Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କ୍ଷୁଦ୍ରଗଳ୍ପ - ଭିତ୍ତିହୀନ ରାଜବାଟୀ - ବିକେଶ ସାହୁ

ବିକେଶ କୁମାର ସାହୁ
ଭୁଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ : ୭୭୫୨୦୬୬୨୧୭

ସମୟର ଦୌଡରେ ରାତି ୧୦ ଟା ହେବାକୁ ମିନିଟ କଣ୍ଟାକୁ ବଢିବାକୁ ଥାଏ ଆହୁରି ଦଶପାଦ । ବାହାରେ ଝଡି ବର୍ଷା ଲାଗିରହିଥାଏ, ଘଡ଼ଘଡ଼ି ଶବ୍ଦରେ ରାତିର ପ୍ରଥମ ପହର ପ୍ରକମ୍ପିତ ହୋଇ ଉଠୁଥାଏ । ଚାରିଆଡେ ଘଞ୍ଚ ଅନ୍ଧକାର । ଗାଁ ର ନିରୀହ ମଣିଷ ଗୁଡାକ ଶୋଇପଡିଥାନ୍ତି । ବିଜୁଳି ମଧ୍ୟ ନ ଥାଏ । ଘରଟା ଭିତରେ ଅନ୍ଧାରର ରାଜୁତି । ଟେବୁଲ ଉପରେ ଜଳୁଥିବା ମହମବତୀଟିର ଆୟୁ ପୁରିବାକୁ ମାତ୍ର ଆଉ କେଇଟା ମିନିଟ ବାକି ଅଛି । ହଠାତ ଏତିକି ବେଳେ ଏକ ଆଲରାମ୍ ବାଜିଲା ପରି ମୋବାଇଲ ରିଂ ହେଲା । ମୁଁ ବିଛଣାରୁ ଉଠିପଡି ଟେବୁଲ ଉପରୁ ଫୋନଟା କାଢ଼ିଦେଖିଲି, ଏକ ଅଜଣା ନମ୍ବରୁ ଫୋନ ଆସିଛି । ଫୋନଟା ଉଠେଇଲି ।


ହେଲୋ... କିଏ କହୁଛନ୍ତି ? ଅତି ଧୀର କଣ୍ଠରେ ମୁଁ କହିଲି । ଉତ୍ତର ଆସିଲା, ତୁମର ଜଣେ ସାଙ୍ଗ । ତା ପରେ ମୁଁ ଯାହା ଶୁଣି ବାକୁ ପାଇଲି, ପୁରାପୁରି ମୁଁ ନିସ୍ତବ୍ଧ ଓ ନିର୍ବାକ ହୋଇ ରହିଗଲି । ମୁଁ ବିଶ୍ୱାସ କରିପାରିଲିନି ସେଇସବୁ । ସତେକି ସେସବୁ ମୋ ପାଇଁ ଗୋଟେ ଅବାନ୍ତର ସ୍ୱପ୍ନ ପରି ଲାଗିଲା । କିଛି ସମୟ ମୁଁ ନିର୍ବାକ ହୋଇ ଗଲି । ହେଲୋ... ହେଲୋ... ହେଲୋ... କହି ବନ୍ଧୁ ଜଣକ ଫୋନଟା କାଟିଦେଲେ ।



