Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରବନ୍ଧ - ଧର୍ମ - ଡକ୍ଟର ଲକ୍ଷ୍ମଣ ସାହୁ

ଡକ୍ଟର ଲକ୍ଷ୍ମଣ ସାହୁ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦

ପ୍ରତ୍ୟେକ ମନୁଷ୍ୟ ଭିତରେ ଦୁଇଟି ଚେତନା ବିଦ୍ୟମାନ । ଗୋଟିଏ ବ୍ୟଷ୍ଠି ଚେତନା ଓ ଅନ୍ୟଟି ସମଷ୍ଠିଗତ ଚେତନା, ଗୋଟିଏ ଖଣ୍ତଚେତନା ଓ ଅନ୍ୟଟି ଅଖଣ୍ତଚେତନା, ଗୋଟିଏ ଦେହାତ୍ମାଚେତନା ଓ ଅନ୍ୟଟି ବିଶ୍ୱାତ୍ମା ଚେତନା । ତେଣୁ ବ୍ୟଷ୍ଟିଚେତନା ଜୀବାତ୍ମା ହେଲେ ସମଷ୍ଟି ଚେତନା ପରମାତ୍ମା ଅର୍ଥାତ୍ ବ୍ୟଷ୍ଟି ଚେତନା ନର ଓ ସମଷ୍ଟି ଚେତନା ନାରାୟଣ । ଉପନିଷଦରେ ଏହି ଦୁଇ ଚେତନାକୁ କାବିକ୍ୟ ଢଙ୍ଗରେ କୁହାଯାଇଛି-`ଦ୍ୱା ସୁପର୍ଣ୍ଣା ସଯୁଜା ସଖାୟା ସମା ବୃନ୍ତ ପରିଷଦଜାତେ" । ଏହି ଦୁଇ ଚେତନାହିଁ ଦୁଇଟି ସୁନ୍ଦର ପକ୍ଷୀ । ଗୋଟିଏ ମାନବ ଦେହରୂପୀ ଜୀବନ୍ତ ବୃକ୍ଷ ଉପରେ ଏକ ଅନ୍ୟ ସଙ୍ଗରେ ଘନିଷ୍ଟ ପ୍ରେମଫାଶରେ ଆବଦ୍ଧ ରହି ଦୁଇବନ୍ଧୁ ଭଳି ବାସ କରିଥାନ୍ତି । ଦୁହିଁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ମିଳନ ଘଟେ, ଅର୍ଥାତ୍ ଦୁହେଁ ଏକ ହୋଇ ମଧ୍ୟ ଦୁଇ ଓ ଦୁଇ ହୋଇ ମଧ୍ୟ ଏକ । ଦୁହିଁଙ୍କ ବ୍ୟବହାରରୁ ପ୍ରତୀତ ହୁଏ ଦୁହେଁ ଚିରନ୍ତନ ପରସ୍ପର ବିବାଦରେ ଲିପ୍ତ ଥାଇ ବି ଭିତରେ ଭିତରେ ଦୁହେଁ ପରସ୍ପରକୁ ସର୍ବତ୍ର ଭାବେ ପ୍ରେମାଲିଙ୍ଗନ କରି ଐକ୍ୟଭାବ ପାଇଁ ଉତକଣ୍ଠିତ ହୋଇଥାନ୍ତି । ନର ଓ ନାରାୟଣ ଚେତନାର ପରିପୂର୍ଣ୍ଣ ଚିନ୍ତନରେ ଶାନ୍ତିର ପ୍ରତିଷ୍ଠା ଓ ଦ୍ୱନ୍ଦ୍ୱର ଅବସାନ ଘଟେ ।


