Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରବନ୍ଧ - ସନ୍ତ୍ରାସବାଦ - ବିକେଶ ସାହୁ

ବିକେଶ ସାହୁ
ଭୁସଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ : ୭୭୫୨୦୬୬୨୧୭

ଦିନେ ଯେଉଁ ମଣିଷ ବଣଜଙ୍ଗଲରେ ରହୁଥିଲା, କଞ୍ଚା ମାଂସ ଖାଉଥିଲା, ବିନା ବସ୍ତ୍ରରେ କେବେ କେଉଁ ଗଛ କୋରଡରେ ତ ଆଉ କେବେ ପଥର ଗୁମ୍ଫା ଭିତରେ କାଳାତିପାତ କରୁଥିଲା । ଆଜି ସେ ଅତ୍ୟାଧୁନିକ କାରିଗରୀ ବିଦ୍ୟା ଓ ବିଜ୍ଞାନ ବଳରେ ବଳୁଆନ ହୋଇ ନିଜକୁ ପୃଥିବୀର ସର୍ବ ଶକ୍ତିମାନ ପ୍ରାଣୀର ଆଖ୍ୟା ଦେଇ ସାରିଛି । ଆଜିର ମଣିଷ ଓ ସେଇ ଆଦିମ ମଣିଷ ଭିତରେ ଆଜି ଆକାଶ ପାତାଳ ତଫାତ । ବିଜ୍ଞାନ ବଳରେ ଆଜି ମଣିଷ ଅସାଧ୍ୟ ସାଧନ କରିପାରୁଛି । ଆକାଶରେ ବୁଡିବା ଠୁ ପାଣିରେ ପହଁରିବା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ମଣିଷ ଆଜି ଆଗୁଆ । ବିଜ୍ଞାନ ବଳରେ ସେ ଆଜି ଗଢି ସାରିଛି ଯାନ୍ତ୍ରିକ ସଭ୍ୟତା । ସମଗ୍ର ବିଶ୍ୱରେ ଆଜି ଚାଲିଛି ପ୍ରତିଯୋଗିତା ମୂଳକ ଭାବରେ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ଓ ପ୍ରୟୋଗ । ତା ସହିତ ବଦଳିବାରେ ଲାଗିଛି ମଣିଷ । ମୂଲ୍ୟବୋଧକୁ ଭୁଲି ଆଜି ମଣିଷ ସଜେଇ ସାରିଛି ନିଜକୁ ଯନ୍ତ୍ର ମାନବ । ପରସ୍ପର ଭିତରେ ସ୍ନେହ ପ୍ରେମ ଓ ଭାତୃତ୍ୱ ଭାବ ଭୁଲି ଆଜି ମଣିଷ ସାଜିଛି ମଣିଷ ପାଇଁ କାଳ । ଭୁଲିସାରିଛି ମାନବିକ ମୂଲ୍ୟବୋଧ ।


ଆଜି ମଣିଷ ବାରୁଦ ଗଦା ଉପରେ ଛିଡା ହୋଇଛି । କେତେବେଳେ ଯେ କାହା ଜୀବନ ଚାଲିଯିବ, ସେଇଟା କହିବା ଆଜି କାଠିକର ପାଠ ହୋଇ ସାରିଲାଣି । ସମସ୍ତେ ଆଜି ନିଜ ନିଜ ସ୍ଵାର୍ଥ ହାସଲରେ ବ୍ୟସ୍ତ । ନିଜ ଆଶା ଓ ଆକାଂକ୍ଷାର ପରିପୋଷଣ ପାଇଁ ଆଜି ମଣିଷ ଯେ କୌଣସି ସ୍ତରକୁ ମଧ୍ୟ ଯାଇପାରେ । ସେହି ତ ସନ୍ତ୍ରାସବାଦ । ମଣିଷ ମଣିଷ ଭିତରେ ଆଜି ଅର୍ଥକୁ ନେଇ, କ୍ଷମତା କୁ ନେଇ, ଧର୍ମ କୁ ନେଇ, ଜାତିକୁ ନେଇ କେବଳ ଚାଲିଛି ଟଣାଓଟରା । ଯେଉଁଥି ପାଇଁ ଚାଲି ଯାଉଛି କେତେ ଯେ ନିରୀହ ମଣିଷର ଜୀବନ । ମଣିଷ ମନରେ ଥିବା କ୍ରୁର ଓ ପଶୁ ପ୍ରବୃତ୍ତି ହିଁ ଜନ୍ମ ଦିଏ ସନ୍ତ୍ରାସବାଦକୁ ଆଉ ଦେଇଛି ମଧ୍ୟ । କ୍ଷମତା ଓ ଅର୍ଥ ଲୋଭରେ, ଆଜି ମଣିଷ ସାଜିଛି ପଶୁ ଠୁ ବି ହୀନ । କେଉଁଠି ଧର୍ମ ପାଇଁ ତ, କେଉଁଠି ଭୂ ବିବାଦକୁ ନେଇ ସୃଷ୍ଟି ହୋଇଛି ସନ୍ତ୍ରାସବାଦ । ଯାହାର ପ୍ରକୃଷ୍ଟ ଉଦାହରଣ ହେଉଛି ଭାରତ ଓ ପାକିସ୍ଥାନ ମଧ୍ୟରେ ଥିବା କାଶ୍ମୀର ବିବାଦ । ଆଜକୁ ଭାରତ ବିଭାଜନର ଦୀର୍ଘ ପଚାଷରୁ ଉର୍ଦ୍ଧ ବର୍ଷ ହୋଇଗଲାଣି, କିନ୍ତୁ ଏ ଯାଏଁ ଏହାର ସୀମା ବିବାଦ ଶେଷ ହୋଇନାହିଁ । ଭାରତର ଭୂସ୍ଵର୍ଗ ଭାବରେ ପରିଚିତ କାଶ୍ମୀରରେ ଆଜି ରକ୍ତର ନଈ ପ୍ରବାହିତ । ପାକିସ୍ତାନର ଏଇ ହୀନ ଓ ଘୃଣିତ କାର୍ଯ୍ୟକଳାପ ଯୋଗୁଁ ଚାଲିଯାଉଛି ନିରୀହ ମଣିଷର ଜୀବନ ।