ଫୋନ ଆସିବା ପରଠୁ ରାତି ସାରା ମୋତେ ଆଉ ନିଦ ହେଲା ନାହିଁ । ମନରେ ଅନେକ ଆଶଙ୍କା ଉଙ୍କିମାରେ.. ସବୁବେଳେ ସେଇ ଗୋଟିଏ କଥା ମୋତେ ବ୍ୟତିବ୍ୟସ୍ତ ଓ ଅସ୍ଥିର କରି ପକାଉଥାଏ । ଅନେକ କିଛି କାରଣ ଖୋଜେ ହେଲେ ବୁଝିପାରେନି ଏତେବଡ଼ ଘଟଣା କେମିତି ଯେ ଘଟିଗଲା । ଅନେକ ଗୁଡିଏ ପ୍ରଶ୍ନର ଉତ୍ତର ଖୋଜୁଖୋଜୁ ରାତି ପାହିଗଲା । ଟେବୁଲ ଉପରେ ଥୁଆହୋଇଥିବା ଆଲରାମ ବେଲ ଟି ସକାଳ ୫ ଟା ହେବାର ସୂଚନା ଦେଇ ବାଜିବାରେ ଲାଗିଲା । ହୃଦୟର କୋହ ସବୁ ଆଖି ଲୁହ ହୋଇ ବୋହି ଯିବାକୁ ବିଦ୍ରୋହ ଆରମ୍ଭ କରିଦେଇଥାନ୍ତି । ବିଛଣାରୁ ଉଠିପଡି ନିତ୍ୟକର୍ମ ସାରି ସଂଗେ ସଂଗେ ବାହାରିପଡିଲି ସାଇକେଲଟାକୁ ଧରି ବସ ଷ୍ଟେସନ ଆଡକୁ । ମନ ଭିତରେ କେତେଯେ ସେଇ ଅତୀତର ସ୍ମୃତି ସବୁ ଆକାଶର ମେଘ ପରି ଭାସିଆସି ଶ୍ରାବଣ ହୋଇ ଦୁଇ ଆଖିରେ ଝରିଯାଉଥାନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ଆଉ ଅଟକାଇ ପାରୁନଥାଏ । ତାଙ୍କ ସହ ବିତା ପ୍ରତିଟି ମୁହୂତ୍ତ୍ୱ ଆଜି ଜଳ ଜଳ ହୋଇ ମୋ ଆଖି ସାମ୍ନାରେ ଭାସି ଯାଉଥାଏ । ତାଙ୍କ ସହ ମୋର ପ୍ରଥମ ପରିଚୟ, କଲେଜର ସେଇ ପ୍ରଥମଦିନ ସାଥି ହୋଇ ଫେରିବା, ସତରେ ହୃଦୟକୁ ବ୍ୟତିବ୍ୟସ୍ତ କରିପକାଉଥାଏ । କେତେଯେ ହସଖୁସିରେ କାଟିଯାଉଥିଲା ଆମର ପ୍ରତିଟି ଦିନ । ଆଜି ଭାବିଦେଲେ ହୃଦୟଟା ଥରି ଉଠୁଛି । ରାତିର ସ୍ୱଳ୍ପ ବର୍ଷାରେ ରାସ୍ତାଟା କାଦୁଅ ସରସର ହୋଇ ଯାଇଥାଏ । ସେଇ ସବୁକୁ ତିଳେ ହେଲେ ଖାତିର ନ ଥାଏ । ଶୀଘ୍ର ଶୀଘ୍ର ଯାଇ ବସଷ୍ଟାଣ୍ଡରେ ପହଞ୍ଚି ଗଲି । ସାଇକେଲଟାକୁ ରସିକ ନନାଙ୍କ ଚା ଦୋକାନରେ ରଖିଦେଲି । ନାନା ବୋଧେ ବରା ଛାଣିବାରେ ବ୍ୟସ୍ତ ଥାନ୍ତି ।