ପ୍ରତ୍ୟେକ ମନୁଷ୍ୟ ମୂଳତଃ `ନର-ନାରାୟଣ' । ନରତ୍ୱର ମାର୍ଗ ଓ ନାରାୟଣଙ୍କ ମାର୍ଗ ଏ ଦୁଇ ମାର୍ଗହିଁ ମାନବ ଚେତନ ଭିତରେ ସର୍ବଦା ବିଦ୍ୟମାନ । ଏହି ଦୁଇ ମାର୍ଗର କର୍ମ, ଞ୍ଗାନ, ଭୋଗ ଓ ଅନୁଭୂତି ମଧ୍ୟରେ ନିଜକୁ ପ୍ରକାଶ କରେ, ଫଳ ସୂରୂପ ନରତ୍ୱ ଓ ନାରାୟଣତ୍ୱ, ଆତ୍ମାଚେତନ ଓ ପରାତ୍ମାଚେତନ, ଜୀବଭାବ ଓ ଶିବଭାବ ଦୁହେଁ ମାନବର ଅନ୍ତଃକରଣକୁ ଆକର୍ଷଣ କରି ତାର ସମସ୍ତ କର୍ମ, ଜ୍ଞାନ, ଭୋଗ ଓ ଅନୁଭୂତି ଉପରେ ପ୍ରଭାବ ଢାଳେ । ଉଭୟଙ୍କ ଭିତରେ ଯେତିକି ସଂଘର୍ଷ ଦେଖାଦିଏ, ସେତିକି ମିତ୍ରପଣ ମଧ୍ୟ ରହିଥାଏ । ଜଣେ ଅନ୍ୟର ଚଲାପଥରେ ପ୍ରତିବନ୍ଧକ ସୃଷ୍ଟି କରାଏ, ତଥାପି ନିଜ ନିଜ ମାର୍ଗରେ ଅଟଳ ରହି ଦୁହେଁ ଦୁହିଁଙ୍କ ଆତ୍ମ ପରିଚୟ, ଆତ୍ମପ୍ରକାଶ ଓ ଆତ୍ମସ୍ୱାର୍ଥକତା ଦର୍ଶାନ୍ତି । ଉଭୟଙ୍କ ଆର୍କଷଣ ଓ ପ୍ରେରଣାରେ ମାନବ ପ୍ରକୃତି ଯେତେ ବିକାଶ ପ୍ରାପ୍ତ ହୋଇଚାଲେ, ସେତିକି ମଧ୍ୟ ତା'ଭିତରେ ନରତ୍ୱ ବିକାଶ ହୁଏ ଓ ନାରାୟଣତ୍ୱର ମଧ୍ୟ ବିକାଶ ଘଟିଥାଏ । ଖଣ୍ତଚେତନାର ପୁଷ୍ଟି ଘଟେ, ସେଭଳି ଅଖଣ୍ତଚେତନା ସହ ତା'ର ମିଳନ ମଧ୍ୟ ଘଟିଥାଏ । ଆତ୍ମଚେତନା ସମୁଦ୍ର ପାଲଟି ଶେଷରେ ବିଶ୍ୱଚେତନା ସହିତ ଅଭିନ୍ନ ରୂପରେ ନିଜର ସୂରୂପକୁ ଉପଲବ୍ଧି କରେ । କିନ୍ତୁ ବିକାଶ ପଥରେ ମନୁଷ୍ୟର ଚିତ୍ତ ବହୁ ସମସ୍ୟାର ସମ୍ମୁଖୀନ ହୁଏ, ତାର କର୍ମପଥ, ଜ୍ଞାନପଥ ଓ ଭୋଗପଥ କେତେ ଦୁର୍ଭାଗ୍ୟକୁ ସାମନା କରେ, ଘାତପ୍ରତିଘାତ ଭୋଗିଥାଏ ତାର ହିସାବ ଇୟତ୍ତା ନାହିଁ ।