ମଣିଷ ଶିକ୍ଷାଦୀକ୍ଷା ପାଇଁ ସଭ୍ୟତାକୁ ଅତିକ୍ରମ କରି ଚଳୁଥିବାବେଳେ କେତେକ ସଂକୀର୍ଣ୍ଣମନା ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ନିଜକୁ ଶ୍ରେଷ୍ଠତ୍ତ୍ୱର ଆସନରେ ମଣ୍ଡିତ କରିବାପାଇଁ ଏହି କୁସ୍ଚିତ ପଥ ଗ୍ରହଣ କରି ନେଇଥାନ୍ତି । କେବଳ ଭାରତ ନୁହଁ ଆଜି ସମଗ୍ର ବିଶ୍ୱର ମାନବ ସମାଜ ଆତଙ୍କବାଦୀଙ୍କ ଆତଙ୍କରେ ଥରହର । ପ୍ରତି ଦେଶରେ ପ୍ରତି ରାଜ୍ୟରେ ଆଜି ଆତଙ୍କବାଦୀ ମାନଙ୍କ ରହିଛି ସ୍ୱତନ୍ତ୍ର ସଂଗଠନ । ଯେଉଁ ମାନଙ୍କ ଘୃଣିତ ଓ ନିନ୍ଦନୀୟ କାର୍ଯ୍ୟକଳାପ ପ୍ରତିଦିନ ଦେଖିବାକୁ ମିଳୁଛି । କେଉଁଠି ଧର୍ମ ନାମରେ ଚାଲିଛି ହିଂସା ତ, ଆଉ କେଉଁଠି ଅଧିକାର ନାମ ରେ ଚାଲିଛି ସନ୍ତ୍ରାସବାଦର ରାଜୁତି । ଯାହାର ଶିକାର ହେଉଛି ସାଧାରଣ ନିରୀହ ନିଷ୍ପାପ ମଣିଷ । ଜାତିସଙ୍ଘର ବାରମ୍ବାର ତାଗିଦ ଓ ଚେତାବନୀକୁ ଖାତିର ନକରି ଆଜି ନିଶଙ୍କାରେ ଆଗକୁ ଆଗକୁ ପାଦ ପକାଇ ଚାଲିଛି ଏଇ ସାନ୍ତ୍ରସବାଦ । ଯାହାର ସମୂଳ ବିନାଶ ପାଇଁ ଭାରତ, ଆମେରିକା ଓ ଫ୍ରାନ୍ସ ଭଳି ଦେଶ ମାନେ ବଦ୍ଧପରିକର । କିନ୍ତୁ ଏ ଯାଏଁ ଅସଫଳ । ବର୍ତ୍ତମାନ ସମୟରେ ପୁଣ୍ୟମୟୀ ଆର୍ଯ୍ୟଭୂମି ଭାରତ ପ୍ରତି ଏହା ଏକ ବିରାଟ ସଙ୍କଟ ପରି ଛିଡା ହୋଇଛି । ଭାରତକୁ ଦୁର୍ବଳ କରିବାର ଯୋଜନାରେ ଆଜି ପାକିସ୍ତାନ ବଦ୍ଧପରିକର । ଯାହାର ନିରାକରଣ ପାଇଁ ଭାରତ ସରକାର ଅନେକ ପ୍ରକାର କୂଟନୈତିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହିତ ଆତଙ୍କବାଦ ବିରୁଦ୍ଧରେ ନିଜର ସଂଗ୍ରାମ ଅବ୍ୟାହତ ରଖିଛି ଭାରତ । ଆଉ ରଖିଥିବ ମଧ୍ୟ । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ । ତତ୍ ସହିତ ଯେଉଁ ରାଷ୍ଟ୍ର ସନ୍ତ୍ରାସବାଦକୁ ଆଶ୍ରୟ ବା ସମର୍ଥନ କରିବ, ତା'ବିରୁଦ୍ଧରେ କଡା ପଦକ୍ଷେପ ନେବା ବାଞ୍ଛନୀୟ । ମଣିଷ ମନରେ ଶ୍ରଦ୍ଧା ସମ୍ମାନ ପ୍ରକାଶ ପାଇଲେ, ଏଇ ସମସ୍ୟାର ସଫଳ ସମାଧାନ ସହଜସାଧ୍ୟ ହୋଇପାରିବ । ନ ହେଲେ ଏହା ହିଁ ବିଶ୍ୱ ଧ୍ଵଂସ ର କାରଣ ସାଜିବ, ସେକଥା କିଏ କହିବ ।

Post a Comment

0 Comments