ସମୟ ପ୍ରାୟ ୭ ଟା ହୋଇ ସାରିଥାଏ । ବସଷ୍ଟାଣ୍ଡରେ ଲୋକ ମାନଙ୍କର ସେତେଟା ଗହଳ ଚହଳ ହୋଇ ନଥିଲା କହିଲେ ଚଳେ । ବସ ର ଛାଡିବା ସମୟ ହୋଇସାରିଥାଏ, ମୁଁ ଖଡ଼ିଆଳ ଯିବା ବସରେ ଯାଇ ବସି ପଡ଼ିଲି । ସାଧାରଣତଃ ବସ ଟା ସେତେ ଭିଡ଼ ନ ଥିଲା କହିବା ଠିକ ହେବ । ସେମିତି କିଛି ସମୟ ଗଲା ପରେ ବସ ଖଡିଆଳ ଅଭିମୁଖେ ଧୀରେ ଧୀରେ ଅଗ୍ରସର ହେବାକୁ ଆରମ୍ଭ କରିଦେଲା । ବସର ଗତି ସାଥିରେ ମୋ ହୃଦୟ ଭିତରେ ଅନେକ ଗୁଡିଏ ଅବାନ୍ତର ପ୍ରଶ୍ନର ଭିଡ଼ । ତଥାପି ବିଶ୍ୱାସ କରିପାରୁନଥାଏ ମୁଁ ଘଟଣାଟିକୁ, ସତରେ ଏମିତି ଅବିଶ୍ଵାସନୀୟ ଘଟଣାର ନିର୍ଯ୍ୟାସ କେଉଁଠି ?? କେବେ ତ ସେ ସେମିତି ନ ଥିଲେ ସବୁବେଳେ ହସଖୁସି ତାଙ୍କ ମୁହଁରେ ଲାଗିରହିଥିଲା । ଆଜି ପୁଣି ଏତେବଡ଼ ଘଟଣା ଘଟିଲା କେମିତି ? ଏଇ ଗୋଟିଏ ପ୍ରଶ୍ନ ବାରମ୍ବାର ମୋତେ ମର୍ମାହତ କରିପକାଉଥିଲା । ଆମ +୩ ପାଠ ଆରମ୍ଭରୁ ମୁଁ ତାକୁ ଜାଣିଛି । ପ୍ରଥମଦିନ କଲେଜ ସାରିବା ପରେ ଆମ ପ୍ରଥମ ସାକ୍ଷାତ । ସେଇଦିନ ହିଁ ତାଙ୍କସହ ମୋର ପ୍ରଥମ ପରିଚୟ ଆଉ ସେଇ ଦିନଠୁ ଆଜିକୁ ଦୁଇ ବର୍ଷ ହୋଇଗଲାଣି ଆମ ବନ୍ଧୁତାକୁ, ହେଲେ ମୁଁ କଣ ତାକୁ ଏ ଯାଏଁ ବୁଝିବାରେ ଭୁଲ କରିଦେଇଛି ?? କେମିତି ବା ନିଜକୁ ବୁଝେଇବି ଆଉ ବୁଝେଇବି ବା କେଉଁ କଥାକୁ ଭିତ୍ତିକରି.. ? ପୁଣି ମନଟାକୁ ଟିକିଏ ଆସ୍ୱସ୍ତି ଦେବାକୁ ମନକୁ ବୁଝାଇ ନିଏ, ନା ସେମିତି କେବେ ହୋଇପାରେନା ସେ କେବେ ହେଲେ ସେମିତି କରିବେନି, ନା... ନା.. । କିନ୍ତୁ ଭାବିଲେ ମୋ ହୃଦୟ ଥରି ଉଠେ କେମିତି ଯେ ସେ ଏତେ ବଡ଼ ନିଷ୍ପତ୍ତି ନେଇଗଲେ ମୁଁ ବୁଝି ପାରୁ ନଥାଏ । ଏଇ ଦୁଇ ବର୍ଷ ଭିତରେ ଆମେ ଏତେ ଘନିଷ୍ଟ ହୋଇଯାଇଥିଲୁ ଯେ କେହି କାହାରିକୁ ଦିନେ ନଦେଖିଲେ ରହିପାରୁ ନଥିଲୁ । ଗୋଟିଏ ଥାଳିରେ ଖାଇବାଠୁ ଆରମ୍ଭ କରି ଯିବା ଆସିବା ବୁଲିବା ପ୍ରତିଟି ସମୟରେ ପ୍ରାୟ ଆମେ ସାଥି ହୋଇ ସବୁ କାମ କରୁଥିଲୁ । ଏପରିକି କ୍ଲାସରେ ଏକାଠି ହୋଇ ବସୁଥିଲୁ, କହିବାକୁ ଗଲେ ଦୁଇଟି ଶରୀର କିନ୍ତୁ ଆମ ଆତ୍ମା ଗୋଟିଏ । ଏଇ ଦୁଇ ବର୍ଷ କଲେଜ ଜୀବନରେ କେବେ ଆମ ଭିତରେ ମନାନ୍ତର ତ ଦୂରର କଥା ସ୍ୱପ୍ନରେ ସୁଦ୍ଧା ଆମେ ଭାବିବା ଅସମ୍ଭବ ଆଉ ନା କେବେ ଆମ ଭିତରେ ତାହା ହୋଇଥାନ୍ତା ମଧ୍ୟ । ଗତକାଲି ବି ସେ ମୋତେ ବସ ଷ୍ଟେସନରେ ଛାଡିଦେଇ ଘରକୁ ଯାଉଥିଲେ ହେଲେ କାହିଁକି ଯେ ସେ ଏତେ ବଡ଼ ନିଷ୍ପତି ନେଇଗଲେ, ଏ ଯାଏଁ ମୋ ପାଇଁ ବଡ ପ୍ରଶ୍ନବାଚୀ । ମୋ ଜାଣିବାରେ ବିନୋଦ ତ କେବେ ସେମିତି ନ ଥିଲେ । ମୁକ୍ତ ବିହଙ୍ଗ ପରି ସେ ସବୁବେଳେ ଶାନ୍ତ ସ୍ୱଭାବର, କେବେ କୋଉ ପିଲା ସହ ମାଡ଼ପିଟ କି ଗଣ୍ଡଗୋଳ କରିବା ତ ଦୂରର କଥା, ସେ ଭଲରେ କାହାସହ ସେତେ କଥା ବି ହେଉନଥିଲେ । ଏମିତିକି କୋଉ ଝିଅ ସହ ବି ସେ ସେତେଟା କଥାବାର୍ତ୍ତା ହେବା ମୁଁ ଦେଖି ନଥିଲି । ସବୁବେଳେ ଉଦାର ସ୍ଵଭାବର ପିଲାଟିଏ ସେ । ଯେତେ ଯାହା ହେଉନା କାହିଁକି ସେ କେବେ ବି ଭୁଲ ରାସ୍ତାରେ ଯାଇ ନଥିଲେ । ଏଇ ଦୃଢ଼ ବିଶ୍ୱାସ ମୋର ତାଙ୍କ ପ୍ରତି ଅଛି ଓ ରହିଥିବ ମଧ୍ୟ । ଏମିତିକି ସେ ମୋତେ ବି ଏଇ ସବୁ ରୁ ଦୂରେ ରହିବାକୁ କହୁଥିଲେ । ଶେଷକୁ ଆଜି ଏଇ ଘଟଣା । ମୋ ମନ ଜମାରୁ ମାନୁ ନ ଥାଏ ବିନୋଦ ଏମିତି କାମ କରିଥିବେ ବୋଲି । କିନ୍ତୁ ଏଇସବୁ ବିଷୟ ମୁଁ କିଛି ବୁଝିପାରୁ ନ ଥାଏ । ଏହା ପଛରେ କଣ କାରଣ ରହିଛି ସେକଥା ଏ ଯାଏଁ ମୁଁ ଭାବି ପାରୁ ନଥାଏ । ଏମିତି ଅନେକ କିଛି ଭାବନା ଭିତରେ ନିଜକୁ ଛନ୍ଦୁ ଛନ୍ଦୁ କେତେବେଲେ ଯେ ବସ ଟି ଆସି ଖଡ଼ିଆଳ ପହଞ୍ଚି ସାରିଥାଏ ମୁଁ ଜାଣି ପାରିଲିନି । ସିଟ ରୁ ଉଠି ପଡି ଗାଡି ରଖିବାକୁ କହି ଥାନା ଛକ ପାଖରେ ବସରୁ ଓହ୍ଲେଇ ପଡି ମୁଁ ଶୀଘ୍ର ଶୀଘ୍ର ହସ୍ପିଟାଲ ଆଡକୁ ପାଦ ବଢାଇଲି । କିଛି ସମୟ ପରେ ମୁଁ ଆସି ପହଂଚିଗଲି ହସ୍ପିଟାଲ ପ୍ରାଙ୍ଗଣରେ । ସବୁକିଛି ମୋତେ ଯେପରି ଏକ ଦୁଃସ୍ୱପ୍ନ ପରି ମୋତେ ମନେ ହେଉଥାଏ । ସବୁ ଆଡେ ଶୁନସାନ ଲାଗୁଥାଏ ସମଗ୍ର ହସ୍ପିଟାଲ । ଆସି ହସ୍ପିଟାଲ ସାମନାରେ ଛିଡ଼ାହୋଇ ଥିବାର ଦେଖି ମୋତେ ଫୋନ କରିଥିବା ବନ୍ଧୁ ଜଣକ ମୋତେ ଦେଖି ପରି ମୋ ପାଖକୁ ଆସିଲେ । ତାଙ୍କ ଆଖି ମଧ୍ୟ ଲୁହରେ ଟଳମଳ ହେଉଥାଏ, ସତେକି ହୃଦୟର କୋହରୂପୀ ଜଳରେ ପରିପୂର୍ଣ୍ଣ ନଈ ଟି ଧର୍ଯ୍ୟବନ୍ଧ ଭାଙ୍ଗିବା ପାଇଁ ପ୍ରଚେଷ୍ଟା ଚଲାଉଛି । ମୋର ମଧ୍ୟ ଠିକ ସେଇ ଅବସ୍ଥା । ତଥାପି ମୁଁ ଧର୍ଯ୍ୟହରା ନ ହୋଇ ଭିତରକୁ ପ୍ରବେଶ କଲି । ଆଇ. ସି .ଇଉ ରେ ଡାକ୍ତର ଚିକିତ୍ସା ଆରମ୍ଭ କରିଦେଇଥାନ୍ତି । କିନ୍ତୁ ଏ ଯାଏଁ ମୁଁ କିଛି ବୁଝି ପାରୁନ ଥାଏ ଘଟଣା ଟି କ'ଣ....? ସବୁକିଛି ମୋତେ ବ୍ୟତିବ୍ୟସ୍ତ କରି ପକାଉଥାଏ । ସତେକି ଏ ସବୁ ଗୋଟେ ଅବାନ୍ତର ଦୁଃସ୍ବପ୍ନ ବୋଲି ମନେ ହୁଏ । ଯାହା ସବୁ ମୋ ବୁଝିବାର ସମ୍ପୂର୍ଣ୍ଣ ବାହାରେ ।


କିଛି ସମୟ ନିସ୍ତବ୍ଧ ହୋଇ ବସିପଡିଲି । ଅନେକ କିଛି ଭାବି ବସେ ତା ସାଥିରେ ଆଖିରୁ ଅଦିନିଆ ଶ୍ରାବଣ ପରି ଲୁହ ସବୁ ଝରିଯାଉଥାଏ । ଉପସ୍ଥିତ ବନ୍ଧୁ ଜଣଙ୍କୁ ପାଖକୁ ଡାକିଲି । ସେ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଥାନ୍ତି । ତାଙ୍କୁ ପାଖରେ ବସାଇ କାନ୍ଧରେ ହାତ ରଖି ଘଟଣାର ସତ୍ୟ ଉନ୍ମୋଚନ ପାଇଁ ମୁଁ ତାଙ୍କୁ ଅନୁରୋଧ କଲି । କିନ୍ତୁ ସେ କିଛି କହୁନ ଥିଲେ । ମୁଁ ଜୋର ଦେଇ ତାଙ୍କୁ କହିବାରୁ ସେ କହିବାକୁ ରାଜି ହୋଇଗଲେ । ତାଙ୍କ ଠାରୁ ସବୁକଥା ଶୁଣିଲା ପରେ ମୁଁ ପ୍ରାଣହୀନ ନିସ୍ତବ୍ଧ ଓ ନିର୍ବାକ ହୋଇଗଲି । ସତେକି ମୋ ମୁଣ୍ଡରେ ବଜ୍ରପାତ ହେଲାପରି ଲାଗିଲା । ମୁଁ ବିଶ୍ୱାସ କରିପାରୁ ନ ଥାଏ ବିନୋଦ ଏପରି କାମ କରିଛନ୍ତି ବୋଲି । ମୋ ମନ ଜମାରୁ ମାନୁ ନଥିଲା । ବୋଧେ ସେଇଥିପାଇଁ ସେ କେତେଦିନ ହେବ ଗୁମସୁମ ରହୁଥିଲେ । ଗତ କେତେଦିନ ହେବ ତାଙ୍କ ମୁହଁରେ ମୁଁ ସେଇ ପୂର୍ବ ସତେଜତା ଲକ୍ଷ୍ୟ କରିନଥିଲି । କାହିଁକି ଯେ ମୋତେ ସେଇ ଅବାନ୍ତର ପ୍ରଶ୍ନ ସବୁ ପଚାରୁଥିଲେ । ଅନେକ ସମୟରେ କ୍ଲାସ ଛାଡି ଚାଲିଯାଉଥିଲେ । ହେଲେ ମୋତେ ଏ ସବୁ ବିଷୟରେ ସେ କିଛି ବି କହି ନଥିଲେ । ଅନେକ ଥର ତାଙ୍କୁ ଘଣ୍ଟା ଘଣ୍ଟା ମୋବାଇଲରେ କାହାସହ କଥାହେଉଥିବା ବି ଲକ୍ଷ୍ୟ କରିଥିଲି । ଆଉ ସେଇ ଦିନ ବି ସେ ମୋ ସାଥିରେ କେତେ କରୁଣ ସ୍ୱରରେ କଥା ହେଉଥିଲେ ସତେକି ଏ ଆମର ଶେଷ ଦେଖା କିନ୍ତୁ ମୁଁ ସେତେଟା ଧ୍ୟାନ ଦେଇ ନଥିଲି । ଆହୁରି କାହା ବାହାଘର ଯିବା କଥା ବି କହୁଥିଲେ ଯୋଉଥି ପାଇଁ ଉପହାର କିଣିବାକୁ ମୋତେ ବାଧ୍ୟ କରୁଥିଲେ ହେଲେ ମୁଁ ବସ ଆସିବା ସମୟ ହୋଇଯାଇଥିବାରୁ ଚାଲି ଆସିଥିଲି । କାହିଁକି ଯେ ସେ ଏ ସବୁ ମୋ ଠାରୁ ଲୁଚେଇ ରଖିଲେ ମୁଁ ଜାଣିପାରୁ ନଥାଏ । ମନରେ ଅନେକ କଥା ଭାବି ବସେ ।


ଏମିତି କିଛି ସମୟ ଗଲାପରେ, ଆଇ. ସି. ଇଉ ର କବାଟ ଖୋଲି ଡାକ୍ତର ଆମ ଆଡକୁ ଆସୁଛନ୍ତି । ମୋ ଦେହ ଥରି ଉଠୁଥାଏ । ଡାକ୍ତରଙ୍କ ମୁହଁରେ ଗମ୍ଭୀର ଶୋକର ଛାୟା ମୁଁ ଅନୁଭବ କରୁଥାଏ । ହୃଦୟର ସ୍ପନ୍ଦନ ଆହୁରି ଜୋର ହେବାକୁ ଲାଗିଥାଏ । ଶେଷରେ ସେ ମୋ ପାଖକୁ ଆସିଲେ ।
ସାର... !! ବିନୋଦଙ୍କ ଦେହ....ଏବେ କେମିତି ଅଛି । ମୁଁ ପଚାରିଲି ।


କିଛି ସମୟ ନିରବ ରହିବା ପରେ, ସେ କିଛି ନକହି ମୋ କାନ୍ଧ ଉପରେ ଦୁଇଥର ଥପୁଡ଼େଇ ଦେଇ ଚାଲିଗଲେ । ମୁଁ କିଛି ବୁଝି ପାରୁନଥାଏ । ଘଟଣାଟି କ'ଣ ? ଅନେକ ଗୁଡ଼ିଏ ପ୍ରଶ୍ନ ମୋ ମନକୁ ବ୍ୟତିବ୍ୟସ୍ତ କରିପକାଉଥାଏ । ତଥାପି ଧର୍ଯ୍ୟହରା ନହୋଇ ବସିପଡିଲି । ମୁଁ ଏ ଯାଏ ବିଶ୍ୱାସ କରିପାରୁ ନଥାଏ ବିନୋଦ ଗୋଟେ ଝିଅ ପାଇଁ ଆଜି ନିଜକୁ ସବୁଦିନ ପାଇଁ ଶେଷ କରିଦେବାକୁ ବସିଛନ୍ତି । +୨ ପଢିବା ସମୟରୁ ସେ ସେଇ ଝିଅକୁ ଭଲ ପାଉଥିଲେ । ହେଲେ ଏ ଯାଏଁ ସେ ମୋତେ ଏ ବିଷୟରେ କିଛି କହି ନାହାନ୍ତି କାହିଁକି ? ମୁଁ ବୁଝିପାରୁ ନ ଥାଏ । ହୃଦୟରେ ଅଜସ୍ର କୋହକୁ ଚାପି ଉପରେ ଉପରେ କାହିଁକି ସେ ହସିବାର ଅଭିନୟ କରୁଥିଲେ । ହେଲେ କାହିଁକି ? ଏମିତି ଅନେକ ପ୍ରଶ୍ନ ସମୁଦ୍ରର ଜୁଆର ପରି ମାଡି ଆସୁଥାଏ ମୋ ମନ ଉପକୂଳରେ । ଆଜିକୁ ପ୍ରାୟ ୫ବର୍ଷ ହୋଇ ଗଲାଣି ସ୍ୱପ୍ନାକୁ ଭଲ ପାଇବାର । ଆଉ ଏଇ ପାଞ୍ଚ ବର୍ଷ ଭିତରେ ଦୁହେଁ ଦୁହିଁଙ୍କୁ ଜୀବନଠୁ ବେଶୀ ଭଲପାଇ ବସିଥିଲେ । କେହି କାହା ବିନା ବଞ୍ଚିବା ସମ୍ଭବ ନଥିଲା । ଏମିତି ଏକ ମେଘୁଆ ଦିନ, ଝିପି ଝିପି ବର୍ଷା ତା'ରି ସାଥିରେ ବିଜୁଳି ଓ ଘଡଘଡିର ଶବ୍ଦ, ଚାରି ଆଡ଼େ ଜନାକୀର୍ଣ୍ଣ । ଏତିକି ବେଳେ କଲେଜରୁ ଫେରୁଥାଏ ସ୍ୱପ୍ନା । ବର୍ଷାରେ ସେ ଓଦା ହୋଇ ଯାଇ ରାସ୍ତା କଡରେ ଥିବା ବରଗଛ ତଳେ ସାଇକେଲକୁ ଥୋଇଦେଇ ଅପେକ୍ଷା କରିଥାଏ ବର୍ଷା ଛାଡିବାକୁ । ଏତିକି ବେଳେ ବିନୋଦ ବି କଲେଜରୁ ଫେରୁଥିଲେ, ସେଇଠୁ ଦୁହିଁଙ୍କ ପ୍ରଥମ ଦେଖା । ସେଇଦିନ ଠାରୁ ଆଜି ଯାଏ ଦୁହିଁଙ୍କ ପ୍ରେମର ପବିତ୍ର ଧାରା ପ୍ରବାହିତ ଦୁହିଁଙ୍କ ହୃଦୟରେ । ହେଲେ ଆଜି ସେଇ ପ୍ରେମର ସ୍ରୋତକୁ ସବୁଦିନ ପାଇଁ ଅଟକାଇ ଦେବାକୁ ବସିଛନ୍ତି ବିନୋଦ । ଯାହାକୁ ହୃଦୟରୁ ଏତେ ଭଲ ପାଉଥିଲେ, ଗତକାଲି ସେ ଆଉ କାହାର ହୋଇସାରିଥିବ । ଆଉ ସେଇଥି ପାଇଁ ଆଜି ବିନୋଦର ଏଇ ଅବସ୍ଥା । ଭାବିଦେଲେ ଆଖିରୁ ଧାର ଧାର ହୋଇ ବହିଯାଏ ହୃଦୟର କୋହ ସବୁ ଲୁହର ରୂପନେଇ । ଆଖିରୁ ଲୁହ ପୋଛି ଠିଆ ହେଲି ।


