଚାଳନା କର୍ତ୍ତୁପକ୍ଷଙ୍କ ରାଜନୈତିକ ଫାଇଦା ଲାଗି ଶତକଡା ଶହେ ଭାଗ ଅନୈତିକ ତଥା ଅନୌପଚାରିକ ସହାୟତା ପିଲାମାନଙ୍କୁ ଯୋଗାଇବା କିଛି ଅଧ୍ୟାପକଙ୍କ ପେଶା ଓ ବେଉସା ପାଲଟି ଯାଉଥିଲା ମୋଟା ଅଙ୍କର ଟଙ୍କାନେଇ ପରୀକ୍ଷା ବେଳେ । ଅଧ୍ୟକ୍ଷ ଥିଲେ ଏହି ବ୍ୟବସ୍ଥାର ପ୍ରାୟୋଜକ । ଅଧସ୍ଥନ ଅଧ୍ୟାପକ ବୋଲି ଅନିଛାକୃତ ଭୂଲ୍ କରିବାକୁ ଏକରକମର ବାଧ୍ୟ କରାଯାଉଥିଲା କହିଲେ ଚଳେ । ଚାକିରୀର ଧମକ ଦେଇ କାର୍ଯ୍ୟ ହାସଲ କରିବା କଳାପାଖରେ ଫିକାପଡି ଯାଉଥିଲା ଆଦର୍ଶ ଓ ନୈତିକତା । ଯାହାହେଲେବି କର୍ତ୍ତବ୍ୟରେ ଅବହେଳା କରିବାର ଆଗ୍ରହ ନଥିଲା । ନଭେମ୍ବର ମାସର ଶୀତ ସହ କଲେଜ ଟେଷ୍ଟ ପରୀକ୍ଷା ଚାଲିଥାଏ । ପରୀକ୍ଷା ନିୟନ୍ତ୍ରକ ଦାୟୀତ୍ଵରେ ଥିବାରୁ ଟିକେ ସଅଳ ଯିବାକୁ ହେଉଥାଏ । ଇଂରାଜୀ ପରୀକ୍ଷା ଦିନ ସହଯୋଗୀ ଅଧ୍ୟାପକ ବନ୍ଧୁଙ୍କ ଅନୁପସ୍ଥିତିରେ ମୋତେ ନିରୀକ୍ଷକ ଦାୟୀତ୍ଵ ତୁଲାଇବାକୁ ପଡିଲା । ବେସରକାରୀ କଲେଜରେ ଅଧ୍ୟକ୍ଷ ବି ଝାଡୁଦାର । ପଦବୀ ଚୁଲିକୁଯାଉ । ଦେଖିଲି ଶେଷ ଧାଡିରେ ପିଲାଟିଏ ଅସହଜ ଅନୁଭବ କରୁଛି ଆଉ କିଛି ସୁବିଧା ଲାଗି ଦରାଣ୍ଡୁଛି । ଏ ସବୁ ଦେଖିଦେଖି ଅନେକ ବର୍ଷ ବିତିଯାଇଥିବାରୁ ପାଖକୁଯାଇ ଦେଖେତ ମୋ ହାଲକା ସୁଖିଗଲା । ସେ କପି କରୁଥିବାରୁ ନୁହେଁ ବରଂ ତା'ର ଦୋ ଦୋ ଚିହ୍ନା ମୁଁହକୁ ଦେଖି । ସେଇ ପିଲାଟି ଯିଏ ସେଦିନ ତା କୈଶୋର ଉଦ୍ଧାମତାର ନମୁନା ଓ ଟ୍ରେଲର ମୋତେ ଦେଖାଇ ସାରିଥିଲା । ତା ହାତରୁ ଉତ୍ତର ଖାତା ଛଡାଇନେଇ ପିଲାଟିକୁ ଠିଆକଲି ଆଉ ତା ନାଁ ଓ ଠିକଣା ପଚାରିଲି । ମୁଣ୍ଡ ତଳକୁକରି ପିଲାଟି କହିଲା ସେ ଶରଣ । ଘର କନ୍ଧମାଳ । ତାପରେ ମୋର ଆଉ କିଛିବି ବୁଝିବା ବାକି ରହିଲା