ନରତ୍ୱ ମାର୍ଗ ଏହାଯେ, ପ୍ରତ୍ୟେକ ମଣିଷ ଅନ୍ୟ ବ୍ୟକ୍ତିଠାରୁ ସ୍ୱତନ୍ତ୍ର ଭାବେ ନିଜର ବ୍ୟକ୍ତିତ୍ୱକୁ ପୃଷ୍ଠ କରିବା । ଅହଂକୁ ବଢାଇ ଦେଲେ, ଜ୍ଞାନ ଠାରୁ ଯଥେଷ୍ଟ କମ୍, ପ୍ରଭାବ ପ୍ରତି ପଡିଲେ ଅନ୍ୟ ସମସ୍ତ ବ୍ୟକ୍ତି ଅପେକ୍ଷା ଶ୍ରେଷ୍ଠ ପ୍ରାପ୍ତ ହେବା । ନିଜର ସ୍ୱତନ୍ତ୍ର ସର୍ତ୍ତାକୁ ସବୁ ପ୍ରକାର ସାର୍ଥକରେ ମଣ୍ତିତ କରିବା, ଖଣ୍ତ ବ୍ୟଷ୍ଠିଚେତନା ପ୍ରତ୍ୟେକ ପାର୍ଥକ୍ୟ ଓ ବୈଶିଷ୍ଟ୍ୟକୁ ପ୍ରାଧାନ୍ୟ ଦେଇଥାଏ ଓ ଏହାକୁ ପୃଷ୍ଠ କରିବାର ପ୍ରେରଣା ଦିଏ । ଫଳ ସୂରୂପ ମନୁଷ୍ୟ ସହିତ ମନୁଷ୍ୟର, ଜୀବ ସହ ଜୀବର ବିଚ୍ଛେଦ ଘଟେ ଓ ଏହି ବିଚ୍ଛେଦହିଁ ଧିରେ ଧିରେ ଉତ୍କଟ ଆକାର ଧାରଣ କରି ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ସଂଘର୍ଷ, ସଂଗ୍ରାମର ରୂପରେ ପରିଣତ ହୋଇଥାଏ । କାରଣ ଖଣ୍ତଚେତନାର ମାର୍ଗକୁ ପୂର୍ଣ୍ଣ କରିବା ପ୍ରତ୍ୟେକ ନରର, ପ୍ରତ୍ୟେକ ଜୀବର ସ୍ୱଭାବହିଁ ସଂଗ୍ରାମଶୀଳ ପାଲଟେ । ସଂଗ୍ରାମକରି ସେ ଜୀବନ ଧାରଣ କରିଛି ଓ କର୍ମକ୍ଷେତ୍ରରେ ଆଗେଇଛି । ପ୍ରତ୍ୟେକ ଜୀବ ପକ୍ଷରେ ଏ ଜଗତ ସଂଗ୍ରାମର କ୍ଷେତ୍ରଭୂମି । କାମ, କ୍ରୋଧ, ଲୋଭ, ହିଂସା, ଘୃଣା, ଭୟ ଆଦି ମନୋବୃତ୍ତିକୁ ବ୍ୟଷ୍ଠି ଚେତନାରେ ଅଭିବ୍ୟକ୍ତ କରିବା । ବ୍ୟଷ୍ଠି ଚେତନାର ପୁଷ୍ଠି ସାଧନ ପାଇଁ ଏସବୁ ବୃତ୍ତିର ଯଥେଷ୍ଟ ଆବଶ୍ୟକ ରହିଛି ।


ଏକଥା ସତଯେ, ପ୍ରତ୍ୟେକ ବ୍ୟଷ୍ଠିଚେତନା ଅନୁଭବ କରେ ନିଜର ଆତ୍ମରକ୍ଷା ଓ ଆତ୍ମପୁଷ୍ଟି ପାଇଁ ଶକ୍ତି ସଂଗ୍ରହ କରି ବର୍ହିଃଜଗତରେ ପରିଚୟ ଓ ସମ୍ବନ୍ଧ ସ୍ଥାପନ କରିବା ସହିତ ନିଜ ପ୍ରଯନ୍ତ୍ରରେ ଏକ ବିଶିଷ୍ଟ ସ୍ଥାନର