ହଠାତ ବାହାରେ ପାଟିତୁଣ୍ଡ ଶୁଭାଗଲା, ତା ସହିତ ଆମ୍ବୁଲାନ୍ସ ର ଆବାଜ । ମୁଁ ଟିକିଏ ଚମକି ପଡି ବାହାରକୁ ଆସିଲି । ଜଣେ ବଧୂ ବେଶରେ ସଜେଇ ହୋଇଥିବା ଝିଅକୁ ଅଣା ହୋଇଥାଏ । ବେଶଭୂଷାରୁ ନବ ବିବାହିତ ଜଣାପଡୁଥାଏ । ମୁଁ ରାସ୍ତା ଛାଡିଦେଲି । ଡାକ୍ତର ସଂଗେ ସଂଗେ ତାକୁ ଆଇ. ସି. ଇଉ କୁ ନେବାକୁ ଇସାରା ଦେଲେ । ଝିଅର ମାଆ ବାପା ଓ ସମସ୍ତ ପରିବାର ବର୍ଗଙ୍କ କ୍ରନ୍ଦନ ଧ୍ଵନି ସମଗ୍ର ହସ୍ପିଟାଲଟାକୁ ଶୋକାକୁଳ କରିଦେଉଥାଏ । କିଛି ସମୟ ଯାଇଛି, ହସ୍ପିଟାଲର ଜଣେ କର୍ମଚାରୀ ଆସି ମୋତେ ଖଣ୍ଡେ କାଗଜରେ ଦସ୍ତଖତ ପାଇଁ କହିଲେ । ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁରହିଲି । ତାଙ୍କୁ ପଚାରିଲି ଏଇଟା କଣ ପାଇଁ.... କି....??? ତାଙ୍କ ଉତ୍ତର ଶୁଣି ମୋ ଚେତା ହଜିଗଲା । ସତେକି ମୋ ମୁଣ୍ଡରେ ବଜ୍ରାଘାତ ହେଲାପରି ମନେହେଲା । ମୁଁ ବୁଝି ପାରୁ ନଥାଏ । ଶେଷରେ ଜାଣିବାକୁ ପାଇଲି ଡକ୍ଟର କଥା କହିପାରନ୍ତି ନାହିଁ । ମୋ ଆଖିରୁ କେବଳ ଧାର ଧାର ହୋଇ ଲୁହ ସବୁ ଚୀରଶ୍ରୋତା ନଈ ପରି ବୋହିଚାଲିଥାଏ ।