ନାହିଁ । ବାଡ ଯଦି ସବୁ ଫସଲ ଖାଇଯାଏ ନିରୀହ ଚଷା ବା କଣ କରିବ ! ରାଗ ମାଡିଲା ଅଧ୍ୟକ୍ଷଙ୍କ ଉପରେ । ମନେମନେ ବହେ ଗାଳିଦେଲି । ପଚିରିଲି ବୋଧେ ଆଜି କଲେଜରେ ପ୍ରଥମ ଦିନ । ସିଧା ପରୀକ୍ଷା ହଲରେ । କେତେ ଦେଇଛ ? ପିଲାଟି ମୁଣ୍ଡ ହଲାଇ ହଁ ଭରିଲା ଓ କହିଲା ପନ୍ଦର ହଜାର । ଏଥର ଆଉ ନିଜକୁ ନିୟନ୍ତ୍ରଣରେ ରଖି ହେଲାନି, ପିଲାଟିକୁ ନେଇ ଅଧ୍ୟକ୍ଷଙ୍କ ପାଖକୁ ଗଲି ଓ ଟିକେ ଚଢାଗଳାରେ ପଚାରିଲି, "ସାର୍ ଏ ପିଲା କିଏ ? କଣ କପି କରିବାକୁ ଲିଜ୍ ନେଇଛି ? ମୋ ରାଗକୁ ବୁଝି ତଳକୁ ମୁଣ୍ଡ ପୋତି କିଛି ସମୟ ରହିଲା ପରେ କହିଲେ" ସାର୍ ମୋ ବୟସ ଆଉ ଏ ଅବୈତନିକ ଚାକିରୀ । ଆପଣ ମାନଙ୍କ ବୟସ ଅଛି । କାଲି ନହେଲେ ପହରଦିନ ଦରମା ପାଇବେ । ହେଲେ ମୁଁ ? ଏ ବର୍ଷ ମଝିଆ ଝିଅର ବାହାଘର । ପୁଅଟା ଡିଗ୍ରୀ କରୁଛି । ଆପଣ ତ ଜୀବନ ଆରମ୍ଭ କରିନାହାନ୍ତି । ଆଉ ମୋର ସରିବାକୁ ବସିଲାଣି । ଯାଆନ୍ତୁ । କାମ କରନ୍ତୁ ।


ଠିକ୍ ତା'ର ପନ୍ଦର ଦିନ ପରେ ମୋ ବସାରେ ଦୁଇ ଚାରିଜଣ ଗାଁ ପିଲାଙ୍କୁ ଗ୍ରାମାର ପଢାଉ ଥାଏ । ପିଲାଟି ପୁଣି ଆସିଲା । ହାତରେ ମିଠା ପକେଟଟିଏ । ଆଗ ଅପେକ୍ଷା ଟିକେ ବଦଳିଥିଲା ତା'ର ସେଇ ଅଣଛାତ୍ର ପରିପାଟୀରୁ । ସିଧା ଗୋଡ ଛୁଇଁ ପ୍ରଣାମ କଲା ଓ କହିଲା, "ସାର୍ ମୋତେ କ୍ଷମା କରିଦିଅନ୍ତୁ, ସେଦିନ ବଜାରରେ ମୁଁ ଆପଣଙ୍କୁ ଚିହ୍ନିପାରିନଥିଲି । ମୁଁ କନ୍ଧମାଳ ବ୍ଲକ୍ ଅଧ୍ୟକ୍ଷ ସନାତନ ରାଇକାଙ୍କ ପୁଅ । ଆମ କଲେଜ ଅଧ୍ୟକ୍ଷ ସାର୍ ମୋ ବାପାଙ୍କ ବନ୍ଧୁ । ଏଣୁ ମୁଁ କେବେ କଲେଜ ଆସିନାହିଁ । ପାଠ ବି ପଢିନାହିଁ । ବାପା କହୁଥିଲେ, ସେ ମନ୍ତ୍ରୀଙ୍କ ପାଖଲୋକ ସହ କଥା ହୋଇଛନ୍ତି । ଖାଲି ଆପଣ ଟିକେ ଦୟାକଲେ....!" ପୁଣି ପିଲାଟି ପାଦ ଛୁଇଁ ପ୍ରଣାମ କଲା । ପ୍ରଣାମ ନୁହେଁ ତ ଏକ ପ୍ରକାର ଭିଡି ଧରିଲା ମୋର ସ୍ଵୀକାରୋକ୍ତିଟେ ପାଇଁ । ତାକୁ ଉଠାଇ ତା ମୁହଁକୁ ସ୍ଥିରଭାବେ କିଛି ସମୟ ନିରୀକ୍ଷଣ କଲି ଇଚ୍ଛା ହେଉଥିଲା ତା ଦୁଇ ଗାଲରେ କସି ଦେବାକୁ ଦୁଇ ଚାପୁଡା ତା ବଦ୍ ସାହସ ପାଇଁ, ଆଉ ମୋ ନିଜ ଗାଲରେ ମୋ ଅପାରିବା ପଣିଆକୁ ନେଇ ଦୁଇ ଲୁଣ୍ଡା ଛେପ ଉପରକୁ ପକାଇ କହିଲି "ଛିଃ ! ଥୁ ! ଥୁ ! ବହୁତ୍ ହୋଇଗଲା, ତମ ସମ୍ମାନର ଅସଲ ମର୍ମ ମୁଁ ବୁଝିପାରୁଛି । କିନ୍ତୁ ମୁଁ ପାରିବିନି । ତୁମେ ଯାଓ । ପିଲାଟି ଫେରିଗଲା । ଫେରାଇ ଦେଲି ତା ମିଠା ପୁଡିଆକୁ ସେଦିନ । ବାର୍ଷିକ ପରୀକ୍ଷା ବେଳେ ପିଲାଟି ଦିନେ ପୁଣି ଆସିଲା । ଏଥର ହାତରେ ମିଠା ପକେଟ୍ ନଥିଲା, କିନ୍ତୁ ତା ଆଚରଣଗତ ସମ୍ଭ୍ରମତା ମତେ ଅନ୍ୟକିଛି କହୁଥିଲା । ପିଲାଟି ଏଥର ଖାଲି ପ୍ରଣାମ କରି ନୀରବ ରହିଲା । ଅଭିଜ୍ଞତାର ଦଖଲରୁ କିଛି ଅବୁଝା ରହିଲା ନାହିଁ । ପିଲାଟିକୁ ଆଶ୍ଵାସନା ଦେଇ କହିଲି, ଫେରିଯିବାକୁ । ଯେଉଁଠି ମାଲିକ ଚୋର, କର୍ମଚାରୀ ବା କି ଛାର ! ମୋ ଜାଣିବା ଆଗରୁ ସବୁ ସୁବ୍ୟବସ୍ଥା ହୋଇସାରିଥିଲା ପିଲାଟି ପାଇଁ । ପରୀକ୍ଷାଫଳ ବାହାରିବା ପରେ ପିଲାଟି ପୁଣି ଆସିଲା । ଏଥର ବି ଖାଲି ହାତରେ । ସେଇ ଏକା ଢଙ୍ଗର ପ୍ରଣାମ । ଆଉ ନିରବତା । ପଚାରିଲି ପରୀକ୍ଷାଫଳ କଣ ହେଲା ? ପିଲାଟି କହିଲା ଫାଷ୍ଟକ୍ଲାସ୍ ସାର୍ । ଆଉ ଅଧ୍ୟକ୍ଷଙ୍କ ଘରକୁ ଯାଇଥିଲ ? ପିଲାଟି କହିଲା ନା ସାର.. ଯିବି ନାହିଁ ବି ।


