Information

ଶାଶ୍ଵତ ପ୍ରେମ - ସୁନୀଲ କୁମାର ବେହେରା

ସୁନୀଲ କୁମାର ବେହେରା
ପଥରବନ୍ଧ, ଟାଙ୍ଗି, ଖୋରଧା

ଢଳଢଳ ନୀରେ ସୁଢଳ ସମ୍ଭାରେ
ଚାହିଁଅଛି ପଙ୍କଜିନୀ
ପଙ୍କରୁ ଜାତ ସେ ପଙ୍କରୁ ଉଦ୍ଭବ
ଦେବାଳୟ ପାଟରାଣୀ ॥୧॥

ପତର ଉପରେ ଶୁପତ ମଉନେ
ବିତିଯାଏ ତା'ର ରାତି
ଚାହିଁରହିଥାଏ ଉଦିତ ସୂରୁଜେ
କରିବାକୁ ମଧୁପ୍ରୀତି ॥୨॥


ଭାସ୍କର ଉଦିତେ ଚଳ ଚଞ୍ଚଳିତ
ପାଖୁଡାର ଅଙ୍ଗଭଙ୍ଗୀ
ନିବୁଜ ପାଖୁଡା ହୁଏ ପ୍ରସ୍ଫୁଟିତ
ସୂରୁଜ କିରଣ ଲଭି ॥୩॥

ପୀୟୁଷ ପରାଏ ରବିର କିରଣ
ଆନନ୍ଦରେ ଯାଉ ପିଇ
ଅନାବିଳ ପ୍ରେମ ଦିବ୍ୟଶିରୀ ତୋର
ସଞ୍ଜ ହେଲେ ଯାଉ ନଇଁ ॥୪॥


ହରଷ ଚିତ୍ତରେ ସାହାସ୍ୟ ବଦନେ
ସୂରୁଜେ ରହୁ ତୁ ଚାହିଁ
ଶାଶ୍ଵତ ତୋ ପ୍ରେମ ନିର୍ମଳ ହୃଦୟ
ପ୍ରତିଦାନ ଲୋଡା ନାହିଁ ॥୫॥

ମିଛ ଦୁନିଆଁରେ ପ୍ରେମ ନୈସର୍ଗିକ
ରହିଥିଲା ଥିବ ରହି
ପଦ୍ମ-ସୂରୁଜର ଭାବ ଦିଆନିଆ
କେଉଁଠାରେ ଆଉ ନାହିଁ ॥୬॥


ଜଳରାଶି କହେ ଶୁଣ ଲୋ ପଦୁଅଁ
ତୁ ଅଟୁ ସୌଭାଗ୍ୟବତୀ
ପ୍ରେମିକର ସତ୍ତା ସମୀପେ ନଥାଇ
ଲଭୁଛୁ ପୀରତି ନିତି ॥୭॥

ଆକାଶ ପାତାଳ ଦୂରତାରେ ଥାଇ
ଦିନକର ତୋର ସାଥୀ
ଉଛୁଳା ଯୌବନ ଅବସନ୍ନ ମନ
ଅପେକ୍ଷାରେ ପାହେ ରାତି ॥୮॥


ସୂରୁଜ ପରଶ ସୂରୁଜ ଦର୍ଶନ
ଲୋଡା ତୋର ପଦ୍ମରାଣୀ
ତୋ ପ୍ରେମ ସମ୍ମୁଖେ ଜଗତ ବିଫଳ
ନପାରନ୍ତି କେହି କଳି ॥୯॥

ଅମୃତ ବେଳାରେ ଶୁଭ ଲଗନରେ
ଗଢିଥିଲା ତୋତେ ବିହି
ଧନ୍ୟ ଲୋ ଉତ୍ପଳ ପ୍ରେମ ତୋ ଅମର
କୋଟିକରେ ଗୋଟେ ତୁହି ॥୧୦॥


Post a Comment