Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଧର୍ମ ଓ ଦର୍ଶନ - 'ପଶ୍ଚାତାପ' - ନରେଶ କୁମାର ବେହେରା

ନରେଶ କୁମାର ବେହେରା (ଗଞ୍ଜାମର କବିତାଘର)
ବସୁଧା କମ୍ପୁଟର, ଗୋଇଲୁଣ୍ଡି ମେନ ରୋଡ, ବ୍ରହ୍ମପୁର, ଗଞ୍ଜାମ
ଦୂରଭାଷ : ୭୮୦୯୮୭୨୪୮୩

ଧର୍ମ ଏଠି ନିମିତ୍ତ ମାତ୍ର । କାରଣ ମୁଁ ଜାଣେ, କେତେ ଦୁଷ୍କର୍ମ ଥିଲା ଏହି ମହାଯୁଦ୍ଧ । ଏହି ନୀଚ୍ଚକର୍ମକୁ ଧର୍ମ କହିବା, ଧର୍ମର ସଜ୍ଞା ଦେବା, ଧର୍ମ ପାଇଁ ଏକ ମହାନ ଅପମାନ । ଦୁହିଙ୍କ ପକ୍ଷର ବୀରମାନେ ଏହି ଯୁଦ୍ଧରେ ଧର୍ମର କାର୍ଯ୍ୟ କରିପାରିଲେନି । ଦୁଇ ଦଳଙ୍କ ସମ୍ମୁଖରେ ସାଧ୍ୟ ପ୍ରମୁଖ ଓ ସାଧନା ନାମମାତ୍ର ଥିଲା । ପ୍ରିୟ ଅଭିମନ୍ୟୁର ହତ୍ୟା ପାପ, ଅନ୍ୟାୟରେ ହେଲେ ମଧ୍ୟ ଭୀଷ୍ମ, ଦ୍ରୋଣ, ଭୂରିଶ୍ରବା ଆଉ ଦୁର୍ଯୋଧନର ହତ୍ୟା କ’ଣ ଅଧର୍ମରେ ହୋଇନି ? ଯେଉଁ ଯୁଦ୍ଧରେ ଭୀଷ୍ମ, ଦ୍ରୋଣ, ଓ ଶ୍ରୀକୃଷ୍ଣ ଥାଇ ବି ଧର୍ମର ପାଳନ ହୋଇନାହିଁ, ଏଥିରୁ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ଯେ, ଯୁଦ୍ଧ କେବେହେଲେ ଧର୍ମର ରାସ୍ତାରେ ଯାଇ ଲଢାଯାଇପାରିବନି । ହିଂସାର ଆରମ୍ଭଟି ଅଧର୍ମ, ମଧ୍ୟ ବି ଅଧର୍ମ ଓ ଶେଷ ବି ଅଧର୍ମ ଅଟେ। ଯୁଦ୍ଧରେ କେବଳ ସେହି ବ୍ୟକ୍ତି ହିଁ ସମ୍ମିଳିତ ହୋଇପାରିବେ ଯାହାର ଆଖିରେ ଲୋଭର କଳାକନା ବନ୍ଧା ହୋଇଥିବ । ଶ୍ରୀକୃଷ୍ଣ ଏବଂ ବ୍ୟାସଦେବ ବାରମ୍ବାର କହୁଥାନ୍ତି ଯୁଦ୍ଧକୁ ଆମେ ନିମନ୍ତ୍ରିତ କଋନାହୁଁ । ତାହା ଆମ ଉପରେ ବାଧ୍ୟତାମୂଳକ ଲଦି ଦିଆଯାଇଛି । ଦୁର୍ଯୋଧନର ଅତ୍ୟାଚାରର କିଛିତ ପରିଣାମ ହେବାକୁ ଥିଲା !