ସାଂସାରୀକ ଜଞ୍ଜାଳରେ ବାନ୍ଧି ହୋଇ ୟା ଭିତରେ ଅନେକ ବର୍ଷ ବିତିଗଲା । ଗତ ଡିସେମ୍ବର ମାସରେ ସପରିବାର ବୁଲିବାଲାଗି ବଲାଙ୍ଗୀର ଓ ସମ୍ବଲପୁର ଯାଇଥାଉ । ଫେରିବାବେଳେ ଝଡ ପବନ ଯୋର ହେଲା, ରାତି ଦୁଇଟା ବେଳେ ଠିକ୍ ଫୁଲବାଣୀ ଫରେଷ୍ଟ ବଙ୍ଗଳା ପାଖରେ ଗାଡି ଅଟକିଗଲା । ଆଗରେ ବଡ ବଡ ଗଛପଡି ରାସ୍ତାବନ୍ଦ । ଦୁଇଦିନ ଲାଗିବ । ମନେହେଲା ଆକାଶଟା ମୁଣ୍ଡଉପରେ ଛିଣ୍ଡି ପଡିଲା । ଫେରିବା ସମୟ । ଟଙ୍କା ବି ସରି ଆସିଥାଏ । ନିରାପତ୍ତା ଦୃଷ୍ଟିରୁ ଫରେଷ୍ଟ ବଙ୍ଗଳାରେ ଆଶ୍ରୟ ନେବା ଉଚିତ ମଣିଲି। କାର୍ ର ଲାଇଟ୍ ଆଲୁଅରେ ଡୋର୍ ପାଖକୁ ଯାଇ କଲିଂ ବେଲ୍ ଟିପିଲି । ଥରେ ଦିଥର ପରେ ସ୍ଵଳ୍ପ ବିରକ୍ତମିଶା ସ୍ଵରରେ ଭିତରୁ କିଏ ଜଣେ କହି ଉଠିଲା, "କିଏ ଏତେ ରାତିରେ, କଣ ହେଲା ?" କବାଟ ଖୋଲିଲା । କିଛି ବୁଝିବା ଆଗରୁ ଠିକ୍ ପୂର୍ବବତ୍ ପାଦତଳେ ପଡି ପ୍ରଣାମ ହେଲା ଲୋକଟା ତା'ପରେ ବିସ୍ମୟଭରା କଣ୍ଠରେ ପଚାରିଲା, "ସାର୍ ଆପଣ ! ଏତେ ରାତିରେ ଏଇଠି, କଥାକଣ ?" ମୁଁ ଆଶା ହିଁ କରିନଥିଲି ଯେ କେହିଜଣେ ଏଠି ମୋତେ ଜାଣିଛି । ମୋ ବିସ୍ମୟତାକୁ ସହଜ କରିବାକୁ ଯାଇ ଲୋକଟି କହିଲା, "ସାର୍ ! ମୁଁ ଶରଣ, ଆପଣଙ୍କ ଛାତ୍ର । ପୁଣି ମନେ ପକାଇଦେବା ଛଳରେ କହିଲା, "ଆପଣଙ୍କର ମନେନାହିଁ ସାର୍ ? ଆପଣ ମୋ କପି ଧରି ମୋତେ ପାଠ ପଢିବାକୁ ବୁଝାଇଥିଲେ । ଆପଣଙ୍କ ବସାଘରୁ ଆପଣଙ୍କର ମୋ ପ୍ରତି ଘୃଣା, ଦୁଇ ଲୁଣ୍ଡା ଛେପ ଓ ଅସମ୍ଭବ ନୀରବତା ଅନେକ କିଛି ଶିଖିବାକୁ ଦେଇଥିଲା । ସେଦିନ ଆପଣଙ୍କ ଦୈନତା, ନିର୍ଲୋଭପଣ ଓ ଆଦର୍ଶ ମୋତେ ଆପଣଙ୍କ ଶିଷ୍ୟତ୍ଵ ଗ୍ରହଣ କରିବାକୁ ପ୍ରବର୍ତ୍ତାଇଥିଲା । ଆପଣ ଜାଣନ୍ତି ସାର, ତା'ପରେ ଦୃଢ ସଙ୍କଳ୍ପନେଇ ପଢିଲି, ଆଉ ବିନା ସହାୟତାରେ ଫାଷ୍ଟକ୍ଲାସ୍ ପାଇଲି । ଅଧ୍ୟକ୍ଷ ସାରଙ୍କୁ ଘୃଣା ଲାଗିଲା । ଏଣୁ କେବଳ ଆପଣଙ୍କୁ ହିଁ ତାପରେ ଦେଖାକଲି । "ଆରେ ସାର୍ ! ମୁଁ କି ବୋକା, ଭିତରକୁ ଆସନ୍ତୁନା । ମୋର କି ମହାଭାଗ୍ୟ ଯେ ସାର୍ ଆଜି ମୋ ବଙ୍ଗଳାରେ !" ବିଶ୍ରାମର ସମସ୍ତ ବ୍ୟବସ୍ଥା କଲାପରେ ପାଖରେ ବସିଲା ଓ କହିଲା, "ସାର୍ ଜାଣନ୍ତି ମୁଁ ଏଠାକାର ଜିଲ୍ଲା ବନାଞ୍ଚଳ ଅଧିକାରୀ (ଡି.ଏଫ.ଓ) । ଭଲ ପଢିଲି, ଓ ଏଫ୍ ଏସ୍ ପାଇଲି । ଆଗରୁ ମୟୁରଭଞ୍ଜରେ ଥିଲି ଏବେ ପନ୍ଦରଦିନ ହେବ ଏଠାକୁ ଆସିଛି !!" ତା'ପରେ ବିଭାଗୀୟ ଫୋନର ଓୟାରଲେସ୍ କରି ବୁଝିଲା ପ୍ରାୟ ୧୩ କି.ମି ରାସ୍ତା ଗଛ ପଡି ବନ୍ଦ ଅଟେ । ସାଙ୍ଗେ ସାଙ୍ଗେ ନିର୍ଦ୍ଧେଶ ଦେଲା ପୁରା ଟିମ୍ ଏବେହିଁ କାମରେ ଲାଗିବାକୁ, ଯେମିତି ସକାଳ ୮ସୁଦ୍ଧା ରାସ୍ତା ସ୍ଵାଭାବିକ ହେବ । ସମୟ ରାତି ୪ଟା ଶୋଇବାକୁ ଗଲୁ । ସକାଳୁ ଡେରିରେ ଉଠି ଅନିଶ୍ଚିତ ଫେରନ୍ତା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରୁକରୁ ବିଭାଗୀୟ ଖବର ପହଞ୍ଚିଲା ପୁରା ରାସ୍ତା ସଫା । ମୁଁ ଶରଣକୁ ଧନ୍ୟବାଦ ଦେବାକୁ ଯାଇ ସ୍ଵତଃ କହି ପକାଇଲି ଯାହା ହେଉ ତୋ ଉପକାର ମନେ ରହିଲା । ସେ କହିଲା, ଏ ନିଷ୍ଠା ଓ କର୍ତ୍ତବ୍ୟବୋଧତା ଆପଣଙ୍କର ପ୍ରତିଫଳନ । ମୁଁ ନିମିତ୍ତ ମାତ୍ର । ମୁଁ ଆପଣଙ୍କ ଏକଲବ୍ୟ । ଜୀବନରେ ଅନେକ ପଦାଧିକାରୀ ସୃଷ୍ଟି କରିଥିବା ମୋ ଭଳି ଜଣେ ଅଭିଶପ୍ତ ଦ୍ରୋଣଗୁରୁ ଆଜି ଆଉ କାହା ବୃଦ୍ଧାଙ୍ଗୁଳି ଗୁରୁଦକ୍ଷିଣା ନେଇ ଗୁରୁଶିଷ୍ୟ ପରମ୍ପରାର ଅନ୍ୟ ଏକ କଳଙ୍କିତ ଅଧ୍ୟାୟ ଆରମ୍ଭ ନକରୁ ଭାବି ଶରଣର ଆଉ ଦୁଇଦିନ ରହିବାର ହଜାରେ ଅନୁରୋଧକୁ ଅଣଦେଖାକରି ଫେରି ଆସିଲି । ପଛରୁ ତା ଅନୁରୋଧ ବାରମ୍ବାର ଜଙ୍ଗଲରେ ପ୍ରତିଧ୍ଵନିତ୍ଵ ହୋଇି ବୋଧେ ଫେରିଯାଉଥିଲା ।

Post a Comment

0 Comments