ଅଧିକାରୀ ହେବା । ଏହି ଉଦ୍ଦେଶ୍ୟ ଓ ଅଭିଳାଷର ଚରିତାର୍ଥ ନିମନ୍ତେ ତାର ଅନ୍ୟସହ ଯେତିକି ପ୍ରତିଦ୍ୱନ୍ଦ୍ୱିତା ଆବଶ୍ୟକ ରହିଛି, ସେତିକି ସହଯୋଗିତାର ଆବଶ୍ୟକ ଅଛି । ସଂଗ୍ରୀମୀ ହେବା ଓ ସଂଗ୍ରାମରେ ସଫଳ ହେବା ପାଇଁ ସମାନ ବୈଶିଷ୍ଟ୍ୟ ସଂପନ୍ନ, ବ୍ୟକ୍ତିତ୍ୱ ସଂପନ୍ନ, ସ୍ୱାର୍ଥାନୁସନ୍ଦିତ୍ସା ସଂପନ୍ନ ଅନେକଙ୍କ ସଙ୍ଗରେ ସହଯୋଗିତା, ସହକାରିତା, ସମବେଦନା, ସହାନୁଭୂତି ଆଦିର ଆବଶ୍ୟକ ଅଛି । ସ୍ୱାର୍ଥ ପାଇଁ ଏହା ନିତ୍ୟାନ୍ତ ଜରୁରୀ ଅଛି । ଏହାର ମିଳନ ପ୍ରଚେଷ୍ଟା ସଂଗ୍ରାମର ଅଂଶ ଅଟେ । ଖଣ୍ତଚେତନାର ଅଣୁପ୍ରରଣା ମନୁଷ୍ୟର ପରିବାର, ସମାଜ, ସଂପ୍ରଦାୟ, ଜାତି ଆଦି ସମଷ୍ଠି ଜୀବନର ସଂଗଠନ ଆବଶ୍ୟକ କରେ ଓ ଏହା ଭିତରେ ପ୍ରତ୍ୟେକ ମନୁଷ୍ୟ ନିଜର ବ୍ୟକ୍ତିତ୍ୱ ପୁଷ୍ଟି କରେ ।


କିନ୍ତୁ ମନୁଷ୍ୟ ଭିତରେ ନରତ୍ୱର ଯେଉଁ ମାର୍ଗ ଅଟେ ତାର ଅନ୍ତରାଳରେ ନାରାୟଣତ୍ୱର ମାର୍ଗ ବିଦ୍ୟମାନ । କାରଣ ଖଣ୍ତ ବ୍ୟଷ୍ଠି ଚେତନାର ଆଲିଙ୍ଗନ କରି ଅଖଣ୍ତ ସମଷ୍ଠି ଚେତନା ବିଶ୍ୱ ପରମାତ୍ମା ଚେତନାରେ ନିତ୍ୟ ଡିଦ୍ୟମାନ ଲଭେ, ଯେଭଳି କୌଣସି ମନୁଷ୍ୟ କେବଳ ନିଜର ପାର୍ଥକ୍ୟ ଓ ବୈଶିଷ୍ଟ୍ୟକୁ ପୁଷ୍ଟକରି ତୃପ୍ତ ହୁଏ ନାହିଁ , ଏପରିକି ନିଜକୁ ପରିପୂର୍ଣ୍ଣ କରି ମଧ୍ୟ ତୃପ୍ତ ହୁଏନାହିଁ କି ଅନ୍ୟ ବ୍ୟକ୍ତି ନିକଟରେ ନିଜର ଅହମିକାକୁ ପ୍ରକାଶ କରି ଆନନ୍ଦ ପାଏନାହିଁ । ବରଂ ତାର ଅନ୍ତଃକରଣରେ ଅନ୍ତର୍ଯ୍ୟାମୀ ସମଷ୍ଠି ଚେତନା ସମସ୍ତଙ୍କ ସହ ମିଳିତ ହେବାପାଇଁ, ସମସ୍ତଙ୍କ ହୃଦୟ ସହ ନିଜର ହୃଦୟ, ସମସ୍ତଙ୍କ ଜୀବନ ସହ ନିଜ ଜୀବନକୁ ଯୋଗ କରିବାପାଇଁ ବା ଏକାତ୍ମ ଅନୁଭବ କରିବା ଲାଗି ଅନବରତ ଅନୁପ୍ରେରଣା ପାଇଥାଏ । ଆପାତତଃ ଜୀବନ ସଂଗ୍ରାମରେ ଜିଣିବାର ଆଶା ଉତ୍ତମ ରୂପେ ପ୍ରଦର୍ଶନ କର, ନିଜର ଅହଂକାରକୁ କେନ୍ଦ୍ର କରି ନିଜ ଚର୍ତୁଃପାର୍ଶ୍ୱବର୍ତ୍ତୀ ଜୀବ ଜଗତକୁ ଜିଣିବାର ପ୍ରୟାସ କର, କାରଣ ଅସଂଖ୍ୟ ଜୀବମାନଙ୍କର ଓ ବିଶାଳ ଜଗତରେ ସେ ନିଜକୁ ଅତି କ୍ଷୁଦ୍ର ମନେ କରି ଆସିଛି । ତେଣୁ ସକଳ ଜୀବମାନଙ୍କ ଠାରୁ ସେ ସର୍ବୋତ୍ତମ ଓ ପରିଚ୍ଛିନ୍ନ ଏକମାତ୍ର ଜୀବ ବୋଲି ଅନୁଭବ କରି ଅଗଣିତ ବିଚିତ୍ର ଶକ୍ତିର ଘାତ ପ୍ରତିଘାତରେ ନିୟତ ଜର୍ଜରିତ ହୋଇଉଠେ । କେବଳ ମୃତ୍ୟୁ ବିଭୀଷିକା ଭୀତି ଠାରୁ ନିଜକୁ କ୍ଷୁଦ୍ରଶକ୍ତି, କ୍ଷୁଦ୍ର ବୁଦ୍ଧି ବୋଲି ଧାରଣା କରେ । ସେ ନିଜର ଶକ୍ତି ବଳରେ ଅନ୍ୟର ସମ୍ଫତ୍ତି ହରଣ କରି ଓ ଅନ୍ୟ ଉପରେ ଆସୁରୀକ ପ୍ରଭାବ ପକାଇ, ରାଜ୍ୟ-ସାମ୍ରାଜ୍ୟର ଅଧିପତି ପାଲଟି, ନିଜ କ୍ଷୁଦ୍ରତାରୁ ମୁକ୍ତ ହୁଏ ନାହିଁ ।


ତେଣୁ ଏହି କ୍ଷୁଦ୍ରତାରୁ ମୁକ୍ତିପାଇଁ ହୃଦୟ ଭିତରେ ଯଥାର୍ଥ ମହତ୍ୱ ଓ ପୂର୍ଣ୍ଣତାର ଅନୁଭବ ଦରକାର । ବିଶ୍ୱର ସକଳ ବସ୍ତୁ, ପଦାର୍ଥ ସତ୍ତା ସହିତ ନିଜର ସର୍ତ୍ତାର ଐକ୍ୟାନୁଭବ ଆବଶ୍ୟକ । ସକଳ ହୃଦୟ ସଙ୍ଗରେ ନିଜ ହୃଦୟର ଯୋଗ ପ୍ରତିଷ୍ଠା ଦରକାର । ସମସ୍ତଙ୍କ ଭିତରେ ନିଜକୁ ଅନୁଭବ କରିବା, ପ୍ରତି ମନୁଷ୍ୟର ବ୍ୟଷ୍ଠିଚେତନାର ଅନ୍ତରାଳରେ ରହି ପରମାତ୍ଣ ଚେତନା ପ୍ରତି ବ୍ୟକ୍ତିକୁ ସର୍ବଦା ପ୍ରେରଣା ଦିଏ । ଯାହାକି ପ୍ରତ୍ୟେକଙ୍କୁ ସମସ୍ତଙ୍କ ସଙ୍ଗେ ପ୍ରେମରେ ମିଳିତ ହେବାକୁ ଉଦ୍ବୁଦ୍ଧ କରେ । ପ୍ରତ୍ୟେକ ସୀମା ଭିତରେ ଅସୀମକୁ, ଖଣ୍ତ ଭିତରେ ଅଖଣ୍ତକୁ, କାଳ ଭିତରେ କାଳାତୀତକୁ, ଭେଦ ଭିତରେ ଅଭେଦକୁ ଉପଲବ୍ଧି କରିବାକୁ ଉତ୍ସାହିତ କରେ । ଏହି ପ୍ରେରଣାରୁ ମନୁଷ୍ୟ କୌଣସି ଏକ ସଂକୀର୍ଣ୍ଣ ଘେର ଭିତରେ କେବେ ସ୍ଥିର ହୋଇ ରହେ ନାହିଁ ।


ପ୍ରତ୍ୟେକ ମନୁଷ୍ୟର ଚେତନା ଭିତରେ ବ୍ୟଷ୍ଠିଚେତନାକୁ ଆଲିଙ୍ଗନ କରି ସମଷ୍ଠି ଚେତନା ନିତ୍ୟ ବିରାଜମାନ ହୋଇଥାଏ । କାରଣ କୌଣସି ବ୍ୟକ୍ତି ନିଜର ଦେହେନ୍ଦ୍ରିୟ ମନର ଉତତ୍କର୍ଷ ତଥା ଭୋଗ ସାଧନ ପାଇଁ ଓ ଅନ୍ୟ ସମସ୍ତଙ୍କ ସ୍ୱାର୍ଥ ସିଦ୍ଧକୁ ଉପେକ୍ଷା କରି କେବେ ବ୍ୟକ୍ତିଗତ ବିକାଶରେ ସଫଳ ହୁଏ ନାହିଁ । ସ୍ଥୂଳ ଦୃଷ୍ଟିରେ ତା'ର ଦେହେନ୍ଦ୍ରିୟ ମନୋବିଶିଷ୍ଟ ଖଣ୍ତ ସର୍ତ୍ତାରୁ ଦୂରେଇ ସୂକ୍ଷ୍ମ ଦୃଷ୍ଟିରେ ସେ ସମସ୍ତଙ୍କୁ ଗ୍ରହଣ କରେ, ଯା'ଦ୍ୱାରା ତାର ବ୍ୟକ୍ତିତ୍ୱ ବଢିଥାଏ । ଯେପର୍ଯ୍ୟନ୍ତ ବ୍ୟଷ୍ଠି ଚେତନାର ପରୋଚନାରେ ଥାଏ, ସେ ପର୍ଯ୍ୟନ୍ତ ତାର ବ୍ୟକ୍ତିତ୍ୱ କ୍ଷୁଦ୍ରତା ଭିତରେ ଆବଦ୍ଧ ଥାଏ । ଯଦି ମନୁଷ୍ୟର ବ୍ୟକ୍ତିତ୍ୱ କ୍ଷୁଦ୍ର ଓ ଏହି କ୍ଷୁଦ୍ରତ୍ୱ ତୀବ୍ର ବୋଧ ପାଲଟେ । କିନ୍ତୁ ପରମାତ୍ମା ତାର କ୍ଷୁଦ୍ରତ୍ୱ ବୋଧକୁ ତୀବ୍ର ଊପସ୍ଦିତ କରାଇ ତାର ବ୍ୟକ୍ତିତ୍ୱର ସମୁଚିତ ବିକାଶ ପାଇଁ ବୃହତ୍ତର କ୍ଷେତ୍ରର ସନ୍ଧାନ ଦିଅନ୍ତି । ତେଣୁ ନିଜର ଦୈହିକ ଜୀବନ ଅପେକ୍ଷା ପାରିବାରିକ ଜୀବନ କ୍ଷେତ୍ରରେ ମନୁଷ୍ୟ ନିଜର ବ୍ୟକ୍ତିତ୍ୱର ସମୁଚିତ୍ତ ବିକାଶ ଅନୁଭବ କରିବା ସଙ୍ଗରେ ସାମାଜିକ ଜୀବନ ଓ ଜାତୀୟ ଜୀବନରେ ଉତ୍ସର୍ଗକୁ ପୂର୍ଣ୍ଣତର ବିକାଶକୁ ଅନୁଭବ କରିଥାଏ । ଯାହା ବିଶ୍ୱମାନବ ସଙ୍ଗରେ ନିଜକୁ ମିଶାଇ ଅଧିକ ପୂର୍ଣ୍ଣତର ବିକାଶକୁ ଅନୁଭବ କରିନିଏ । ଏହା ସତ୍ତ୍ୱେ ବି ତା'ବ୍ୟକ୍ତିତ୍ୱର ପରିପୂର୍ଣ୍ଣତା ଆସ୍ୱାଦନ ନୁହେଁ, ସେ ସମଗ୍ର ବିଶ୍ୱ ପ୍ରକୃତିର ଜୀବନକୁ ନିଜ ଜୀବନର ଅଂଗ ରୂପେ ଆସ୍ୱାଦନ କରିବାକୁ ଚାହେଁ, ନିଜ ଭିତରେ, ପରିବାର ମଧ୍ୟରେ, ସମାଜରେ, ଜାତିରେ, ସକଳ ମନୁଷ୍ୟ ମଧ୍ୟରେ, ସମସ୍ତ ପ୍ରାଣୀଙ୍କ ଭିତରେ, ପଦାର୍ଥରେ, ସକଳ ସର୍ତ୍ତାର ଭିତରେ ଏକତ୍ୱହିଁ ଅଖଣ୍ତ ଜୀବନର ଅମୃତ ଧାରାକୁ ଆସ୍ୱାଦନ କରି ନିଜ ବ୍ୟକ୍ତିତ୍ୱକୁ କୃତାର୍ଥ ମଣ୍ତିତ କରିବାହିଁ ନର ଜୀବନର ନାରାୟଣତ୍ୱ ଭାବ । ଏହା ବ୍ୟଷ୍ଟି ଚେତନା ଉପରେ ସମଷ୍ଠି ଚେତନାର ମହାମିଳନ ।


ବ୍ୟଷ୍ଟି ଚେତନା ଓ ସମଷ୍ଟି ଚେତନା ଅର୍ଥାତ୍ ନର ଓ ନାରାୟଣ ଚେତନାର ସମର୍ପିତ ଐକ୍ୟଭାବ ମାନବ ଜୀବନକୁ କୃତାର୍ଥ କରେ । ବ୍ୟଷ୍ଠି ଚେତନା ଯେତେବେଳେ ସମଷ୍ଟି ଚେତନା ମଧ୍ୟରେ ନିଜର ସୂରୂପକୁ ପୂର୍ଣ୍ଣ ରୂପରେ ଉପଲବ୍ଧି କରେ, ନର ଯେତେବେଳେ ସର୍ବଭାବନାରେ ନାରାୟଣମୟ ହୋଇ ସବୁ ନରଙ୍କୁ ନିଜ ସଙ୍ଗରେ ଅଭିନ୍ନ ବୋଲି ଅନୁଭବ କରେ, ତେବେ ସେତେବେଳେ କୌଣସି ଦ୍ୱନ୍ଦ୍ୱ ରହେ ନାହିଁ । ସେଠି ଆଉ କୌଣସି ପ୍ରତିଯୋଗିତା, ସଂଘର୍ଷ, ସଂକୀର୍ଣ୍ଣତା, କାମ, କ୍ରୋଧ, ଲୋଭ, ମାନ, ଅଭିମାନ ଆଦିର ଅବକାଶ ରହେ ନାହିଁ, କେବଳ ଆନନ୍ଦ, ମହାନନ୍ଦ ଓ ପରମାନନ୍ଦର ଅନୁଭବ ଭରିଯାଏ । ଆତ୍ମା ଓ ପରମାତ୍ମାର ମହାମିଳନ, ଯାହା ପରମାର୍ଥିକ ଭାବର ଉଦ୍ ବେଳନ ଘଟିଥାଏ ।