କିଛି ସମୟ ପରେ ଶୁଣିବାକୁ ପାଇଲି ସେଇ ଝିଅଟିର ମଧ୍ୟ ମୃତ୍ୟୁ ହୋଇଯାଇଛି । ଆଉ ସେ ହେଉଛି ସ୍ୱପ୍ନା । ବାପା ମା ଙ୍କୁ ବିବାହ କରିବନି ବୋଲି ସେ ବହୁତ ଥର ଅନୁରୋଧ କରିଥିଲା, ହେଲେ କେହି ତା କଥା ଶୁଣି ନଥିଲେ । ଶେଷକୁ ଆଜି ତା'ର ଏଇ ଅବସ୍ଥା । ଆଉ କାହାର ହେବା ଆଗରୁ ନିଜକୁ ସବୁଦିନ ପାଇଁ ଶେଷ କରିଦେବାକୁ ଚେଷ୍ଟା କରିଛି ବିବାହ ବେଦୀରେ ନ ବସୁଣୁ । ମୁଁ କିଛି ସମୟ ନିର୍ବାକ ହୋଇପଡିଲି । ସତେକି ସବୁକିଛି ମୋତେ ଦିବା ସ୍ୱପ୍ନ ପରି ମନେ ହେଉଥାଏ । ଲଠକିନା ବସିପଡିଲି ଥୁଆହୋଇଥିବା କାଠଚୌକି ଉପରେ । ସୂର୍ଯ୍ୟଦେବତା ମଧ୍ୟ ଅସ୍ତାଚଳଗାମୀ ହେବାକୁ ବସିଥାନ୍ତି । ତା'ରି ସାଥିରେ ଅସ୍ତ ହୋଇଗଲା ପବିତ୍ର ପ୍ରେମର ନବ ତରୁଣ ସୂର୍ଯ୍ୟ ଟିଏ । ଶୁଖିଗଲା ଦୁଇଟି ହୃଦୟରୁ ପ୍ରେମର ଚିରସ୍ରୋତା ନଈ । ବଳି ପଡିଗଲା ଦୁଇଟି ନିରୀହ ପ୍ରାଣ । ସତରେ ଗୋଟେ ଭିତ୍ତିହୀନ ରାଜବାଟୀ ପରି ଭାଙ୍ଗିଗଲା ଆଜି ଦୁହିଁଙ୍କ ପ୍ରେମ । ଆଉ ବଳି ପଡିଗଲା ଦୁଇଟି ନିରୀହ ଜୀବନ । ଯାହା ଗଢ଼ା ହୋଇଥାଏ, କେତେ ଯେ ଅବାସ୍ତବ ରଙ୍ଗବେରଙ୍ଗ ଅସୁମାରୀ ସ୍ୱପ୍ନକୁ ନେଇ । ଯାହା କେବେ ଚୀରସ୍ଥାୟୀ ହୋଇପାରେନି । ଦୁଇଦିନ ପାଇଁ ଘିଅମହୁରେ ଭସାଇ ଶେଷକୁ ଆଜୀବନ କେବଳ ଜଳିବାକୁ ହୁଏ, ନା ବଞ୍ଚି ହୁଏ, ନା ମରିହୁଏ । ସବୁ ସ୍ୱପ୍ନ ଚୁରମାର ହୋଇ ଭାଙ୍ଗିଯାଏ.... । ନେଇଚାଲେ ଖାଲି ଅଦିନରେ କେତେଯେ ନିରୀହ ନିଷ୍ପାପ ତରୁଣୀ ତରୁଣଙ୍କ ଜୀବନ.. । ଭାଙ୍ଗି ଦିଏ କେତେଯେ ସୁନେଲି ସ୍ୱପ୍ନ, କାଟିଦିଏ ନୂଆ ନୂଆ ଉଡୁଥିବା ସ୍ୱାଧୀନ ଚଢେଇର ଡେଣା । ଏ ଭିତ୍ତିହୀନ ରାଜବାଟୀ ନୁହେଁ ତ ଆଉ କ'ଣ.....??? ଯାହା କେବେ ଚୀରସ୍ଥାୟୀ ହୋଇ ପାରେନା ଅଦିନ ରେ ଭାଙ୍ଗିବାଟା ସାର .….......

Post a Comment

2 Comments

  1. ବହୁତ ଭଲ ଅଛି

    ReplyDelete
  2. Chinmay12/30/2017

    Rishawala was best fr me. Thanxx prasant sir.

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।