କୁରୁକ୍ଷେତ୍ରର ଯୁଦ୍ଧ ଆଜି ସମାପ୍ତ ହୋଇଯାଇଅଛି ସତ କିନ୍ତୁ ଏଠି ଯେଉଁ ଅଭିଶପ୍ତର ନିଆଁ ଲାଗିରହିଛି ତାହା ବର୍ଷ ବର୍ଷ ପରେ ବି ଲିଭିବ କି ନାହିଁ ମୋତେ ସନ୍ଦେହ । ଅଠର ଅକ୍ଷୋହିଣୀ ସେନାଙ୍କ ଶବ ଏଠି ପଟି ପରି ପଡିରହିଛି । ଚାରିଆଡେ ଦୁର୍ଗନ୍ଧମୟ, ମୁଣ୍ଡ-ଗଣ୍ଡି ସବୁ ବିଛେଇ ହୋଇ ପଡିରହିଛି । ଆଉ ଏହି ଭୟାଭୟ ଦୃଶ୍ୟମଧ୍ୟେ ବୃଦ୍ଧ ଭୀଷ୍ମ ଶରଶଯ୍ୟାରେ ମୃତ୍ୟୁକୁ ଅପେକ୍ଷା କରୁଛନ୍ତି । ମୋତେ ଏପରି ପ୍ରତୀତ ହେଉଛି, ଯେପରି ହସ୍ତିନାପୁର ସହର ଏକ ବିଧବାର ସ୍ଵଚ୍ଛ ବସ୍ତ୍ରପରେ ପଡିଥିବା ରକ୍ତର କାଳୀମା ସଦୃଶ । ସହରର ସବୁକିଛି ଜଳି ପାଉଁଶ ହୋଇଯାଇଛି । ବିଜୟର ପୁରସ୍କାର ରୂପେ କ’ଣ ଭୁତ-ପ୍ରେତମାନଙ୍କ ଏହି ସହର ମୋ ଭାଗ୍ୟରେ ଅଛି ? ଦୁର୍ଯୋଧନର ମରଣାଗତ ବାଣୀ ଏବେ ବି ମୋ ମସ୍ତିସ୍କରେ ଗୁଞ୍ଜିଉଠୁଛି – ‘'ଯୁଧିଷ୍ଟିର ! ବୀରମାନଙ୍କୁ ନେଇ ତ ମୁଁ ସ୍ଵର୍ଗ ଚାଲିଲି, ଏବେ ବିଧବାମାନଙ୍କୁ ନେଇ ଶାସନକର'' ପ୍ରକୃତରେ ତାଙ୍କରି ଏହି ଉକ୍ତିଟିରେ  ସଂପୂର୍ଣ୍ଣ ସତ୍ୟତା ଅଛି । ହସ୍ତିନାପୁରର ସବୁ ବୀରଗଣ ଆଜି ସ୍ଵର୍ଗାଭିମୁଖୀ । ବଳକା ଏଠି କେବଳ ସେହି ବୀରଙ୍କ ବିଧବା ନାରୀମାନଙ୍କ ଚୁଡି ଭାଙ୍ଗିବାର ଶବ୍ଦ ଓ ସେମାନଙ୍କ ଅନାଥପିଲାମାନଙ୍କ କରୁଣ ଚିତ୍କାର । ମୋତେ କ’ଣ ଆଜି ଏମାନଙ୍କୁ ଶାସନ କରିବାକୁ ହେବ ?


ଆଜିର ଏ ଶାନ୍ତ ପରିବେଶ – ଶ୍ମଶାନରୂପ, ଭୟଙ୍କର  ସୁନସାନ ଭିତରେ ମୋତେ କେବଳ ଗୋଟିଏ ହି ସ୍ଵର ଶୁଭୁଥାଏ – “ଯୁଧିଷ୍ଟିର! କ’ଣ ତୁମେ ଏହି ଶାନ୍ତି ପାଇଁ ଯୁଦ୍ଧ କରିଥିଲ ?”


ପ୍ରକୃତରେ ମୋର ଆକଳନ ସମ୍ପୂର୍ଣ୍ଣରୂପେ ଭୁଲ ପ୍ରତିପାଦିତ ହୋଇଛି । ଆଜି ମୁଁ ଛାର ଏକ ସିଂହାସନପାଇଁ ଭାରତର ବିଖ୍ୟାତ ବିଖ୍ୟାତ ବୀରମାନଙ୍କୁ ହରାଇ ବସିଲି । ଶକୁନିଠାରୁ ପଶାଖେଳରେ ତ ମୁଁ କିଛିଟା ହରାଇଥିଲି; ଆଜି କିନ୍ତୁ ଏତେ ବଡ ମହାଯୁଦ୍ଧ ଜିତି ବି, ମୋତେ ଏପରି ଲାଗୁଛି ଯେପରି ମୁଁ ସର୍ବସ୍ଵ ହରାଇବସିଛି । ହସ୍ତିନାପୁରରେ ବର୍ତ୍ତମାନ ଗୋଟିଏ ହେଲେ ଘର ନାହିଁ, ଯେଉଁଠି ଯୁବକ ଯୁବତୀମାନେ ଉଲ୍ଲାସରେ ଗୀତଗାଇ ନାଚୁଥିଲେ, ଯେଉଁଠି ଯୁବକମାନଙ୍କ ଅଟ୍ଟହାସ୍ୟ ଗୁଞ୍ଜରୀ ଉଠୁଥିଲା, ଯେଉଁଠି ଛୋଟ ଛୋଟ ପିଲାମାନଙ୍କ ହସି ଖେଳିବାର ମଧୁର ହାସ୍ୟ ଫୁଟି ଉଠୁଥିଲା । ଏହି ମହା ଭୟାନକ ଶ୍ମଶାନରେ ଶୁଭୁଛି କେବଳ ସ୍ତ୍ରୀ ଓ ପିଲାମାନଙ୍କ ବିକଚ ବିଳାପ । ରାଜଧାନୀ ଭଳି ଏହି ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ଦେଶରେ ଅଛି । ଦେଶରେ ସମ୍ଭବତଃ ଏମିତି କେଉଁ ଘର ନାହିଁ, ଯାହାର ଗୋଟିଏ ଯୁବକ ଏହି ମହାଯୁଦ୍ଧରେ ବଳି ନ ହୋଇଛି ?


ମହାକାଳର ଏହି ଅଗ୍ନି ସବୁକିଛି ନାଶ କରିଦେଇଛି । ଯେଉଁ ଭାରତବର୍ଷ ଆଜିକୁ କିଛି ଦିନ ତଳେ ଶହ ଶହ ମହାନ ବୀର ସୈନିକଙ୍କୁ ନେଇ ବହୁତ ଗର୍ବିତଥିଲା, ଆଜି ସେମାନଙ୍କ ମଧ୍ୟରୁ ମାତ୍ର ଦଶଜଣ ହିଁ ବଞ୍ଚିଅଛନ୍ତି । ସେମାନେ ହେଲେ ପଞ୍ଚୁପାଣ୍ଡବ ଓ ପାଣ୍ଡବପକ୍ଷରୁ କୃଷ୍ଣ ଓ ସାତ୍ୟକି ଏବଂ କୌରବଙ୍କପକ୍ଷରୁ କୃତବର୍ମା, କୃପାଚାର୍ଯ୍ୟ ଓ ଅଶ୍ଵତ୍ଥାମା । ଆଜିଠୁ କିଛି ଦିନ ପୂର୍ବେ ଯେତେ ମହାରଥୀ ଏହି ଦେଶରେ ଥିଲେ ସେମାନେ ଇତିହାସରେ ବୋଧେ ଏହି ଗୋଟିଏ ଥର ହିଁ ଏକାଠି ହୋଇଥିଲେ । ଭୀଷ୍ମ, ଦ୍ରୋଣ, ଅଶ୍ଵତ୍ଥାମା, କର୍ଣ୍ଣ, ଦୁର୍ଯୋଧନ, ଜୟଦ୍ରଥ, କୃପାଚାର୍ଯ୍ୟ, କୃତବର୍ମା, ଶଲ୍ୟ, ଭୂରିଶ୍ରବା, ଚେକିତାନ, ଘଟୋତ୍କଚ ଏବଂ କୁନ୍ତିଭୋଜ ଭଳି ମହାନ ବୀରମାନେ ଭବିଷ୍ୟତରେ ପୁଣି ଏକାଠି ହେବା ଅସମ୍ଭବ ଏହି  ଦେଶମାଟିରେ । କାରଣ କେବଳ ଭୀଷ୍ମ ହିଁ ନୁହଁ, ଭାରତର ବିଶାଳ ସଂସ୍କୃତି ଆଜି ଯେପରି ସେହି ଶରସୟାରେ ଶୋଇଯାଇଛି । ଏପରିକିଛି ଉପାୟ ଅଛି ଯଦି କୁହ,  ଯା’ଦ୍ଵାରା ମୃତ୍ୟୁର ଗର୍ଭକୁ ଯାଉଥିବା ଏହି ବିଶାଳ ସଂସ୍କୃତିକୁ ରକ୍ଷା କରାଯାଇପାରିବ ? ମହାଭାରତ ତ ଶେଷ ହୋଇଯାଇଛି କିନ୍ତୁ ଦେଶରେ ଯେଉଁ ହଣାକଟାର ମାନସିକତା ବ୍ୟାପୀ ରହିଛି, ତାହା କ’ଣ ହେବ ?

Post a Comment

2 Comments

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।