ବ୍ୟଷ୍ଠି ଓ ସମଷ୍ଠି, ବ୍ୟକ୍ତି ଓ ବିଶ୍ୱ, ନର ଓ ନାରାୟଣ ଏ ସକଳର ଅଭେଦ ଉପଲବ୍ଧିହିଁ ସବୁ ପ୍ରକାର ଧର୍ମ ସାଧନା, ଞ୍ଗାନ ସାଧନା ଓ ପ୍ରେମ ସାଧନାର ଆଦର୍ଶ । ମାନବ ଜୀବନ ଯେଉଁ ମାତ୍ରାରେ ଐକ୍ୟଭାବ ଜାଗ୍ରତ ହୁଏ, ମାନବ ସମାଜରେ ଯେଉଁ ମାତ୍ରରେ ମିଳନ ସାଧିତ ହୁଏ । ବ୍ୟକ୍ତି ସହ ବ୍ୟକ୍ତି, ଜାତି ସହ ଜାତି, ସଂପ୍ରଦାୟ ସହ ସଂପ୍ରଦାୟ, ଯେଉଁ ମାତ୍ରାରେ ଆଭ୍ୟନ୍ତରୀଣ ଅଭେଦର ଅନୁଭବ କରେ, ସେହି ମାତ୍ରାରେ ଧର୍ମ ଉଜ୍ଜଳତର, କର୍ମ ସାଧକ, ଞ୍ଗାନ ସାଧକ, ସତ୍ୟନିଷ୍ଠ ଓ ମଧୁର ହୋଇଯାଏ । ମାନବ ସମାଜରେ ମହାପୁରୁଷମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ପ୍ରତ୍ୟେକ ଧର୍ମ ସଂପ୍ରଦାୟର ମୂଳକଥା ଏହାହିଁ ଯେ, ଭେଦ ବୁଦ୍ଧିକୁ ଅତିକ୍ରମ କରି ଅଭେଦରେ ପ୍ରତିଷ୍ଠା କରିବା, ନର ଓ ନାରାୟଣଙ୍କ ମିଳନକୁ ଉପଲବ୍ଧ କରିବା, ପ୍ରତ୍ୟେକଙ୍କ ସଙ୍ଗରେ ପ୍ରତ୍ୟେକଙ୍କ ପ୍ରାଣର ମିଳନ ଘଟାଇବା, ବ୍ୟକ୍ତି ସଙ୍ଗରେ ବିଶ୍ୱକୁ ଅନୁଭବ କରିବା ହେଉଛି ପ୍ରତ୍ୟେକ ମତବାଦ, ପ୍ରତ୍ୟେକ ସାଧନ ପ୍ରଣାଳୀର, ପ୍ରତ୍ୟେକ ସାମାଜିକ ଓ ରାଷ୍ଟ୍ରୀୟ ନୀତିର ମୂଳମନ୍ତ୍ର । ଏହି ମହାମିଳନ, ବିଶ୍ୱ ଚେତନା ଐକ୍ୟର ଉପଲବ୍ଧି ଅଟେ । ତେଣୁ ପ୍ରତ୍ୟେକ ଜୀବ ମଧ୍ୟରେ ବିଶ୍ୱାତ୍ମାର ଉପଲବ୍ଧି କରିବା, ଅର୍ଥାତ୍ ସବୁ ପ୍ରକାର ରାଷ୍ଟୀୟ ବିଧି ବିଧାନ, ସାଂପ୍ରଦାୟିକ ନିୟମ ପ୍ରଣାଳୀ, ପାରିବାରିକ ଆଚାର ବ୍ୟବହାର ଏହି ନାରାୟଣ ଚେତନାକୁ ନର ଚେତନା ଭିତରେ ସତ୍ୟ ଓ ସମୋଜ୍ଜଳ କରିବା ପାଇଁ ଅନୁକୃଳ ହେବା ଫଳରେ ମାନବ ଜୀବନ ସାର୍ଥକ ଲାଭ କରେ ।

Post a Comment

0 Comments