Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅତିଲୋଭରୁ ମୃତ୍ୟୁ - ପଞ୍ଚତନ୍ତ୍ର କାହାଣୀ

ପଞ୍ଚତନ୍ତ୍ର କାହାଣୀ : ଥରେ ଗୋଟିଏ ଶିକାରୀ ଶିକାର କରିବାପାଇଁ ଘଞ୍ଚ ଜଙ୍ଗଲରେ ଆସି ପହଞ୍ଚିଗଲା । ସେ ଯେମିତି ଜଙ୍ଗଲରେ ଯାଇ ପଶିଲା, ତତକ୍ଷଣାତ ହରିଣଟିଏ ଦେଖିଲା ଓ ତାକୁ ଶରମାରି ଶିକାର କଲା । ସେ ମଲା ହରିଣଟିକୁ କାନ୍ଧରେ ପକାଇ ଆଗକୁ ଆଗକୁ ଚାଲିଲା । ହଠାତ ଗୋଟିଏ ଶୁକର ଦେଖିବାକୁ ପାଇଲା । ଶୁକରଟିକୁ ଦେଖି ସେ ବେଶ ଆନନ୍ଦିତ ହେଲା । ଆଜିତ ମୋର ବେଳା ଭଲଅଛି । ହରିଣଟିକୁ ପାଇଲେ ମଧ୍ୟ, ଶୁକରଟିକୁ ମାରିଲେ କ୍ଷତି କଣ ? ଏଥିରେ ମୋର ଅନେକ ଦିନ ପାଇଁ ଖାଦ୍ୟ ଚଳିଯିବ, ଏବଂ ମାଂସକୁ ନେଇ ବିକ୍ରି କଲେ ମୋତେ ବହୁତ ପଇସା ମିଳିବ । ଏଥିରେ ମୋର ବହୁତ ଲାଭ ହେବ ।


ଏହା ଭାବି ମୃତ ହରିଣଟିକୁ ତଳେ ରଖିଦେଇ ଶୁକର ଉପରକୁ ଶର ମାରିଲା । ଶରଟି ଯାଇ ଶୁକର ଦେହରେ ଯେମିତି ବାଜିଲା, ସେ ଭୀଷଣ ରାଗିଯାଇ ପାଗଳପରି ଏଣେ ତେଣେ ଧାଇଁବାକୁ ଲାଗିଲା । ତାପରେ ହାଲିଆ ହୋଇ ଗୋଟିଏ ସ୍ଥାନରେ ଯାଇ ପଡିରହିଲା । ଏହାଦେଖି ଶିକାରୀ ଭବିଲା, ଶର ଆଘାତ ପାଇ ଶୁକରର ମୃତ୍ୟୁ ହୋଇଛି । କିନ୍ତୁ ତା’ର ଏପରି ଭାବନା ଭୁଲଥିଲା । କିଛି ସମୟ ପରେ ଶୁକର ଗର୍ଜନ କରି ଦୌଡିଆସି ଶିକାରୀ ଉପରକୁ ଲମ୍ଫ ଦେଇ ତା’କୁ ନିଜ ଦାନ୍ତରେ ଆଘାତ କରି ମାରିଦେଲା । ଏଥିରେ ଶିକାରୀର ମୃତ୍ୟୁ ଘଟିଲା । ଏହାର କିଛି ସମୟ ପରେ ଶର ଆଘାତ ପାଇଥିବା ଶୁକରର ମଧ୍ୟ ମୃତ୍ୟୁ ଘଟିଲା । ଏଥିମଧ୍ୟରେ ଶର ଆଘାତ ପାଇ ଶୁକର ଯେତେବେଳେ ଇତଃସ୍ତତ ଦଉଡୁଥିଲା, ସେତେବେଳେ ତା’ର ପଦାଘାତ ଯୋଗୁଁ ଗୋଟିଏ ସର୍ପର ମଧ୍ୟ ମୃତ୍ୟୁ ଘଟିଥିଲା । ସେହି ସମୟରେ ସେହି ସ୍ଥାନରେ ହିଁ ଚାରୋଟି ମୃତଦେହ ଦେଖିବାକୁ ମିଳିଲା । ପ୍ରଥମେ ମୃଗର, ଦ୍ଵିତୀୟରେ ଶିକାରୀର, ତୃତୀୟରେ ସର୍ପର ଓ ଚତୁର୍ଥରେ ଶୁକରର ।


ଠିକ ଏହି ସମୟରେ ଗୋଟିଏ ବିଲୁଆ ବୁଲି ବୁଲି ଆସି ସେହି ସ୍ଥାନରେ ପହଞ୍ଚିଲା । ଏକାଥରକେ ଚାରିଟା ମୃତଦେହ ଦେଖି ସେ ଆଶ୍ଚର୍ଯ୍ୟ ହୋଇ କହିଲା, ଆଜି ମୋର ଦିନଟି ଭଲ ଅଛି । କେଉଁ ପ୍ରାଣୀର ମୁହଁ ମୁଁ ଆଜି ସକାଳୁ ଦେଖିଥିଲି, ମନେପଡୁନି । ତଥାପି ବିଭିନ୍ନ ପ୍ରକାରର ମାଂସ ଆଜି ମୁଁ ଖାଇବି । ଆଜି ମୋର ବଡ ସୌଭାଗ୍ୟର ଦିନ । ବିଲୁଆ ଅତି ଖୁସି ହୋଇ ଭାବିଲା, ଚାରିଜଣଙ୍କ ମାଂସ ମୋର ବହୁତ ଦିନର ଖାଦ୍ୟ ହୋଇଯିବ । ଆଜି ଆଉ ଶିକାର ନକରି ଘରକୁ ଯାଇ ବସି ରହିବି । ତେବେ କେଉଁ ପ୍ରାଣୀର ମାଂସ ମୁଁ ପ୍ରଥମେ ଖାଇବି ବୋଲି ଭାବିଲା । ହଠାତ ତା’ମନକୁ ଗୋଟିଏ ଭାବନା ଆସିଲା, ଶିକାରୀ ଗୁଡାକ ଧନୁଶର ମାରି ଆମକୁ ଶିକାର କରୁଛନ୍ତି । ତେଣୁ ପ୍ରଥମେ ଧନୁରେ ଲାଗିଥିବା ଚମଡା ଦଉଡିଟିକୁ ଚୋବାଇ ଚୋବାଇ ଖାଇଦେଲେ ସବୁ ଝାମେଲା ତୁଟିଯିବ । ଏହାପରେ ସେ ଧନୁରେ ଲାଗିଥିବା ଚମଡା ଦଉଡିଟିକୁ ଚୋବାଉ ଚୋବାଉ ଦଉଡିଟି ଛିଡିଗଲା, ତେଣୁ ଧନୁର ଅଗ୍ରଭାଗଟି ଦଉଡିରୁ ଖସିଆସି ବିଲୁଆ ପେଟରେ ଅତି ଜୋରରେ ବାଜିଲା । ବିଲୁଆର ପେଟ ଫାଟିଯାଇ ରକ୍ତସ୍ରାବ ହେବାକୁ ଲାଗିଲା । କିଛି ସମୟ ପରେ ବିଲୁଆର ମଧ୍ୟ ମୃତ୍ୟୁ ଘଟିଲା ।


ନୀତିଶିକ୍ଷା : ଲୋଭରୁ ମୃତ୍ୟୁ ଘଟେ । ତେଣୁ ସର୍ବଦା ଲୋଭ ବର୍ଜନ କରିବା ଉଚିତ ।

Post a Comment

0 Comments